ହେ ପ୍ରଭୁ ଶାନ୍ତି ଦିଅ

ଲେଖକ ପରିଚୟ

ପ୍ରଣତି ମହାପାତ୍ର
ଫକୀରମୋହନ ନଗର, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ହେ ପ୍ରଭୁ ଶାନ୍ତି ଦିଅ
????????????????????

ତରତର ହୋଇ ହାତରେ ଦୁଇଟା ଥଳି ଧରି ବାହାରିଗଲି।ଭୋର ପାଞ୍ଚଟା ସମୟ ହେବ ବୋଧହୁଏ।ଘରେ ଅଟା,ମୁଢି, ପନିପରିବା, ଆଳୁ ତେଲ ଇତ୍ୟାଦି ସରିଯାଇ ଥାଏ।ଗତ ୨୧ତାରିଖରୁ ସାରା ଭାରତ ବନ୍ଦ,ଓଡିଶା ବନ୍ଦ।ଘରୁ ବାହାରକୁ ନ ବାହାରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କଡା ହୁକୁମ୍।ଶକ୍ତିଶାଳୀ ଚୀନର ଉହାନ ସହରରୁ ଉତ୍ପତ୍ତି ହୋଇଥିବା ମାରାତ୍ମକ ମହାମାରୀ କରୋନା ଜୀବାଣୁ ପାଇଁ।
ତାଙ୍କ ନିର୍ଦ୍ଦେଶ ଅମାନ୍ୟ କରି କେହି ଘରୁ ବାହାରକୁ ବାହାରିଲେ ପୋଲିସ ମାମୁଁଙ୍କ ଲାଠି ପ୍ରହାର।ଏମିତି ଲାଠି ପ୍ରହାର ହେଉଛି ଯେ ୧୪୪ଧାରା ତା ଆଗରେ ଫିକା ପଡିଯାଉଛି।ଅପରାଧୀଙ୍କୁ ଥାର୍ଡ ଡିଗ୍ରୀ ଚାର୍ଜ ହେବାଭଳି।କେହି କେହି କହୁଛନ୍ତି କାଳେ ଫାୟାରିଂ ପାଇଁ ବି ନିର୍ଦ୍ଦେଶ ପାଇଛନ୍ତି ସେମାନେ।ଯାହାହେଉ ସମୁହ ସ୍ଵାର୍ଥ ପାଇଁ ଏଭଳି ପଦକ୍ଷେପ ନିଶ୍ଚିତ ଭାବରେ ସ୍ଵାଗତଯୋଗ୍ୟ।
ହେଲେ ଏଇଠି ଗୋଟିଏ କଥା ମନକୁ ଆସେ,ଏ ଭୂତାଣୁ ଏ ଭାରତକୁ ଆସିଲା କେମିତି?ଯଦି ଜାନୁଆରୀ ମାସରୁ ଭାରତ ଭିତରକୁ ଅନ୍ୟ ଦେଶରେ ରହିଥିବା ଭାରତୀୟ ମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆ ଯାଇ ନ ଥାନ୍ତା, ଆମେ କଣ ଘରେ ଏମିତି ବନ୍ଦୀ ଜୀବନଯାପନ କରିଥାନ୍ତେ।ତ ସର୍ବପ୍ରଥମେ ଯଦି ନିୟମ ସେଇ ମାନଙ୍କ ପାଖରୁ ଲାଗୁ ହୋଇ ଥାନ୍ତା, ଆଜି ଏ ଦୁର୍ଦ୍ଦଶାର ଶିକାର ହୋଇ ନ ଥାନ୍ତେ ଭାରତୀୟ।ସେ ଯାହା ହେଉ ମୋ କାହାଣୀ ଠାରୁ ଦୂରେଇ ଗଲିଣି।ସକାଳ ୬ ଟାରୁ ୧୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ଦୋକାନ ଖୋଲା ରହୁଥିବାରୁ ଗତ ରାତିରୁ ଭାବିଥିଲି ସକାଳୁ ସକାଳୁ ଉଠି ଘରର ଆବଶ୍ୟକ ଜିନିଷପତ୍ର ଆଣିବି ବୋଲି।ଘରେ ସମସ୍ତେ ଶୋଇଥିଲେ।କେହି ବି ଉଠି ନ ଥାନ୍ତି।ତରତର ହୋଇ ଚାଲିଛି ମୁଁ ଆଗ ପନିପରିବା ଆଣିବି।
ବାପ୍ ରେ ବାପ୍।ପରିବା ଦୋକାନରେ ଏତେ ଭିଡ।ଯାହା ହେଉ ଗୋଟେ ଥଳି ହୋଇଗଲା ପରିବା,ଆଳୁ,ପିଆଜ ଇତ୍ୟାଦି।
ସେଇଠୁ ଗଲି ସେମିତି ଥଳି ବୋହି ବୋହି।ସଉଦା କିଛି ମୁଢି ବସ୍ତା ଟିଏ ଆଣି ଛକ ମୁଣ୍ଡରେ ପହଞ୍ଚି ଗଲି।ବାକି ରହିଲା ଅଟା ପାଞ୍ଚକିଲୋ ଆଣିବି।ଗହମ ପେଷା ଚାଲିଛି।ଦୋକାନୀ ଭାଇ ମୋର ଦୋକାନର ସଟରଟି ଅଧା ତିନିଭାଗ ତଳକୁ ଟାଣି ଦେଇଛି।ତଳେ ମୁହଁ ଗଳେଇ ପଚାରିଲି, ଶରତଭାଇ ଅଟା ଅଛି ନା।ପାଟି ବାରିନେଇ କହିଲା ହଁ।ମୁଁ ସେତେବେଳକୁ ଦୋକାନ ଦୁଆରେ ପଡିଥିବା ବେଞ୍ଚ ଉପରେ ବସି ପଡିଲି।ଏତେ ଗୁଡାଏ ଜିନିଷ ବୋହି ଆଣିବା ମୋ ପକ୍ଷରେ ତ ସମ୍ଭବ ନୁହେଁ, କଣ କରିବି ଆସିଛି ଯେତେବେଳେ ସବୁ ନେଇଯାଏ।
ଦିଦି ଆପଣ ଏଠାରେ ନ ବସି ଜଲଦି ଅଟା ନେଇ ପଳେଇ ଯାଆନ୍ତୁ।ଦେଖନ୍ତୁ ସାଢେ଼ ସାତଟା ବାଜିଲାଣି।ପୋଲିସ ଆସିଯିବେ।ଶୀଘ୍ର ପଳେଇ ଯାଆନ୍ତୁ।ଏହି ନିଅନ୍ତୁ ଅଟା।ପଇସା ଦିଅନ୍ତୁ, କହି ସେ ଭିତରକୁ ପଳେଇ ଗଲା।ମୁଁ ହାତ ଗଳେଇ ଶରତ ଭାଇକୁ ଟଙ୍କା ଦେଲି।ଏଇ ସମୟରେ ଗୋଟିଏ ପାରା ଆସି ମୁଁ ଧରିଥିବା ମୁଢି ବସ୍ତା ଉପରେ ବସିଗଲା।ମୁଁ ଟିକେ ଠିଆ ହୋଇଗଲି।ଟିକିଏ ଅଟା କାଢି ତଳେ ଥୋଇଦେଲି।ଅଟା ଥୋଇବା ଦେଖି କୁଆଡ଼େ ଥିଲେ ଆଠ କି ଦଶ ପାରା।ସେମାନେ କେହି ଅଟା ଖାଇଲେ ନାହିଁ ସତ।ହେଲେ ମୋତେ ଏକରକମ ଘେରି ଗଲେ।କାହିଁକି କେଜାଣି ମୋତେ ଭାରି ଦୟା ଲାଗିଲା।ପୁଣି ଅଟାକଳ ପାଖକୁ ଫେରିଲି।ଆଉ ଡାକିଲି ଶରତଭାଇକୁ। ଶରତଭାଇ ,ଶରତଭାଇ
କଣ ହେଲା ଦିଦି, ଆପଣ ପରା ଅଟା ନେଇ ଗଲେ।
ଆରେ ନାହିଁ, ଏଇ ଦେଖିଲ।ଏ ପାରାଗୁଡାଙ୍କୁ ଏଇ ଦୋକାନ ଦୁଆରେ ବସି ତୁମ ପାଖରୁ ଗହମ ଆଣି ମୁଁ ଖାଇବାକୁ ଦିଏ।ସବୁଆଡେ ତ ବନ୍ଦ।ତୁମେ ତ ଦୋକାନ ଖୋଲୁ ନାହଁ।ଏମାନେ କ୍ଷୁଧାତୁର।ଦିଅ ମୁଠେ ଦି ମୁଠା।ଶରତ ଭାଇ ଗୋଟିଏ କଂସାରେ କିଛି ଗହମ ଓ ପାଣି ବାଲଟି ଟିଏ ବଢେଇ ଦେଲେ ମୋ ହାତକୁ।ଗହମତକ ଦୋକାନ ଦୁଆରେ ବିଞ୍ଚି ଦେଇ ,ପାଣି ବାଲଟି ଟି ସେଇଠି ଥୋଇଦେଲି।ଆଉ ଶରତଭାଇକୁ କହି ପଳେଇ ଆସିଲି।ଦୂରରୁ ଥାଇ ଦେଖିଲି, କେଡ଼େ ଖୁସି ମନରେ ଗହମ ଖାଇ ପାଣି ପିଉଛନ୍ତି ପାରା ମାନେ।ଟିକିଏ ଆଉ ଠିଆ ହୋଇ ସେମାନଙ୍କୁ ଦେଖିବାକୁ ଇଚ୍ଛା ହେଉଥିଲା, ହେଲେ ପୋଲିସ ଭୟରେ ଚାଲି ଆସିଲି।ଘରପାଖ ଅଟା କଳତ।ସବୁଦିନେ୧୦/୧୧ ବେଳକୁ ସେଇଠି କିଛି ସମୟ ବସେ।ଆଉ ଶରତଭାଇକୁ ମାଗି ଛୋଟ ଛୋଟ ଗହମ କିଛି ପାରା ପାଇଁ ବୁଣିଦିଏ।ସେମାନେ ପାଣି ପିଇବେ ବୋଲି ଗୋଟିଏ ପ୍ଲାଷ୍ଟିକ ବାଲଟି ଟିଏ କିଣି ଶରତଭାଇର ଦୋକାନ ରେ ଥୋଇଥାଏ।ପାରାମାନେ ଗହମ ଖାଇ, ପାଣି ପିଇ ପଳେଇ ଗଲା ପରେ, ବାୟାଚଢେଇ,ବଣି ଚଢେଇ ବି ଆସି ଖୁଣ୍ଟି ଖୁଣ୍ଟି ଖାଆନ୍ତି।ଭାରି ଖୁସି ଲାଗେ।
ପୋଲିସ ର ଗାଡି ସାଇରନ ଶବ୍ଦରେ ଘରମୁହାଁ ହେଲି।ମୋ ଘରକୁ ଆସିବା ବାଟରେ ପାଞ୍ଚ ଛଅଜଣଙ୍କ ଘର ପଡେ।
ସମୟ ସେତେବେଳକୁ ଆଠଟା ବାଜିଲାଣି।କାନରେ ପଡିଲା ଗୋଟିଏ ଘରେ ପାଟି ତୁଣ୍ଡ।ଟିକିଏ କାନ ପାରିଲି।ଘରର ପିଲାମାନେ ପାଠ ନ ପଢି ଖେଳକୁଦ,ମୋବାଇଲ, ଟିଭିରେ ଦିନତମାମ ପୁଣି ରାତି ଏଗାରଟା ଯାଏ।ପିଲାଙ୍କ ମାଆ ସେଥିପାଇଁ ବିରକ୍ତ ହେଉଥାନ୍ତି ପିଲା ଓ ପିଲାଙ୍କ ବାପା ଉପରେ।ବାପା ପିଲାମାନଙ୍କୁ ଆକଟ ନ କରି ସେମିତି ମୋବାଇଲ ରେ ସଦାବେଳେ ବ୍ୟସ୍ତ ଥାନ୍ତି।ଉଭୟ ବାପା, ପିଲା ସମସ୍ତଙ୍କୁ ମିଶାଇ ଗାଳି ଦେଉଥାନ୍ତି ଗୃସକର୍ତ୍ତୀ ଜଣକ।ଛୁଟି ହୋଇଛି ମାନେ ପିଲାମାନେ ପାଠଶାଠ ସବୁ ଛାଡିଦେବେ।ଭାରତ ବନ୍ଦ ମାନେ ପୁରୁଷ ମାନେ ମୋବାଇଲ ଟିଭିରେ ହିଁ ବ୍ୟସ୍ତ ରହିବେ।ଘରର ଭଲମନ୍ଦ, କାମଦାମ ସମସ୍ତେ ମିଳିମିଶି କରିଦେଲେ ତ ସମସ୍ତେ ଟିକେ ସମୟ ପାଇବେ ଟିଭି ଦେଖିବାକୁ।ଛୁଟିରେ ପିଲାମାନେ କିଛି ସମୟ ପାଠ ପଢିବା ଦରକାର କି ନାହିଁ।ଏମିତି ଭାବରେ ବଡ଼ ପାଟିରେ ବିରକ୍ତ ହେଉଥାନ୍ତି ମାଆ।ପୁଅଟି ନିଜେ ପଢୁନାହିଁ।ଦିନରାତି ଏ ଜିନିଷ ସେ ଜିନିଷ କଟାକଟି କରୁଥାଏ।ସାନଭଉଣୀକୁ ମୌକା ମିଳିଯାଉଛି ଭାଇ ପାଖରେ ବସି ଏସବୁ ଦେଖିବାକୁ।ଚାଲିଛି ପାଟି ।

ଏକରେ ଜିନିଷପତ୍ର ର ବୋଝ,ତା ସାଙ୍ଗରେ ପାଖ ଘରୁ ଏ କଳିଝଗଡା।ଜିନିଷ ଗୁଡିକୁ ଥୋଇଦେଇ ଟିକେ ଠିଆ ହେଲି।ମାଆର ବିରକ୍ତ ଥମିଗଲା।ଏହି ସମୟରେ ପୁଅ ତାଙ୍କର ବହୁତ ବଡ଼ ପାଟି କରି ବାଡ଼ି ଆଡ଼କୁ ଚାଲିଗଲା।ପାଟି ଏବେ ଆଉ ନାହିଁ।ସମସ୍ତେ ନିଆଁରେ ପାଣି ପଡିଲା ପରି ଚୁପଚାପ।ପୁଣି ପାଟି ଶୁଭିଲା ମାଆର।
ଦେଖ ଯାଅ,କଣ କରିଛି ସେ।ହାତ ସାରା ରକ୍ତ।ଦୌଡ଼ି ଗଲେ ବାପା ପିଲାଟି ପାଖକୁ।ହାତ ସାରା ରକ୍ତ,ବାହାରେ ବସି ଭୋ ଭୋ ହୋଇ କାନ୍ଦୁଛି।ବାପା ପୁଅକୁ ଟାଣି ଟାଣି ଘରକୁ ଆଣିଲା ଭିତରେ ପଚାରିଲେ, ଏସବୁ କି ପାଗଳାମୀ।
ସବୁବେଳେ ମାଆ ଖାଲି ବିରକ୍ତ,ପାଟି।ପାଠପଢ,ପାଠପଢ।ମୋତେ ଜମା ଭଲ ଲାଗୁନାହିଁ ଏସବୁ।ନିଜର କିଛି ସ୍ବାଧୀନତା ବୋଲି ନାହିଁ।
ପୁଅକୁ ଘର ଭିତରକୁ ଆଣି ଔଷଧ ଲଗେଇ ଦେଲେ ବାପା।
ମାଆ ଜଣକ ଛାତ ଉପରକୁ ଚାଲିଗଲେ।ବୋଧହୁଏ କାନ୍ଦି କାନ୍ଦି।ଯାଉ ଯାଉ ସ୍ଵାମୀଙ୍କ କଥା ଶୁଭିଲା, ପଳେଇଲ କାହିଁକି।ଦେଖ କଣ କରିଛି।ସବୁ ଅଶାନ୍ତି ତୁମ ପାଇଁ।ପଳେଇ ଯାଉଛି।
ମାଆ ସିଡ଼ି ପାହାଚକୁ ଚଢୁ ଚଢୁ କହୁଥାନ୍ତି, ମୋର ତ କାହାକୁ କିଛି କହିବାର ଅଧିକାର ନାହିଁ।ମୁଁ ଏ ଘରର କିଣା ଚାକର।ଭଲ ଖରାପ କାହାକୁ କିଛି କହିବି ନାହିଁ।ଗଧ ଭଳି ଖଟିବି କାଳି ଅନ୍ଧାରରୁ ଯେ ରାତି ଦି ଘଡି ଯାଏ।ଘୁଷୁରି ଭଳିଆ ଖାଇବି।ଛାଡ଼ ମୋ ଭାଗ୍ୟ ଖରାପ।
ମୋ ଜିନିଷପତ୍ର ଧରି ଆସୁଥାଏ।ବର୍ତ୍ତମାନ ତ ଜିନିଷପତ୍ର ଯେଉଁ ଆକାଶ ଛୁଆଁ।ବାଡିରେ ଫସଲ ଲଗାକୁ ନେଇ ଆଉ ଜଣକ ଘରେ ପାଟି।ଛ ପୁଅ। ପୁଅବୋହୁ ସବୁ ଅଲଗା ଅଲଗା।ହେଲେ ଦୁଇବୋହୁ ବାଡିରେ ଫସଲ କରୁଛନ୍ତି।ଜଣେ ବୋହୁ ଶାଗ କିଆରିଏ ବୁଣିବାକୁ କହିଲାରୁ ଝଗଡା।
ତୁମେ ଏକା ସବୁ ଖାଇବ।କାହାକୁ ଗୋଟିଏ କିଛି ଦଉନ କି ବାଇଗଣ ଗଛ ୪ଟି କି ଶାଗ ମଳେ ବୁଣିବାକୁ କହିଲାରୁ ତୁମ ଭାଗ ସରିଯାଉଛି।
ସେଠାରୁ ଆସିଲି, ଆମ ଘର ପାଖରେ ଜଣକ ଘର।ଶାଶୁକୁ ଚା କପେ କରି ବୋହୁ ମାନେ ଦେଉ ନାହାଁନ୍ତି।ବୁଢୀ ଜର ଦେହରେ ନିଜେ ଉଠି ଚା କରି ପିଇଛି।ସେଇକଥା କାହାକୁ କହିଛି ବୁଢ଼ୀ।ବୋହୁମାନେ କଳି ଲଗେଇ ଛନ୍ତି ବୁଢୀ ସାଙ୍ଗରେ।
ଓହୋଃ, ଆଉ ସହି ପାରିଲି ନାହିଁ।ଧାଇଁ ଧାଇଁ ଘରକୁ ଆସି ଜିନିଷପତ୍ର ଗୁଡିକୁ ଥୋଇଦେଇ ଲଥକିନା ବସିପଡିଲି।
ଆଉ ନିଜକୁ ନିଜେ କହିଲି…
ହେ ଭଗବାନ, ଏ ଯେଉଁ କରୋନା ଭାଇରସ ଆସିଛି, କିଏ ମରିବ,କିଏ ବଞ୍ଚିବ ଠିକ ନାହିଁ।
କାଲି ତ ଇଟାଲୀ, ଆମେରିକା, ଏମିତି କେତେ ଲୋକ ମଲେଣି।ସ୍ପେନର ରାଣୀ ବି କରୋନା ରେ ମୃତ।ମୃତ୍ୟୁର ତାଣ୍ଡବଲୀଳା ରଟି ଚାଲିଛି ଏ କରୋନା।ହୃଦୟ ବିଦୀର୍ଣ୍ଣ ହୋଇ ଯାଉଛି।ଆଉ ଏ ମୂଢ ମଣିଷର କିଛି ଚିନ୍ତା ନାହିଁ।ସବୁବେଳେ କଳି ଝଗଡ଼ା।ଆଜି ମଲେ କାଲି ଆଉ ଝଗଡ଼ା କରିବାକୁ ନ ଥିବ।ଭଗବତ ଚିନ୍ତା ନ କରି, ଏଭଳି ବିପତ୍ତିରୁ ଉଦ୍ଧାର ପାଇବା ପାଇଁ ସଚ୍ଚିଦାନନ୍ଦ ଙ୍କୁ ସ୍ମରଣ ନ କରି କାହିଁକି ଯେ ଏମିତି ହେଉଛନ୍ତି।ହେ ପ୍ରଭୁ ଏ କରୋନା ଆତଙ୍କରୁ ଏ ବିଶ୍ଵକୁ ଶାନ୍ତି ଦିଅ।

ପ୍ରଣତି ମହାପାତ୍ର
ଫକୀରମୋହନ ନଗର
ବାଲେଶ୍ବର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ