ରୂପାନ୍ତର – ଅଧ୍ୟାପିକା ମମତା ପ୍ରିୟଦର୍ଶିନୀ ସାହୁ

ଲେଖକ ପରିଚୟ

ଡକ୍ଟର ମମତା ପ୍ରିୟଦର୍ଶିନୀ ସାହୁ
ଅଧ୍ୟାପିକା, ସରକାରୀ ଯୁକ୍ତଦୁଇ ବିଜ୍ଞାନ ମହାବିଦ୍ୟାଳୟ, ବାଲିଶଙ୍କରା, ସୁନ୍ଦରଗଡ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଆଜିଯାଏ ପଢି ପାରିଲିନି
ଲୁହ ଲୁଚେଇବାର ଶାସ୍ତ୍ର
ଆୟତ୍ତ କରି ପାରିଲିନି
କୋହ ଓ ଆବେଗକୁ
ଭୁଲିଯିବାର ମନ୍ତ୍ର ।

ଶିଖିପାରିଥିଲେ ଭଲ ହୋଇଥାନ୍ତା
ହୃଦୟକୁ କାଟି ଫିଙ୍ଗିବାର କୌଶଳ
କୋକେଇରେ ସଫେଦ ଚାଦର ଭିତରେ
ଶୋଇ ପାରିଥାନ୍ତା ସବୁତକ ମୋହ ।

ଫଟୋଚିତ୍ରର ସାହାରା ନେଇ ହୃଦୟଟିକୁ ରସଦୀପ୍ତ
କରିଦେବା ଛଡା ଆଉ କିଛି ରାହା ତ ନାହିଁ,
ନଚେତ ପ୍ରବୋଧିବା ଖୁବ କଷ୍ଟକର
ସଦ୍ୟ ପାଉଁଶ ହୋଇ ଫେରିଥିବା
ମନଟିକୁ ପ୍ରେମର ଚିତାଗ୍ନି ଧାସରୁ ।

ବିପନ୍ନ ସାନ୍ତ୍ଵନାମାନଙ୍କୁ କୋଳେଇ
ଏକାଗ୍ରତାର ପୋଷାକ
ପିନ୍ଧିବାକୁ ପଡିବ
ଜୀବନ ନଈ ପାରି କରିବାକୁ,
ଶୋଚନା ବଳୟକୁ ପ୍ରତିହତ କରି
ସନ୍ଧି କରିବାକୁ ହେବ
ଆଞ୍ଜୁଳାଏ ଅନ୍ଧାର ସହ
ଅଙ୍କାବଙ୍କା ପଥ ଚାଲିବାକୁ ।

ବର୍ଦ୍ଧିତ କରିବାକୁ ହେବ ଏବେ
ପ୍ରତ୍ୟୟର ପ୍ରଖରତାକୁ
ଡେଣାରେ ଖଞ୍ଜି ପକ୍ଷୀରାଜର ଗତି,
ଚିନ୍ତାଚେତନାରେ ଖୋଜିବାକୁ ସଦା
ତା’ ମଉନ ଆଳାପର
ବିସ୍ମୟ ବିସ୍ମୃତି ।

ଜାଣି ସାରିଛି ବିଶ୍ଵାସର ଏକକ ପଥକୁ
ଏ ଅବିଶ୍ଵାସ ପୃଥିବୀରେ
ଯିଏ ପୋଛିଦିଏ ଅମାର ଭର୍ତ୍ତି ଲୁହ,
ଗ୍ରହ ଓ ନକ୍ଷତ୍ରମାଳାକୁ ଅତିକ୍ରମିବାର
ଆହୁଲା ଖଣ୍ଡକ ଯୋଗାଏ
କେବଳ ଆଉ କେବଳ
ତା’ ଅସରନ୍ତି ପ୍ରେମର ମୋହ ।

ଅଧ୍ୟାପିକା ମମତା ପ୍ରିୟଦର୍ଶିନୀ ସାହୁ
ଯୁକ୍ତଦୁଇ ବିଜ୍ଞାନ ମହାବିଦ୍ୟାଳୟ, ବାଲିଶଙ୍କରା, ସୁନ୍ଦରଗଡ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ