ନିଜେ ପଢେ ନିଜ ଚିଠି – ଶିବ ଚରଣ ମହାପାତ୍ର
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ବେଦନା ବିକ୍ଷିପ୍ତ ଶବ୍ଦ ଚାହୁଁଛନ୍ତି
ଏକାନ୍ତରେ ଟିକେ ପ୍ରିତି..!
ନନ୍ଦିନୀ ଗୋ ଆଜି ବନ୍ଦିନୀ ମୋ ଶବ୍ଦ
ତୁମ ପ୍ରିତି ବନଫୁଲେ
ପାଗଳ ପ୍ରେମିକ ଭ୍ରମର ସାଜି ମୁଁ
ଶବ୍ଦ କିଛି ଖୋଜି ବୁଲେ..!
ଅଭିମାନୀ ଶବ୍ଦ ମୋ ଆଙ୍ଗୁଠି ଧରି
ଖେଳୁଥିଲେ ଲୁଚକାଳି
ବାଦଲ ଉହାଡେ ଲୁଚି ଲୁଚି ଜହ୍ନ
ଲାଜରେ ଯାଏ ଝାଉଁଳି..!
ଭଦୁଅ ପୁନେଇଁ ଜଳୁଥାଏ ସେଠି
ହୃଦୟ ଖୋଜେ ପରଷ
ବେପଥୁ ଶୁଭେ କା’ ମଧୂର ରାଗିଣୀ
ପରାଣ ତେଜେ ଆୟୁଷ..!
(ଏବେ)ବିନା ବାରତାରେ ସେ ଚିଠି ଛାତିରେ
ଭରିଦେଲି ଚଇତାଳି
ଫୁଲେଇ ଫୁଲଠୁ ଚୋରି କରି ବାସ
ଅନ୍ତରେ ଦେଇଛି ଢାଳି..!
ଝରିଯାଉ ଯେତେ ପ୍ରିତି ଚନ୍ଦ୍ରମଲ୍ଲୀ
ପ୍ରେମ ପତ୍ରେ ମଧୂ ରାଶି
ମଳୟ ପବନ ଛୁଉଁ ଚିଠି ତନୁ
ଦେବାକୁ ଟିକେ ଆଉଁସି..!
ମୁଦା ଲଫାପାରୁ ଭାସି ଉଠୁ ସବୁ
ମଲ୍ଲୀ ଗଜରା ସୁବାସ
ଆଖି ନଈ ଧାରେ ବେଢିଥାଉ ମୋର
ଅସରନ୍ତି ପ୍ରିତି ଶୋଷ..!
ନୟନ ଖୋଜିଲା ତା’ ଫେରନ୍ତା ଚିଠି
ପ୍ରେୟସୀ ତନ୍ଦ୍ରା କିଶୋରୀ
ଶତ ଶ୍ରାବଣର ଲୁହରେ ଗାଧୋଇ
ପାରିନି ଯା’ କୁ ପାଶୋରୀ..!
ହୃଦୟ ଭାବନା ଖୋଲିଦେଇ ଦେଖେ
ଇଏ କି ସେ ପ୍ରେମ ଚିଠି
ଯେଉଁ ଚିଠି ପାଇଁ ଆକାଶ ଆଖିରେ
ଚେଇଁଥିଲି ସାରା ରାତି..!

ଠିକଣା ବିହୀନ ପ୍ରେମ ପତ୍ର ଯେବେ
ଆସିଲା ସଞ୍ଜେ ଲେଉଟି
ବିଜନ ବେଳାରେ ମନକୁ ବୁଝେଇ
ନିଜେ ପଢେ ନିଜ ଚିଠି..!
ଆଜି ନିଜେ ପଢେ ନିଜ ଚିଠି..!
××××××××××××××
ଶିବ ଚରଣ ମହାପାତ୍ର
ଚକ୍ରଧରପୁର:କେନ୍ଦୁଝର
