ଦାର୍ଢ୍ୟତାଭକ୍ତି କଥାମୃତ ଗଙ୍ଗାଧର ଦାସ ସମ୍ବାଦ – ଘନଶ୍ୟାମ ସାହୁ

ଲେଖକ ପରିଚୟ

ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ, ବଇଣ୍ଡା, ଅନୁଗୋଳ | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]


“ତୁମେ ଆଉ ମନଦୁଃଖ କରନାହିଁ ଶ୍ରୀୟା । ଆମ ଭାଗ୍ୟରେ ତ ସନ୍ତାନ ସୁଖ ନାହିଁ । ଆମେ ଚାହିଁଲେ କ’ଣ ବା କରି ପାରିବା ? ସବୁ ସେଇ ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା । ସେ ଚାହିଁଲେ ଆମର ଦୁଃଖ ଦୂର ହୋଇ ପାରିବ । ଆମେ ତ ତାଙ୍କରି ଆଶ୍ରା ରେ ଅଛନ୍ତି ।”ଏହିପରି ନିତି ପତ୍ନୀ ଶ୍ରୀୟା ଙ୍କୁ ବୁଝାଇଥାନ୍ତି ଗଙ୍ଗାଧର । ପତ୍ନୀ ଙ୍କ ସବୁଦିନ ସେହି ଗୋଟିଏ ଅଭିଯୋଗ ,” ସାଇପଡିଶା ଙ୍କ ଟାହି ଟାପରା ଆଉ ସହି ହେଉନି । ତୁମେ ଭଲ ଗରିବ ବ୍ରାହ୍ମଣ ପିଲାଟିଏ ଆଣି ବ୍ରତ କର କିମ୍ବା ଆଉ କୈାଣସି ଗରିବ ପିଲା କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କର ।” “ହେଉ ଦେଖିବା”କହି ସମୟ ଗଡ଼ାଇ ଚାଲନ୍ତି ସ୍ୱାମୀ ଗଙ୍ଗାଧର ଦାସ ‌। ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟର କଥା । ପୂଣ୍ୟ ପୁରୁଷୋତ୍ତମ କ୍ଷେତ୍ର ଠାରୁ ଅନତିଦୂରରେ ଥିବା ଗ୍ରାମ ଗୋବିନ୍ଦପୁରର ବାସ କରୁଥିଲେ ବଣିଆ ସମ୍ପ୍ରଦାୟର ଗଙ୍ଗାଧର ଦାସ । ଏକମାତ୍ର ପତ୍ନୀ ଶ୍ରୀୟା ଛଡ଼ା ଦୁନିଆଁରେ ତାଙ୍କର ନିଜର ବୋଲି ଆଉ କେହି ନଥିଲେ । କେବଳ ପ୍ରଭୁ ଜଗନ୍ନାଥ ହିଁ ତାଙ୍କ ନିଜର ବୋଲି ସେ ଭାବୁଥିଲେ । ବିଭିନ୍ନ ଚେରମୂଳି ଜିନିଷର ଦୋକାନ ଟିଏ ପୂର୍ବ ପୁରୁଷ ଙ୍କ ଜୀବିକା ହିସାବରେ ଚଳାଇ ଯାହା କିଛି ପାଆନ୍ତି ସେଥିରେ କଷ୍ଟେମଷ୍ଟେ ଚଳି ଯାଉଥିଲେ ସେମାନେ। ଅଭାବ କହିଲେ ସେଇ ଗୋଟାଏ ଅଭାବ ଥିଲା ଯେ ତାଙ୍କର କୋଳରେ ସନ୍ତାନ ଟିଏ ଭଗବାନ ଦେଇ ନାହାନ୍ତି ‌। ଉଭୟ ଭାରି ଧର୍ମ ପରାୟଣ । ଠାକୁରଙ୍କୁ ସେବାପୂଜା ନ କରିବା ଯାଏ ସେ ଜଳ ମଧ୍ୟ ସ୍ପର୍ଶ କରୁନଥିଲେ । ତାଙ୍କ ଦୁଆର ରୁ ଦୁଃଖୀରଙ୍କୀ ,ଯୋଗୀ ଭିକାରୀ କେହି କେବେ ଖାଲି ହାତରେ ଫେରୁ ନଥିଲେ । ସାଧୁ ସନ୍ଥ ମାନଙ୍କ ପ୍ରତି ସେମାନଙ୍କର ଭକ୍ତି ଭାବ ଥିବାରୁ ଗ୍ରାମ କୁ ଯେଉଁ ସାଧୁ ସନ୍ନ୍ୟାସୀ ମାନେ ଆସୁଥିଲେ ପ୍ରାୟ ଏହି ଗଙ୍ଗାଧର ଦାସ ଙ୍କର ହିଁ ଆତିଥ୍ୟ ଗ୍ରହଣ କରୁଥିଲେ । ହେଲେ ନିଃସନ୍ତାନ ଥିବାରୁ ଗଙ୍ଗାଧର ଙ୍କ ପତ୍ନୀ ଶ୍ରୀୟା ସବୁବେଳେ ଉଦାସ ରହୁଥିଲେ । ଚାହୁଁ ଚାହୁଁ ସେମାନେ ବାର୍ଦ୍ଧକ୍ୟ ରେ ଉପଗତ ହେବାରୁ ଚିନ୍ତା ଆହୁରି ବଢ଼ିବାକୁ ଲାଗିଲା । ଅପୁତ୍ରିକ ଅବସ୍ଥାରେ ଏମିତି କେଉଁ ଦିନ ଯେ ପ୍ରାଣ ଚାଲିଯିବ କହିହେବ ନାହିଁ । ତାଙ୍କ ପିଣ୍ଡରେ ପାଣି ଦେବାକୁ କେହି ନାହିଁ । ନିତି ସ୍ୱାମୀ ଗଙ୍ଗାଧର ଙ୍କ ନିକଟରେ ସେ ସେଇ ଏକ ପ୍ରକାର ଅଭିଯୋଗ ହିଁ କରୁଥିଲେ ।
ଦିନେ ଗଙ୍ଗାଧର ଗୋଟିଏ ରୂପକାର ପାଖରୁ ବାଳଗୋପାଳ ଙ୍କର ମନୋରମ ପ୍ରତିମା ଟିଏ କିଣି ପତ୍ନୀ ଶ୍ରୀୟା ଙ୍କୁ ଦେଇ କହିଲେ,”ଏହି ଶିଶୁକୁ ଆଜିଠାରୁ ଆମ ପୁତ୍ର ବୋଲି ଗ୍ରହଣ କର‌ । ଏହା କୁ ପୁତ୍ର ରୁପେ ପାଇବାପାଇଁ ମୁନି ଋଷି ମାନେ ମଧ୍ୟ ତପସ୍ୟା କରନ୍ତି ।ଇଏ ଆମର ସନ୍ତାନ ‌।ଆଉ ଜମା ରୁ ମନ ଦୁଃଖ କର ନାହିଁ ।” ସେଇ ଦିନରୁ ସେମାନଙ୍କ ଧ୍ୟାନ କେବଳ ସେଇ ବାଳ ଗୋପାଳ ଙ୍କ ଉପରେ ରହିଲା । ତାକୁ ଶିଶୁ ପରି ଲାଳନ ପାଳନ କରି ସେମାନେ ପୁତ୍ର ସୁଖ ପ୍ରାପ୍ତ କଲେ । କ୍ଷଣେ ନ ଦେଖିଲେ ପତ୍ନୀ ଶ୍ରୀୟା ବାୟାଣୀ ହୋଇ ଯାଉଥିଲେ । ଯେଉଁ ଆଡେ ଗଲେ ମଧ୍ୟ ସଙ୍ଗରେ ପ୍ରତିମା କୁ ନେଇ ଯାଉଥିଲେ । ସାଇପଡିଶା ସ୍ତ୍ରୀ ଲୋକ ମାନଙ୍କ ଆଖିରେ ସେ ବାୟାଣୀ ବୋଲି ପରିଚିତ ହେଲେ । ସେମାନଙ୍କ କଥାକୁ ଭ୍ରୁକ୍ଷେପ କରୁନଥିଲେ ପତିପତ୍ନୀ । ସେମାନେ ନିଜ କର୍ତ୍ତବ୍ୟ କରି ଚାଲିଥିଲେ ।କାରଣ ସେମାନେ ଭଗବତ୍ ବିଶ୍ବାସୀ ଥିଲେ । ଭଗବାନ ନିଜେ ଭକ୍ତ ଉଦ୍ଧବଙ୍କୁ କହିଥିଲେ,”କର୍ମ ମୋହର ନିଜ ଗୁରୁ ,ଉଦ୍ଧବ କେତେ ମୁଁ ପଚାରୁ ।” କୃଷ୍ଣ ଙ୍କ ସେହି ପ୍ରତିମା କୁ ପ୍ରତିମା ବୋଲି ମାନୁ ନଥିଲେ ଦୁଇ ପତିପତ୍ନୀ । ତାଙ୍କୁ ସେମାନେ “ଗୋପାଳ” ନାମରେ ଡାକୁଥିଲେ ।ନିଜ ପୁତ୍ର ଭାବି ତାକୁ ନ ଦେଖିଲେ ସେମାନେ ଦୁଃଖ ରେ ଭାଙ୍ଗି ପଡୁଥିଲେ ।

ଥରେ ନିଜ କାର୍ଯ୍ୟ ସମ୍ପର୍କରେ ଗଙ୍ଗାଧରଙ୍କୁ ଗ୍ରାମ ଠାରୁ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡିଲା । ଦୂର ସ୍ଥାନରେ ଥିଲେ ସୁଦ୍ଧା ତାଙ୍କ ଆଖି ଆଗରେ ଗୋପାଳ ଙ୍କ କମନୀୟ ରୂପ ଝଲସି ଉଠୁଥିଲା । ସେ କାର୍ଯ୍ୟ ସାରି ଶୀଘ୍ର କିପରି ଘରେ ପହଞ୍ଚିବେ ସେଥିପାଇଁ ବ୍ୟଗ୍ର ହୋଇ ପଡୁଥିଲେ । ସେ ଯାହା ହେଉ ନା କାହିଁକି କାର୍ଯ୍ୟ ସରିବା କ୍ଷଣି ସେ ନିଜ ଘରକୁ ଫେରିବାକୁ ମନସ୍ଥ କଲେ । ସନ୍ଧ୍ୟା ଆଗତ ପ୍ରାୟ । ପକ୍ଷୀ ମାନଙ୍କର କାକଳି ସେମାନଙ୍କ ବସା ଅଭିମୁଖେ ଫେରୁଥିବା ସୂଚନା ପ୍ରଦାନ କରୁଥିଲା । ପଶ୍ଚିମ ଦିଗରେ ସୂର୍ଯ୍ୟ ଦେବ ଙ୍କ ଅସ୍ତାଚଳ ଗମନ ଜନିତ ରକ୍ତିମ ଆଭା ଚତୁର୍ଦ୍ଦିଗ ବିଛେଇ ହୋଇ ଧରାପୃଷ୍ଠକୁ ରଙ୍ଗୀନ ରଙ୍ଗମଞ୍ଚ ର ଭ୍ରମ ସୃଷ୍ଟି କରୁଥିଲା । ଗ୍ରାମ ଆଉ କିଛି ବାଟ ଅଛି କି ନାହିଁ ହଠାତ୍ ଗଙ୍ଗାଧର ଅସୁସ୍ଥ ଅନୁଭବ କଲେ । ଗୋପାଳ ପାଖରେ ପହଞ୍ଚି ଗଲେ ସବୁକିଛି ଠିକ୍ ହେଇଯିବ ଭାବି ଗୋପାଳ ମୁହଁ କୁ ମନେ ମନେ ଭାବୁଥିବା ସମୟରେ ମୁଣ୍ଡ ତାଙ୍କର ଚକ୍କର ମାରିବାକୁ ଲାଗିଲା ।”ହା ଗୋପାଳ !” କହି ତାଙ୍କ ପ୍ରାଣବାୟୁ ଉଡିଗଲା ।ଶରୀର ରାସ୍ତା କଡରେ ପଡ଼ି ରହିଲା ।ପାଖ ଗ୍ରାମର କେହି ଜଣେ ଆସି ଗଙ୍ଗାଧର ରାସ୍ତା କଡରେ ଅଚେତ ଅବସ୍ଥାରେ ପଡ଼ିଥିବା ଜଣାଇଲା । ପତ୍ନୀ ଶ୍ରୀୟା ଗୋପାଳ ଙ୍କ ମୁହଁ କୁ ଚାହିଁ ମୁଁ ଏବେ କ’ଣ କରିବି କହି କାନ୍ଦିବାକୁ ଲାଗିଲେ । ହଠାତ୍ ଏକ ଅଦ୍ଭୁତ ଘଟଣା ଘଟିଲା ।ବାଳଗୋପାଳ ସ୍ୱରୂପ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖାରବିନ୍ଦରୁ ନିଃସୃତ ହେଲା,” କାନ୍ଦ ନାହିଁ ବୋଉ ।ଯାଇ ବାପାଙ୍କୁ କୁହ ଗୋପାଳ ଡାକୁଛି । ଏକଥା ଶୁଣି ସେ ଉଠି ବସିବେ । ଶୀଘ୍ର ଯାଇ ବାପାଙ୍କୁ ଡ଼ାକି ଆଣ ।”ଧନ୍ୟ ଗଙ୍ଗାଧର, ଧନ୍ୟ ତୁମର ପତ୍ନୀଙ୍କ ବାତ୍ସଲ୍ୟ ମମତା ମଧ୍ୟରେ ପ୍ରଭୁ ଭକ୍ତି ।ଆଉ ଭାବିବା ପାଇଁ ବେଳ ନଥିଲା ପତ୍ନୀ ଶ୍ରୀୟା ଙ୍କର । ସେ ଗୋପାଳ ଙ୍କୁ ଖଟରେ ଶୁଆଇ ଦେଇ ମେଲାଣି ନେଇ ପତିଙ୍କ ପାଖରେ ପହଞ୍ଚି ଗଲେ । ଗଙ୍ଗାଧର ଙ୍କ ଚାରିପାଖରେ ଲୋକ କିଛି ଘେରି ରହିଥିଲେ । ଶ୍ରୀୟା ପହଞ୍ଚିବା କ୍ଷଣି ସେମାନେ ତାଙ୍କୁ ଗଙ୍ଗାଧର ଙ୍କ ପାଖକୁ ଯିବାକୁ ରାସ୍ତା ଛାଡ଼ି ଦେଲେ । ଆଶ୍ଚର୍ଯ୍ୟର କଥା ଶ୍ରୀୟା କିଛି ନକାନ୍ଦି ଗଙ୍ଗାଧର ଙ୍କ ପାଖରେ ପହଞ୍ଚି ହାତରେ ଉଠାଇ କହିଲେ,”ଉଠ ସ୍ୱାମୀ ,ପୁଅ ଗୋପାଳ କହିଛି ଶୀଘ୍ର ଯିବାପାଇଁ ।” ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଗଙ୍ଗାଧର ନିଦରୁ ଉଠିଲା ପରି ଉଠି ବସିଲେ । ଧୂଳି ଧୂସରିତ ଅବସ୍ଥାରେ ରାସ୍ତା କଡରେ ନିଜକୁ ଲୋକଙ୍କ ଭିଡ଼ ଭିତରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କିଛି ନକହି ଗୋପାଳ କୁ ଏକୁଟିଆ ଛାଡି କିପରି ଆସିଲ କହି ପତ୍ନୀ ଙ୍କ ହାତ ଧରି ଗଙ୍ଗାଧର ଘରକୁ ବାହୁଡ଼ି ଗଲେ । ଲୋକ ମାନଙ୍କ ମୁହଁରେ ସେହି ଗୋଟିଏ କଥା ଶୁଣା ଯାଉଥିଲା, ” ଧନ୍ୟ ଗଙ୍ଗାଧର , ଧନ୍ୟ ତୁମର ପତ୍ନୀ । ତୁମ ପ୍ରଭୁ ଭକ୍ତିର ତୁଳନା ନାହିଁ । ” “ଜୟ ଜଗନ୍ନାଥ” ଧ୍ବନିରେ କିଛି ସମୟ ପାଇଁ ସମଗ୍ର ପରିବେଶ ମୁଖରିତ ହୋଇ ଉଠିଲା ।

ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ଼, ବଇଣ୍ଡା, ଜିଲ୍ଲା – ଅନୁଗୋଳ,
ମୋବାଇଲ ନମ୍ବର – ୭୯୭୮୦୫୭୬୯୫

Leave a Reply

Your email address will not be published. Required fields are marked *