ସେଦିନ ଆଉ ନାହିଁ

ଲେଖକ ପରିଚୟ

ପ୍ରଣତି ମହାପାତ୍ର
ଫକୀରମୋହନ ନଗର, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସେଦିନ କିଛି ଗୋଟିଏ କାମରେ ରମେଶ ସ୍କୁଲ ପାଖ ଦେଇ ଯାଉଥାଏ।ଦେଖିଲା ସ୍କୁଲ ହତାର ଗୋଟିଏ କଡ଼ରେ କେତେଗୁଡିଏ ବେଞ୍ଚ୍ ଡେସ୍କ ଭଙ୍ଗାରୁଜା ହୋଇ ପଡିଛି।ଯେମିତି ଏଗୁଡିକ ଅଦରକାରୀ।ଆଉ କୌଣସି କାମରେ କାହାର ଲାଗିବନି।ସ୍ଵତଃ ପାଟିରୁ ବାହାରି ଆସିଲା ରମେଶ ର ହାୟରେ…

ଦିନଥିଲା ଏହି ଜିନିଷ ର କେତେ ଆବଶ୍ୟକତା ଥିଲା । ଭଙ୍ଗାରୁଜା ହେଉ ପଛେ।ମରାମତି କରି ବି କାମରେ ଲଗାଇ ଥାଆନ୍ତୁ ।

 ଆଜି ବି ରମେଶ ର ଗୋଟିଗୋଟି ହୋଇ ସବୁ ମନେ ପଡୁଛି।

ଦୀର୍ଘ ଦିନର କଥା।ତା ପିଲାବେଳର। ପ୍ରତ୍ୟେକ ଦିନ ସେଇ ଗୋଟିଏ ଅସୁବିଧା।ଘରୁ ଖାଇପିଇ, ସଫାସୁତୁରା ପୋଷାକ ପତ୍ର ପିନ୍ଧି ବହିବସ୍ତାନି ହାତରେ ଧରି ସଅଳ ସଅଳ ସ୍କୁଲରେ ସିନା ରମେଶ ତା ସାଙ୍ଗ ମାନଙ୍କ ସହ ପହଞ୍ଚି ଯାଏ,ହେଲେ ସ୍କୁଲର ପରିସ୍ଥିତି ଦେଖି ଇଚ୍ଛା ହୁଏ ନାହିଁ ଭିତରକୁ ଯିବାକୁ।ରମେଶ ସହ ଅଜିତ, ତପନ,ଦେବାଶିଷ, ଗଣେଶ୍ଵର,ସର୍ବେଶ୍ଵର, ଅନିରୁଦ୍ଧ, ଜୟନ୍ତ,ଦେବେନ୍ଦ୍ର, ରଘୁନାଥ, ପ୍ରକାଶ, ଲକ୍ଷ୍ମୀପ୍ରିୟା,ରଙ୍ଗଲତା,କମଳିନୀ, ସୁଲୋଚନା, ଚଞ୍ଚଳା ଏମିତି ୩୫ ଜଣ ଗୋଟିଏ ଶ୍ରେଣୀରେ ପଢନ୍ତି।ସ୍କୁଲ ଆସି ଘର ଓଳେଇବା,ଗୋବର ଓ ମାଟିରେ ପାଣି ଦେଇ ଘର ଲିପିବା କାମ କରିସାରି ପ୍ରାର୍ଥନା କରନ୍ତି।ତା ଭିତରେ ଘର ଶୁଖି ଯାଇଥାଏ।ପ୍ରାର୍ଥନା ସାରି ଆସିଲେ ଦରି ବିଛେଇ ଦେଇ ଯେଝା ଜାଗାରେ ଯେଝା ବସି ଯାଆନ୍ତି।ସଦ୍ୟ ଲିପା ହୋଇଥିବା ଘରଟି ଯେ ଗୋବର ମାଟିର ବାସ୍ନାରେ କେମିତି ଅସ୍ୱସ୍ତି ବୋଧହୁଏ।

ଏମିତିକି ପଢିବାକୁ ଆଗ୍ରହ ହୁଏ ନାହିଁ।ଯାହା ବି ହେଉ।ଗାଆଁରେ ସେଇ ସ୍କୁଲରେ ସମସ୍ତେ ତ ପାଠ ପଢ଼ନ୍ତି।ଗାଆଁ ପାଖରୁ ୧୨କିଲୋମିଟର ଗଲେ ଯାଇ ସହର।ସହରରେ ସ୍କୁଲ।ସେଠାରେ ପଢିବାକୁ ଘରେ ରାଜି ହୁଅନ୍ତି ନାହିଁ ବାପା ବୋଉ ମାନେ।ଏମିତି ଏମିତି ପାଠ ପଢିବାକୁ ପ୍ରତିଦିନ ସେହି ବିଦ୍ୟାଳୟ କୁ ଯିବାକୁ ହୁଏ।ବହୁତ ବହୁତ ଧନ୍ୟବାଦ ସେହି ମହାନ ମଣିଷ ଙ୍କୁ।ଯିଏ ନିଜ ଜୀବନରେ ଅନେକ ପାଠପଢି ମଧ୍ୟ ବାହାରକୁ ଚାକିରୀ କରିବାକୁ ନ ଯାଇ ନିଜ ଗାଁ ପିଲାମାନଙ୍କର ଭବିଷ୍ୟତ କୁ ଆଖି ଆଗରେ ରଖି ବହୁତ କଷ୍ଟ ସ୍ଵୀକାର କରି ସ୍କୁଲ କରିଥିଲେ ଓ ସେହି ସ୍କୁଲରେ ସର୍ବପ୍ରଥମେ ବିନା ଦରମାରେ ପିଲାମାନଙ୍କୁ ଦୀର୍ଘ ଦିନ ଧରି ପାଠ ପଢାଇଥିଲେ।ସେହି ବିଦ୍ୟାଳୟ ପାଇଁ କୌଣସି ଅନୁଷ୍ଠାନ କି ସରକାରଙ୍କ ପକ୍ଷରୁ ଦଶହଜାର ଟଙ୍କା ଆସିଲା।ଉକ୍ତ ସାର ଜଣକ ପିଲାମାନଙ୍କ ପାଇଁ ଡେସ୍କ ବେଞ୍ଚ୍ ଆଣିବାର ପ୍ରସ୍ତାବ ଅନ୍ୟ ଶିକ୍ଷକ ବନ୍ଧୁ ମାନଙ୍କୁ ଦେଲେ।ଅନ୍ୟମାନେ ବି ସହମତି ପ୍ରକାଶ କଲେ।

ଏଇଠି ଗୋଟିଏ ଅଘଟଣ ଘଟିଲା।ସେତେବେଳକୁ ସ୍କୁଲର ସମ୍ପାଦକ, ସଭାପତି ରହିଥାନ୍ତି।ସେମାନେ ଏସବୁ କଥାରେ ଏକମତ ହୋଇ ପାରିଲେ ନାହିଁ।ସେହି ଟଙ୍କା ସମ୍ପାଦକ ଓ ସଭାପତି ମିଶି ଭୋଜିଭାତ ଖାଇଦେଲେ।ଅବଶ୍ୟ ବିଦ୍ୟାଳୟର ଶିକ୍ଷକ ମାନେ ସେ ଭୋଜିରେ ଉପସ୍ଥିତ ଥିଲେ କେବଳ ପ୍ରଧାନ ଶିକ୍ଷକ ଅନୁପସ୍ଥିତି।ଯାହା ହେଉ ସେହି ଟଙ୍କା ର ତଦାରଖ ହିସାବରେ ଦିନେ ଉପରିସ୍ଥ ଅଫିସର ଆସିଥିଲେ।ହେଲେ ପ୍ରଧାନ ଶିକ୍ଷକ ସବୁ କଥା ସତ କହିଦେଲେ।

ଆରମ୍ଭ ହୋଇଥିଲା ସେହି ଶିକ୍ଷକ ଙ୍କ ବିରୁଦ୍ଧରେ ବିଦ୍ରୋହ।ସମ୍ମୁଖ ବିଦ୍ରୋହ ର ବହ୍ନିରେ ପ୍ରଧାନ ଶିକ୍ଷକ ହାରିଗଲେ।କିଛି ଦିନ ପରେ ଅସୁସ୍ଥତା କାରଣରୁ ଶେଷ ନିଶ୍ଵାସ ତ୍ୟାଗ ବି କଲେ।ହେଲେ ସ୍କୁଲର ଉନ୍ନତି ସ୍ଵପ୍ନ ହୋଇ ରହିଗଲା , ସେହି ସାରଙ୍କ ପାଇଁ।

ସେ ସିନା ଚାଲିଗଲେ।

ସାର ଚାଲିଯିବାର ୧୩ ବର୍ଷ ପରେ।ସ୍କୁଲ ସରକାରୀ ସ୍କୁଲର ମାନ୍ୟତା ପାଇଲା।ସ୍କୁଲକୁ ପକ୍କାଘର କରାଗଲା,ନୂଆ ନୂଆ ଡେସ୍କ, ବେଞ୍ଚ୍, କଳାପଟା,ପାଠ୍ୟୋପକରଣ ମାନ ଆସିଲା।ନୂଆ ଶିକ୍ଷକ ଶିକ୍ଷୟିତ୍ରୀ ଆସିଲେ।ସ୍କୁଲ ଘରେ ପଙ୍ଖା ଲାଗିଲା।

ଏବେ ଏବେ ପିଲାମାନେ ବହୁତ ଆନନ୍ଦରେ ବସି ପାଠ ପଢୁଛନ୍ତି।ଧୀରେ ଧୀରେ ବିଦ୍ୟାଳୟର ପରୀକ୍ଷା ଫଳ ପାଇଁ ଏକ ଭଲ ସ୍କୁଲରେ ପରିଚିତ ହେଲା ସବୁଠାରେ।ହେଲେ ସ୍ଵପ୍ନର ବିଦ୍ୟାଳୟ ପାଇଁ ଯାହାର ଅକ୍ଳାନ୍ତ ପରିଶ୍ରମ ଥିଲା, ସେ ପାଇଲେ କଣ?ତାଙ୍କ ପରିବାର ଅଭାବ ଅନଟନ ଭିତରେ ସଢି ହୋଇ ସେମିତି ପଡି ରହିଛନ୍ତି।

ସେହି ପ୍ରଧାନ ଶିକ୍ଷକ ଙ୍କ ସ୍ତ୍ରୀ ଏବେ ରୋଗାକ୍ରାନ୍ତ।ପାଖରେ ପଇସା ଟିଏ ନାହିଁ ପଥି କି ଔଷଧ ଖାଇବା ପାଇଁ।

ସେଦିନର ପିଲାମାନଙ୍କ କଷ୍ଟ ସିନା ଆଉ ନାହିଁ, ଆନନ୍ଦରେ ପିଲାମାନେ ବିଦ୍ୟାଳୟରେ ଯାଇ ପାଠ ପଢି ପାରୁଛନ୍ତି, ହେଲେ ଆଦର୍ଶ, ସୁସ୍ଥ,ସୁନ୍ଦର ବିଦ୍ୟାଳୟର ସ୍ଵପ୍ନ ଦେଖିଥିବା ସେହି ମହାନ ମଣିଷ ଆଜି ଜନ ମାନସରେ ଆଉ ନାହାଁନ୍ତି କି ତାଙ୍କର ସେହି ଅମୂଲ୍ୟ ଦାନକୁ ବି କେହି ଆଉ ମନେ ପକାଉ ନାହାଁନ୍ତି।

ସେଦିନର ସେ କଥା ଏବେବି ଭାବିଲେ ମୋତେବହୁତ ଦୁଃଖ ଲାଗେ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ