ଦାର୍ଢ୍ୟତାଭକ୍ତି କଥାମୃତ – ନୀଳାମ୍ବର ଦାସ ଚରିତ – ଘନଶ୍ୟାମ ସାହୁ

ଲେଖକ ପରିଚୟ

ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ, ବଇଣ୍ଡା, ଅନୁଗୋଳ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏହି ବିଷୟଟି 6 ଜଣ ପାଠକ ପଢି ସାରିଛନ୍ତି

କାହିଁ କେଉଁ କାଳରୁ ଗିରିରାଜ ହିମାଳୟ କନ୍ୟା କଳ କଳ ନାଦିନୀ ମାତା ଗଙ୍ଗା ଭାରତର ବିଭିନ୍ନ ଅଞ୍ଚଳ ଦେଇ ପ୍ରବାହିତ ହୋଇ ଜନସମାଜର କଲ୍ୟାଣ କରିବା ସହିତ ପାପୀ ମାନଙ୍କ ପାପ ଧୈ।ତ କରି ଚାଲିଛନ୍ତି ଅବାରିତ ଭାବରେ । ସେଇ ପତିତପାବିନୀ ଗଙ୍ଗା ନଦୀର ଏ କୁଳରୁ ସେ କୂଳକୁ ନିର୍ନିମେଷ ନୟନରେ ଚାହିଁରହି ପ୍ରଭୁ ଜଗନ୍ନାଥଙ୍କ ଅପୂର୍ବ ରୂପ ଲାବଣ୍ୟ ର କଳ୍ପନା କରୁ କରୁ କେତେ ସମୟ ବିତିଗଲା ଜାଣି ପାରିଲେ ନାହିଁ ଭକ୍ତ ଜଣକ ।ଏଡେ ବଡ ଶ୍ୱାପଦ ଶଙ୍କୁଳ ଅରଣ୍ୟ ମଧ୍ୟରେ ପାଦଚଲା ରାସ୍ତାରେ କେବଳ ପ୍ରଭୁ ଜଗନ୍ନାଥଙ୍କ ନାମ ନେଇ ଗଙ୍ଗା ନଦୀ କୂଳରେ ପହଞ୍ଚି ଥିଲେ ସେଇ ଭକ୍ତ ବିପ୍ର ନୀଳାମ୍ବର ଦାସ । ଘର ଉତ୍ତର ଖଣ୍ଡ ରାଜ୍ୟ ରେ । ପରିବାର ସହିତ ବେଶ୍ ହସଖୁସିରେ ସମୟ ବିତାଇ ଚାଲିଥିଲେ ସେ । ଅଭାବ ଅସୁବିଧା ବୋଲି କିଛି ହିଁ ନଥିଲା । ସାଧୁ ସନ୍ଥ ମାନଙ୍କ ସେବା କରିବା ସହିତ, ଦୁଃଖୀ ଦରିଦ୍ର ଙ୍କୁ ଦାନ କରିବା ତଥା ବିଭିନ୍ନ ଧର୍ମ କାର୍ଯ୍ୟ କରି ସୁଦ୍ଧା ତାଙ୍କୁ ମାନସିକ ଶାନ୍ତି ମିଳି ପାରି ନଥିଲା । ସାଧୁ ବୈଷ୍ଣବ ମାନଙ୍କ ମୁଖରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା କଥାମୃତ ଶୁଣି ଶୁଣି ତାଙ୍କ ମନରେ ଜଗନ୍ନାଥଙ୍କ ପ୍ରତି ପ୍ରଗାଢ ଭକ୍ତିଭାବ ଜାଗ୍ରତ ହେଲା । ସେ ଏତେ ଦିନ ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ପାରି ନଥିବାରୁ ନିଜକୁ ନିଜେ ମନେ ମନେ ଧିକ୍କାର କରିବାକୁ ଲାଗିଲେ ।ବିଷୟା ଜଞ୍ଜାଳ ରେ ,ମାୟା ମୋହ ରେ ପଡ଼ି ସେ ଏ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ର ଦର୍ଶନ କରିପାରି ନାହାନ୍ତି ବୋଲି ମନରେ ଗଭୀର କ୍ଷୋଭ ସୃଷ୍ଟି ହେଲା । ମହାପ୍ରଭୁ ଯାହା ପ୍ରତି ସଦୟ ହୁଅନ୍ତି ତାର ସବୁ କିଛି ସୁବିଧା ଆପେ ଆପେ ହୋଇଥାଏ । ପୁଣି ଭାବଗ୍ରାହୀ ସେ ।ଭାବର ଡୋରି ରେ ଟାଣି ଆଣନ୍ତି ନିଜ ନିକଟକୁ ତାଙ୍କର ଭକ୍ତଙ୍କୁ । ଯେତେ ଦୂରରେ ଥିଲେ ମଧ୍ୟ ଭକ୍ତ ଏକ ଅଜଣା ଆକର୍ଷଣ ରେ ଟାଣି ହୋଇ ଆସେ ମର୍ତ୍ତ୍ୟବୈକୁଣ୍ଠ ଶ୍ରୀକ୍ଷେତ୍ର କୁ । ଠିକ ସେହିପରି ଅବସ୍ଥା ହୋଇଥିଲା ନୀଳାମ୍ବର ଦାସ ଙ୍କର । ପତ୍ନୀ ପୁତ୍ରପରିବାର ସବୁକୁ ତୁଚ୍ଛ କରି ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ଉଦ୍ଦେଶ୍ୟରେ କାହାକୁ କିଛି ନକହି ଦିନେ ବଡ଼ି ଭୋରରୁ ଗୃହତ୍ୟାଗ କରିଥିଲେ ନୀଳାମ୍ବର । କାନ୍ଧରେ ଦିଖଣ୍ଡ ଯାଉଁଳି ଏବଂ କିଛି ମୁଦ୍ରା ବ୍ୟତୀତ ଆଉ କିଛି ଧରି ନଥିଲେ ସେ । ସେ ସମୟରେ ଯାନ ବାହାନ ର ସେମିତି କିଛି ସୁବିଧା ନଥିଲା କି ଆଜି ପରି ଉନ୍ନତ ରାସ୍ତା ଘାଟ ମଧ୍ୟ ନଥିଲା । ପାଦରେ ଚାଲି ଚାଲି ହିଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ପଡୁଥିଲା ।ଏକ ଲକ୍ଷ୍ୟ ରେ ସେ ଘରୂ ବାହାରି ଏବେ ସେ ଗଙ୍ଗା ନଦୀ କୂଳରେ । ଦୂରରୁ ହିଂସ୍ର ଜୀବଜନ୍ତୁ ମାନଙ୍କର ଚିତ୍କାର ଅସ୍ପଷ୍ଟ ହେଲେ ମଧ୍ୟ ଭୀତି ସଞ୍ଚାର କରୁଥିଲା । ଦଳ ଦଳ ହୋଇ ନିଜ ନିଜ ବସା ଅଭିମୁଖେ ଫେରୁଥିବା ପକ୍ଷୀ ମାନଙ୍କର କଳ ରବ ସନ୍ଧ୍ୟା ନିକଟତର ହେବାର ସୂଚନା ଦେଉଥିଲା । ଦୂର ଦିଗନ୍ତରେ ଆକାଶ ଧୀରେ ଧୀରେ ରକ୍ତିମ ହୋଇ ଆସୁଥିଲା । ଅନ୍ୟ ପାର୍ଶ୍ବରେ ଥିବା ଗ୍ରାମ ମନ୍ଦିରର ଧ୍ଵଜା ଫର ଫର ଉଡ଼ିବା ଅସ୍ପଷ୍ଟ ହୋଇ ଆସୁଥିଲା । ନୀଳାମ୍ବର ପ୍ରକୃତିସ୍ଥ ହୋଇ ଗଙ୍ଗା ନଦୀକୁ ଚାହିଁଲେ । ଜଳସ୍ତର ବୃଦ୍ଧି ଯୋଗୁଁ ଆର ପାଖରେ କିପରି ଶୀଘ୍ର ପହଞ୍ଚି ଦିଶୁଥିବା ଗ୍ରାମରେ ବିଶ୍ରାମ ନେବେ ସେକଥା ଚିନ୍ତା କଲେ ‌।”କାହିଁ ଆଖପାଖରେ କେହି ଜଣେ ହେଲେ ମଧ୍ୟ ଦିଶୁ ନାହାନ୍ତି ? ସେ କ’ଣ ଶେଷରେ ଏହି ହିଂସ୍ର ବଣ୍ଯ ଜନ୍ତୁଙ୍କ ଆହାର ହୋଇ ପ୍ରାଣତ୍ୟାଗ କରିବେ ?ହେ ମହାବାହୁ ତୁମେ ‌ହିଁ ଭରସା ।” ଏହା କହି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ହାତ ଦୁଇ ଟେକି ଧରି ଥିବା ବେଳେ ଜଣେ ନାବିକ ମାଛଧରା ଡଙ୍ଗାରେ ମାଛ ଧରୁଥିବା ଦେଖିଲେ । ସେ ଖୁବ ଉଚ୍ଚ ସ୍ୱରରେ ଡାକିଲେ ଓ ଆରକୂଳରେ ପହଞ୍ଚାଇବାକୁ ତାକୁ ଅନୁରୋଧ କଲେ । ନାବିକ ମନେ ମନେ ଚିନ୍ତା କଲା,”ଆଜି କିଛି ହେଲେ ରୋଜଗାର ହୋଇ ନାହିଁ ।ଏ ପର୍ଯ୍ୟନ୍ତ ଜାଲରେ କେରାଣ୍ଡି ଟିଏ ସୁଦ୍ଧା ପଡ଼ିଲା ନାହିଁ । ବ୍ରାହ୍ମଣ ପରି ଜଣାପଡୁଛି । ନୂଆ ଯାଉଁଳି ହଳେ କାନ୍ଧରେ ପକାଇଛି । କିଛି ନହେଲେ ଏହି ଦୁଇଟି ମିଳିଯିବ । ତୀର୍ଥ ଭ୍ରମଣ କରିବାକୁ ଯାଉଛି ଯେତେବେଳେ କିଛି ଅର୍ଥ ନିଶ୍ଚୟ ରଖିଥିବ । ନଦୀ ମଝିରେ ପକାଇ ଦେଇ ସବୁ ଅର୍ଥ ତା ପାଖରୁ ହାସଲ କରିବାକୁ ପଡ଼ିବ ।” ସେ ମନକଥା ମନରେ ରଖି ଉପରି ମନକୁ ନୀଳାମ୍ବର ଙ୍କୁ ନମସ୍କାର କରି କହିଲା,”ହେଲେ ଗୋସେଇଁ ସନ୍ଧ୍ୟା ତ ହୋଇ ଆସୁଛି । ମୋତେ ପୁଣି ଘରକୁ ଫେରିବାକୁ ହେବ । ଦେଖୁଛନ୍ତି ତ ନଦୀ ଦି କୂଳ ଖାଉଛି । ପାଉଣା ଟିକିଏ ଅଧିକ ଦେବେ ।”ଏତିକି କହି ଡଙ୍ଗା ପାଖକୁ ଲଗାଇଲା ।”ତୁ ତୋର ପାଉଣା ଠାରୁ ଅଧିକ ନିଶ୍ଚୟ ପାଇବୁ” କହି ଡଙ୍ଗାରେ ଚଢ଼ି ଠାକୁରଙ୍କୁ ସ୍ମରଣ କରି ବସିଲେ ବିପ୍ର ନୀଳାମ୍ବର । ଡଙ୍ଗା କିଛି ବାଟ ଯାଇ ମଝି ସୁଅରେ ପହଞ୍ଚି ଓଲଟା ପଥରେ ଯିବାକୁ ଆରମ୍ଭ କରିବା ଦେଖି ନୀଳାମ୍ବର ଛାନିଆ ହୋଇ ନାବିକ କୁ କୁଆଡେ଼ ନେଉଛି ବୋଲି ପଚାରିଲେ । ନାବିକ ତାର ଅସଲ କଥା ଏବେ କହିଲା ,” ଯଦି ବଞ୍ଚିବାକୁ ଚାହୁଁଛ ତେବେ ତୁମର ସବୁ କିଛି ମୋତେ ଚୁପ୍ ଚାପ୍ ଦେଇ ଦିଅ ।ନଚେତ୍ ମୁଁ ଚାହିଁଲେ ତୁମକୁ ନଦୀ ମଧ୍ୟରେ ପକାଇ ଦେଲେ ମଧ୍ୟ କେହି କିଛି କରିପାରିବେ କି ଜାଣି ପାରିବେ ନାହିଁ “। ତା’ର ମନ୍ଦ ଉଦ୍ଦେଶ୍ୟ ଜାଣିପାରି ନୀଳାମ୍ବର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ତୁତି କରିବାକୁ ଲାଗିଲେ , “ହେ ମହାବାହୁ , ଅଗତି ର ଗତି ଦାୟକ ,ହେ ଅନ୍ତର୍ଯ୍ୟାମୀ ଜଗନ୍ନାଥ ,ଗଜକୁ ଗଭୀର ଜଳରାଶିରୁ ଉଦ୍ଧାର କଲାପରି , ହରିଣୀ କୁ ବ୍ୟାଧ କବଳରୁ ରକ୍ଷା କଲାପରି ମୋ ପରି ଅସହାୟ ର ସହାୟ ହୁଅ ପ୍ରଭୁ ।ମୁଁ ତୁମ ଦର୍ଶନ କରିବା ପାଇଁ ଏବଂ ତୁମରି ଆଶ୍ରୟ ନେବାକୁ ଯାଉଛି ଠାକୁରେ । ମୁଁ ତୁମର ଶରଣ ନେଇଛି‌ ଶରଣ ରକ୍ଷଣ । ମୋତେ ଏ ଦୁଷ୍ଟ କବଳ ରୁ ରକ୍ଷା କର ଦୀନବନ୍ଧୁ ।” ଭକ୍ତ ର ଡାକ ନ ଶୁଣନ୍ତେ କିପରି ଭକ୍ତବତ୍ସଳ ପ୍ରଭୁ ଭାବଗ୍ରାହୀ ? ଏକ ଯୋଦ୍ଧା ଧନୁର୍ଦ୍ଧର ଯୁବକ ବେଶରେ ପ୍ରଭୁ ଅଶ୍ୱ ଝପଟାଇ କୂଳରେ ପହଞ୍ଚି ଗଲେ । ବଳିଷ୍ଠ ବପୁ । କମନୀୟ କାନ୍ତି । ଆଜାନୁଲମ୍ବିତ ବାହୁ ଯୁଗଳ ।ମୁଖ ମଣ୍ଡଳ ରେ ଏକ ଅପୂର୍ବ ତେଜ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ମାୟାଧର ଙ୍କ ମାୟା ଦେବତାଙ୍କୁ ବି ଅଗୋଚର । ସାମାନ୍ୟ ମନୁଷ୍ୟ ଜନ୍ମ ନେଇ କିଏ ଅବା ଜାଣି ପାରିବ ? ଏ ବେଶରେ ସେ ଆଗରୁ କେବେ କାହାକୁ ଦେଖିଥିବା ମନେ ପକେଇ ବାକୁ ଚେଷ୍ଟା କଲା ନାବିକ । ବିପ୍ର ନୀଳାମ୍ବର ମଧ୍ୟ ନିଜକୁ ସାମାନ୍ୟ ସୁରକ୍ଷିତ ମନେ କଲେ ମଧ୍ୟ ଜାଣି ପାରିଲେ ନାହିଁ ଯେ ସ୍ୱୟଂ ଲୀଳାମୟ ଶ୍ରୀହରି ତାଙ୍କୁ ରକ୍ଷା କରିବାକୁ ରତ୍ନ ସିଂହାସନ ତ୍ୟାଗ କରି ଏଠାକୁ ଚାଲି ଆସିଛନ୍ତି ! ନାବିକ କୁ ନାବ ଆଣିବା ପାଇଁ ଡାକ ଦେଇ ଯୋଦ୍ଧା ବେଶୀ ମହାପ୍ରଭୁ ଏକ ତୀର ନିକ୍ଷେପ କଲେ ।ତୀର ଯାଇ ନାବ ର ମଙ୍ଗରେ ବାଜି ଲାଖି ରହିଲା । ପ୍ରାଣ ଭୟରେ କମ୍ପିବାକୁ ଲାଗିଲା ଦୁଷ୍ଟବୁଦ୍ଧି ନାବିକ । ବ୍ରାହ୍ମଣ ଆଜି ମୋ ଠାରୁ ଅଳ୍ପ କେ ରକ୍ଷା ପାଇଗଲା କହି ଶୀଘ୍ର ଶୀଘ୍ର ଆଣି ଡଙ୍ଗା କୂଳରେ ଲଗାଇଲା ।”କିରେ ତୁ ଜାଣିନୁ ,ମୁଁ ରାଜାଙ୍କ ଦ୍ଵାରା ନିଯୁକ୍ତ ଏ ଅଞ୍ଚଳର ରକ୍ଷକ । ତୋର ତ ସାହସ କମ୍ ନୁହେଁ ? ଯାତ୍ରୀ ମାନଙ୍କ ଠାରୁ ଲୁଟି ନେବାକୁ ଚେଷ୍ଟା କରୁଛୁ । ସାବଧାନ ଏ ଯାତ୍ରୀ ଙ୍କୁ ଶୀଘ୍ର ନିରାପଦ ରେ ଆର ପାଖରେ ପହଞ୍ଚାଇ ଦେ । ପାଉଣା ମଧ୍ୟ ନେବୁ ନାହିଁ ।ମୋତେ ନ ପଚାରି ନାବ ଚଳାଇ ମାଛ ମଧ୍ୟ ଧରୁଛୁ । ମୁଁ ଏଠାରୁ ଦେଖୁଛି । କିଛି ବଦମାସି କଲେ ଦେଖୁଛୁ ତ ଏ ଧନୁ ଆଉ ତୀରକୁ ?” ଭୁଲ୍ ହୋଇ ଗଲା , ଆଉ କେବେ ଏମିତି ଭୁଲ୍ କରିବି ନାହିଁ କହି ନୀଳାମ୍ବର ଙ୍କୁ ବସାଇ ଅପର ପାର୍ଶ୍ଵରେ ଡଙ୍ଗା ନେଇ ପହଞ୍ଚାଇ ଦେଇ ଭକ୍ତି ସହକାରେ କ୍ଷମା ପ୍ରାର୍ଥନା କରି ବିଦାୟ ଜଣାଇଲା ନାବିକ ।ମନେ ମନେ ଘୋର ଅନୁତାପ କଲା ସେ ।”କିନ୍ତୁ ଏ କ’ଣ, ଅପର ପାର୍ଶ୍ଵ ରେ ଠିଆ ହୋଇ ପ୍ରାଣରକ୍ଷା କରିଥିବା ଯୁବକ ଜଣକ ଗଲେ କୁଆଡେ ? ସେ କ’ଣ ପବନରେ ମିଳେଇ ଗଲେ । ସେ ଯିଏ ହୁଅନ୍ତୁ ନା କାହିଁକି ମୋର ପ୍ରାଣ ରକ୍ଷା କରିବା ପାଇଁ ଭଗବାନ ବୋଧହୁଏ ପଠାଇଥିଲେ ।”ଆର ପାର୍ଶ୍ଵରେ ପହଞ୍ଚି ପଛକୁ ଫେରି ସେ ବୀର ଯୁବକ ଙ୍କୁ ନ ଦେଖି ଏହି କଥା ଭାବି ପୁଣି ଥରେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି ଆଗକୁ ଆଗେଇ ଚାଲିଲେ ନୀଳାମ୍ବର ଦାସ ।

କିଛି ଦିନ ମଧ୍ୟରେ ଶ୍ରୀକ୍ଷେତ୍ର ବାଟ ମଙ୍ଗଳା ଙ୍କ ନିକଟରେ ପହଞ୍ଚିଲେ ବିପ୍ର ନୀଳାମ୍ବର ଦାସ । ଭକ୍ତିରେ ମାଆଙ୍କୁ ଦର୍ଶନ କରି ଚାରିଆଡ଼େ ଦୃଷ୍ଟି ପକାଇଲେ ।ସେ ସାଧୁ ମାନଙ୍କ ଠାରୁ ଶୁଣି ଥିଲେ ଯେ ଏଠାରୁ ନୀଳଚକ୍ର ସହିତ ପତିତପାବନ ବାନା ପରିଷ୍କାର ଦେଖା ଯାଏ । ହଠାତ୍ ସେ ଦେଖି ପାରିଲେ ନୀଳଚକ୍ର ଉପରେ ପତିତ ପାବନ ବାନା ଫର ଫର ହୋଇ ଉଡି ଅଗଣିତ ଭକ୍ତ ମାନଙ୍କୁ ହାତ ଠାରି ଡାକୁ ଥିଲା ଯେପରି । ପ୍ରାଣ ତାଙ୍କର ଉଲ୍ଲସିତ ହୋଇ ଉଠିଲା ।”ଜୟ ଜଗନ୍ନାଥ” ଉଚ୍ଚାରଣ କରି କିଛି ସମୟ ଉର୍ଦ୍ଧ୍ବ ବାହୁ ହୋଇ ଆଗକୁ ଆଗେଇ ଚାଲିଲେ ନୀଳାମ୍ବର । ଦୂରରୁ ସମୁଦ୍ର ଗର୍ଜନ ସାଙ୍ଗରେ ଭକ୍ତଜନ ଙ୍କର ଗହଳି ର ଧ୍ୱନି ଏବଂ ତାସହିତ ଘଣ୍ଟ ଘଣ୍ଟା ବାଦ୍ୟ, ଖୋଳ କୀର୍ତ୍ତନ ଏସବୁ ଅପୂର୍ବ ଭକ୍ତିଭାବ ଜାଗ୍ରତ କରୁଥିଲା । ସେ ଯାତ୍ରୀମାନଙ୍କ ଠାରୁ ଆଜି ହିଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରା ହେଉଥିବା ଜାଣି ସେ ଉତ୍କଣ୍ଠାରେ ଅଧୀର ହୋଇ ପଡ଼ି ଭଗବାନ ଙ୍କ ଉଦ୍ଦେଶ୍ୟରେ ବାରମ୍ବାର ପ୍ରଣାମ କରିବାକୁ ଲାଗିଲେ ନୀଳାମ୍ବର ଦାସ । କମ୍ ସମୟ ମଧ୍ୟରେ ସେ ଶରଧାବାଲି ରେ ପହଞ୍ଚି ବଡ଼ଦାଣ୍ଡ ର ଧୂଳି ଆଣି ମଥାରେ ଲଗାଇ ନିଜକୁ ଧନ୍ୟ ମନେ କଲେ । ଲୋକାରଣ୍ୟ ରେ ବଡ଼ଦାଣ୍ଡ ଉଚ୍ଛୁଳି ପଡିଥିଲା । ସେ ଆଗକୁ ଆଗକୁ ଭିଡ଼ କାଟି ମାଡ଼ି ଚାଲିଲେ । ଶ୍ରୀ ମନ୍ଦିର ସମ୍ମୁଖରେ ମହାପ୍ରଭୁ ଚତୁର୍ଦ୍ଧା ବିଗ୍ରହ ଙ୍କ ପାଇଁ ତିନି ରଥ ନନ୍ଦିଘୋଷ, ତାଳଧ୍ଵଜ ଓ ଦେବଦଳନ ସୁସଜ୍ଜିତ ହୋଇ ପ୍ରସ୍ତୁତ କରି ରଖାଯାଇଥିଲା । ସେ ପହଞ୍ଚିଲା ବେଳକୁ ଠାକୁରମାନଙ୍କ ପହଣ୍ଡି ବିଜେ ନୀତି ଶେଷ ହୋଇ ସାରିଥିଲା । ତିନି ରଥରେ ଠାକୁରଙ୍କୁ ଆସ୍ଥାନ ଉପରେ ବିଜେ କରାଇ ଗଜପତି ମହାରାଜାଙ୍କ ଦ୍ଵାରା ଛେରାପହଁରା କାର୍ଯ୍ୟକ୍ରମ ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିଲା ।”ଜୟ ଜଗନ୍ନାଥ “ଧ୍ବନି ସହିତ ହରିବୋଲ ହୁଳହୁଳି ଶବ୍ଦରେ ଗଗନ ପବନ ପ୍ରକମ୍ପିତ ହେଉଥିଲା । ନର୍ତ୍ତକ ନର୍ତ୍ତକୀ ମାନେ ବିଭିନ୍ନ ମୁଦ୍ରାରେ ସେମାନଙ୍କ ନୃତ୍ୟ ପ୍ରଦର୍ଶନ କରୁଥିଲେ । ଚାରିଆଡ଼େ “ମଣିମା ,ମଣିମା “ଡାକ ଶୁଣାଯାଉଥିଲା ‌।ବୀର କାହାଳୀ ବାଜି ଉଠୁଥିଲା ।ଘଣ୍ଟୁଆ ସେବକ ମାନେ ବିଭିନ୍ନ ଭଙ୍ଗୀରେ ଘଣ୍ଟ ନାଦ କରୁଥିଲେ । ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ରଥ ଗୁଡ଼ିକ ଚତୁଃପାର୍ଶ୍ଵରେ ହରିବୋଲ ଧ୍ୱନି ସହିତ ସଂକୀର୍ତ୍ତନ ପରିବେଷଣ କରି ଚାଲିଥିଲେ । ସୁରକ୍ଷା କର୍ମୀ ଶାନ୍ତି ଶୃଙ୍ଖଳା ରକ୍ଷା କରୁଥିଲେ । ଭକ୍ତ ମାନେ ଉର୍ଦ୍ଧ୍ବ ବାହୁ ହୋଇ ନିସ୍ତରିଲି ନିସ୍ତରିଲି ବୋଲି ଉଚ୍ଚାରଣ କରୁଥିଲେ ।ସାରଥୀ ରଥ ଉପରୁ ରଥ ଟାଣିବାକୁ ନିର୍ଦ୍ଦେଶ ଦେବା ମାତ୍ରେ ଘୋର ଘର୍ଘର ନାଦ କରି ରଥଗୁଡିକ ଗଢ଼ିବାକୁ ଆରମ୍ଭ କଲା ।ରଥ ରେ ଅବସ୍ଥାପିତ ତିନି ଠାକୁରଙ୍କ ଅପୂର୍ବ ମନଜିଣା ରୂପ ଲାବଣ୍ୟ ସମସ୍ତ ଭକ୍ତ ଜନଙ୍କର ଚିତ୍ତ ମୋହି ନେଉଥିଲା । ନିକଟରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଭକ୍ତିରେ ଗଦ୍ ଗଦ୍ ହୋଇ ଅଶ୍ରୁଳ ନୟନରେ ନିସ୍ତରିଲି ମହାବାହୁ ବୋଲି ଉଚ୍ଚାରଣ କରି ସେ ଶତ ଧନ୍ୟବାଦ ଜ୍ଞାପନ କଲେ ।ଠାକୁର ବିଭିନ୍ନ ବିପଦରୁ ରକ୍ଷା କରି ଦର୍ଶନ ଦେଇଥିବାରୁ ବାରମ୍ବାର ପ୍ରଣାମ କରୁଥିଲେ । ଅତିଶୟ ଭାବାବେଗ ରେ ପ୍ରଭୁଙ୍କ ମୁଖକୁ ଚାହିଁ ନାନା ପ୍ରକାର ସ୍ତୁତି କରୁ କରୁ ତାଙ୍କର ପ୍ରାଣବାୟୁ ଉଡିଗଲା ନୀଳାମ୍ବର ଦାସ ଙ୍କର । ସେ ସେଇ ଉର୍ଦ୍ଧ୍ବ ବାହୁ ଅବସ୍ଥାରେ ହିଁ ରଥ ସମ୍ମୁଖରେ ଭୂମି ଉପରେ ଖସି ପଡିଲେ ।ମହାନ୍ ଭକ୍ତ ନୀଳାମ୍ବର ଦାସ ପ୍ରଭୁଙ୍କ ଦିବ୍ୟ ଧାମକୁ ନିଶ୍ଚୟ ଗମନ କରିଥିବେ ଏଥିରେ ସନ୍ଦେହ ନାହିଁ । ସୁଦୀର୍ଘ ପଥ ଅତିକ୍ରମ କରି ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରି ତାଙ୍କ ଗୁଣ ଗାନ କରୁକରୁ ଦେହତ୍ୟାଗ କରି ଜଣେ ଶ୍ରେଷ୍ଠ ଭକ୍ତ ରୂପେ ସେ ପରିଗଣିତ ହେଲେ । ଜୟ ଜଗନ୍ନାଥ । ଜୟ ଶ୍ରୀ ହରି ।

ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ଼, ବଇଣ୍ଡା, ଜିଲ୍ଲା – ଅନୁଗୋଳ
ମୋବାଇଲ ନମ୍ବର – ୭୯୭୮୦୫୭୬୯୫


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

0 0 ରିଭିୟୁ
ପୋଷ୍ଟ ରେଟିଙ୍ଗ
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ