କବିତା – ଅମର ସହିଦ ବାଜି ରାଉତ – ମଞ୍ଜୁଲତା ଦେଇ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ସଭିଏଁ ଡାକନ୍ତି ବାଜିଆ ବୋଲିଣ
ଗରୀବ ଘରର ପିଲା
ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁର
ଗ୍ରାମରେ ଜନମି ଥିଲା।। 0
ପ୍ରଜା ମଣ୍ଡଳର ସିପାହୀ ସାଜି ସେ
ଜଗିଥାଏ ନଦୀ କୂଳ
ଗୋରା ସିପାହୀକୁ ପାରି କରିବନି
ମନରେ ଦୃଢତା ବଳ।। 1
ବାର ବରଷର ଛୋଟ ପିଲା ସିଏ
ମନେ ନାହିଁ ତା’ର ଡର
ଫିରିଙ୍ଗିମାନଙ୍କୁ ପାରି କରିବନି
ଆସୁ ଯେତେ ପଛେ ଝଡ।।3
ଅକ୍ଟୋବର ମାସ ଏଗାର ତାରିଖ
ଘାଟ ଜଗା ପାଳି ଥିଲା
ମେଘ ବରଷାକୁ ଖାତିରି ନ କରି
ରାତ୍ରି ଉଜାଗର ହେଲା।। 4
ପୁଲିସ ଫୌଜ ନଦୀ ସେ କୂଳରେ
ଗର୍ଜନ କରନ୍ତି ଭାରି
ବର୍ଷାରେ ଗଲୁଣି ଗୋଟା ପୁଣି ଭିଜି
ତୁରିତେ କରି ଦେ ପାରି।। 5
ନିର୍ଭୟ ବାଳକ ଡରିଲାନାହିଁ ସେ
ପୁଲିସିର ନାଲି ଆଖି
ପ୍ରଜା ମଣ୍ଡଳର ଅନୁମତି ନାହିଁ
ଡଙ୍ଗା ଦେଲା ସିଏ ରଖି।। 6
ନିଜ ଜିଦରେ ସେ ଅଟଳ ରହିଲା
ନଥିଲା ତା ଭୟ ତିଳେ
ଗୁଡୁମ ଗୁଡୁମ ଫୁଟି ଗଲା ଗୁଳି
ବାଜିଆ ଲୋଟିଲା ତଳେ।। 7
ଦେଶ ଜାତି ପାଇଁ ଜୀବନକୁ ଦେଲା
ବକ୍ଷରେ ଖାଇଲା ଗୁଳି
ଇତିହାସରେ ସେ ନାମ ଲେଖି ଗଲା
ମୁକ୍ତି ଗୌରବ ଜାଳି।। 8
ସ୍ଵାଧୀନତାର ସେ ଅମର ସୈନିକ
ରଖିଗଲା ମହାଯଶ
ଏ ଜାତି ତିମିରେ ମୁକ୍ତିର ସଳିତା
ଜାଳିଦେଲା ଚଉପାଶ।। 9
D – 28 /3,
ନ୍ୟୁ ଗମେଣ୍ଟ କଲୋନୀ,
ଗଜପତି ନଗର, ଭୁବନେଶ୍ଵର
