ଦେଖୁଥିବା କିଛି ସ୍ୱପ୍ନ – ତ୍ରିଲୋଚନ ଦାସ
ଅଙ୍ଗେ ନିଭା କିଛି କଥା ଛାତି ତଳୁ ନେଇ ବ୍ୟଥା
ଲେଖିବାକୁ ଭାରି ଇଛା କବିତା
ଦେଖୁଥିବା କିଛି ସ୍ଵପ୍ନ ବାଂଟୁଥିବା କିଛି ଖୁସି
ଭରିବାକୁ ଜୀବନରେ ପୂର୍ଣ୍ଣତା ।
ସକାଳର ଚାଆ ସାଥେ ଲାଗେ ଭାରି ସୁଆଦିଆ
ସୁନୁଭାଇ ମିଠାଗଳ୍ପ ଗଜଲ୍,
ସ୍ମୃତି ଯେବେ ଜାଗି ଉଠେ ନିଶିକାନ୍ତ ଗୀତ ଶୁଣେ,
ଭଲ ଲାଗେ ଭାଗିରଥି ସଜଲ୍ ।
ଗୁରୁବାରେ ମନ ଉଡେ ପଢିଦେଲେ ନିରୋଳାରେ
ଡାଏରିରୁ ମଙ୍ଗରାଜୀ କବିତା,
ପୂର୍ଣ୍ଣ ଦାସ ଏକପଦୀ, ଦୋସମାଳି ସତ୍ୟବାଦୀ,
ସୂର୍ଯ୍ୟ ଭାଇ ଭିଜାସ୍ଵର ନିରୁତା ।
ମିଶ୍ର ସତ୍ୟ ଦେଇପାରେ ସମାଧିରୁ ମାଟି ଖୋଳି,
ସୁରଞ୍ଜନ ଗୀତିଛନ୍ଦ ସୁନ୍ଦର,
ଦିବାକର ସଜଫୁଲ, ବାସନ୍ତୀ ଅପାଙ୍କ ଗୀତି
ମନଜିଣା ବରଷାର ନୂପୁର ।
ଅମାନିଆ ଢେଉ କେବେ ଶିହରାଏ ତନୁମନ
ସଚ୍ଚିଭାଇ ଲେଖନୀର ମୁନରେ,
ମହମହ ବାସିଉଠେ ବଛା ବଛା ବଣମଲ୍ଲୀ
ଲକ୍ଷ୍ମୀନାରାୟଣ ଭାଇ ଛାତିରେ ।
ଶ୍ରୀବିହାର, ଖୋର୍ଦ୍ଧା- ୭୫୨୦୫୫, ମୋ- ୯୮୫୩୫୩୫୦୯୫
