ଗୁପ୍ତଗଙ୍ଗା – କୁମୁଦିନୀ ବେହେରା
ବିଶ୍ଵାସ ବ୍ୟାସର ଅପୂର୍ବ ଉନ୍ମେଷେ
ଗଢ଼ିଦେଲ ଗୁପ୍ତଗଙ୍ଗା ତୁମର
ତୁମ ହୃଦୟର କଠୋର ନିଷ୍ପତ୍ତି
ଚହଲାଇ ଦେଲା ହୃଦୟ ମୋର l
ତରୁଣ ମନର ସଂକଳ୍ପ ସାଧନେ
ଚରମ ପ୍ରତିଜ୍ଞାର ପୁଣ୍ୟବ୍ରତ
ଦେଖାଇଲ ପ୍ରାଣେ ମୋ ଦୁର୍ଲ୍ଲଭ ଦିଶା
ଜଡ଼ ପ୍ରାଣ ମୋର ହେଲା ଜାଗ୍ରତ l
ଭଗ୍ନଶିଳା ସମ ଭୋଗୁଅଛ ସିନା
ଅନ୍ତହୀନ ଦୁଃଖର ଅନୁପ୍ରାସ
ନୈରାଶ୍ୟର ଅନ୍ତଃସ୍ଵର କହେ ତୁମ
ତଥାପି ତୁଟିନି ଆଶା ବିଶ୍ଵାସ l
ଧମନୀ ଚିପୁଡ଼ି ରକତ ନିଗାଡ଼ି
ମାୟା ଜଞ୍ଜାଳେ ହୁଅ କଲବଲ
ନିଜେ ଭିଜି ବେଦନାର ଅଶ୍ରୁଧାରେ
ମୋତେ ପବିତ୍ର ଗୁପ୍ତଗଙ୍ଗା କଲ l
ତୁମ ହୃଦୟର ପୀୟୂଷ ପ୍ରସୂନ
ଫୁଟାଇ ହୃଦୟର ଉପବନେ
ବିତରି ଚାଲିଛ ସୁମହତ ବାଣୀ
ଜୀବନଯଜ୍ଞର ପ୍ରତି ସୋପାନେ l
ଦୁର୍ବାର ତେଜ ତା’ ରହିବନି ଆଉ
ସରିବ ଅରାତିର ଆସ୍ଫାଳନ
ଐକ୍ୟ ଆହ୍ଲାଦରେ ତୂର୍ଯ୍ୟ ନିନାଦରେ
ସିଂହାସନେ ହେବ ଉପବେଶନ l
ଆଜି ବି ରହିଛି ସ୍ମୃତି ଅନ୍ତରାଳେ
ଅତୀତର ସେହି ସୁନା ସପନ
ଫଗୁଣ ସଞ୍ଜର ନହୁଲି କୁଞ୍ଜରେ
ଝରୁଥିଲା ପ୍ରୀତି ଶ୍ରଦ୍ଧା ସୁମନ ll
କୁମୁଦିନୀ ବେହେରା, ଅନୁଗୋଳ
