ରାରିରାରମ୍ – ମୀନାକ୍ଷି ପାଢ଼ୀ
ସେ ବସିଥାଏ,
ହସୁଥାଏ,
ସୁଦୁ ମଶାଣି ରେ….
ରାତି ଅଧଟାରେ !
ତା’ ଲମ୍ବା ଗୋଡ଼ ଦୁଇଟିକୁ ଚୁଲିରେ ପୁରାଇ।
ଜାଳୁଥାଏ ନିଆଁ ଦୁର୍ ଦୁର୍ କରି,
ହାଡ଼ ଫୁଟୁଥାଏ ଠୋ ଠା ହୋଇ,
ଚେଁ ଚେଁ ହୋଇ ରକ୍ତ ହୁଏ କଞ୍ଚା ପାଣି,
ଅଧିକରୁ ଅଧିକ ଲାଲ ହୁଏ
ତାଜା ମାଂସ…..
ଗୋଡ଼ରେ ପକାଇ ସେକୁଥାଏ ଡାଆଣୀ
କଅଁଳା ଛୁଆକୁ,
ଚିର୍ ଚିର୍ ହୁରି,
ଖିଲ୍ ଖିଲ୍ ହସ,
ହସୁଥାଏ ଡାଆଣୀ….
ଜିଭ କାଢ଼େ,ଲାଳ ଗଡ଼େ ଟପ୍ ଟପ୍
ଛୁଆ ଛାତିରେ।
ଛାତିରେ ଶୀତେଇ ଯାଏ ବିଷ…
“ପିଲା ଖାଇ ଡାଆଣୀ ଲୋ…..ଅ ଅ ଅ,
(ପବନର ବୁକୁ ଚିରି ରଡି କରେ ଭୈରବ)
ତୋ ପିଲାକୁ ଦେଖେଇ ଦେ… ଏ ଏ ଏ)
ଡାଆଣୀ ଟା ସ୍ଥିର ହୁଏ,
ହୁଏ ସ୍ତବ୍ଧ,
ଡୋଳା ବୁଲାଏ….ଆଖି ତରାଟି
ଆକାଶ ପହଁରେ,ପାତାଳ ବିଦାରେ
ପିଲା କାହିଁ? ପିଲା ନାଇଁ !!!
ରାରିରାରମ୍….,
ଡାଆଣୀ ଲୋରି ଗାଏ,
ନଈର କାନ୍ଦଣା ପରି,
ଆକାଶର ଅଟ୍ଟହାସ୍ୟ ଭଳି,
ଶବ୍ଦ ହୁଏ ଭୟଙ୍କର କରୁଣ ଆଳାପ ଧରି….।
ସେକା ଛୁଆ ଶୋଇ ଥାଏ,
ତାକୁ ଚୁଲିରେ ମାରେନା,
ପୋଡ଼ି ଖାଏନା,
ନାକରେ ଘଷେ ନାକ,
ଖାଏ ଚୁମ୍ମା,
ଦିଏ ବୁକୁ…,ଦିଏ ବୋକ !
ହସେ ଟହଟହ,
କାନ୍ଦେ ଗହଗହ,
ରାତି ଶେଷ୍ ,ଛୁଆ ଉଭାନ୍
ଦୁଇ ପୋଡ଼ା ଗୋଡ଼ ନେଇ ପଡିଥାଏ ଡାଆଣୀ,
ଲସର ପସର,ମାଟି ଶୁଘିଂ।
“ଡାଆଣୀ,ତୁ ସତରେ କ’ଣ ପିଲାକୁ ଖାଉ ?”
“ନା ନା,ତା ମାଆଠୁଁ ବି ଅଧିକ ଭଲପାଏ….,
ଆଉ ପାଏ ବୋଲି ତ ,
ମୁଁ….!”

