ତୁମ ବିନା ଦୀପାବଳି – ସିଦ୍ଧେଶ୍ଵର ତ୍ରିପାଠୀ
ତୁମ ସହରରେ ଆଲୋକର ପର୍ବ
ମୋ ଗାଁରେ ଅମାରାତି
ତୁମେତ ଜାଳୁଛ ପ୍ରୀତିର ଦୀପାଳି
ମୁଁ ଏଠି ଜଳୁଛି ନିତି ।
ନୂଆ ନୂଆ ତୁମେ ଓଢଣୀ ଟାଣିଛ
ଛୁଟୁଛି ଖୁସିର ସୁଅ
ଏମନ ଦହନ ଅସହ୍ୟ ହେଲେବି
ବାଣ୍ଟି ପାରୁନି ମୁଁ ଲୁହ ।
ଆତସ ବାଜିରେ ତୁମେତ ଝୁମୁଛ
କୋହେ କୁହୁଳେ ମୁଁ ନିତି
ତୁମ ସହରରେ ଆଲୋକର ପର୍ବ
ମୋ ଗାଁରେ ଅମା ରାତି ।
ତୁମେ ତ ହସୁଛ ମହକି ବାସୁଛ
ଭୂଇଁରେ ଲାଗୁନି ପାଦ
ଗହନ ଏରାତି ଗଡ଼ିଲା ପରେବି
ମୋ ଆଖିରେ ନାହିଁ ନିଦ ।
ତୁମ ଅଗଣାରେ କେତେଛବି ଅଙ୍କା
ଫିକା ଆମ ବୃନ୍ଦାବତୀ
ତୁମ ସହରରେ ଆଲୋକର ପର୍ବ
ମୋ ଗାଁରେ ଅମା ରାତି ।
ସିଦ୍ଧେଶ୍ବର ତ୍ରିପାଠୀ
