କ୍ଷୁଦ୍ରଗଳ୍ପ – ପିଣ୍ଟୁ – ଅମିୟ ବେଜ

ଲେଖକ ପରିଚୟ

ଅମିୟ ବେଜ
ଘଟଗାଁ, କେନ୍ଦୁଝର | +

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏହି ବିଷୟଟି 32 ଜଣ ପାଠକ ପଢି ସାରିଛନ୍ତି

‘ମୋତେ ସମୁଦ୍ର ଭଲଲାଗେ’ ୟା’ଠାରୁ ଅଯଥା ଉକ୍ତିଟିଏ ଆଉ କ’ଣ ବା ଥାଇପାରେ ? ବରଂ ମୋତେ ସମୁଦ୍ର କାହିଁକି ଭଲ ନ’ଲାଗନ୍ତା ଭଲା ? ଏଯାବତ୍ ସମୁଦ୍ରର ନିନ୍ଦୁକଟିଏ କେଉଁଠି ମିଳିଲାଣି କି ?

ଏକମାତ୍ର ସମୁଦ୍ର ତ ସିଏ , ଯିଏ କୋଳେଇ ନେଇପାରେ ପୁଣି କୂଳରେ ଆଣି ଛାଡିପାରେ ।

….ପିଲାଟା ଖଣ୍ଡେ ବାଟ ଦୌଡ଼ିଯାଇ ପୁଣି ମୋ ପାଖାପାଖି ଚାଲି ଆସୁଥିଲା । ଗହଳ ଚହଳ ବେଳାଭୂମିର ଯଥେଷ୍ଟ ଦୂରର ଏପାଖ ସାଗରବେଳାଟି ଅପେକ୍ଷାକୃତ ନିର୍ଜନ ଥିଲା । କିଛି ତାରକା ହୋଟେଲଙ୍କ ଅନଧିକାର ଅକ୍ତିଆରରେ ସ୍ଥାନଟି ଥିବାରୁ , ଆକସ୍ମିକ ପର୍ଯ୍ୟଟକ ଓ ବୁଲାବିକାଳୀମାନଙ୍କ ପାଦ୍ରୁଭାବରୁ ପ୍ରାୟତଃ ବଂଚିତ ଥିଲା । କାଁ ଭାଁ ଲାଇଫଗାର୍ଡ ଆଉ ସଲଂଗ୍ନ ହୋଟେଲ୍ ମାନଙ୍କ ହାତଗଣତି ଦାମୀ ଅତିଥିଙ୍କ ହଲଚଲ ରେ ଯାଗାଟି ନିକାଂଚ ପ୍ରାୟ ଥିଲା ।

ହଁ ! ପିଲାଟା ଦୌଡି ଦୌଡି ମୋରି ଆଡ଼କୁ ଆସୁଥିଲା । ମୁଠାଏ ଓଦାବାଲି ହାତରେ ଗୁଳା କରି ମୋତେ ଲକ୍ଷ୍ୟ କରି ଉଞ୍ଚାଉ ଥିଲା । ଅଥଚ ଛାଟୁ ନଥିଲା । ମୋର ସାମାନ୍ୟ ଚମକିପଡିବା ଓ ଡରିଯିବାକୁ ଦେଖି ଖୁବ୍ ଜୋରେ ହସୁଥିଲା , ପୁଣି ପାଣି ଭିତରକୁ ଦୌଡ଼ି ଯାଉଥିଲା । ବଡବଡ଼ ଲହଡି ଆଗରେ ମୁଣ୍ଡ ନୁଆଇଁ କରୁଥିଲା ବିଚିତ୍ର ଭଙ୍ଗୀ ସବୁ । ଏସବୁରେ ଭାରି ଖୁସି ହେଉଥିଲା ସିଏ ।

ଯାହା ଅଦ୍ଭୁତ ଥିଲା , ପିଲାଟି ଥିଲା ସୁଦ୍ଧୁ ଲଙ୍ଗଳା । ଯଦିଓ ବୟସ୍କ ବାଳକଟିଏ , ତଥାପି ତା’ର ଓଦା ସରସର ବର୍ଦ୍ଧିତ ଯୌନାଙ୍ଗଟିକୁ ଆବରଣ କରି ରଖିବାଟା ଅଧିକ ସୁଦୃଶ୍ୟ ହୋଇପାରନ୍ତା ବୋଲି ମୁଁ ମନେମନେ ଭାବୁଥିଲି । ରକ୍ଷା ଯେ’, ବେଳାଭୂମିଟିର ଏ ପ୍ରାନ୍ତଟି ଥିଲା ଯଥେଷ୍ଟ ନୀରବ ।

ମୁଁ ଏୟା ବି ମନେକଲି , ପୁଅଟେ ବୋଲି ସିନା , ୟା’ରି ସମବୟସର ଝିଅ ପିଲାଟିଏ ପୂର୍ଣ୍ଣୌଲଗ୍ନା ହୋଇ ବେଳାଭୂମିର ଏପ୍ରାନ୍ତରୁ ସେପ୍ରାନ୍ତ ଯାଏଁ ଦୌଡ଼ିବୁଲିବାକୁ ସହଜରେ ଆଖି ଉଠାଇ ଦେଖି ହୁଅନ୍ତା କି ?

ମୋ’ର ତା’କୁ ଏଇପରି ଅହରହ ନିରୀକ୍ଷଣ କରିବାକୁ ସେ କ’ଣ ବୁଝିଲା କେଜାଣି, ଏଥର ସାହସୀ ପାଲଟିଗଲା ଓ ବାଲିମୁଠାଙ୍କୁ ମୋରି ଆଡ଼କୁ ନିକ୍ଷେପ କରି ଖେଳିବାକୁ ଆରମ୍ଭ କରିଦେଲା । ମୁଁ ହେ ହେ … ହିସ୍ ହିସ୍ … କରିବା ଭିତରେ ଫର୍ଲଙ୍ଗେ ଦୌଡ଼ିଗଲାଣି ବାଳୁତ । କଳା ମଚମଚ ପୃଷ୍ଠ , ଠାକୁରଙ୍କ ରଙ୍ଗର ମଣିଷ ପିଲାଟେ’ ମୋ’ତେ ପଛକରି ବେଳାଭୂମିରେ ଦୌଡୁଛି ।

ମୁଁ ଅମୋଦିତ ହେଉଥିଲି ଏସସବୁରେ । ନିଜେ ନିଜକୁ ଖଣ୍ଡିଆ କରି ଗଢିଥିବା ଜଗତକର୍ତ୍ତା ପୁଣି ମାନବ ଚଣ୍ଡାଳଙ୍କୁ ରହସ୍ୟଘେରରେ ରଖିବାକୁ ହିଁ ଈଶ୍ୱରୀୟ ମାୟା ବୋଲାଉଥିବା ବଡ଼ଠାକୁର । ଆଃ ! ଜଗନ୍ନାଥ ବାଳୁତ ରୂପରେ ମୋ ସହ ଏମିତି ଦୁଷ୍ଟାମୀରେ ମାତିଛନ୍ତି କି ଆସି ?

ମୋ’ ଭିତରେ ପ୍ରବଣତାଟିଏ ଆସିଯାଇଥିଲା ।ପିଲାଟି ପରି ସମ୍ପୂର୍ଣ୍ଣ ଆବରଣ ମୁକ୍ତ ହୋଇପଡନ୍ତି ମୁଁ । ଉଲଗ୍ନ ହୋଇ ସମୁଦ୍ରଶଯ୍ୟାରେ ଲକ୍ଷ୍ୟହୀନ ଦୌଡ଼ି ବୁଲନ୍ତି ଖାଲି । ପାଲଟିଯା’ନ୍ତି ଏକ ରହସ୍ୟଘୋର ଅଦ୍ଭୁତ ଈଶ୍ୱର ।

ଏସବୁ ଏତେଯାକ ଅତିରଞ୍ଜିତ ଅବାସ୍ତବ କଳ୍ପନା ନେଇ ବସିରହିବାକୁ ନିରୋଳା ଭାବୁକପଣ କୁହାଯାଇନପାରେ ଆଦୌ ।

…..ଚେକ୍ ଇନ୍ କରିବା ମାତ୍ରକେ ମୁଁ ଯେବେ ନିହାତି ବ୍ୟସ୍ତ ହୋଇପଡୁଥିଲି , ଲିତୁ ମୋ ଆଡ଼କୁ ଖୁବ୍ ଏକ ଅମୁହଁ କରି ପଚାରିଲା –

― ସବୁଥିରେ ଏତେଟା’ ଅଧୈର୍ଯ୍ୟ ହୋଇପଡ଼ କାହିଁକି ତୁମେ ?

ମୁଁ କିନ୍ତୁ ଆଗ୍ରହ କଲି –

“ ଖୋଲ ଜଲ୍ଦି ସବୁ ”

ଚିଡିଗଲା ଲିତୁ ଏକଦମ୍ । ପଚାରିଲା –

“ ତୁମେ ଏତେ ଏମିତି ନିଷ୍ଠୁର କେମିତି ହୋଇପାର ? ଦେହରେ ଅଛି ଅବା କ’ଣ ? ସୁଖ ସମ୍ଭୋଗ ତ ମନମସ୍ତିଷ୍କରେ । ମୋତେ ଟିକେ ଆଦର କର ତ ଆଗ । ମୁଁ ବାଗଦତ୍ତା ତୁମର । କିଣି ଆଣିଥିବା ବସ୍ତୁଟିଏ ନୁହେଁ ”

ମୁଁ ପ୍ରବୋଧନା ଦେଲି –

― ଲିତୁ ଘଡିକୁ ଦେଖ । ଆମକୁ ଫେରିବାକୁ ପଡିବ ବି । ତୁମକୁ ଯେମିତି ଆଣିଛି ସେମିତି ସୁରକ୍ଷିତ ଛାଡିଦେବାର ଅଛି ମୋ’ର …

ଲିତୁ ହସିଲା । କହିଲା –

– ଭାବିସ୍ବାମୀ ତୁମେ । ମୋ’ ତଥାକଥିତ ଭବିଷ୍ୟର ସୁରକ୍ଷାକବଚ । ସେଇ ଭରସାରେ ମା’ ଙ୍କୁ କହି ଆସିପାରିଛି ଏଠାକୁ ତୁମସହ ଦିନଟିଏ । କହିଲଦେଖି ଏଠୁ ଫେରିବାପରେ ଯେମିତି ଆଣିଥିଲ , ସେପରି ସମ୍ପୂର୍ଣ୍ଣ ଛାଡିବ କେମିତି ? ପୁଣି ତୁମେଯେ’ ଏମିତି ଏତେଯାକ ଅସମ୍ଭବ ବ୍ୟସ୍ତ ! ତୁମକୁ ବିଶ୍ବାସଘାତକ ନକହି କଣଯେ’ କୁହାଯା’ନ୍ତା ପ୍ରିୟ ?

ନିଅ , ନେଇଯାଅ ମୋ’ତେ । ଯାହା ମୋ’ର ଆଉ ଆଦୌନୁହେଁ ତାକୁ ଧରିଜାବୁଡି ସମ୍ପତ୍ତି କରିରଖନ୍ତି ମୁଁ କାହିଁକି ? ବରଂ ଏସବୁ ଯାହାର , ସେଇ ସମ୍ଭାଳିରଖୁ ତା’ ତଟକୂଳ …

ଆଉ ନିମିଷକେ ଲିତୁ ଉଲଗ୍ନ ହୋଇପଡିଥିଲା ମୋରି ସାମ୍ନାରେ । ନାରୀ ସଂକୋଚରହିତା ହୋଇପଡିଲେ ପୁରୁଷଟିଏ ଅସମ୍ଭବ ଅସହାୟ ହୋଇପଡେ । ଏକଥାକୁ ମୁଁ ହୃଦେ ହୃଦେ ଅନୁଭବ କରିପାରୁଥିଲି ସେଇବେଳେ । ଲିତୁସହ ଦୀର୍ଘ ଦୁଇବର୍ଷର ସମ୍ପର୍କ କାଳରେ ଏପରି ଅଭାବନୀୟ ବେଳ ମୁଁ ଆଦୌ ସାମ୍ନା କରି ନଥିଲି ।

ଉଲଗ୍ନତା ଏତେଟା ବିଭତ୍ସ ? ଏତେଟା ବିବ୍ରତ କରିପାରେ ସତେ ?

ତେବେ ମୁଁ “ ଥାଉ ଲିତୁ ” ବୋଲି କହିପାରିନଥିଲି ସେବେଳେ । ଏସବୁ ମୋ ପୁରୁଷାହଂକାରର ବିରୁଦ୍ଧ ଥିଲା ବୋଧେ । ବରଂଚ ବାରମ୍ବାର ଲିତୁ ପଚାରୁଥିଲା ମୋତେ ,

“ମୋତେ ଆଗ ଟିକେ ଭଲପାଅ ତ ପ୍ରିୟ … ଏତେଟା ନିଷ୍ଠୁର ଯେ’ ତୁମେ…. ।”

ଏ ଅଭିଯୋଗକୁ , ଏ ଅଭିମାନକୁ ବୁଝିପାରିବା ପରି ଅସ୍ପର୍ଦ୍ଧା ମୋଠାରେ ଥିଲାବି କାହୁଁ ସେଦିନ ?

ସାରା ପୃଥିବୀର , ପୁରୁଷ ପ୍ରବର ନିଜ ଶ୍ରେଷ୍ଠତମ ସୁଖୋନ୍ୱେଷଣରେ ପ୍ରିୟ ନାରୀର ବିନମ୍ର ନିବେଦନକୁ ଅଣଦେଖା କରିପକାନ୍ତି । ମୁଁ ଏଥିରୁ ବାଦ ପଡିଯାନ୍ତି କେମିତି ?

…..ଏକୁଟିଆ ନିର୍ଜନ ବେଳରେ ଅଭିଭାବକ ଶୂନ୍ୟ ଉଲଗ୍ନ ପିଲାଟି ଲୁଣି ପାଣିରେ ଅନବରତ ଦୀର୍ଘ ବେଳ ଯାଏଁ ଖେଳୁଥିବା ଓ ହାଲିଆ ହୋଇପଡୁନଥିବାକୁ ମୁଁ ଆଉ ସହଜରେ ନେଉ ନଥିଲି । ଧିରେଧିରେ ସନ୍ଦେହ କରିବାକୁ ଲାଗିଲି । ସେ ଏବେ ନିର୍ବିଘ୍ନରେ ମୋ ଉପରକୁ ମୁଠାମୁଠା ଓଦାବାଲି , ଆଞ୍ଜୁଳାଭର୍ତ୍ତି ଲୁଣିପାଣି ଛାଟିପାରୁଥିଲା । ସେସବୁକୁ ମୁଁ ଗ୍ରହଣ କରିନେଇ ଥିଲି । ହାତଠାରି ଡାକିଲି ତାକୁ । ସେ ଘୁଞ୍ଚିଘୁଞ୍ଚି ଆସିଲା ମୋ ଆଡ଼କୁ । କାଗଜ ଟଙ୍କାଟିଏ ବଢ଼ାଇ ,ଦୂର ବିକାଳୀ ଆଡ଼କୁ ଦେଖାଇଲି –

“ ଯା କଣ କିଛି ଖାଇନେ । ଭୋକ ଲାଗିବଣି ତୋତେ ।”

ଟଙ୍କାଟିକୁ ନେଲା ସତ , ପୁଣି ମୋ ମୁହଁକୁ ପ୍ରଶ୍ନ ପ୍ରଶ୍ନ ହେଲାପରି ଚାହିଁ ଛିଡାରହିଲା । ମୁଁ ପୁଣିଥରେ ସେ ସୁଦୂର ବୁଲାବିକାଳୀ ଆଡ଼କୁ ହାତ ବଢାଇଲି । ବୁଝିପାରି ସେଇ ଦିଗକୁ ଦୌଡିଲା ତା’ର ଲଜ୍ଜ୍ୟାଶୂନ୍ୟ ପୃଷ୍ଠଭାଗକୁ ଦୋହଲାଇ ଦୋହଲାଇ । ମୁଁ ଖୁସି ହୋଇପଡୁଥିଲି ଖୁବ୍ ।

ପାଖ ତାରକା ହୋଟେଲରୁ କେତେବେଳୁ ବିଦେଶିନୀ ଜଣକ ଆସି , ମୋ ପାଖାପାଖି ଶୁଖିଲା ବାଲିସ୍ତୁପ ଉପରେ ଚଟେଇ ବିଛେଇ ସମୁଦ୍ରମୁହାଁ ଯୋଗ ମୁଦ୍ରାରେ ବସିଛନ୍ତି । କୌଣସି ପ୍ରକାର ସ୍ୱଳ୍ପବସ୍ତ୍ରା ବିଦେଶିନୀଙ୍କ ସଠିକ୍ ବୟସ ଆକଳନ କରିବା କେବଳ ମୁସ୍କିଲ ନୁହେଁ ବରଂ ଅସମ୍ଭବ । ଏଇତକ ଆମ ନାରୀ ଆଉ ସେମାନଙ୍କ ଭିତରେ ଫରକ ।ଜୀବନ ବଞ୍ଚିବାକୁ ଅଭ୍ୟାସ କରିନିଅନ୍ତି ପୃଥିବୀର ପାଖେ ଲୋକ । ଆଉ ପାଖେ କେବଳ ବଞ୍ଚନ୍ତି ବାଧ୍ୟବାଧକତାରେ । ଦାୟିତ୍ୱ ଦାୟରାରେ ।

ମୁଁ ତାଙ୍କୁ ଦେଖୁଥିଲି ଅଥଚ ଉତ୍ତେଜିତ ହୋଇ ପାରୁନଥିଲି । ପ୍ରତ୍ୟେକଙ୍କ ପ୍ରତି ଆଗ୍ରହ ଆସିପାରେ , ପୁଣି ସମ୍ମାନ ବି ଆସିପାରେ , ଅଳ୍ପ କିଛିଙ୍କ ପାଇଁ ରୁହେ ଉତ୍ତେଜନା । ଏସବୁ ଭିନ୍ନଭିନ୍ନ ନାରୀଙ୍କ ଭିନ୍ନଭିନ୍ନ ଦକ୍ଷପଣ ।

ପୁଣି ପ୍ରତିପୁରୁଷର କଳ୍ପଚିତ୍ରଣ ଭାରି ବିଚିତ୍ର ।

ମୋତେ ଯୁବତୀଙ୍କ ଆଡ଼କୁ ଚାହିଁଥିବାର ଦେଖି ପିଲାଟି ତା ବେହେଡା ଧାଡିକୁ ଦେଖାଇ ହସୁଥିଲା ଓ ପାଦରେ ବାଲି ଛାଟିଲା । ମୁଁ ମୁହଁ ଫେରାଇଲି ତା’ରି ଆଡ଼କୁ । ସେ ଗୋଟାଏ କଟା କାକୁଡି ମୋ ଆଡ଼କୁ ବଢାଇବାରୁ ମନାକଲି ।କହିଲି ,

“ତୁ ଖା’ ସବୁ , ଭୋକ ଲାଗିବଣି”

ସେ ମୋ ପାଖରେ ବସିଗଲା ଏଥର। ସଙ୍କୁଚିତ ଯୌନାଙ୍ଗଟି ସମ୍ପୂର୍ଣ୍ଣ ବାଲି ଆବୃତ ହୋଇ ବିଚିତ୍ର ଦିଶୁଥିଲା । ମୁଁ ଅପ୍ରସ୍ତୁତ ହୋଇପଡ଼ିଲି ।

…..ମନ୍ଦିର ଦର୍ଶନକୁ ଆମେ ଏକ ବାଧ୍ୟକର୍ମ ମନେକରି , ଅଶୌଚ ଦେହ ଓ ଅବିବେକୀ ମନ ନେଇ ଖୁବ୍ ଜଲ୍ଦି ହୋଟଲ୍ ରୁ ଚେକ୍ ଆଉଟ କରିନେଲୁ ।

ଲିତୁ ମୋ’ ହାତଟାଣି ମନ୍ଦିର ବେଢାକୁ ନେଉଥିଲା । ଜାତିଶ୍ରେଷ୍ଠମାନଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ଆଚରଣ , ନୃଶଂସ ଦୌରାତ୍ମ୍ୟ ଆଦି କୁ ନେଇ ମୋ’ଠାରେ ପୁଞ୍ଜିଭୁତ ଥିଲା ଢେର୍ ଅସନ୍ତୋଷ । ଭକ୍ତ ଲହଡି ଭିତରେ ଆମେ ପ୍ରାୟ ଆଗକୁ ଭାସି ଭାସି ଯାଉଥିଲୁ । ବିହ୍ଵଳ ହୋଇ ଲିତୁ ଚିତ୍କାର କଲା ,

― ହେଇ ଦେଖ ଜଗନ୍ନାଥ ! ମୋ କାଳିଆ ଠାକୁର …

ମୁଁ ମୁଣ୍ଡ ଟୁଙ୍ଗାରିଲି । ମୋ ମନ କେବଳ ଥିଲା ଲିତୁକୁ ନେଇ ସୁରକ୍ଷିତ ସହଜ ପ୍ରସ୍ଥାନ ଆଡ଼କୁ ।ଲିତୁ ଖାଲି ସୁନ୍ଦରୀ ନଥିଲା , ସେ ଥିଲା ପୂର୍ଣ୍ଣାଙ୍ଗ ସୁନ୍ଦରୀ । ଆବଶ୍ୟକତା ଅନୁଯାୟୀ ଉଚ୍ଚତା ଯୋଗୁଁ ସିଏ ଚତୁର୍ଦ୍ଧା ମୂର୍ତ୍ତିକୁ ସ୍ପଷ୍ଟ ଦେଖି ପାରୁଥିଲା । ମୁଁ ମୋ ଦାୟିତ୍ୱ ନିର୍ବାହ କରୁଥିଲି ।

ଫେରିବା ଗାଡ଼ିରେ ଲିତୁ ପଚାରିଲା –

– ଖୁସି ହେଲ ?

ମୁଁ ଚୁପ୍ ରହିଲାରୁ ଏକଦମ୍ ପ୍ରଶ୍ନଟିଏ ପରି ପୁଣି ପଚାରିଲା –

– ତୁମେ ଖୁସି ହେଲନି ?

ମୁଁ କହିଲି – ନାଃ ….

― କାହିଁକି ? ସବୁ ତ ତୁମ ଇଚ୍ଛାନୁଯାୟୀ …..

ଏ ନମନୀୟ ବେଳରେ , ଲିତୁକୁ ଜଣାଇ ଦେବାକୁ ଇଚ୍ଛାକରି ଜଣାଇଦେଲି ମଧ୍ୟ ,

― ତୁମେ ଠକିଛ ମୋତେ ଲିତୁ । ମୁଁ ତୁମର ପ୍ରଥମ ନୁହଁ… ।

ଏପରି ଅସାଧ୍ୟ ପ୍ରଶ୍ନ ବେଳଙ୍କରେ ଅନୁଢା ଝିଅଟିଏ ଯେପରି ଉଦବେଗ ପ୍ରକାଶ କରିବା କଥା ,ଲିତୁ ସେସବୁରୁ ଭିନ୍ନ ଥିଲା । ବରଂ ମୋ ମୁହଁରେ ମୁହଁ ଥୋଇ ପଚାରିଲା ,

― କେମିତି ଜାଣିନିଏ ପୁରୁଷ ଏସବୁ ? କେଉଁ ପ୍ରାକୃତିକ ବିଦ୍ୟା କୌଶଳ ଯୋଗୁଁ ? ନା ଅହେତୁକ ଆଶଙ୍କା ଇୟେ ? ପୁଣି ସେଇ ପୁରୁଷଟି ସତ ଜାଣି ସାରିବା ପରେ ଆଜୀବନ ଛଟପଟ ହେଉଥାଏ ? ବିଶ୍ୱାସ – ଅବିଶ୍ୱାସ ଭିତରର ପରଦାଟି ଏତେ ପତଳା କେମିତି ? ପୁରୁଷ ର ନିୟତି କଣ ଏଇପରି ?

ଲିତୁ ବୁଦ୍ଧିମତୀ ଓ ସୁଜ୍ଞାନୀ । ତା’ର ଏଇ ଆକ୍ରମଣରେ ମୁଁ ସ୍ଵଭାବତଃ ବିରକ୍ତ ହୋଇପଡିଥିଲି ଓ ଝର୍କା ଆଡ଼କୁ ମୁହଁ ଫେରାଇନେଲି । ପାଖାପାଖି ପହଂଚିବାର ଦୀର୍ଘ ନୀରବ ବେଳ ପରେପରେ ଧଡ୍ କି ଓହ୍ଲାଇ ଗଲା ଲିତୁ ଗାଡି ରହୁରହୁ । ପୁଣି ଫେରିଆସି କହିଲା

– ଆଜି ମୋ’ର ଦ୍ୱିତୀୟ । ସିଏ ବାପାଙ୍କ ଠୁ ବଡ଼ ଥିଲେ । କାନ୍ଥକଡ଼କୁ ପ୍ରଥମେ ମୁଁ , ମୋ କଡେ ମୋରି ବୟସର ତାଙ୍କ ବଡ଼ ଝିଅ ,ତା ପରେ ତାଙ୍କ ଧର୍ମପତ୍ନୀ ଓ କୁନିପୁଅ ଆଉ ସେପାଖ କାନ୍ଥରେ ସିଏ । ସବୁ ଶୋଇଥିଲୁ ବିଶ୍ୱାସ ନିଦରେ । ମୁଁ ଯେବେ ଏକଥା ମା’ଙ୍କୁ ଆସି ଜଣାଇଥିଲି , ମା ବିସ୍ମିତ ହେଲେନି । ବରଂ ବୁଝାଇବା ଢଙ୍ଗରେ କହିଲେ ,

― ତୋ’ ବୟସର ପ୍ରାୟ ଝିଅମାନେ ଏପରି ଭ୍ରମରେ ପଡ଼ନ୍ତି । ଏସବୁ ଗାଢ଼ ନିଦବେଳାର ଦୁଃସ୍ୱପ୍ନ ।

ମୁଁ ମା’ଙ୍କୁ ଭିଡିଧରି କହିଲି –

– ସ୍ୱପ୍ନ ନୁହେଁ ମା’ ମୋତେ କଷ୍ଟ ଭାରି ।

ପାଟିରେ ହାତ ଦେଲେ ମା’ । ମୋତେ କୋଳାଇ ନେଇଥିଲେ ମଧ୍ୟ । ମା’ ହେବାର ଦୁଃଖ ବୋଧହୁଏ ଏଇମିତି ..

― ଠାକୁରଙ୍କ ରାଣ ତୋତେ , ଚୁପ୍ ରହ ଟିକେ । ମୁଁ ବୁଝିବି ସବୁ । ତୁ ସମ୍ଭାଳିନେ । ଆମର ଏଥିରେ ଘୋର ବଦନାମୀ ଅଛି । ବାପା ଭାଙ୍ଗି ପଡିବେ । ଜାଣୁ ସିଏ ତାଙ୍କ ବଡ଼ଭାଇ ଙ୍କୁ ଖୁବ୍ ସମ୍ମାନ କରନ୍ତି !

ମୁଁ ଚୁପ୍ ହେଲି । ମା’ଙ୍କ ଠୁ ପାଇଥିବା ସେଦିନର ଯନ୍ତ୍ରଣା ଏଯାଏଁ ବି ମୋ’ ମନଦେହରେ ଭରିଛି ।ଆଜି ତୁମେ ବହୁବର୍ଷ ପରେ ଆଉଥରେ ସେସବୁକୁ ଉଜାଗର କରିବାରେ ସଫଳ ହେଲ । ହୁଏତ ଏଥର ଖୁସି ଥିବ ?

ଲେଉଟିବା ବେଳେ ମୋତେ କିଛି ଉତ୍ତର ଫେରାଇବାକୁ ହେବ ବୋଲି ଭାବି ମୁଁ କହିଲି ,

― ଅଶୌଚ ଆଉ ପାପ ମନଦେହ ନେଇ ଆଜି ହୋଟେଲରୁ ପ୍ରଭୁଦର୍ଶନ ପାଇଁ ଯାଇଥିବାରୁ ମୋତେ ଜଗନ୍ନାଥ ଦୃଶ୍ୟ ହେଲେନି ଲିତୁ । ଏପରି ବିଡ଼ମ୍ବନା ମୁଁ କେବେ ଭୋଗି ନଥିଲି । ଆମ ନିର୍ବନ୍ଧ ବାବଦରେ ଆଉଟିକେ ଆଗକୁ ସମୟ ନେଇ ଚିନ୍ତା କରିବାକୁ ହେବ ।

ଏତକ ଉତ୍ତରରେ ବୋଧେ ଲିତୁ ଚୁରମାର୍ ହୋଇଗଲା । କହିଲା –

― ପୃଥିବୀଯାକର ନାରୀଙ୍କର ଜୀବନ ଘଟଣା ବହୁଳ ପ୍ରିୟ । ସେସବୁଙ୍କୁ ନେଇ ନାରୀଟିଏ ବଂଚିରହିବାକୁ ବାଧ୍ୟ । ମୁଁ ଅନ୍ୟଥା ଯା’ନ୍ତି କେମିତି ? ଅଥଚ ପ୍ରତି ପୁରୁଷ ଠାରେ ଏକ ସ୍ୱୟଂ ଚାଳିତ ଅନ୍-ଅଫ୍ ବଟନ ଥାଏ । ଇଚ୍ଛିଲେ ଚାଲୁ ହେବ ନଚେତ୍ ବନ୍ଦ । ତୁମେ ଠିକ୍ କହିଛ, ଆମକୁ ବିଚାର କରିବାକୁ ଆହୁରି ସମୟ ଦରକାର ।

ଶୁଣିରଖ ପ୍ରିୟ , ପ୍ରତିଥର ପରି ଆଜିବି ଚତୁର୍ଦ୍ଧା ମୂର୍ତ୍ତିକୁ ମୁଁ ମନଭରି ଦର୍ଶନ ଲଭିଛି । ଯେମିତି ବାବାମାଙ୍କ ସହ ଆସିବା ବେଳେ , ସାଙ୍ଗସାଥୀଙ୍କ ମେଳରେ ଥିବାବେଳେ , ଆଉ ଆଜି ତୁମ ସାନିଧ୍ୟ ବେଳାରେ । ଜଗନ୍ନାଥ ପ୍ରତିଥର ପରି ସ୍ଥିର- ପ୍ରସନ୍ନ । ତାଙ୍କ ମୁହଁରେ ମୋ ପ୍ରତି କାଣିଚାଏ ଅସନ୍ତୋଷ ମୁଁ ଲକ୍ଷ୍ୟ କରିନି । ଖୋଜନ୍ତିବି କାହିଁକି ? ମୁଁ ବିହ୍ଵଳ ହୋଇଛି । ସମର୍ପି ଦେଇଛି । ସେ ସର୍ବବ୍ୟାପି ।ସେ ନିରନ୍ତର ସର୍ଵଦ୍ରଷ୍ଟି ।

ସମର୍ପଣ ‘ପାପ’ ନୁହେ ପ୍ରିୟ । ତୁମ ବିଚାରବୋଧ ହୋଇପାରେ ଅପରିଷ୍କାର ।

…..ଦୌଡ଼କୁଦରେ ହାରିଯାଇ ଲଙ୍ଗଳା ପିଲାଟି ହାଲିଆ ହୋଇସାରିଥିଲା । ଜୀବନର କୋମଳ ବାଲିଶଯ୍ୟାରେ ପ୍ରତିରୋଧକ ଯଥେଷ୍ଟ ଅଧିକ । ନୟାନ୍ତ ମଣିଷଟିଏ ଏକାନ୍ତ ହୁଏ ,ଥକିଯାଏ। ଆବରଣମୁକ୍ତ ହୋଇ ନିର୍ଘାତ ଉଲଗ୍ନ ହୋଇପଡେ ଅଜାଣତରେ ।

ଲୁଣି ପାଣିରେ ବେଶୀ ସମୟ ଥଂଡା ନିମୋନିଆ ହୋଇପାରେ । ତା’ ଚପଳାମିକୁ ଆକଟ କରିବାକୁ , ତା’କୁ ସାଉଁଟି କୋଳେଇ ନେବାକୁ ଏଠି କିଏ ଅଛି ନିଜର ? ହୋଇପାରେ ସିଏ ଆଖପାଖ ନୋଳିଆ ବସ୍ତିର ପିଲାଟିଏ ! ଅବା ହୋଇପାରେ ତା’ ଅଭିଭାବକ ଏଇ କୂଳକିନାରାରେ ଛାଡ଼ିଦେଇ ଚାଲିଯାଇଛନ୍ତି ସମୁଦ୍ରକୁ ଡଙ୍ଗାଧରି ଜୀବନ ଜୀବିକାର ଆହୁଲା ମାରିମାରି । ହୋଇପାରେ ପିଲାଟି ଏକଦମ୍ ଅନାଥ-ଅଥର୍ବ । ଏପର୍ଯ୍ୟନ୍ତ ହସ ଛଡା ଶବ୍ଦଟିଏ ଉଚ୍ଚାରଣ କରିବା ତା’ ଦ୍ୱାରା ନହୁଏ । ମୁଁ ଲକ୍ଷ୍ୟ ରଖିଛି ଏସବୁ । ଚିନ୍ତାରେ ପଡିଛି ମଧ୍ୟ । ଏ ନିର୍ବାକ-ନିରୁଦ୍ଧିଷ୍ଟ ବେଳମାନଙ୍କର ଯନ୍ତ୍ରଣା ମୋ ଛଡା ଅଧିକ କିଏ ଆଉ ଭୋଗିପାରିଛି ଯେ ? ଲିତୁ ପରବର୍ତ୍ତୀ କ୍ଷମା ପ୍ରାର୍ଥନା ବେଳମାନଙ୍କରେ ମୋତେ ସ୍ପଷ୍ଟ କହିଦେଇ ଥିଲା –

― ସମର୍ପଣର ଗୁରୁତ୍ୱ ବୁଝିନପାରିବା ହୃଦୟଟେ ପ୍ରେମିକର ଆଦୌ ନୁହେଁ । ନିଜ ପ୍ରିୟ ବସ୍ତୁକୁ ନେଇ ପାପ-ପୁଣ୍ୟର ଚିତ୍ର ଆଙ୍କୁଥିବା ଚିତ୍ରକର ସର୍ବକାଳ ଅସତ୍ । ବରଂ ଜାଣିରଖ ଏ ଜୀବିତାବସ୍ଥାରେ ପାପମୁକ୍ତ ହୋଇନେବା ଏକ ପୁଣ୍ୟଫଳ । ତୁମେ ଅନ୍ୟତ୍ର ପୁଣ୍ୟଭୋଗ କରିନିଅ । ମୁଁ ଜଗନ୍ନାଥଙ୍କୁ ନିଜ ଭିତରେ ସ୍ଥାପନା କରିସାରିଛି ।

ମଣିଷ ନିଜର ଦୀର୍ଘଶ୍ଵାସକୁ ଲେଉଟାଇ ପାରେନା । ମୁଁ ସତ୍- ସମ୍ପର୍କକୁ ଜଉମୁଦ ଦେଇ ବନ୍ଦ ରଖି ପାରିନଥିଲି । ଅବା ସେଇ ବିଶ୍ୱାସ-ଅବିଶ୍ୱାସର ଅଦେଖା ଦୁର୍ବଳ ଝିନ୍ନ ଫାଟଟିକୁ ଯୋଡିବାକୁ ସଫଳ ହୋଇପାରିନଥିଲି ।

ନିର୍ଜନ ବେଳାଭୂମିରେ ସାମାନ୍ୟ ଗହଳଚହଳ ବଢ଼ିଲାଣି ଏବେ । ସୂର୍ଯ୍ୟଦେବ ବାଲିଶଯ୍ୟାକୁ ତତାଇବାକୁ ଲାଗିଲେଣି ।

ବିଦେଶିନୀ ସୂର୍ଯ୍ୟସ୍ନାନ ସାରି ନିଜ ସୁଟ୍ କୁ ଫେରୁଥିଲାବେଳେ ମୋତେ ଆମନ୍ତ୍ରଣ କରି ନିଜ ବ୍ୟସ୍ତବିକଳତାକୁ ପରୋକ୍ଷରେ ଜଣାଇଦେଇ ଗଲେଣି ।

ରାଜଧାନୀ ର ଏକ ଆନ୍ତର୍ଜାତିୟ ସମ୍ମିଳନୀରେ ଆଜି ସଂଧ୍ୟା ରେ ଆମେଦୁହିଁକୁ , ନିଜନିଜର କମ୍ପାନୀର ପକ୍ଷ ନେଇ ପ୍ରତିନିଧିତ୍ଵ କରିବାର ଅଛି । ତର୍କ ବାଢିବାର ଅଛି ।

ତା ପୂର୍ବରୁ ବିଦେଶୀ ଏଜେଣ୍ଟ ଙ୍କୁ ବିଳାସ ବ୍ୟସନ ସହିତ ଏଠାର ଜଳବାୟୁ , ଏଠାର ବୈଷୟିକ ସୁବିଧା ଓ ପର୍ଯ୍ୟଟନ ଆଦିକୁ ଉପଲବ୍ଧି କରାଇବାକୁ ମୋ ଉପରେ ଦାୟିତ୍ବ ନ୍ୟସ୍ତ କରିଛି କମ୍ପାନୀ । ଏଇ ନୀଳ ପାରାବାର ପାଖରେ ବିମୋହିତ ହୋଇ ରାତିଏ ଅଟକି ଯାଇଛନ୍ତି ବିଦେଶିନୀ । ତାଙ୍କର ସ୍ବତନ୍ତ୍ର ଆଗ୍ରହକୁ ଅଗ୍ରାହ୍ୟ କରିବା ମୋ’ପକ୍ଷେ ସମ୍ଭବ ନୁହେଁ । ତାରକା ହୋଟଲ୍ ର ଏକ ବିଳାସମୟ ସୁଟ୍ ରେ ଏକତ୍ର ଜହ୍ନରାତିଟିଏ ବିତାଇଦେବାର ଅନୁଭୂତି ନେଇ ମୁଁ ସମୃଦ୍ଧ ଏବେ । ବିଶ୍ୱାସ ଯେ’ କମ୍ପାନୀ କୁ ଏକ ବଡ଼ଧରଣର ବ୍ୟବସାୟ ମୋ’ ଯୋଗୁଁ ପ୍ରାପ୍ୟ ହେବାରେ କୌଣସି ଅଡୁଆ ନାହିଁ ଏବେ ।

ଆମକୁ ଫେରିବାକୁ ହେବ । ଫେରିଯିବା ପୂର୍ବରୁ ତାଙ୍କର ପୁଣି ଏକ ବିଶେଷ ଆଗ୍ରହ । ସିଏ ସ୍ବୀକାର କରିସାରିଲିଣି ମୁଁ ତାଙ୍କୁ ଭଲ ଲାଗିଛି । ଏଇ ମଧୁର ଅନୁଭୂତି ନେଇ ସ୍ବଦେଶକୁ ଉଡିଯିବାର ଈଚ୍ଛୁଛନ୍ତି ।

ମୁଁ ପରିସ୍ଥିତି କବଳିତ । ସମୟ ଢେର୍ ଦେଖାଏ , ଢେର୍ ସୂଚାଏ , ଢେର୍ ବୁଝାଏ । ତଥାପି ମୋତେ ଭଲଭାବେ ଜଣା , ଆକସ୍ମିକ ଅନୁଭବ ଓ ଅଯାଚିତ ସମ୍ପର୍କ ଆଦୌ ସ୍ମୃତି ନୁହେଁ ।

ମୋତେ ଯିବାକୁ ହେବ । ଅଥଚ ପିଲାଟିକୁ ଏକୁଟିଆ ଏମିତି ଛାଡି ଯିବି ବି କେମିତି ? ସାମାନ୍ୟ ଉଚ୍ଚସ୍ବରରେ ପୁଣି ପଚାରିଲି –

– ଆରେ ତୋ’ ଘର କେଉଠି ? କିଏ ଅଛି ତୋ’ସହ ଏଠି ? ପୁଣି ତୋ’ ନାଁ କଣ ? ଈତ୍ୟାଦି ଈତ୍ୟାଦି..

ସେଇ ଧଳା ମଚମଚ ବେହେଡା ଦାନ୍ତ ଦି’ଧାଡି ଦେଖାଇ ହସିଲା ସିଏ କେବଳ ।

ଏକ ଆବେଗ ମୁହୁର୍ତ୍ତରେ ଦିନେ ଲିତୁ ତା’ର ପ୍ରାତଃ କାଳର ସ୍ବପ୍ନ ବଖାଣି କହିଥିଲା ମୋ’ତେ ,

” ଆମର ପୁଅଟିଏ ହେବ । ଅବିକଳ ଜଗନ୍ନାଥ ଙ୍କ ଦେହରଂଗ ଆଣି । ଡାକ ନାମ ମୁଁ ରଖିଛି ପିଂଟୁ।”

ଲିତୁର ସେଇ ସ୍ବପ୍ନବିହ୍ବୋଳ କଥାସବୁ ମୋତେ ଆକ୍ତାମାକ୍ତା କରିରଖେ ସବୁବେଳେ । ନିର୍ଭୁଲ୍ ପ୍ରେମ ପାଖେ ବାଧ୍ୟ ଭୁଲ୍ ଟିକେ ପାଇବାକୁ କେତେଟା ବ୍ୟାକୁଳ ସଭିଏଁ ସତେ ! ପ୍ରେମିକ ବୋଲାଇବା ଏତେଟା ସହଜ ଆଦୌନୁହେଁ ।

ପିଲାଟି ଆଦୌକିଛି ଉତ୍ତର ଫେରାଉନଥିଲା । ମୁଁ ଧରିନେଲି , ହେଇଥିବ କାହାକୁ କିଛି ପାଟି ଫିଟାଇ ନିବେଦନ କରିପାରୁନଥିବା ନିର୍ବୋଧ ନିଷ୍କପଟ ଭିନ୍ନକ୍ଷମ ବାଳୁତଟିଏ ।

ହୋଇପାରେ ବି ଇୟେ ଈ’ ସ୍ବୟଂ ଜଗନ୍ନାଥ ।

ଅନତିଦୂରରେ କୋଳାହଳ ଶୁଭିଲା । ସେପଟକୁ ମୁହଁ କଲି ମୁଁ । ଗହଳି ବି ସେଦିଗକୁ ଉତ୍ସୁକ ହେଲାଣି । କିଛିତ ଅଘଟଣ ଟିଏ ଘଟିଛି ସେଠି । ମୋ’ର ଏଇ ନିତିଦିନିଆ ଘଟଣା ମାନଙ୍କ ରେ ଆଗ୍ରହ ନଥିଲା । ମୁଁ ପିଲାଟି ବାବଦରେ ଚିନ୍ତା କରୁଥିଲି । ଏଣେ ହୋଟେଲ୍ କୁ ସମୟ ନେଇ ଫେରିବାକୁ ହେବ । କେହିଜଣେ ବିଦେଶିନୀ ପ୍ରଚଣ୍ଡ ବ୍ୟାକୁଳତା ନେଇ ଅପେକ୍ଷା ରେ ମୋ’ର । ହୋଇପାରେ ଏସବୁ ପ୍ରେମ ନୁହେଁ । ଆବଶ୍ୟକତା କୁ ପ୍ରେମ ସହ ଯୋଡାଯାଇ ନପାରେ …

ଘଟଣା ଫେରନ୍ତା ପ୍ରତ୍ୟକ୍ଷଦର୍ଶୀ କୁହାକୁହି ହୋଇ ଫେରୁଥିଲେ –

” ସ୍ତ୍ରୀ ଲୋକଟିଏର ଶବ ଭାସିଆସିଛି ”

ଆଉଜଣେ କହୁଥିଲା –

“ମାଈପିଟା ଗର୍ଭ ଥିଲା ପରି ଲାଗୁଛି । ସମୁଦ୍ର କୁ ଲମ୍ଫଦେଇ ମରିଛି ….!”

ମୁଁ ବିକଳରେ ଲଂଗଳା ପିଲାଟିର ମୁହଁକୁ ଚାହିଁଲି । ଭାରି କରୁଣ , ଭାରି ଦୁର୍ନିରୀକ୍ଷ ଦିଶିଲା ମୋ’ତେ ସବୁକିଛି । ଲଂଗଳା ପିଲାଟି କଣ କିଛି ବୁଝିଲା କେଜାଣି , ବାଲି ମୁଠାକ ମୋ’ ମୁହଁକୁ ଛାଟି ଦେଇ , ମୋତେ ପଛକରି , ଗହଳି ଆଡକୁ ଧାଇଁଲା ଖୁବ୍ ଜୋରେ । ଏମିତିକି ଅଦୃଶ୍ୟ ହୋଇଯିବା ଯାଏଁ । ମୁଁ ଆଖି ମଳିମଳି ଚିତ୍କାର କଲି –

” ରହିଯା’ ପିଂଟୁ , ମୁଁ ଆସୁଛି …”

ଘଟଗାଁ , କେନ୍ଦୁଝର

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments