ଅତିଥି ହେବକି କୃପାକରି – ରଙ୍ଗନାଥ ରଥ
ହେ ଜଟାଧାରୀ ହେ ବନଚାରୀ
ଅତିଥି ହେବକି କୃପାକରି
ହେ ଜଟାଧାରୀ ହେ ବନଚାରୀ ॥ ୦ ॥
ରାଜରାଜେଶ୍ଵର ହୋଇ,
ପିତୃସତ୍ୟ ଶିରେ ନେଇ
ଜାନକୀ ଲକ୍ଷ୍ମଣ ସଙ୍ଗେ ବୁଲୁଅଛ ଧରି
ହେ ଜଟାଧାରୀ ହେ ବନଚାରୀ… ॥ ୧ ॥
କେତେ ଜନମରୁ ମୁହିଁ,
ରହିଅଛି ବାଟ ଚାହିଁ
ରଖିଛି ସାଇତି ମିଠା କୋଳି ଚାଖିକରି
ହେ ଜଟାଧାରୀ ହେ ବନଚାରୀ… ॥ ୨ ॥
ମନ କରିଛି ନିର୍ମଳ,
ଗୁନ୍ଥି ବଣଫୁଲ ମାଳ
ଲମ୍ଵାଇବି ଗଳାରେ ମୁଁ ପ୍ରଭୁପଣେ ବରି
ହେ ଜଟାଧାରୀ ହେ ବନଚାରୀ… ॥ ୩ ॥
ପାଛୋଟି ନେବି କୁଟୀର,
ପଦ୍ମପାଦେ ଦେଇ ଶିର
ଶ୍ୟାମ ଶ୍ରୀଅଙ୍ଗ ଦର୍ଶନେ ଯିବି ସିନା ତରି
ହେ ଜଟାଧାରୀ ହେ ବନଚାରୀ… ॥ ୪ ॥
ଗୀତିକାର – ଶ୍ରୀ ରଙ୍ଗନାଥ ରଥ
ବଡ଼ଗଡ଼ ବ୍ରିଟ୍, ଭୁବନେଶ୍ୱର
