ବିଚିତ୍ର ବିଶ୍ୱକର୍ମା – କୁମୁଦିନୀ ବେହେରା

ଲେଖକ ପରିଚୟ

କୁମୁଦିନୀ ବେହେରା
ଅନୁଗୋଳ, ଓଡିଶା | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ତୁମେ ପିତାମାତା ମୋ’ ଜନମଦାତା
ସଂସାରେ ଆଣିଲ ମୋତେ
ବିଶ୍ୱକର୍ମା ହୋଇ ଗଢ଼ି ଚାଲିଅଛ
ନିଖୁଣ ଭାବେ ଦାୟିତ୍ଵେ l

ବିଶ୍ୱକର୍ମା ମୂର୍ତ୍ତି ନିର୍ମାଣ କରିଲେ
ନିହାଣ ପ୍ରହାର ଦେଇ
ତୁମେ ଦୁହେଁ ମୋତେ ଗଢ଼ି ଚାଲିଅଛ
ନିଜ ଅଙ୍ଗେ କଷ୍ଟ ସହି l

ଜୀବନର ପରିଭାଷା ଶିଖାଇଲ
ଓଠରେ ମୋ’ ହସ ଦେଇ
ଜୀବନ ଜୀବିକା ପେସା ବେଉସାରେ
ପାଖେପାଖେ ମୋର ରହି l

ଅନ୍ତରଙ୍ଗତାରେ ସ୍ନେହଶ୍ରଦ୍ଧା ଛଳେ
ସଂସାର-ସାଗରସ୍ରୋତେ,
ଦିବ୍ୟ ଚେତନାର ସୂକ୍ଷ୍ମ କଳାକୃତି
ହୃଦେ ଭରୁଛ ନିରତେ l

ମୋ ଜଡ଼ ଜୀବନେ ତୁମ ଅନୁଦାନ
ଜୀବନ ସଂଚାର କରେ
ଅନ୍ତରୁ ଅନ୍ତର କରିନାହଁ କେବେ
ଅବିରତ ପ୍ରେମ ଝରେ l

ତୁମ ଅନୁଗ୍ରହେ ପାଇଛି ଜୀବନ
ଈଶ୍ୱରଙ୍କ ଦୂତ ହୋଇ
ହେଳା କରିନାହଁ ନିଜ କର୍ତ୍ତବ୍ୟରେ
ଅଛ ମୋ’ ଦାୟିତ୍ଵ ନେଇ l

ଆୟୁଷର ଧାରା ଐଶ୍ୱର୍ଯ୍ୟପସରା
ଅମୃତର ସପ୍ତସିନ୍ଧୁ
ମୋ’ ପାଇଁ ତୁମର ପ୍ରତିକ୍ଷଣେ ଝରେ
ଅମାପ ପ୍ରେମର ବିନ୍ଦୁ l

ମୋ ପାଇଁ ରକ୍ତକୁ ପାଣି କରିଦେଲେ
ସହି ଅମିତ ଯନ୍ତ୍ରଣା
ସଦାକାଳ ହେଲ ସୁରକ୍ଷାକବଚ
ଆଶା ନ ରଖି ପାଉଣା l

ସ୍ମରଣ ମାତ୍ରକେ ସେ ତ୍ୟାଗର କଥା
ଚହଲେ ମୋ’ ତନୁମନ
କାଣିଚାଏ ଋଣ ଯଦି ନ ଶୁଝିଲି
ଧିକ ମୋ’ ମଣିଷ ଜନ୍ମ l

ନିଃସ୍ୱାର୍ଥ ପ୍ରେମର ପ୍ରତିମୂର୍ତ୍ତି ତୁମେ
ଏ ବିଶ୍ଵ ଦରବାରରେ
ବିଶାଳ ହୃଦୟ ଜଳାଞ୍ଜଳି ଦିଅ
ପୁଣ୍ୟ ତ୍ୟାଗ ତିତିକ୍ଷାରେ l

କି ଦେଇ ଶୁଝିବି ଯା’ ପ୍ରେମ -ତଟିନୀ
ସର୍ବଦା ମୋ’ ପାଇଁ ଝରେ ?
ବିଚିତ୍ର ସେ ବିଶ୍ୱକର୍ମାଙ୍କୁ ପ୍ରଣାମି
ଶରଣ ପଶେ ପୟରେ l

One Reply to “ବିଚିତ୍ର ବିଶ୍ୱକର୍ମା – କୁମୁଦିନୀ ବେହେରା”

  1. ଧନ୍ୟବାଦ, କବୟିତ୍ରୀ କୁମୁଦିନୀ। ସୁନ୍ଦର ପରିକଳ୍ପନା।
    ପୃଥିବୀର ଆଲୋକ ଦେଖାଉଥିବା ଏବଂ ସାମାଜିକ ସଂସ୍କାରରେ ଦୀକ୍ଷିତ କରୁଥିବା ମାତା ଓ ପିତା ହିଁ ସନ୍ତାନକୁ ସଫଳ ଭାବରେ ଗଢ଼ିବା ନିମନ୍ତେ ସଜୀବ ବିଶ୍ଵକର୍ମା। ଏଥିରେ ସନ୍ଦେହ ନାହିଁ।

Leave a Reply

Your email address will not be published. Required fields are marked *