କୂଳ ଡାକୁଛି ଆ – ଗୋପାଳ ଚନ୍ଦ୍ର ସାଓ
ନଈର ନାଁ ଯଦି
ସଂସାର ହୁଏ
ଦୁଃଖ ସୁଖ ଏଠି ସ୍ରୋତ…
ବିପଦଟା ଦେଖ
ଭଅଁର କାଟୁଛି
କରି ଗଭୀର ଗାତ…
ହେଲେ ଏ କଥାଟି ସତ,
ଆର କୂଳକୁ
ଛୁଇଁବାକୁ ହେଲେ
ମାରିବାକୁ ହେବ ହାତ…
ଆମେ ନାଆ
ଆମେ ନାଉରୀ
ପରିଶ୍ରମ ହେବ କାତ…
ଧୈର୍ଯ୍ୟ କୁ ଆହୁଲା
କରିଥିବା ଭଲା
ପବନକୁ କରି ମିତ…
ହେଲେ ଏ କଥାଟି ସତ,
ପହଁରା ଯଦି
ଶିଖିନ ବାବୁରେ
ମରଣ ଟାଣିବ ହାତ….
ନିନ୍ଦା ଅପବାଦ
ଢେଉ ପରି ଆସେ
ହୁଏ କ୍ଷଣେ ଆତ ଯାତ…
ସାହସ ବାନ୍ଧିଲେ
ଭାସିଯିବା ନାହିଁ
ମଥା କରି ଟିକେ ନତ…
ହେଲେ ଏ କଥାଟି ସତ,
ଝଡ଼ ଚାଲିଯିବ
ଝଡ଼ର ବାଟରେ
ଉଡିବ ଖୁସିର ନେତ…
ଭଙ୍ଗା ଦଦରା
ନାଆ ନେଇ କିଏ
ସେ କୂଳେ ଗାଉଛି ଗୀତ…
ନଈ ମଝିରେ
ବୁଡି ଯାଏ ପୁଣି
ଧନୀ ଅବା ସାଧୁ ସନ୍ଥ…
ହେଲେ ଏ କଥାଟି ସତ,
ଯିଏ ଡରିଗଲା
ସିଏ ମରିଗଲା
ପଛରୁ ଡାକିବ ଭୂତ…
ବାରିପଦା, ମୟୂରଭଞ୍ଜ, ଓଡିଶା

ଜୀବନକୁ ଗଭୀର ଭାବରେ ଅନୁଶୀଳନ କରିଛନ୍ତି ବିଶ୍ରୁତ ଆଧୁନିକ କବି ଶ୍ରୀମାନ ସାଓ ମହୋଦୟ। କବିତାଟି ସମାଜପାଇଁ ସୁନ୍ଦର ବାର୍ତ୍ତାଟିଏ ବହନ କରୁଛି। ଧନ୍ୟବାଦ।
ମାରିବାକୁ ହେବ ହାତ = ମାରିବାକୁ ହେବ କାତ