ମୋ ପିଲା ଦିନ

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମୁଁ ବାସନ୍ତୀ ଜେନା l ବାପା ମା ଙ୍କର ବଡ଼ ଝିଅ l ଘରେ ମୋତେ ସମସ୍ତେ ବାସ ବୋଲି ଡାକନ୍ତି l ମୋର ଚାରି ଭଉଣୀ ଓ ଗୋଟିଏ ସାନ ଭାଇ ଅଛି l ବଡ଼ ବାପା -ବଡ଼ ବୋଉ, ଦାଦା -ଖୁଡି ଓ ଅନ୍ୟ ଭାଇ ଭଉଣୀ ମାନେ ମଧ୍ୟ ଅଛନ୍ତି l ମୋ ଗ୍ରାମର ନାମ -କବର, ପୋଷ୍ଟ :କୁପାରୀ, ଜିଲ୍ଲା ବାଲେଶ୍ୱର l ମୋ ବାପା ମଦନ ମୋହନ ଜେନା, ହେଲଥ ଡିପାର୍ଟମେଣ୍ଟରେ ଇନସିପେକ ଟର
ଭାବରେ କାମ କରୁ ଥିଲେ l ତାଙ୍କର ଅଫିସ ଘର ଠାରୁ ବହୁ ଦୂରରେ ଥିଲା
l ତେଣୁ ସେ ବର୍ଷକୁ ତିନି, ଚାରି ଥର ଘରକୁ ଆସନ୍ତି l ମୋର ବୋଉ ( ମା )ଙ୍କ ନାମ ସତ୍ୟଭାମା ଜେନା l ତାଙ୍କ ଉପରେ ଘରର ସମସ୍ତ ଦାୟିତ୍ୱ
ଥାଏ l ପିଲା ମାନଙ୍କର ପାଠ ପଢା, ଚାଷ ବାସ ଦେଖିବା ଓ ଅନ୍ୟାନ୍ୟ କାମ , ସବୁ ବୋଉ ବୁଝା ବୁଝି କରନ୍ତି l ବାପା ବୋଉଙ୍କର ମୁଁ ଗେହ୍ଲି ଝିଅ ଥିଲି l ବୋଉର ସବୁ କଥା ମାନେ l ମନ ଦେଇ ପାଠ ପଢେ l ଛୋଟ ଛୋଟ କାମରେ ବୋଉକୁ ସାହାଯ୍ୟ କରେ l ବୋଉ ଖୁସି ହୋଇ ଯାଏ l
ଘରକୁ ଯେଉଁ ଅତିଥି ପ୍ରଥମ ଥର ପାଇଁ ଆସନ୍ତି, ବୋଉ ଜୁହାର ହେବା ପାଇଁ କହେ l ମୁଁ ପାଦ ଛୁଇଁ ପ୍ରଣାମ କରେ l ଦ୍ୱିତୀୟ ଥର ଆଉ ସେଇ ଭୂଲ ହୁଏ ନାହିଁ l ଗାଁ ର ଶାହି ପଡିଶା, ବନ୍ଧୁ ବାନ୍ଧବ କହନ୍ତି, ସତ୍ୟଭାମା, ତୋର ଘରେ ଲଷ୍ମୀ ପ୍ରତିମା ଜନ୍ମ ନେଇଛି l ସବୁ ଗୁଣରେ ତୋର ଝିଅ ଭରପୂର l କେଉଁ ଗୁଣରେ ମୁଁ ଭର ପୂର, ବୁଝି ପାରେ ନାହିଁ l ବୋଉକୁ ପଚାରେ l ସେ କିଛି କୁହେ ନାହିଁ l ଟିକେ ହସି ଦେଇ ତା କାମରେ ବ୍ୟସ୍ଥ ଥାଏ l
ଗାଁର ସେବା ଶ୍ରମ ସ୍କୁଲରେ
ତୃତୀୟ ଶ୍ରେଣୀ ପର୍ଯନ୍ତ ପଢ଼ିଲି l ତା ପରେ ପାଖ ଗାଁ କୁପାରୀ ପ୍ରାଇମେରୀ ଓ ମ. ଇ ସ୍କୁଲ ରେ ଚତୁର୍ଥ ଶ୍ରେଣୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଲି l ସାର ଓ ଗୁରୁମାଙ୍କ ଉପଦେଶ ମାନେ, ଆଗ ଧାଡିରେ ଛିଡା ହୋଇ ପ୍ରାର୍ଥନା କରେ, ବହିର ପଦ୍ୟ ମୁଖସ୍ତ କରେ, ଦୁଷ୍ଟ ହୁଏ ନାହିଁ l ତେଣୁ ଗୁରୁଜୀ, ଗୁରୁମା ଓ ସାଙ୍ଗ ସାଥି ସମସ୍ତେ ମୋତେ ଭଲ ପାଆନ୍ତି l ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗଜେନ୍ଦ୍ର ଜେନା ମୋ ବାପାଙ୍କର ସାଙ୍ଗ ଥିଲେ l
ବେଳେ ବେଳେ ସେ ଆମ ଘରକୁ ଆସନ୍ତି l ମୋର ପଢା ବିଷୟରେ ବଡ଼ ବାପାଙ୍କ ସହିତ କଥା ହୁଅନ୍ତି l ସ୍କୁଲରେ ଯାହା ହୋମ ୱାର୍କ ଦିଆଯାଏ, ମୁଁ ଘରୁ କାମ ସାରି ଦେଇଥାଏ l ସନ୍ଧ୍ୟାରେ ବୋଉ ମୋ ପାଠ ପଢା ପାଖରେ ଜଗି କି ରହେ l
ଆମେ ପାଞ୍ଚ ଭଉଣୀ ଓ ସାନ ଭାଇ ଏକାଠି ବସି ପାଠ ପଢୁ l ସନ୍ଧ୍ୟା ଛଅଟାରେ ପ୍ରାର୍ଥନା କରି ପାଠ ପଢି ବସୁ l ରାତ୍ରି ସାଢେ ନଅଟାରେ ପାଠ ପଢା ଶେଷ ହୁଏ l ସେତେ ବେଳେ ଆମ ଘରେ ଟି. ଭି ନ ଥାଏ l ଗୋଟିଏ ଟ୍ରାଞ୍ଜିଷ୍ଟର ରେଡ଼ିଓ ଥାଏ l
ରାତ୍ରି ସାଢେ ନଅଟାରେ ନାଟକ ପରିବେଷଣ ହୁଏ l ବୋଉ ସେତେ ବେଳେ ଆମକୁ ଭାତ ଖାଇବାକୁ ଦିଏ
ଓ କହେ ଖାଇ ଖାଇ ନାଟକ ଶୁଣ l
ସମୟ ନଷ୍ଟ କର ନାହିଁ l ବାପା ବାହାରେ ରହୁଛନ୍ତି l ତୁମେ ମାନେ ମନ ଦେଇ ପାଠ ନ ପଢିଲେ, ସେ ମୋତେ ଦୋଷ ଦେବେ l ମୁଁ ତୁମ ପାଠ ପଢା ଦେଖିଲି ନାହିଁ ବୋଲି l
ତୁମେ ମାନେ ତ ଜାଣ, ମୋର କେତେ କାମ l ତୁମ ପାଖରେ ବସି ରହିଲେ ମୋର ଅନ୍ୟ କାମ କରିବ କିଏ ? ଆମେ ଭାଇ ଭଉଣୀ ବୋଉର କଥା ମାନୁ l ତାର ସବୁ କଥା ଶୁଣୁ l ରେଡ଼ିଓ ଶୁଣି ସାରି
ଶୋଇବାକୁ ଯାଉ l ଆମ ଘରେ ଗୋଟିଏ ପିଲା କାମ ଦାମ ଦେଖିବା ପାଇଁ ରହୁ ଥାଏ l ତାର ନାମ ଶୁକୁରିଆ l ଆମେ ସମସ୍ତେ ମିଶି କିଛି ସମୟ ଅନ୍ତାକ୍ଷରି ଖେଳୁ l ତା ପରେ ଶୋଇ ପଡ଼ୁ l
ତା ପର ଦିନ ବୋଉ ଛଅଟାରୁ ସାଢେ ଛଅଟା ଭିତରେ ଆମକୁ ଉଠାଇ ଦିଏ lରେଡ଼ିଓରୁ ବନ୍ଦନା ଶୁଣି ଶୁଣି ନିତ୍ୟକର୍ମ ସାରି ଦେଉ l ଚୁଡା , ମୁଢି, ଖଇ, କ୍ଷୀର, ଚିନି ମିଶା ମିଶି କରି ଗଣ୍ଡେ ଖାଇ ଦେଇ ପାଠ ପଢୁ l ସକାଳ ନଅଟାରେ
ପାଠ ପଢା ଶେଷ ହୁଏ l ତା ପରେ ଗାଧୋଇ ଖାଇ ସ୍କୁଲକୁ ଯାଉ l ମୁଁ ଗଡ଼ପୋଖରୀ ହାଇସ୍କୁଲରେ ପଢୁଥାଏ
l ମୋ ସାନ ଭଉଣୀ ଓ ଭାଇ କୁପାରୀ
ପ୍ରାଇମେରୀ ଓ ଏମ. ଇ. ସ୍କୁଲରେ ପଢୁ ଥାନ୍ତି l ସ୍କୁଲରେ ପାଠ ପଢା ସହିତ ଖେଳ ହୁଏ, ଜାତୀୟ ପର୍ବ ପାଳନ କରାଯାଏ l ଗଣେଶ ପୂଜା ଓ ସରସ୍ଵତୀ ପୂଜାରେ ଡ୍ରାମା ହୁଏ l ମୁଁ ବି ଡ୍ରାମାରେ ଅଭିନୟ କରେ l ବ୍ରେକଗ୍ରାଉଣ୍ଡ ଗୀତ ଗାଏ l ଗ୍ରୁପ ଡ୍ୟାନ୍ସ ନୃତ୍ୟରେ ମିଶି ଥାଏ l ବହୁତ ମଜା ହୁଏ l
ସବୁ ଦିନ ପରି ସ୍କୁଲ ଛୁଟି ଚାରିଟାରେ ହୁଏ l ଘରେ ପହଞ୍ଚିଲା ବେଳକୁ ସାଢେ ଚାରିଟା ହୋଇ ଯାଇ
ଥାଏ l ସବୁ ଭାଇ ଭଉଣୀ ସାଙ୍ଗ ହୋଇ ଭାତ ଖାଇ ଥାଉଁ l କେବେ କେବେ ଜଳ ଖିଆ ବୋଉ କରି ଥାଏ l ଏଟା ଖାଇବୁନି, ସେଇଟା ଖାଇବୁନି କେବେ ଅଝଟ କରି ନ ଥାଉ l ଯାହା ବୋଉ ଖାଇବାକୁ ଦେଇଥାଏ, ଖୁସିରେ ଖାଇ କିଛି ସମୟ ଖେଳିବାକୁ ଯାଉ l ବାହାରକୁ ନୁହେଁ, ଆମ ବାଡ଼ିରେ ଆମେ ମାନେ ଖେଳିବା ପାଇଁ ବୋଉ ମୂଲିଆଙ୍କୁ କହି ଗୋଟିଏ ଛୋଟିଆ ଘର ମାଟିରେ ତିଆରି କରି ଦେଇଥିଲା l ସାହି ଝିଅ ମାନେ ଆମ ଘରକୁ ଖେଳି ବାକୁ ଆସନ୍ତି l ଆମେ ଖୁସିରେ ଖେଳୁ l କଣ୍ଢେଇ ବାହାଘର କରୁ, ବାଲି, ଶାଗ
ନଡ଼ିଆ ସଢ଼େଇରେ ଭାତ ତିଅଣ ରାନ୍ଧୁ l ବର ଯାତ୍ରୀଙ୍କୁ ଖାଇବାକୁ ଦେଉ l ଝିଅ ବିଦା ବେଳେ କାନ୍ଦିକାନ୍ଦି
ବର ଘରେ ନେଇ ଛାଡି ଦେଇ ଆସୁ l କଣ୍ଢେଇକୁ ସିଜୁ ପତ୍ରରେ ପାଉଁଜି ଓ ଫୁଲରେ ହାର କରି ପିନ୍ଧାଇ ଥାଉଁ l ବୋଉର ପୁରୁଣା ଶାଢ଼ୀକୁ ଚିରି ବର କନ୍ୟାକୁ ଲୁଗା ପିନ୍ଧାଉଁ l ବାଲି ଘର ଖେଳ, କଣ୍ଢେଇ ବାହା ଘର ଖେଳ ବହୁତ ମଜ୍ଜା ଲାଗେ l
ସ୍କୁଲ ଛୋଟି ହୋଇଥିଲେ ଖରା ବେଳେ ନ ଶୋଇ ଏହି କାମ କରୁ l ତେନ୍ତୁଳି, ଆମ୍ବୁଲ, ଆଚାର ଘରୁ ଲୁଚେଇ କରି ନେଇ ସାଙ୍ଗ ମାନଙ୍କ ସହିତ ମିଶି ଖାଉ l କବାଡି, ଖପରା କାତି, ବହୂ ବାଗୁଡ଼ି, ଗୁଡ଼ି ଖେଳ ଖେଳୁ l ତେନ୍ତୁଳି ମଞ୍ଜିରେ ଘର କାଟି ବାଘ ଛେଳି ଖେଳ ଖେଳୁ l ଲୁଡୁ ଖେଳୁ l ବାଟି ଖେଳୁ l ବାଉଁଶ ଓ ଅମରୀ ଡାଳକୁ ଆଣି ମଞ୍ଚା ତିଆରି କରୁ l ତା ଉପରେ ପାଳ ପକାଇ ଘର ତିଆରି କରୁ l ବେଳେ ବେଳେ ବାପା ମା ଙ୍କ ଠାରୁ ଗାଳି ମଧ୍ୟ ଖାଇଥାଉଁ l ବୋଉ ଠାରୁ ମାଡ଼ ଅନେକ ଥର ଖାଇଛି, କିନ୍ତୁ ବାପା ମୋତେ କେବେବି ମାରି ନାହାନ୍ତି l
ବର୍ଷା ଦିନରେ ସ୍କୁଲରୁ ଫେରିବା ବେଳେ ଛତା ବନ୍ଦ କରି ଦେଇ ଭିଜୁ, ପାଣି ଖେଳିବାକୁ ଭାରି ଭଲ ଲାଗେ l ଓଦା ହୋଇ ଯେତେ ବେଳେ ଘରକୁ ଫେରୁ ବୋଉ ଗାଳି କରେ l କହେ ଥଣ୍ଡା ଜ୍ଵର ହେବ l ଶୀଘ୍ର ଶୀଘ୍ର ଯାଇ ଲୁଗା ବଦଳାଇ ଦିଅ, କହେ ତୁମେ ମାନେ ମୋତେ ହଇରାଣ କରୁଛ କାହିଁକି ? ଶାନ୍ତିରେ ଟିକିଏ ରଖେଇ ଦବନି l ତାପରେ ଗରମ ଭାତ, ତରକାରୀ ଖାଇବାକୁ ଦିଏ l ରାତିରେ ଶୋଇବା ବେଳେ ଶୋରିଷ ତେଲରେ ରସୁଣ ଫୁଟାଇ ପାଦ, ଗୋଡ଼, ହାତରେ ମାଲିସ କରି ଦିଏ l
ପିଲା ବେଳ ଥିଲା ସତରେ କେତେ ସୁନ୍ଦର l ସାହିର ସବୁ ଝିଅ ମାନେ ଏକାଠି ମିଶି ଜହ୍ନି ଓଷା, କୁମାର ପୂର୍ଣ୍ଣିମା ଓଷା, ଖୁଦୁରୁ କୁଣି ଓଷା କରୁ l ସକାଳ ସଂଜରେ ବୃନ୍ଦାବତୀ ମୂକେ ଭୋଗ ଦେଉ l ତୁଳସୀ ବନ୍ଦନା କରୁ l କୁମାର ପୂର୍ଣ୍ଣିମା, ପଞ୍ଚକ ପୂର୍ଣ୍ଣିମାରେ ବହୁତ ମଜ୍ଜା ହୁଏ l କୁମାର ପୂର୍ଣ୍ଣିମାରେ ଜହ୍ନ ପୂର୍ବକାଶରେ ଉଦୟ ହେବା ସଙ୍ଗେ ସଙ୍ଗେ ଚାନ୍ଦ ବନ୍ଦନା କରି ଭୋଗ ଲଗା ଯାଏ l କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳ ବେଣୀ ଗୀତ ବୋଲା ଯାଏ l ତା ‘ପରେ ସାତ ଜଣ ସ୍ତ୍ରୀ ଲୋକ ଆମ୍ଭ ମାନଙ୍କୁ ଫୁଲ ଚନ୍ଦନରେ ବନ୍ଦାଇ ଥାନ୍ତି l ସାରା ରାତି ଖେଳ, ଗୀତ, ନାଚ, ଗପରେ ରାତି ପାହି ଯାଏ l କୁଆଁର ପୂର୍ଣିମା ଓ ପଞ୍ଚକ ପୂର୍ଣିମାରେ ଆମ ଗାଁରେ ପାଲା, ଦାସକାଠିଆ ହୁଏ l ସାରା ରାତ୍ରି ଅମର ଉଜାଗରରେ କଟି ଯାଏ l କୁମାର ପୂର୍ଣ୍ଣିମା ପରଦିନ ସୂର୍ଯ୍ୟ ଉଦୟ ନ ହେବା ପୂର୍ବରୁ ଭୋଗ ଓ ସଜା ଯାଇଥିବା କଇଁ ଫୁଲକୁ ପାଣିରେ ବିସର୍ଜନ କରାଯାଏ l
ଜ୍ୟେଷ୍ଠ ମାସର ମାସନ୍ତ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦାହ କୁହାଯାଏ l ରଜରେ ଆମେ କୁଆଁରୀ ଝିଅ ମାନେ ବହୁତ ମଜ୍ଜା କରୁ l ସକାଳୁ ସକାଳୁ ଗାଧୋଇ ନୂଆ ଲୁଗା ପିନ୍ଧୁ l ଚନ୍ଦନ ପାଟି ବୋଉ ଓ ଭାଉଜ କରି ଦିଅନ୍ତି l ଅଳତା ନେଲପଲିଶି ପିନ୍ଧୁ l ସଜ ବାଜ ହୋଇ, ପୋଡ଼ ପିଠା ଖାଇ, ପାନ ଖଣ୍ଡେ ପାଟିରେ ପୁରଇ ଦୋଳି ଖେଳିବାକୁ ଯାଉ l ଦୋଳି ଖେଳ ବେଳେ ଦୋଳି ଗୀତ ଗାଉ l ଯଥା :
1:ରାମ ଦୋଳି କଟ କଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ
ଦିସୁ ଥାଏ ଝଟ ଝଟ l
2: ପାଚିଲା ବଇଞ୍ଚ କୋଳି
ବେକରେ ନାଇଛୁ ଗଜରା ମାଳି ଲୋ
ଝୁଲାଅ ରଜର ଦୋଳି l
3:ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ ଲୋ
ଘେନି ନୂଆ ସଜ ବାଜ
ସଜନୀ ଲୋ ଘେନି ନୂଆ ସଜ ବାଜ l
ଦୋଳି ଖେଳିବା ପୂର୍ବରୁ ଗୁରୁଜନ ମାନଙ୍କୁ ପାଦ ଛୁଇଁ ପ୍ରଣାମ କରୁ l ସବୁ ସାଙ୍ଗ ମାନଙ୍କ ମଧ୍ୟରେ
ମିଠା ପାନ ଦିଆ ନିଆ ହୁଏ l ଏହି ରଜ ତିନି ଦିନ କାହାରି ଘରେ ପାନ ଖାଇବାକୁ ବାରଣ ନ ଥାଏ l ଗାଁରେ ପ୍ରାୟ ସମସ୍ତଙ୍କ ବାଡ଼ିରେ ଗଛରେ ଦୋଳି ଲାଗି ଥାଏ l ଆମ୍ଭେ ମାନେ ବହୁତ ମଜ୍ଜା କରୁ l
ଦଶହରାରେ ସ୍କୁଲ ଛୁଟି ହୋଇ ଥାଏ l ସବୁ ସାଙ୍ଗ ମାନେ ମିଶି ସଜବାଜ ହୋଇ ଦେବୀ ଦୁର୍ଗାଙ୍କୁ ଦର୍ଶନ ଜାରିବାକୁ ଯାଉ l କିଛି ଦିନ ପରେ ଦୀପାବଳି ଆସେ l ଦୀପାବଳିରେ ବାପା ଭାଇଙ୍କ ସହିତ ମିଶି ଲିଚୁ ବତୀ ଓ ଦୀପାଳିରେ ଘରକୁ ଆଲୋକ ମୟ କରୁ l ବୋଉ ଲଷ୍ମୀ ପୂଜା କରନ୍ତି l କେତେ ପ୍ରକାରର କ୍ଷୀରୀ, ପିଠା କରନ୍ତି l ପୟା ଶ୍ରାଦ୍ଧ ଦିଆ ଯାଏ l କାଉଁରିଆ କାଠି ଜାଳି ବଡ଼ ବଡ଼ୁଆଙ୍କୁ ଡକା ଯାଏ l କେତେ ପ୍ରକାରର ବାଣ ଫୁଟା ଯାଏ l ଭାରି ଭଲ ଲାଗେ l
ଦୋଳ ପୂର୍ଣ୍ଣିମାରେ ରାଧା ମାଧବ ବିମାନରେ ବସି ସନ୍ଧ୍ୟାରେ ନଗର ପରିକ୍ରମା କରନ୍ତି l ଦାଣ୍ଡ ଦୁଆର ଗୋବରରେ ଲିପା ହୋଇ ଝୋଟି ଦିଆ ଯାଏ l କଳସ ବସେ l ଧୂପ, ଦୀପ, ଭୋଗ ନୈବେଦ୍ୟ ଦେଇ ପୂଜା କରା ଯାଏ l ପୂର୍ଣିମାର ପର ଦିନ ହୋଲି ଖେଳ ହୁଏ l ଆମ ସାହି ଝିଅ ମାନେ ଓ ଭାଉଜ ମାନେ ମିଶି ହୋଲି ଖେଳୁ l ଅବିର ସାଙ୍ଗ ମୁଖରେ ଲାଗଇ ହ୍ୟାପି ହୋଲି କହୁ l ବାପା, ମାଆ, ଜେଜେ ବାପା, ଜେଜେ ମାଆ ଙ୍କ ପାଦରେ ଅବିର ଦେଇ ପ୍ରଣାମ କରୁ l ତାଙ୍କ ଠାରୁ ଆଶୀର୍ବାଦ ନେଉ l
ତା’ପରେ ବୟସ ହେଲା ବିଭା ହୋଇ ଶାଶୁ ଘରକୁ ଗଲି l ଜଞ୍ଜାଳ ଭିତରେ ବୁଡି ରହିଲି l ସମୟ କ୍ରମେ ଝିଅରୁ ହେଲି ବହୁ l ସ୍ତ୍ରୀ, ମା, ଭାଉଜ, ଖୁଡି ଇତ୍ୟାଦି l କେତେ ନୂଆ ସମ୍ପର୍କ ଯୋଡି ହୋଇଗଲା l ସମସ୍ତଙ୍କର ମନ ଜାଣି ସେବା କାଲି l ସମସ୍ତଙ୍କ ଠାରୁ ସ୍ନେହ ଆଦର ପାଇଲି l
ଆଜି ମୋ ପିଲା ଦିନ ଅତୀତ ହୋଇ ଯାଇଛି l ଖାଲି ସ୍ମୃତି ଫରୁଆରେ ସ୍ମୃତି ସବୁ ସାଇତା ହୋଇ ରହିଛି l ଯେତେ ବେଳେ ପିଲା ଦିନ କଥା ମନେ ପଡେ ଭାରି ଖୁସି ଲାଗେ l ଇଛା ହୁଏ ସତେ ମୋର ପିଲା ଦିନ ଆଉ ଥରେ ଫେରି ଆସନ୍ତାକି ?


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ