ସିଏ ଏବେ ବୃଦ୍ଧାଶ୍ରମରେ – ଡକ୍ଟର ଶରତ କୁମାର ଚଉଁରୀ
ଦେଖିଲେ ଲାଗୁଛି ଦୁଃଖରେ
କହିଲେ ଲାଗୁଛି ଲାଜରେ
ଜନ୍ମ ଦେଇ ଯିଏ ପାଳିଥିଲା ସିଏ
ଏବେ ଅଛି ବୃଦ୍ଧା ଶ୍ରମରେ।
ଦଶ ମାସ ଦଶ ଦିନରେ
ଗର୍ଭକଷ୍ଟ ସହି ଥିଲାରେ
ଥନ ଭାଙ୍ଗି କ୍ଷୀର ଯେ ଦେଲା ଆହାର
ସିଏ ଆଜି ସାତ ପରରେ।
ମୁଣ୍ଡ ଝାଳ ତୁଣ୍ଡେ ମାରିରେ
ଅହନିଶି ଖଟି ଖଟି ରେ
ବଡ଼ କଲେ ଯିଏ ଏବେ ହେଲେ ସିଏ
ଅଲୋଡା ପୁଅଟି ପାଇଁ ରେ।
ଶତ ଧିକ୍ ତୋତେ ପୁଅରେ
ଅବିବେକୀ କୁଳାଙ୍ଗାର ରେ
ଅଣ୍ଟି ଛୁରୀ ହୋଇ ତଣ୍ଟି କାଟୁ ତୁହି
ଆଉ କେ ହୋଇବ ସାହା ରେ।
କେତେ ଦୁଃଖ କଷ୍ଟ ସହି ରେ
କୋଠାଘର ତୋଳିଥିଲେରେ
ତାଙ୍କୁ ତଡ଼ି ଦେଲୁ ତୁ ଘରେ ରହିଲୁ
ସିଏ ଏବେ ବୃଦ୍ଧା ଶ୍ରମରେ।
ମନେରଖ ମହାପାପୀରେ
ତୁ ବି ଦିନେ ବୁଢ଼ା ହେବୁରେ
ଯେମିତି କରିବୁ ସେମିତି ପାଇବୁ
ଅନ୍ୟଥା ନ ହେବ କେବେରେ।
ଶୁଣ ମୋର ନିବେଦନରେ
ମାତାପିତା ଆମ ଠାକୁରେ
ଦୁହିଁଙ୍କୁ ପୂଜିବା ସୁଖରେ ରହିବା
ଜୀବନ ବିତିବ ଶାନ୍ତିରେ।
ଡ.ଶରତ କୁମାର ଚଉଁରୀ
ସଂ:ଶିଶୁ ଦରବାର
ଟିଚର୍ସ କଲୋନୀ,ପିପିଲି,ପୁରୀ
