କ୍ଷୁଦ୍ରଗଳ୍ପ – ଗୁମର – ମାନମୟୀ ରଥ
ରାସ୍ତାରେ ମ୍ୟୁହମାନ ହୋଇ ପଡ଼ିଥିବା କୋଳଟେକୁ ପ୍ରଥମେ ଜରିଖୋଳ ଭାବି ଏଡେଇ ଯାଇଥିଲେ ଭଦ୍ରମହିଳା । କିଛି ପାହୁଣ୍ଡ ଗଲାପରେ କାହିଁକି କେଜାଣି ତାଙ୍କୁ ଲାଗିଲା ମାଗଣାରେ ମିଳୁଥିବା ଗୋଟିଏ ମୂଲ୍ୟବାନ ଦୋଳିକୁ ଏଡ଼େଇ ଗଲାଭଳି । ଅଗତ୍ୟା ସେ ଫେରିଲେ । ନଇଁ ପଡ଼ି କୋଳକୁ ତଳୁ ଉଠେଇ ଆଣନ୍ତେ ତ ଆର୍ତ୍ତନାଦ କଲା ସେ , “ଛୁଅଁନି ମତେ । ଭିନ୍ନ ଭିନ୍ନ ଶୁକ୍ରାଣୁରୁ ଜାତ ଭିନ୍ନ ଭିନ୍ନ ରୂପ ଧାରଣ କରୁଥିବା ଜରାୟୁ ସାଙ୍ଘାତିକ ରୋଗଗ୍ରସ୍ତ ହେଲାପରେ ତା’ ସହ ମୁଁ ମଧ୍ୟ ଅଲୋଡା ହୋଇଗଲି । ଏମିତିରେ ବି ଢେର ସାରା ଖୁସି ଧରି ଆସୁଥିବା କଅଁଳ ଲୁତୁପୁତିଆ ଶିଶୁକୁ କୋଉ ମୁଁ ଜାକି ପାରୁଥିଲି ଯେ ନିଜ ଭିତରେ !” ଥକି ଗଲା ଭଳି ଧକେଇ ଧକେଇ ସ୍ୱରରେ କହୁଥିଲା ସେ ।
“ମୁଁ ତ ବୁଝି ଯାଇଥିଲି ସେମାନେ ମୋର ନଥିଲେ ବୋଲି । ନିଜର ଗୋଟେ ହେଉ ବୋଲି ବିକଳ ହେଲାବେଳକୁ ଜରାୟୁ ଭିତରର ଦୁଃସାଧ୍ୟ ରୋଗ ମୋର ଇଚ୍ଛାକୁ ଧୂଳିସାତ କରି ଦେଇଥିଲା । ଜୀବ ଥିଲା ଯାଏଁ ଲାଳରେ ରକ୍ତରେ ତିଆରି ହୋଇଥିବା ମୁଲାୟମ ସ୍ବପ୍ନସବୁକୁ ଦୃଷ୍ଟିରେ ମାଖିରଖିବି ବୋଲି ପ୍ରାଣକୁ ଆଦରି ପଡ଼ିରହିଛି ଏଇଠି ।ବହୁତ ହୋଇଗଲା ଭଡ଼ା। ଅସମ୍ଭବ ସେଇଠି ଅସହାୟତାର ଜ୍ୱାଳା । ସ୍ବପ୍ନ ରହୁ ଲୋଡିବାପଣର ପ୍ରଖରତାରେ ।” କହିଲା ବେଳେ ସେ କ୍ଷତର ପାହାଡ଼ଟାଏ ମୁଣ୍ଡେଇ ଧରିଛି ଭଳି ଲାଗୁଥିଲା ଭଦ୍ରମହିଳାଙ୍କୁ । ବୋର୍ଡିଂ ସ୍କୁଲ , କ୍ରେଚ ଯୁଗରେ ଗଭୀର ମମତ୍ୱ ଏବଂ ଆବେଗରେ ଛଳଛଳେଇ ଯାଉଥିବା କୋଳର ଶୁଦ୍ଧତାକୁ ପରଖି ସାରିଲା ପରେ ସତସତିକା ଭଦ୍ରମହିଳା ଲୋଭେଇ ଯାଇଥିଲେ । ସେ ନିଜେ ଜଣେ କର୍ମଜୀବୀ ମାଆ । ଘରେ ମାଆ କୋଳ ପାଇଁ ଆଉଟୁପାଉଟୁ ଛଅ ମାସର ଛୁଆ । ଇଏ ତ ସୁଯୋଗ ମାନେ ସୁବର୍ଣ୍ଣ ସୁଯୋଗ । ଟିକେ ପ୍ୟାଚ ୱାର୍କ ଦରକାର ଏହି କୋଳ ପାଇଁ ଯାହା ତାଙ୍କର ବୁର୍ଜୁଆ ସ୍ୱାମୀ ନାମିଦାମୀ ନର୍ସିଂହୋମରେ କରିପାରିବେ । ଛିଡା ହୋଇଥିବା ଅବସ୍ଥାରୁ ଟିକେ ଝୁଙ୍କି ପଡ଼ି ବର୍ତ୍ତମାନ ସେ ଲୋଭ ଦେଖେଇଲେ କୋଳକୁ ।”ମୋସହ ଆସ । ଏ.ସି.ଠୁ ଓଭାନ୍ , ଗ୍ରାଇଣ୍ଡରଠାରୁ ରୋଟିମେକର ସବୁ ଅଛି ଘରେ । ବେବି ମୋର ଏକଦମ ସୁଧାର । ତୁମକୁ ପାଇଲେ ସେ ଖୁସି ହେବ । ମୁଁ ନିଶ୍ଚିନ୍ତ ହେଇଯିବି । ମେଡ଼ିସିନ ଦେଇ ଆମେ ତୁମକୁ ଫିଟ କରିଦେବୁ । ପୂରା ଯାନ୍ତ୍ରିକ ହୋଇଯାଇଥିବା କୋଳ ଆସ୍ତେ ପଚାରିଲା , ଛୁଆ ଭଳି ତା ବାପା ସୁଧାର ତ ? ପ୍ରକାଣ୍ଡ ଲାତଟେ ମାରି ଉଠି ଆସିଲେ ଭଦ୍ରମହିଳା । ସ୍ନେହୀ କୋଳଟେକୁ ଘରକୁ ନେବେ ସେ କେଉଁ ଗରଜରେ ??

ମାନମୟୀ ରଥ, ପୁରୀ, ଓଡିଶା

ଗଳ୍ପଟିର ଆକାର କ୍ଷୁଦ୍ର ହୋଇଥିଲେ ମଧ୍ୟ ଏଥିରେ ନିହିତ ଥିବା ଗୂଢ଼ ଦାର୍ଶନିକ ତତ୍ତ୍ଵ ଯୋଗୁଁ ଏହାକୁ ହୃଦ୍-ବୋଧ କରିବା ମୋଭଳି ଜଣେ ସାଧାରଣ ପାଠକ ନିମନ୍ତେ ଦୁରୂହ ବ୍ୟାପାର ମନେହେଲା।
ଗାଳ୍ପିକାଙ୍କୁ ଅନ୍ତରରୁ ସାଧୁବାଦ ଜଣାଉଛି।
ଖୁବ ସୁନ୍ଦର ଗଳ୍ପଟିଏ । ଗଭୀର ଜଳର ସାତ ତାଳ ପଙ୍କ ଭିତରେ ଥିବା ରହସ୍ୟକୁ ମୁଁ ଖୋଜୁଛି ସେତେବେଳୁ ।