ପତ୍ନୀ ପ୍ରିୟତମା – ସତ୍ୟବାଦୀ ସାହୁ
ସ୍ନାନ ପୂର୍ଣ୍ଣିମାର ପବିତ୍ର ତିଥିରେ
ଚିରନିଦ୍ରା ଗଲ ଶୋଇ
ଫୁଲ କୋକେଇରେ କି ଲୋଭ ଲାଗିଲା
ଫେରିବାର ନାଁ ନାହିଁ।
ଆଖି ପାଣି ମୋର ଆଖିରେ ମଲାଣି
ଫେରନ୍ତା ବାଟକୁ ଚାହିଁ
ସ୍ନାନ ପୂର୍ଣ୍ଣିମାର ପବିତ୍ର ତିଥିରେ
ଚିର ନିଦ୍ଵା ଗଲ ଶୋଇ।——-(୦)
ଶହେ ଆଠ ଗୋଟି କଳସ ଜଳରେ
ପ୍ରଭୁ କଲେ ମହାସ୍ନାନ
ଅଣସରଘର ପିଣ୍ଡିରେ ଶୋଇଲେ
ତେଜି ରତ୍ନାସିଂହାସନ।
ପ୍ରଭୁ ତ ଫେରିଲେ ରଥେ ବିଜେ କଲେ
ଭାଇ ଭଉଣୀଙ୍କୁ ନେଇ
ସ୍ନାନ ପୂର୍ଣ୍ଣିମାର ପବିତ୍ର ତିଥିରେ
ଚିରନିଦ୍ରା ଗଲ ଶୋଇ।———(୧)
ସ୍ଵର୍ଗଦ୍ଵାର ଠାରେ ନିଦ ଭାଜିଗଲେ
ଦେଖିବ କେ କେତେ ସାଥୀ
ଦୂରଦୂରାନ୍ତରୁ ଛୁଟି ଆସିଛନ୍ତି
ଲଭିବାକୁ ସ୍ଵର୍ଗ ଶାନ୍ତି।
ମାଟି ଅଗଣାରେ ଯେତେ ବି ଖୋଜିଲେ
ତମକୁ ପାଉଛୁ କାହିଁ
ସ୍ନାନ ପୂର୍ଣ୍ଣିମାର ପବିତ୍ର ତିଥିରେ
ଚିରନିଦ୍ରା ଗଲ ଶୋଇ।———(୨)
ସାଙ୍ଗସାଥୀ ପାଇ ଭୁଲିଯିବ ନାହିଁ
ଆତ୍ମୀୟସ୍ଵଜନ ଯେତେ
ଝୁରୁଛୁ ଝୁରିବୁ ସୂର୍ଯ୍ୟ ଚନ୍ଦ୍ର ନଭେ
ଥିବା ଯାଏଁ ଏ ଜଗତେ।
ହସୁଛ କି ସତେ ତାରାଙ୍କ ଗହଣେ
ସରଗପୁରରେ ଥାଇ
ସ୍ନାନ ପୂର୍ଣ୍ଣିମାର ପବିତ୍ର ତିଥିରେ
ଚିରନିଦ୍ରା ଗଲ ଶୋଇ।———(୩)
ନୀଳକନ୍ଦରର ମଥାରେ ଉଡୁଛି
ପତିତପାବନ ନେତ
ସ୍ଵର୍ଗଧାମେ ଥାଇ ଦୁଇ କର ଯୋଡ଼ି
କରୁଥିବ ପ୍ରଣିପାତ।
କହିବ ଗୋସାଇଁ ଆସିଛି ମୁଁ ଧାଇଁ
ମାୟା ବନ୍ଧନ ତୁଟେଇ
ସ୍ନାନ ପୂର୍ଣ୍ଣିମାର ପବିତ୍ର ତିଥିରେ
ଚିରନିଦ୍ରା ଗଲ ଶୋଇ।——–(୪)

କରିଥିବି ଯଦି କିଛି ପୁଣ୍ୟ କର୍ମ
ଅର୍ଜିଥିବି କିଛି ଧର୍ମ
ଜନ୍ମ ମୃତ୍ୟୁ ଚକ୍ରୁ ମୁକ୍ତି ଦିଅ ପ୍ରଭୁ
ଲୋଡା ନାହିଁ ପୁନର୍ଜନ୍ମ
କାଣିଚାଏ ଦୟା ମୋ ଉପରେ କର
ସବୁ ପାପ ଯାଉ ଧୋଇ
ସ୍ନାନ ପୂର୍ଣ୍ଣିମାର ପବିତ୍ର ତିଥିରେ
ଦେଇଛ ଡୋରି ଲଗେଇ।——(୫)
ସତ୍ୟବାଦୀ ସାହୁ
ବଡଇଚ୍ଛାପୁର ,ଜଟଣୀ
ମୋ: ନଂ-୯୪୩୭୨୮୭୨୮୦

ଧନ୍ୟବାଦ କବି ଶ୍ରୀଯୁକ୍ତ ସତ୍ୟବାଦୀ ସାହୁ ମହୋଦୟ।
କବିତାଟି ମନଛୁଆଁ ହୋଇଅଛି। ମୋ ମତରେ ଏହାର ଶୀର୍ଷକ ସହିତ ବିଷୟବସ୍ତୁର ମେଳ ରହୁନାହିଁ।