ଦାର୍ଢ୍ୟତାଭକ୍ତି କଥାମୃତ – ରଘୁ ବେହେରା ସମ୍ବାଦ – ଘନଶ୍ୟାମ ସାହୁ

ଲେଖକ ପରିଚୟ

ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ, ବଇଣ୍ଡା, ଅନୁଗୋଳ | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ପୋଖରୀ ହୁଡ଼ାରେ ଜାଲକୁ ପକାଇ ଦେଇ ଗଭୀର ଚିନ୍ତା ମଗ୍ନ ଥିଲେ ଧୀବର ରଘୁ ବେହେରା । ମନେ ମନେ ଭାବିଲେ , “ନା ନା ମୋ ଦ୍ୱାରା ଆଉ ଏ ମାଛ ମାରିବା ସମ୍ଭବ ନୁହେଁ । ମୁଁ ଅଜାଣତରେ ଅନେକ ପାପ ଅର୍ଜନ କରି ସାରିଲିଣି ।ଆଉ ମୁଁ ମାଛ ମାରିବି ନାହିଁ କି ପାପ ଅର୍ଜନ କରିବି ନାହିଁ ‌।ହେ ଭଗବାନ ମୋତେ ଏ ଧୀବର କୁଳରେ ଜନ୍ମ ଦେଲ ।ମୋର ପୂର୍ବଜନ୍ମର କର୍ମ ଫଳ ପାଇଁ ମୋତେ ଏ ଜନ୍ମରେ ମାଛ ମାରି ପେଟ ପୋଷିବାକୁ ପଡୁଛି । ମୁଁ ନାହିଁ କରୁଥିଲି । ସେ ଶାଶୁ ବୋହୂ କ’ଣ ମୋ କଥା ଶୁଣିଲେ । ଓଲଟା କହିଲେ କ’ଣ ନା ମାଛ ଧରି ଘରକୁ ନଗଲେ ତିନି ତିନିଟା ପ୍ରାଣୀଙ୍କ ଉପାସ ରେ ଜୀବନ ଚାଲିଯିବ ।ହେ ଭଗବାନ! ମୋତେ ଏ ପାପ କର୍ମ ରୁ ମୁକ୍ତି ଦିଅ ପ୍ରଭୁ । ଏହି ଥରକ ପାଇଁ ମୋତେ କ୍ଷମା କରିଦିଅ ।ଏଇଥର ଠାରୁ ମୁଁ ଆଉ ମାଛ ଧରିବି ନାହିଁ ।” ଏହା କହି ଜାଲ ପକାଇ ଧୀରେ ଧୀରେ କୂଳକୁ ଟାଣି ଆଣିଲେ । ଭାଗ୍ୟ କୁ ଗୋଟିଏ ବଡ଼ ରୋହି ମାଛ ପଡ଼ି ଥିଲା ଜାଲରେ ।ସେ ସେହି ମାଛକୁ ଚାହିଁ ଠାକୁରଙ୍କ ମୀନ ଅବତାର କଥା ଚିନ୍ତା କରିବାକୁ ଲାଗିଲେ ।

ପୂଣ୍ୟ ଶ୍ରୀକ୍ଷେତ୍ର ଠାରୁ ମାତ୍ର ଦଶ କିଲୋମିଟର ଦୂରରେ ଅବସ୍ଥିତ ପିପିଲି ଗ୍ରାମ ର ଧୀବର ରଘୁ ବେହେରା । ଘରେ ତାଙ୍କର ସର୍ବ ମୋଟ ତିନି ଜଣ ସେ , ତାଙ୍କ ସ୍ତ୍ରୀ ଏବଂ ତାଙ୍କ ମାଆ । ମାଛ ମାରି ପେଟ ପୋଷିବା ତାଙ୍କ କାମ । କିନ୍ତୁ କିଛି ଦିନ ହେଲା ତାଙ୍କ ମନରେ ପ୍ରଭୁ ଙ୍କ କୃପାରୁ ଜ୍ଞାନ ର ଉଦୟ ହେଲା । ମାଛ ମାରି ପେଟ ପୋଷିବାକୁ ଆଉ ମନ ହେଲାନାହିଁ । ଗୁରୁ ଙ୍କ ଠାରୁ ଦୀକ୍ଷା ଗ୍ରହଣ କରି ଚିତା ତିଳକ ଲଗାଇ ନିତି ଭାଗବତ ପଠନରେ ମନୋନିବେଶ କଲେ । କିନ୍ତୁ ମାଛ ମାରି ନ ବିକିଲେ ଖାଇବେ କଣ ? ପେଟ ପାଇଁ ସବୁ ନାଟ । ପେଟ ଚାଖଣ୍ଡକ ପାଇଁ ସଂଘର୍ଷ କରିବାକୁ ହିଁ ପଡ଼ିବ । ଘରେ ସବୁବେଳେ ଅଶାନ୍ତି । ସ୍ତ୍ରୀ ତା’ର ସେ ଦିନ ସଫା ସଫା ଶୁଣାଇ ଦେଲେ,”ଶୁଣ ,ଏ ପ୍ରହସନ ବନ୍ଦ କର । ଧୀବର କୁଳରେ ଜନ୍ମ ନେଇ ଏ ଚିତା ଚଇତନ ତୁମକୁ ଶୋଭା ପାଉନାହିଁ । ଲୋକମାନେ ହସିବେ । କେହି ବି ପଚାରିବେ ନାହିଁ । ଦୁଇ ଦିନ ହେଲା ଚୁଲି ଜଳି ନାହିଁ । ଏମିତି ବସି ବସି କିଏ ତୁମକୁ ଖାଇବାକୁ ଦେବ ? ଶୀଘ୍ର ଯାଇ ମାଛ ନେଇ ଆସ ।” ଏହା କହି ଜାଲକୁ ରଘୁ ପାଖରେ ରଖି ହାତଧରି ଉଠାଇ ଦେଲେ ରଘୁଙ୍କ ପତ୍ନୀ । ସେ ଆଉ କୈାଣସି ଉପାୟ ନପାଇ ବାଧ୍ୟ ଶିଶୁ ଟିଏ ପରି ଜାଲ ଧରି ଚାଲି ଆସିଲେ ସତ କିନ୍ତୁ ମାଛ ମାରିବାକୁ ଜମାରୁ ମନ ହେଉନଥିଲା ।ଜାଲ ରୁ ରୋହିମାଛକୁ ବାହାର କରି ରଘୁ ବେହେରା ହାତ ଯୋଡ଼ି କହିଲେ ,” ହେ ମାଛ, ମୋତେ ଧୀବର ଜନ୍ମ ମିଳି ଥିବାରୁ ତୁମକୁ ଆଜି ମାରିବାକୁ ବାଧ୍ୟ ହେଉଛି । ମୋତେ କ୍ଷମା କରିଦିଅ । ଆଜି ତୁମକୁ ମାରି ମୋତେ ନେବାକୁ ହିଁ ପଡ଼ିବ ।” ଏହା କହି ଦୁଇ ହାତରେ ମାଛର ବେକରେ ଚାପ ପ୍ରଦାନ କରି ମାରିବାକୁ ଉଦ୍ୟମ କଲେ ରଘୁ ।କି ଆଶ୍ଚର୍ଯ୍ୟ ! ଚମକି ପଡ଼ିଲେ ରଘୁ । ମାଛ ମୁହଁ ରୁ ଶୁଣା ଯାଉଥିଲା, “ରକ୍ଷା କର ନାରାୟଣ , ରକ୍ଷା କର ନାରାୟଣ “। ସେ ନିଜକୁ ମଧ୍ୟ ବିଶ୍ଵାସ କରି ପାରିଲା ନାହିଁ । ମାଛ ପୁଣି ଭଗବାନ ଙ୍କୁ ଡାକୁଛି ନିଜକୁ ରକ୍ଷା କରିବା ପାଇଁ ?ଏ ହେଉଛି ଆମ ହିନ୍ଦୁ ଧର୍ମ ର ସଂସ୍କୃତି ।ଏଠି ଗଜରାଜଙ୍କର ଡାକରେ ଭଗବାନ ଧରାପୃଷ୍ଠକୁ ଓହ୍ଲାଇ ଚକ୍ର ପେଶି ନକ୍ର ନାଶି ତାଙ୍କ ଉଦ୍ଧାର କରନ୍ତି ।ନିଜେ ବିଭିନ୍ନ ଜୀବ ଜନ୍ତୁ ଶରୀର ନେଇ ଅବତାର ଗ୍ରହଣ କରନ୍ତି ।ଏ ମାଛ ମଧ୍ୟ କେଉଁ ମହାପୁରୁଷ ହୋଇ ଥାଇ ପାରନ୍ତି । “ହେ ଭଗବାନ ମୋତେ ଏ ପାପ ଜନ୍ମ ରୁ ମୁକ୍ତି ପ୍ରଦାନ କର ।” ଏହା କହି ସେ ମାଛକୁ ଧରି ଅରଣ୍ୟ ମଧ୍ୟକୁ ପ୍ରବେଶ କଲେ । କିଛି ଦୂରରେ ଏକ ଝରଣା ପାଖରେ ପହଞ୍ଚି ବାଲି ଭିତରେ ଏକ କ୍ଷୁଦ୍ର ପୋଖରୀ ଖୋଳି ତା ମଧ୍ୟରେ ପାଣି ଭର୍ତ୍ତି କଲେ ସେ । ମାଛ ଟିକୁ ସେଇ ପାଣି ଭିତରେ ଛାଡି ଦେଇ ନିଜେ ନିକଟରେ ଗଛ ଛାଇରେ ବସି ପଡ଼ିଲେ । ମନରେ ସଂକଳ୍ପ କଲେ ସେ ଠାକୁରଙ୍କୁ ଡ଼ାକି ଡ଼ାକି ଜୀବନ ହରାଇ ଦେବେ ପଛକେ ଏହି ମାଛ ରୂପକ ଦିବ୍ଯାତ୍ମାଙ୍କୁ ସ୍ବଚକ୍ଷୁରେ ନଦେଖିବା ପର୍ଯ୍ୟନ୍ତ ଏଠାରୁ ଯିବେ ନାହିଁ । ସେ ସେଇ ଗଛ ମୂଳରେ ମାଛ ଥିବା କ୍ଷୁଦ୍ର ପୋଖରୀକୁ ଜଗି ରହି ଜଗନ୍ନାଥଙ୍କ ନାମ ଗାନ କରିବାକୁ ଲାଗିଲେ, ” ହେ ବଳିଆର ଭୁଜ ,ହେ ଭକ୍ତ ପ୍ରାଣ ଦୀନବନ୍ଧୁ ଜଗନ୍ନାଥ ! ମୋତେ ଏ ପାପୀ ଧୀବର ଜନ୍ମରୁ ମୁକ୍ତି ପ୍ରଦାନ କର ଚକାଡୋଳା । ମୁଁ ଅଧମ ଅନେକ ପାପ ଅର୍ଜନ କରି ସାରିଲିଣି ମହାପ୍ରଭୁ । ମୋର ଅପରାଧ କ୍ଷମା କରି ଏ ରହସ୍ୟ ର ଉନ୍ମୋଚନ କର ପ୍ରଭୁ ।” ଏହା କହି କହି ଜଗନ୍ନାଥ ଙ୍କୁ ଧ୍ୟାନ କଲେ ଭକ୍ତ ରଘୁ ଦାସ । ଭାବରେ ଭାବରେ ମଜ୍ଜି ଯାଇ ଧାର ଧାର ଅଶ୍ରୁ ନିର୍ଗତ ହେଲା ଚକ୍ଷୁ ଯୁଗଳ ରୁ ।ଭକ୍ତର ଭଗବାନ ଆଉ ସମ୍ଭାଳି ପାରିଲେ ନାହିଁ ।ଜଣେ ବ୍ରାହ୍ମଣ ରୂପ ଧାରଣ କରି ରଘୁ ବେହେରା ପାଖରେ ପହଞ୍ଚି ଗଲେ । ଏହି ଘଞ୍ଚ ବିପଦ ସଙ୍କୁଳ ଅରଣ୍ୟ ମଧ୍ୟରେ କ’ଣ କରୁଚୁ ବୋଲି ପଚାରିଲେ । ପ୍ରଣାମ କରି ରଘୁ ମାଛ କିପରି ନାରାୟଣ ଙ୍କ ନାମ ଉଚ୍ଚାରଣ କରି ନିଜକୁ ରକ୍ଷା କରିବା ପାଇଁ ଡାକିଲା ସେ କଥା କହିଲେ ଏବଂ ଏହାର ରହସ୍ୟ ଜାଣିବାକୁ ଚାହୁଁଛନ୍ତି ବୋଲି କହିଲେ ।”ଆରେ ଧୀବର ରଘୁ ।ତୁ ମାଛ ମାରି ପେଟ ପୋଷିବା ଲୋକ ଏ ଧ୍ୟାନ ଧାରଣା ରୁ କ’ଣ ପାଇବୁ ? ମାଛ କେବେ କ’ଣ କଥା କହେ ? ଯା ମାଛ ଧରି ଘରକୁ ଫେରି ଯା । ଘରେ ତୋର ପରିବାର ଅପେକ୍ଷା କରିଥିବେ ।”ବ୍ରାହ୍ମଣ ରୂପୀ ଭଗବାନ କହିଲେ । ଏତେ ବେଳକୁ ଦୁଇ ଦିନ ବିତି ସାରିଲାଣି । ରଘୁ ବେହେରା ବ୍ରାହ୍ମଣ ଙ୍କୁ କହିଲେ ,”ହେ ଗୋସେଇଁ, ଆପଣ ଆପଣଙ୍କର ବାଟରେ ଯାଇ ପାରନ୍ତି । ମୁଁ ନିଜ ଜୀବନ ହରାଇ ଦେବାକୁ ପ୍ରସ୍ତୁତ ଅଛି , କିନ୍ତୁ ଭଗବାନ ଙ୍କୁ ନିଜ ଚକ୍ଷୁ ରେ ନ ଦେଖିବା ପର୍ଯ୍ୟନ୍ତ ଏଠାରୁ ଆଦୈ। ଯିବି ନାହିଁ । ମୋତେ ମୋ ପ୍ରଭୁଙ୍କ ନାମ ନେବାକୁ ଦିଅନ୍ତୁ ।”ଭକ୍ତି ଦୃଢ଼ ଥିବା ଜାଣି ବ୍ରାହ୍ମଣ ବେଶଧାରୀ ଭଗବାନ କହିଲେ ,”ହେ ଭକ୍ତ ରଘୁ ଦାସ ମୁଁ ହିଁ ମାଛ ଦେହରେ ରହିଥିଲି ‌। ମୁଁ ତୋର ଭକ୍ତିରେ ସନ୍ତୁଷ୍ଟ । ମୁଁ ହିଁ ତୋର ଆରାଧ୍ୟ ।” “ଯଦି ଆପଣ ହିଁ ମୋର ଆରାଧ୍ୟ ପ୍ରଭୁ ଜଗନ୍ନାଥ ଆପଣଙ୍କ ସେହି ଚତୁର୍ଭୁଜ ସ୍ୱରୂପ ରେ ଦର୍ଶନ ଦେଇ ମୋତେ ଧନ୍ୟ କରନ୍ତୁ ପ୍ରଭୁ ।”ରଘୁ ସାଷ୍ଟାଂଗ ପ୍ରଣିପାତ କରି କହିଲା ।ସଙ୍ଗେ ସଙ୍ଗେ ଏକ ଉଜ୍ଜ୍ୱଳ ଆଭାରେ ଚତୁର୍ଦ୍ଦିଗ ଆଲୋକିତ ହେଲା । ଦିବ୍ୟ ସୁଗନ୍ଧ ରେ ସ୍ଥାନଟି ମହକି ଉଠିଲା । ଚତୁର୍ଭୁଜ ନାରାୟଣ ରୂପରେ ସେ ଭକ୍ତ ରଘୁ ବେହେରାକୁ କହିଲେ ,”ତୋ ଇଚ୍ଛା ଅନୁସାରେ ବର ମାଗ ରଘୁ ।” ଅଶ୍ରୁ ଜଳରେ ପାଦ ଧୋଇ ରଘୁ ଠାକୁରଙ୍କୁ କହିଲେ ,” ହେ ମହାପ୍ରଭୁ, ମୋ ପରି ସାମାନ୍ୟ ଜଣେ ଅଧମ ଧୀବର ପାଇଁ ଆପଣଙ୍କୁ ଏଠାକୁ ଆସିବାକୁ ହେଲା ,ପୁଣି ଦିବ୍ୟ ସ୍ୱରୂପ ରେ ମୋତେ ଦର୍ଶନ ଦେଇ ଧନ୍ୟ କଲେ । ମୋର ଜୀବନ ସାର୍ଥକ ହୋଇଗଲା । ଆଉ କ’ଣ ଲୋଡା ? ଆପଣ ତ ଅନ୍ତର୍ଯ୍ୟାମୀ ମୁଁ ପାପୀ ଆପଣଙ୍କୁ କ’ଣ ଅବା ମାଗିବି ? କେବଳ ମୋର ଗୋଟିଏ ମାଗୁଣି ପ୍ରଭୁ ମୋତେ ଆଉ ଏ ପାପ କାର୍ଯ୍ୟ କରିବାକୁ ନ ପଡୁ ।ମୋର ପରିବାର ଅପୋଷା ନ ରୁହନ୍ତୁ । ମୁଁ ଚାହିଁଲେ ଆପଣଙ୍କ ଦର୍ଶନ ପାଇ ପାରିବି ପ୍ରଭୁ ।” ମହାପ୍ରଭୁ “ତଥାସ୍ତୁ “କହି ଅଦୃଶ୍ୟ ହୋଇଗଲେ ।

ସେହିଠାରୁ ଏକ ଅପୂର୍ବ ଉତ୍ସାହ ରେ ନାଚି ନାଚି ରଘୁ ବେହେରା ଘରେ ତିନି ଦିନ ପରେ ପହଞ୍ଚିଲେ । ଘରେ ରଘୁ କୁ ନପାଇ ସେତେବେଳେ କାନ୍ଦବୋବାଳି ପଡ଼ି ସାରିଥିଲା । ଗ୍ରାମର ଲୋକମାନେ ରଘୁ ର ଏ ପ୍ରକାର ଭାବାବେଗ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଘରେ ପୁଣି ଆନନ୍ଦ ଉଲ୍ଲାସର ବାତାବରଣ ସୃଷ୍ଟି ହେଲା । ସେହି ଦିନଠାରୁ ସେ ରଘୁ ଦାସ ନାମରେ ପରିଚିତ ହେଲେ । ପ୍ରଭୁଙ୍କ ନାମ ନେଇ ଭିକ୍ଷା ମାଗି ତା’ର ପରିବାର ପ୍ରତିପୋଷଣ କଲେ । କେତେକ ତାଂକୁ ଭଣ୍ଡ ବାବାଜୀ କହି ଚିଡ଼େଇବାକୁ ପଛଉ ନ ଥିଲେ । ଥରେ ଏକ ଅଦ୍ଭୁତ ଘଟଣା ଘଟିଲା। ଗୋଟିଏ ଗ୍ରାମରେ ଭିକ୍ଷା ମାଗି ଫେରି ଆସିବା ସମୟରେ ପିଲାମାନେ ପଛରେ ଗୋଡ଼େଇ ବାବାଜୀ ବାବାଜୀ କହି ଚିଡ଼େଇବାକୁ ଲାଗିଲେ । ସେ ନିର୍ବିକାର ଭାବରେ ଚାଲିଥିବା ଅବସ୍ଥାରେ ଜଣେ ଦୁଷ୍ଟ ବାଳକ ଏକ କଣ୍ଟା ଲାଗିଥିବା ଛାଟ ଧରି ତାଙ୍କର ପୃଷ୍ଠଦେଶରେ ବାରମ୍ବାର ଆଘାତ କରିବାକୁ ଲାଗିଲା । ରଘୁ ଦାସ ଅତ୍ୟଧିକ କଷ୍ଟ ପାଇ ମନେ ମନେ କ୍ରୋଧିତ ହୋଇ କହି ପକାଇଲେ,”ହେ ଭଗବାନ ବିନା କାରଣରେ ନିରୀହ ପ୍ରାଣୀ ଦଣ୍ଡ ପାଇବା କ’ଣ ଠିକ୍ ? ଏ ପିଲାଟି ଦଣ୍ଡ ପାଇବା ଦରକାର ।ତା ସହ ଏହାର ମାଆ ମଧ୍ୟ ନିଶ୍ଚୟ କାନ୍ଦିବା ଦରକାର ।”ସେ ଏହା କହୁ କହୁ ପିଲାଟି ଚେତା ଶୂନ୍ଯ ହୋଇ ଖସି ପଡ଼ିଲା । ସଙ୍ଗେ ସଙ୍ଗେ ଖବର ପାଇ ତା ମାଆ ଆସି ଦେଖିଲା ପିଲାଟିର ଦେହରେ ଜୀବନ ନାହିଁ । ସେ ପିଲା ଟିକୁ ଧରି କାନ୍ଦି କାନ୍ଦି ଗଡ଼ି ଯାଉଥିଲା । ଜନତା କୈ।ତୁହଳ ହୋଇ ଘେରି ଗଲେ । ରଘୁ ଦାସ କୁ ପିଲାଟି ର ମାଆ କହିଲା,”ହେ ମହାତ୍ମା,ମୋ ପୁଅ ଅଜ୍ଞାନ ବାଳୁତ ସ୍ୱଭାବରେ ଯାହା କିଛି ଅପରାଧ କରିଛି ତାକୁ କ୍ଷମା କରି ଦିଅ । ତା’କୁ ତୁମ ବିନା ଆଉ କେହି ବଞ୍ଚାଇ ପାରିବେ ନାହିଁ ।ମୋ ପରି ଅଭାଗିନୀ ପ୍ରତି ଦୟା କର ।” ବର୍ତ୍ତମାନ ରଘୁ ଦାସ ସେହି ପରମ ପ୍ରେମ ମୟ ଶ୍ରୀହରି ଙ୍କୁ ସ୍ମରଣ କରି ପିଲାଟିକୁ ଜୀବନଦାନ ଦେବା ପାଇଁ ପ୍ରାର୍ଥନା କଲେ । ସମସ୍ତଙ୍କୁ “ହରିବୋଲ “ଦେଇ ପିଲାଟିକୁ ଡ଼ାକି ଉଠାଇବାକୁ କହିଲେ । ହରିବୋଲ ହୁଳହୁଳି ଶବ୍ଦରେ ସ୍ଥାନଟି କମ୍ପି ଉଠିଲା ।ମା ଟିର ଡାକରେ ପିଲାଟି ନିଦରୁ ଉଠିଲା ପରି ଉଠି ବସିଲା । ‘ଧନ୍ୟ ରଘୁ ଦାସ । ଧନ୍ୟ ତୁମର ପ୍ରଭୁ ଭକ୍ତି ।’ ସମସ୍ତଙ୍କ ମୁହଁରେ ରଘୁ ବେହେରା ଙ୍କ ପ୍ରଶଂସା ।

କିଛି ଦିନ ଯାଇଛି କି ନାହିଁ ଦିନେ ରଘୁ ଦାସ ମଣୋହି ସମୟରେ ଜଗନ୍ନାଥଙ୍କୁ ସ୍ମରଣ କଲେ । ପ୍ରଭୁ ତ ଭାବଗ୍ରାହୀ । ଭାବରେ ବନ୍ଧା ସିଏ । ରତ୍ନସିଂହାସନ ପରିତ୍ୟାଗ କରି ରଘୁ ଙ୍କର ଠାକୁର ଘରେ ଦର୍ଶନ ଦେଇ ରଘୁ ଙ୍କ ହାତର ଭୋଗ ଗ୍ରହଣ କଲେ । ଏଣେ ବଡ଼ ପଣ୍ଡା ଙ୍କ ଚଳୁରେ ଠାକୁର ଦେଖା ନ ଯିବାରୁ ଶ୍ରୀମନ୍ଦିରରେ ଠାକୁରଙ୍କୁ ଭୋଗ ଲାଗି ହୋଇ ପାରିଲା ନାହିଁ । ଏକଥା ମହାରାଜାଙ୍କ କାନକୁ ଗଲା । ଗଜପତି ନିଜେ ଆସି ଠାକୁରଙ୍କ ଆଗରେ ଗୁହାରି କରି ଧାରଣା ଦେଲେ । ଠାକୁର ରାଜାଙ୍କୁ ସ୍ୱପ୍ନାଦେଶ ଦେଇ କହିଲେ,”ହେ ରାଜା ଆମେ ଭକ୍ତ ର ଅଧୀନ । ପିପିଲି ଗ୍ରାମର ଭକ୍ତ ରଘୁ ଦାସ ହାତରୁ ବର୍ତ୍ତମାନ ଆମେ ମଣୋହି କରୁଥିବାରୁ ଚଳୁରେ ଦର୍ଶନ ଦେଇ ପାରିଲୁ ନାହିଁ ।” କାଳବିଳମ୍ବ ନକରି ଗଜପତି ମହାରାଜ ଅଶ୍ୱ ଆରୋହଣ କରି ପିପିଲି ଗ୍ରାମରେ ପହଞ୍ଚିଲେ । ରଘୁ ବେହେରା ଘରକୁ ବିଜେ କରି ଦେଖିଲେ ଗଦ୍ ଗଦ୍ ହୋଇ ସ୍ତୁତି କରୁଛନ୍ତି ରଘୁ ।ଚକ୍ଷୁ ରୁ ଝର ଝର ହୋଇ ବହି ଆସୁଛି ଭାବ ଅଶ୍ରୁ । କିଛି ସମୟ ପରେ ପ୍ରକୃତିସ୍ଥ ହୋଇ ପଛକୁ ଅନାଇ ଆଶ୍ଚର୍ଯ୍ୟ ହୋଇଗଲେ ରଘୁ ଦାସ ।”ମୋର ଅପରାଧ କ୍ଷମା କରନ୍ତୁ ମଣିମା । ମୁଁ ଆପଣଙ୍କ ଉପସ୍ଥିତି ଜାଣି ପାରିଲି ନାହିଁ ।”ଏହା କହି ସେ ମହାରାଜା ଙ୍କୁ ମୁଣ୍ଡ ନୁଆଇଁ ପ୍ରଣାମ କଲେ । ମହାରାଜା ତାକୁ ଉଠାଇ କୁଣ୍ଢେଇ ପକାଇ କହିଲେ,”ଧନ୍ୟ ରଘୁ ଦାସ । ଧନ୍ୟ ଧନ୍ୟ ତୁମର ଠାକୁରଙ୍କ ପ୍ରତି ଭକ୍ତିଭାବ । ସ୍ୱୟଂ ମହାପ୍ରଭୁ ଯାହା ପ୍ରାର୍ଥନା ରେ ରତ୍ନ ସିଂହାସନ ତ୍ୟାଗ କରି ଦର୍ଶନ ଦେଇ ଥାନ୍ତି ସେ ଜଣେ ସାଧାରଣ ଭକ୍ତ ହୋଇ ନପାରେ ! ଆଜିଠାରୁ ତୁମେ ଶ୍ରୀକ୍ଷେତ୍ର ରେ ରହି ଠାକୁରଙ୍କୁ ନିତି ପ୍ରତି ଦର୍ଶନ କରି ପାରିବ ।ତୁମ ରହିବାର ବନ୍ଦୋବସ୍ତ ମୁଁ ନିଜେ ହିଁ କରିବି ।”
ଏକ ବିରାଟ ଶୋଭାଯାତ୍ରାରେ ରଘୁ ବେହେରା ଙ୍କୁ ଧରି ଗଜପତି ମହାରାଜ ପୁରୁଷୋତ୍ତମ କ୍ଷେତ୍ର ରେ ପହଞ୍ଚିଥିଲେ ।ଜୟ ଜଗନ୍ନାଥ ଧ୍ବନିରେ ସମଗ୍ର ପରିବେଶ ପ୍ରକମ୍ପିତ ହେଲା । ତାଙ୍କ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଘର ସହିତ ଚଳିବା ପାଇଁ ଜମି ଗଜପତି ଖଞ୍ଜି ଦେଲେ । ସେଇ ଦିନଠାରୁ ସେ ପୁରୀ ରେ ରହି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ସେବା କରି ପରିବାର ସହିତ ଆନନ୍ଦରେ ରହିଲେ । ଜଣେ ସାଧାରଣ ଧୀବର ହୋଇ ମଧ୍ୟ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଭାବରେ ନିଜକୁ ପରିଚିତ କରାଇ ପାରିଥିଲେ ।

ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ଼, ବଇଣ୍ଡା, ଜିଲ୍ଲା – ଅନୁଗୋଳ,
ମୋବାଇଲ ନମ୍ବର – ୭୯୭୮୦୫୭୬୯୫

Leave a Reply

Your email address will not be published. Required fields are marked *