ଜୀବନ ପୁସ୍ତକ – କୁମୁଦିନୀ ବେହେରା

ଲେଖକ ପରିଚୟ

କୁମୁଦିନୀ ବେହେରା
ଅନୁଗୋଳ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ବନ୍ଦ ହୋଇଥିବା ପୁସ୍ତକ ଜୀବନ
କିଏ ବା ଖୋଲିବ କାହିଁ,
ପ୍ରତିଟି ପୃଷ୍ଠାର ମରମ ବେଦନା
ଅଛି କେ ପଢ଼ିବା ପାଇଁ ?

ଯିଏ ବି ଖୋଲିଲା ପଢ଼ି ନ ପାରିଲା
କ୍ଷଣେ ମନଧ୍ୟାନ ଦେଇ,
ଅସ୍ଥିର ଭାବରେ ଆଖି ବୁଲାଇଲା
ଶବ୍ଦ ଗହଣରେ ଥାଇ l

କେତେ ଛନ୍ଦ ରାଗ ଅନୁରାଗ ନେଇ
ଯାହା ଅଛି ଲିପିବଦ୍ଧ,
ସବୁ ଯୁଗ ପାଇଁ ପୁସ୍ତକ ଭିତରେ
ରହିଲା ହୋଇ ଆବଦ୍ଧ l

ତନ୍ନତନ୍ନ କରି ପଢ଼ିଲା କେ ଯଦି
କିଛି ତ ବୁଝିଲା ନାହିଁ,
ଟିକି ପୁସ୍ତକର ଅସୁମାରି ସ୍ଵପ୍ନ
ବାୟୁରେ ଗଲା ମିଳେଇ l

କେହି ଖୋଜିଲେନି ପୁସ୍ତକ ଭିତରୁ
ଗହନ ଗୋପନ ଭାଷା,
ମନ-ଦରିଆର ଶବ୍ଦର ବେଳାରେ
ପ୍ରତୀକ୍ଷିତ ମନ ଆଶା l

ଯିଏ ବୁଝିଥିଲା ସୌମ୍ଯମୟ ସତ୍ତା
ସେ ମୋତେ ମିଳିଲା ନାହିଁ,
ମାଟି ମଦାଳସୀ ହୋଇ ରହିଗଲି
ଅବସୋସ ମନେ ନେଇ l

ସତେ କି ପୁସ୍ତକ ହେବ ଅକାରଣ
ନ ପାଇ କା ଅନୁଗ୍ରହ,
ଶିଳା ଶୈବାଳରେ ଲୁପ୍ତ ହୋଇଯିବ
ଆପଣାର ପରିଚୟ l

ଦିନ ଦଣ୍ଡ ମାସ ବର୍ଷ ବିତିଯାଏ
ନିର୍ବିକାରେ ମୁଁ ଚାହିଁଛି,
ଜୀବନ ପୁସ୍ତକ ପାଠ କରିବାକୁ
ପାଠକ କିଏ ଆସୁଛି !

ଅଧୀରା କରୁଛି ସମୟର ସ୍ରୋତ
ବିଧୁର ବେଦନା ନେଇ,
ଚିରଆକାଙ୍କ୍ଷିତ ଆଶା ମଉଳିବ
ଭଗ୍ନ ହୃଦୟକୁ ନେଇ l

ଗୁପ୍ତ ଅତୀତର ସୁପ୍ତ ସ୍ମୃତି ସବୁ
ରହିବ କି ଲୁପ୍ତପ୍ରାୟ,
ନବ ଅରୁଣିମା ଆସୁଛି କି ନାହିଁ
କହିବ ସବୁ ସମୟ ll

କୁମୁଦିନୀ ବେହେରା, ଅନୁଗୋଳ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
3 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ରଙ୍ଗନାଥ ରଥ
ବଣମଲ୍ଲୀ ପାଠକ
ରଙ୍ଗନାଥ ରଥ
1 ବର୍ଷ ପୂର୍ବରୁ

ସ୍ମୃତିର ଶାମୁକା ସାଉଁଟି ମନ୍ତ୍ରମୁଗ୍ଧ କରିଦେଲେ। ଧନ୍ୟବାଦ।

ରଙ୍ଗନାଥ ରଥ
ବଣମଲ୍ଲୀ ପାଠକ
ରଙ୍ଗନାଥ ରଥ
1 ବର୍ଷ ପୂର୍ବରୁ

ଶମୁକା ବଦଳରେ ଶାମୁକା ପଢିବାକୁ ଅନୁରୋଧ। ସମ୍ପାଦନ କରି ସଂଶୋଧନ ହୋଇପାରିବ କି?