ଦିବ୍ୟ ସୃଜନର ସ୍ରୋତ – କୁମୁଦିନୀ ବେହେରା

ଲେଖକ ପରିଚୟ

କୁମୁଦିନୀ ବେହେରା
ଅନୁଗୋଳ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ତୁମେ ପ୍ରଭୁ ମୋର ଚେତନା ପ୍ରେରଣା
ଦିବ୍ୟ ସୃଜନର ସ୍ରୋତ,
ବିନ୍ଦୁରୁ ବିସ୍ତ୍ରୁତ ପାବନ ଅମୃତ
ବିଭୁ ପ୍ରେମ ରସାମୃତ l

ହୁଅ ମୋ’ ଗୀତର ସୁର ଛନ୍ଦ ଲୟ
ଶାଣିତ ଲେଖନୀ ଧାରା
ହୃଦୟରେ ଦିଅ ଭକ୍ତି ମନ୍ଦାକିନୀ
ମୁକ୍ତି କୈବଲ୍ୟ ପସରା l

ମୋ ମନ ଦିଗନ୍ତେ ନବ ସୂର୍ଯ୍ୟୋଦୟ
ମୁକ୍ତିର ପୁଣ୍ଯ ଓଁକାର
ଅନ୍ତଃସ୍ଵରେ ଝରୁ ବିଭୁପ୍ରୀତି ଭାବ
ସତ୍ୟ ଶିବ ଓ ସୁନ୍ଦର

ମନ କାନନେ ମୋ’ ମୃଦୁ ସମୀରଣ
ତୁମେ ମଧୁପ ଗୁଞ୍ଜନ
ଶୂନ୍ୟତାର ତୁମ ନିଃଶବ୍ଦ ଝଙ୍କାର
ତୋଳଇ ଭକ୍ତି ଭଜନ l

ମୋ’ ପ୍ରାତଃ ଧ୍ୟାନର ପ୍ରଥମ ଭାବନା
ଅମୃତର ଅଭିଳାଷ
ଜଡ଼ ଜୀବନେ ମୋ’ ମିଳେ ସଞ୍ଜୀବନୀ
ପାଇ ତୁମରି ପରଶ l

ଭରିଦିଅ ହୃଦେ ଶାନ୍ତିର ଅଭୟ
ଭାବମୟ ଭକ୍ତି ତାନ
ତୁମ୍ଭ ଅନ୍ୱେଷଣେ ଘଟୁ ମୋ’ ବିଲୟ
ମୋକ୍ଷ ପାଉ ମୋ’ ଜୀବନ l

ଜାଣିଛି ହେ ପ୍ରଭୁ ଜୀବନଟା ଖାଲି
ଅନୁଭୂତି ବେଳାଭୂମି
ହୁଏ ମୁଁ ତୁମରି ଭକ୍ତିର ପୂଜାରୀ
ହୋଇ ତୁମ ଅନୁଗାମୀ l

ହୁଏ ଆନ ପାଇଁ କଳ୍ପବଟଟିଏ
କର୍ମେ ହୋଇ ସଦାଚାରୀ
ଏହି ଅଭିଳାଷ ପୂରଣ କରନ୍ତୁ
ହେ ନାଥ ବିଶ୍ଵବିହାରୀ l

ଲବଣର ଗୁଣ ଦିଅ ମୋର ହୃଦେ
ହଜାଇ ଦେବି ନିଜକୁ
ଆନନ୍ଦ ଓ ତୃପ୍ତି ବାଣ୍ଟି ଚାଲିଥିବି
ଧରାର ପ୍ରତି ପ୍ରାଣୀକୁ l

ପ୍ରଦୀପ ଗୁଣକୁ କରି ମୁଁ ବହନ
ହେବି ଆଲୋକ ବର୍ତ୍ତିକା
ଦହନ ହୋଇ ମୁଁ ବହନ କରିବି
ଜ୍ୟୋତିବିନ୍ଦୁର ପେଟିକା ll

କୁମୁଦିନୀ ବେହେରା, ଅନୁଗୋଳ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ