ଶରତ ସନ୍ଧ୍ୟାରେ – ସୀମାଞ୍ଚଳ ଖଟୁଆ
ପ୍ରାଚୀ ଗଗନରେ ରବି ଅସ୍ତହେଲେ
ପକ୍ଷୀ ଆସୁଛନ୍ତି ଧାଇଁ,
କିଚିରି ମିଚିରି କାକଳିର ଶବ୍ବ
ଜନମନ ନିଏ ମୋହି।(୧)
ଶରତ ସନ୍ଧ୍ୟାରେ ବଗ ଧାଡ଼ି ଧାଡ଼ି
ସତେକି ତାରକା ମାଳ,
ସନ୍ଧ୍ୟା ସୁନ୍ଦରୀଙ୍କୁ ବନ୍ଦନା କରିବେ
ଦେଇ ରାବ କଳ କଳ।(୨)
ସରସୀ ଧବଳ ଆକାଶ ନିର୍ମଳ
କଇଁ-ଚନ୍ଦ୍ରଙ୍କର ଖେଳ
ହଳଦିଆ ମୁହିଁ ଜହ୍ନି ଫୁଲ ନାଚେ
ସମୀରଣେ ଦେଇ ତାଳ।(୩)
ସବୁଜିମା କ୍ଷେତ ଅତି ମନୋହର
ଫୁଲର ସୁଗନ୍ଧେ ଭରା,
କାଶତଣ୍ଡି ଫୁଲ ଚାମର ଢାଳଇ
ହୋଇଯାଇ ଆତ୍ମହରା।(୪)
କୁମାରୀଙ୍କ ଗୀତ ହୁଏ ଗୁଞ୍ଜରିତ
ତୁଳସୀ ଚଉରା ମୂଳେ,
ଗ୍ରାମ ସୀମନ୍ତିନୀ ବିଭୁ ସୁମରିଣ,
ସଞ୍ଜ ଦୀପଟିଏ ଜାଳେ।(୫)
ଅଶିଣେ ଦୁର୍ଗାଙ୍କ ନବରାତ୍ର ପୂଜା
ଚଉଦିଗ ପ୍ରକମ୍ପିତ,
ଶାରଦୀୟ ସନ୍ଧ୍ୟା ଉତ୍ସବ ମୁଖର
ଶୁଭେ ନାନା ନାଚଗୀତ।(୬)
ନୂଆ ନୂଆ ବସ୍ତ୍ର କରି ପରିଧାନ
ପୂଜା ମଣ୍ଡପରେ ଭିଡ଼,
ଶଙ୍ଖ ହୁଳହୁଳି ବାଜେ ଭେରୀ ତୂରୀ
ଶୁଭଇ ମୃଦଙ୍ଗ ମାଡ଼।(୭)
ଆଶ୍ୱିନ ପୂର୍ଣ୍ଣିମା କୁମାର ପୂର୍ଣ୍ଣିମା
କାର୍ତ୍ତିକଙ୍କ ଜନ୍ମଦିନ,
କୁଆଁରୀ ଝିଅଙ୍କ ଜହ୍ନି ଓଷା ବ୍ରତ
ମାନସିକ ପୂର୍ଣ୍ଣ ଦିନ।(୮)
ଶରତ ମାସରେ ପୂନେଇ ଜହ୍ନରେ
ଅନାବିଳ ଭାବ ବହି,
କୁମାର କୁମାରୀ ଆନନ୍ଦେ ବିଭୋର
ଅଭୀଷ୍ଟ ସାଧନ ପାଇଁ।(୯)
ସୀମାଞ୍ଚଳ ଖଟୁଆ, ଭୁବନେଶ୍ୱର ।
