ଜିଅନ୍ତା ଶବ – ସରିତା ମହାନ୍ତି

ଲେଖକ ପରିଚୟ

ସରିତା ମହାନ୍ତି
ବାସୁଦେବପୁର, ବାଲିଆପାଳ, ବାଲେଶ୍ୱର | ସଦ୍ୟ ପୋଷ୍ଟ

Read More

ପ୍ରାଣେ ପ୍ରାଣ ଥାଇ ଜିଅନ୍ତା ଶବଟି
ନପାରେ ଯାଇ ମଶାଣି
ଜୀବନ ଯୁଦ୍ଧରେ ବେଲାଳସେନ ସେ
ସତ୍ୟକୁ ଭାବେ କାହାଣୀ।

କେବେ ସେ ଅହଲ୍ୟା କେବେ ସେ ସାବିତ୍ରୀ
କେବେ ସତେକି ସେ ସୀତା
ସଫଳତା ସିଢ଼ି ଯାଏ ଚଢ଼ି ଚଢ଼ି
ନାରୀ ସେ ଅପରାଜିତା।

ସତ୍ୟ ନ୍ୟାୟ ଧର୍ମ ପଥରେ ପଥିକ
କେତେବେଳେ ସେ ଗାନ୍ଧାରୀ
ଚେଷ୍ଟାରେ ବିଫଳ ପିଏ ସେ ଗରଳ
ସେତ କଳି ଯୁଗ ନାରୀ।

ଜୀବନେ ସଂଘର୍ଷ ମୁଖେ ରଖି ହସ
କଣ୍ଟାକୁ ଭାବେ ସେ ଫୁଲ
ଜିଅନ୍ତା ଶବ ସେ ସମାଜ ଆଖିରେ
ଖୋଜୁଛି ମମତା ମୂଲ।

ଅଦିନେ ଅମ୍ବିକା ପୂଜି ଥିଲେ ରାମ
ଜୀବନ ଦୁର୍ଦ୍ଦଶା ପାଇଁ
ଭକତିରୁ ଶକ୍ତି ପାଇଥିଲେ କୁନ୍ତୀ
ପାଞ୍ଚ ପୁତ୍ର ସଙ୍ଗେ ନେଇ।

ସଭିଙ୍କ ଜୀବନି ପାଥେୟ କରି ସେ
ପାଲଟେ ଜିଅନ୍ତା ଶବ
ଶକ୍ତି ସ୍ୱରୂପିଣୀ ପାଇଁ ପୂଜାରିଣୀ
ରଖେ ସମର୍ପିତ ଭାବ।

ସରଳ ଜୀବନ ହୋଇଲା ଜଟିଳ
ପାଲଟେ ଜିଅନ୍ତା ଶବ
ଛ’ ଖଣ୍ଡ କାଠର କୋକେଇ ତା’ ପାଇଁ
ଦିନେ ନିଅଣ୍ଟ ହୋଇବ।

ଦିଏ ନା ପାଉଣା ତ୍ୟାଗୀର ତ୍ୟାଗକୁ
ଦେଖାଇ ମିଛ ବାହାନା
ମିଛ ଦୁନିଆରେ କରି ଅଭିନୟ
ନାରୀରୁ ସାଜେ ଖେଳନା।

ମହୁ ମାଛି ଠାରୁ ମହୁ ଶୋଷି ନେଇ
ତା’ ବଂଶ କରନ୍ତି ନାଶ
କ୍ଷତି ପରେ କ୍ଷତି କରନ୍ତି ଅନ୍ୟର
ପଶ୍ଚାତପ ନାହିଁ ଲେଶ।

କୃଷକ ପାଏନା କୃଷିର ପାଉଣା
ଶବର କି ଅବା ଲୋଭ
କାଟି ସଫା କରେ ବଣ ଜଙ୍ଗଲକୁ
ମନରେ ରଖି ନ କ୍ଷୋଭ।

ନିରେଖି ଦେଖିଛି ଜୀବନକୁ ତା’ର
ଶବର ଅଛି ଜୀବନ
ଭଲ ମଣିଷର ସଜ୍ଞା ଖୋଜି ଆଜି
ସତେ କି ହେଲା ପାଷାଣ ।

ସୁରୁଜ ପବନ ଜଳ ଠାରୁ ଶକ୍ତି
ନାହିଁ ସଂସାରେ କାହାରି
ନିଜକୁ ବଳୁଆ ଭାବିଲା ଯେ ଦିନୁ
ସମସ୍ୟା ରହିଲା ଘେରି।

ହୋଇ ସେ ପଥର ଖାଉଛି ପ୍ରହାର
ଜୀବ ହୋଇ ସେ ନିର୍ଜୀବ
ସଭିଙ୍କ ହାତରେ ସାଜିଛି କଣ୍ଢେଇ
ସେ ପାଇଁ ଜିଅନ୍ତା ଶବ।

ଶବ ହୋଇ କେବେ ଷୋଳ ଶୃଙ୍ଗାରରେ
ମଶାଣି ଥାନ୍ତା କୋଳେଇ
ଅହ୍ୟ ଡେଙ୍ଗୁରାବି ଦିଅନ୍ତା ଖବର
ସଧବା ଆସନ୍ତେ ଧାଇଁ।

ମରୀଚିକା ପଛେ ଧାବମାନ କରି
ମେଣ୍ଟିଲାନି ଷୋଶ ତା’ର
ଶବ ବଦଳରେ ଜିଅନ୍ତା ଶବଟି
ହୁଏ ଶ୍ରେଷ୍ଠ କଳାକାର।

ବନ୍ଧନରୁ ମୁକ୍ତ ହୋଇ ସେ ନପାରି
ଛନ୍ଦିଛି ମାୟା ବନ୍ଧନ
ଅଣ ନିଃଶ୍ବାସରେ ଜିଅନ୍ତା ଶବ ସେ
ଡାକେ ରଖ ନାରାୟଣ।

ମାଗେ ଆଶୀର୍ବାଦ ଗଣି ସେ ପ୍ରମାଦ
ଆସୁ ବିଦାୟ ଲଗନ
ଗୁରୁ ଗୁରୁ ଜନ ଇଷ୍ଟ ଭଗବାନ
କିଆଁ ବସିଛ ମାଉନ୍?

ଜିଅନ୍ତା ଶବର ଅପେକ୍ଷା ହିଁ ସାର
ଚିତ୍ରଗୁପ୍ତଙ୍କ ଡାକରା
ସମସ୍ୟାର ସବୁ ହେବ ସମାଧାନ
କୋଳେଇବ ବସୁନ୍ଧରା ।

କବି ଭାରତୀ ସରିତା ମହାନ୍ତି
ବାଲିଆପାଳ, ବାଲେଶ୍ୱର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ