ଅଭିମାନିନୀ ବର୍ଷା – କୁମୁଦିନୀ ବେହେରା
ପଚାରିଲି କାଲି ଶ୍ରାବଣ ଧାରାକୁ
କାଇଁ ଲୋ କରିଛୁ ତୁ ଅଭିମାନ,
ବୁହାଇ ଦେ ତୋର ଅମୃତ ନିର୍ଝର
ବଞ୍ଚି ରହିବ ସ୍ରଷ୍ଟାଙ୍କ ସୃଜନ l
ଧରଣୀ ବୁକୁରେ କାନ୍ଦେ ସବୁଜିମା
ଧୂସର ବିବର୍ଣ୍ଣ ଅଙ୍ଗ ତାହାର,
ଶ୍ୟାମଳ ତନୁରେ ସାଧବବୋହୂର
ନାହିଁ ନବବଧୂର ଅଭିସାର l
ଭୂମି ଓ ଭୂମାର ମିଳନ ଋତୁର
ମାଦକତା ଆଉ କା’ ପାଖେ ନାହିଁ
ପ୍ରକୃତି ଓଠରେ ମିଳନ ଗୀତିକା
କହ କାହିଁ ପାଇଁ ନେଲୁ ଚୋରେଇ l
କାହିଁ ଇନ୍ଦ୍ରଙ୍କର ପ୍ରୀତିର ତୋରଣ
ପରିପୂର୍ଣ୍ଣ ଶୋଭାର ରଙ୍ଗଶାଳା,
ଦୂର ଗଗନରେ ଦୃଶ୍ୟମାନ କାହିଁ
ନୀଳ ମେଘ ଦେହେ ବଉଦମାଳା l
ଅମୃତ ସଲିଳ ପରଶ ନ ପାଇ
ସୁନା ଫସଲରେ ଲାଗିଛି ନିଆଁ,
ବସୁଧା ନୟନୁ ବହେ ଉଷ୍ମ ଅଶ୍ରୁ
ନ ପାଇ ମୌସୁମୀ ଶୀତଳ ଛୁଆଁ l
କାହିଁ ବର୍ଷା ତୁମ ମାଟି ମରତରେ
ଭିଜା ଭିଜା ପ୍ରୀତିର ସମାରୋହ,
ତୁମ ବିରସତା ନାଶେ ସରସତା
ସଂସାର ଲାଗୁଅଛି ଦୁର୍ବିସହ l
ଫେରାଇ ଦିଅ ଗୋ ଶାନ୍ତ ମେଦିନୀର
ମନୋହର ସୁଷମାର ସମ୍ଭାର,
ସବୁଜ ବନାନୀ ସୁଷମାମାଳିନୀ
ହସି ଉଠୁ ନୀଳ ଊର୍ମି ସାଗର l
ପିନ୍ଧାଇ ଦେ ଲୋ ବସୁମତୀ ଅଙ୍ଗେ
ସବୁଜ ସୁନ୍ଦର ପାଟର ଶାଢ଼ି,
ତୋ ସ୍ଵାଗତ ପାଇଁ ଭକ୍ତିଅର୍ଘ୍ୟ ଧରି
ଉଭା ପୁଷ୍ପ ଲତା ଧାଡ଼ି କି ଧାଡ଼ି l

ସବୁ ପ୍ରତୀକ୍ଷାର କରି ଅବସାନ
ଓହ୍ଲାଇ ଆସ ଗୋ ଏ ଧରା ପରେ
ବିବର୍ଣ୍ଣ ଧରାକୁ କର ବର୍ଣ୍ଣମୟ
ବସୁମତୀ ହସ ଦିଅ ଓଠରେ ll
କୁମୁଦିନୀ ବେହେରା, ଅନୁଗୋଳ

ସୁନ୍ଦର ବର୍ଣ୍ଣନା