କ୍ଷୁଦ୍ରଗଳ୍ପ – ପୁଣି ଥରେ ଆରମ୍ଭ – ସିପ୍ରା ନାମତା

ଲେଖକ ପରିଚୟ

ସିପ୍ରା ନାମତା ନମ୍ରତା
ତୁଳସୀଚୌରା, ବାରିପଦା, ମୟୂରଭଞ୍ଜ | +

Read More

ଏହି ବିଷୟଟି 18 ଜଣ ପାଠକ ପଢି ସାରିଛନ୍ତି

ପାର୍ବତୀ ଦେବୀ ଆସିଲେ ବଡପୁଅ ପାଖକୁ । ଗାଁ ରେ ସୁବିଧା ନାହିଁ କି ଭଲ ଡାକ୍ତର ଟିଏ ନାହିଁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ । ଡାହାଣ ଆଖି ରେ ଆଉ ସ୍ପଷ୍ଟ ଦେଖଯାଉନି । ପରଳ ବଢି ଯାଇଛି । ତିନି ବର୍ଷ ହେଲାଣି ଅପରେସନ କରିବା କଥା ଡାକ୍ତର କହିଥିଲେ କିନ୍ତୁ ନିଜର ସାହସ ନ ଥିବାରୁ ସେଥିପାଇଁ ରାଜି ହେଉ ନ ଥିଲେ । କିନ୍ତୁ ଏବେ ପରିସ୍ଥିତି ସଙ୍ଗୀନ ହେଲାଣି । ଝିଆରୀ ବାହାଘର ଆସନ୍ତା ମାସରେ । ଏବେ ସାହସ ଜୁଟାଇ ଆସିଛନ୍ତି, ମୋତିଆବିନ୍ଦୁ ଅପରେସନ ହୋଇଗଲେ ପରିଷ୍କାର ଦେଖାଯିବ ଓ ବାହାଘର ର ଆନନ୍ଦ ଉପଭୋଗ କରିପାରିବେ । ବଡ ପୁଅ ବୋହୂ ଚାକିରୀଆ ।ବୋହୂ ଛୁଟି ହେଲେ ବି ପିଲା ଛୁଆଙ୍କ ଜଞ୍ଜାଳ ହେତୁ ଗାଁ କୁ ଯିବା ପାଇଁ ବିଶେଷ ଆଗ୍ରହ ପ୍ରକାଶ କରେ
ନାହିଁ । ଚାରିଟା ପରେ ବୋହୂ ଅଞ୍ଜଳି ଆସିଲା ।ଘରେ ପାର୍ବତୀ ଦେବୀ ଙ୍କୁ ଦେଖି ଉପରେ କିଛି ନ କହିଲେ ମଧ୍ୟ ଭିତରେ ଭିତରେ ଚିଡି ଯାଉଥାଏ ।ୟା ଙ୍କୁ ଏବେ ସମୟ ଥିଲା ଆସିବା ପାଇଁ ।ଆସନ୍ତା କାଲି ରବିବାର ଥିବାରୁ ଓକିଲ ଙ୍କୁ ଡାକିବାର ଥିଲା ।ଏଇ ସମୟରେ ଶାଶୁଙ୍କ ଆଗମନ ରେ ସମ୍ପୂର୍ଣ୍ଣ ଅସହିଷ୍ଣୁ ହୋଇ ଉଠୁଥିଲା ସେ ।ଭାବୁଥାଏ ,ଏହା ନିଶ୍ଚୟ ତା ସ୍ବାମୀ ସୁବୋଧ ଙ୍କ କାମ ।ହୁଏତ ସେ କୌଣସି ସୂତ୍ରରୁ ଜାଣିପାରିଛନ୍ତି ସେ ଓକିଲ ଡାକିବାକୁ ଚାହୁଁଛି ।

ମନ କୁ ପ୍ରବୋଧନା ଦେଇ ସେ ରାତି ଖାଇବା ପ୍ରସ୍ତୁତି କରିସାରିବା ପରେ ପିଲା ଙ୍କୁ ଖାଇବା କୁ ଦେଇଦେଲା ।ଯଦିଓ ସେ ଜାଣେ ଶାଶୁ ସୁବୋଧ ଙ୍କ ବିନା ଖାଇବା କୁ ରାଜି ହେବେନି ତଥାପି ତାଙ୍କୁ ଡାକିବାକୁ ଗଲା ।ପାର୍ବତୀ ଦେବୀ ସେଇ ଉତ୍ତର ଦେବାରୁ ସେମାନଙ୍କ ପାଇଁ ଖାଦ୍ୟ ରଖିଦେଇ ସେ ଶୋଇଗଲା ।ଆଖିପତା ଦୁଇଟି ସିନା ବନ୍ଦ ଥାଏ କିନ୍ତୁ ମନ ଓ ମସ୍ତିଷ୍କ ରେ ଅନେକ ଯନ୍ତ୍ରଣା ଧୀରେ ଧୀରେ ଲୁହ ହୋଇ ଆଖି କୋଣ ଦେଇ ବୋହିଯାଇ କାନ ମୂଳ କୁ ଓଦା କରିଦିଏ ।କେତେ ସ୍ୱାର୍ଥପର ମଣିଷ ଏମାନେ ।ତା ଦୁଃଖ ସୁଖ ସହ ଏମାନଙ୍କ ର କୌଣସି ସମ୍ପର୍କ ନ ଥାଏ ।କିନ୍ତୁ ଯେବେ ଯେବେ ଅସୁସ୍ଥ ହୁଅନ୍ତି ସେତେବେଳେ ସେ ମନେପଡେ ।କେବେ ଦିନେ ହେଲେ ତା’ର ସୁବିଧା ଅସୁବିଧା , ଭଲ ମନ୍ଦ ବୁଝିବାକୁ କାହାର ଇଛା ନାହିଁ ।ପୁଅ ସୁବୋଧ ର ପ୍ରତ୍ୟେକ କଥା ବେଦ ର ଗାର ଆଉ ସେ ଯେତେ ଭଲ କଥା କହିଲେ ମଧ୍ୟ ସାତ ପର ପରି ବ୍ୟବହାର ପାଇ ପାଇ ଅଯଥା କଥାବୃଦ୍ଧି ,କଳି ଝଗଡା ,ମାରପିଟ ପରି ଘଟଣା ନ ବଢିବା ପାଇଁ ସେ ମନେ ମନେ ସ୍ଥିର କରି ସାରିଥିଲା ସୁବୋଧ ଙ୍କ ଠାରୁ ଅଲଗା ହୋଇଯିବ । ବିବାହ ର କୋଡିଏ ବର୍ଷ ବିତିଗଲା କିନ୍ତୁ ଗୋଟେ ଦାୟିତ୍ୱ ସମ୍ପନ୍ନ ମଣିଷ ରୂପେ ତାଙ୍କୁ ଦେଖିପାରିଲାନି । ଘର ର ଯାବତୀୟ କାମ , ବାହାର ର କାମ ,ପିଲା ଛୁଆ ଙ୍କ ଦାୟିତ୍ୱ ,ଓ ସେମାନଙ୍କ ପ୍ରତି ଥିବା କର୍ତ୍ତବ୍ୟ ସବୁ କିଛି କୁ ତ ସେ ମୁଣ୍ଡେଇ ନେଇଛି ।ଅତଏବ ସୁବୋଧ କିମ୍ବା ତାଙ୍କ ପରିବାର ର କୌଣସି ସଦସ୍ୟ କେବେବି ତା ପ୍ରତି ସମ୍ବେଦନଶୀଳ ହୁଅନ୍ତି ନାହିଁ ବରଂ ସୁବୋଧ ତାଙ୍କ କଥାରେ ଅମର୍ଯ୍ୟଦା ପୂର୍ଣ୍ଣ ଶବ୍ଦ ପ୍ରୟୋଗ କରି ତା’ର ଆହୁରି ଅପମାନ କରନ୍ତି ।ଅତି ଅସଭ୍ୟ ,ନିର୍ଲଜ୍ଜ ଙ୍କ ପରି ଥର୍ଡ଼ ଗ୍ରେଡ ଟର୍ଚ୍ଚର ପରି ଅନେକସମୟରେ ତା’ଅବସ୍ଥା ହୋଇଯାଏ ।ଏସବୁ ପୁଣି ବିନା କାରଣରେ ।କେବଳ କେତେଟା ସାଧାରଣ ଭାବେ ଦାୟିତ୍ୱ କୁ ସଚେତନ କରାଇବାକୁ ଯାଇ ।ନା, ଆଉ ନୁହେଁ ।ବହୁତ ହୋଇଗଲା ।ଏବେ ସାଙ୍ଗ ସାଥୀ ମାନେ ମଧ୍ୟ କହିଲେଣି ,ବୟସ ଆଉ ନାହିଁ ଯେ କିଏ ନିନ୍ଦା କରିବ ଟା’ଛଡା ଏବେ ଯୁଗ ବଦଳି ଯାଇଛି।ପିଲାମାନେ ଯଥେଷ୍ଟ ବଡ ହୋଇ ନ ଥିଲେ ବି ଜଣେ ନିଜ ହାତରେ ନିଜ ଖାଇବା ପାଇଁ ଖାଦ୍ୟ ପ୍ରସ୍ତୁତ କରିପାରୁଛି ।ଆଉ ସେମାନେ ଯଦି ତା’ସହ ନ ରହି ବାପା ଙ୍କ ପାଖେ ରହିବାକୁ ଇଛା କଲେ ବି ସାନ ଭଉଣୀ କୁ ସମ୍ଭାଳି ନେଇ ପାରିବ ।ସ୍ୱାମୀ ସ୍ତ୍ରୀ ର ଯେଉଁ ସମ୍ପର୍କ ସେଇଟା ଯଦି ମାଲିକ ଓ କ୍ରୀତ ଦାସ ପରି ହୁଏ ତେବେ …?ନା… ନା ଆଉ ନୁହେଁ ।ଯେତିକି ହୋଇଛି ସେତିକି ରେ ପୂର୍ଣ୍ଣଛେଦ ପଡୁ ।ହଁ …ନୋହେଲେ କହିବେ ଛାଡ଼ିରୀ ଟା ।କହିଲେ କହିବେ ।ଦିନ କେଇଟା ପରେ ଲୁଚିଯିବ ସେ କଥା କୁ ଭୁଲିଯିବେ ଲୋକେ ।ନା …ଆଉ କିଛି ଭାବିଲେ, ଟ୍ରାନ୍ସଫର …କିନ୍ତୁ ପିଲାମାନେ ପଢ଼ିବା କୁ ହଇରାଣ ।ଏଠି ପାଖରେ ଭଲ ଲୋକମାନେ ପଡୋଶୀ ଭାବେ ଅଛନ୍ତି ।କୁଆଡେ ଗଲେ କେମିତି ଲୋକବାକ ମିଳିବେ ! ଉପରେ ପୁଣି ଝିଅ ପିଲା ।କାହାକୁ ବିଶ୍ୱାସ କରି କେମିତି ଅଜଣା ଅଶୁଣା ଜାଗାରେ ରହିହେବ ।ସୁବୋଧ କୁଆଡେ ବଦଳି ହୋଇ ଯିବେନାହିଁ ।କାରଣ ସେ ଏକୁଟିଆ ଚଳିପାରିବେ ନାହିଁ ।ପୁଣି ଖରାପ ଭାଷା ଶୁଣେଇବା ପାଇଁ ଜଣେ କାହାକୁ ଦରକାର ନା ।!ହୁଁ ତା’ ଭାଗ୍ୟ ଟା ହିଁ ଖରାପ ।ଆଉ ନୁହେଁ ତ କଣ? ……ଏମିତି ଭାବୁ ଭାବୁ କେତେ ବେଳେଆଖି ଲାଗିଯାଇଛି ।ହଠାତ କିଛି ଉଚ୍ଚ କଥାର ଧ୍ୱନି ଶୁଣି ଆଖି ଖୋଲିଗଲା ।
— ଦେଖିଲୁ ତ ମା ,ତା ଗୁଣ !କେମିତି ଶୋଇପଡିଛି ।ଛୁଆ ଟା କୁ ବି ମୋ ପାଖରେ ଶୁଆଇବାକୁ ଦେବନି ।କି ଝିଅ ବାଛିଥିଲୁ ମୋ ଜୀବନ ଟା ଛାର ଖାର ହୋଇଗଲା ।
—ହଉ ତୁ ଖାଇ ଦେ ।ମୁଁ ତ ଅଛି ।
–ଏମିତି ,ଏମିତି ସବୁବେଳେ ଯଦି କିଛି ଅନୁଶାସନ କଥା କହିବୁ ଗର୍ଜନ କରିବ ।ଛୁଆ ମାନେ ବି ମୋତେ ମାନୁ ନାହାଁନ୍ତି ।ତୁମେ ସବୁ ମୋତେ ଜାଳିଦେଲ ।
–କିସ ଆଉ କରିବୁ କହ ।ତୋ ଭାଗ୍ୟରେ ଏଇୟା ଥିଲା ବୋଲି କିଏ ଜାଣିଥିଲା ।?

ରାଗ ରେ ଦେହ ହାତ କସ କସ କରୁଥାଏ ସେତେବେଳେ ଅଞ୍ଜଳି ର । ନା ,ଏମାନଙ୍କ ସହିତ ଝଗଡା କରି କିଛି ଲାଭ ନାହିଁ ।ସେ ଆସିଛନ୍ତି ଅପରେସନ ପାଇଁ ।ଭଲ ଭଲ ହୋଇଯାଉ ।ତା ପରେ କେସ ଫାଇଲ କରିଦେବ ।ମୁଳୁ ମାଇଲେ ଯିବ ସରି ,ଦେବ ଙ୍କ ସଙ୍ଗେ କିମ୍ପା କଳି । ତା ପରଦୁଇ ଦିନ ଭିତରେ ଚୀନ ରେ କେତେ ଲୋକ ମୃତ୍ୟୁବରଣ କଲେଣି ଓ ଉହାନ ସିଟି ରେ ଭୟଙ୍କର କୋରନା ଭୁତାଣୁ ର ଜନ୍ମ ।ସମଗ୍ର ବିଶ୍ୱ ରେ ତାହାରି ଆତଙ୍କ ବିଜୁଳି ବେଗରେ ଖବର ଚତୁର୍ଦିଗ ରେ ବ୍ୟାପିବାରେ ଲାଗିଥାଏ ।ସବୁ ଶିକ୍ଷାନୁଷ୍ଠାନ କୁ ବନ୍ଦ କରିବାର ଘୋଷଣା ,ବିଶେଷ ଜନସମାଗମ ହେଉଥିବା ଅଫିସ ବନ୍ଦ ,କୋଠର ନିୟମାବଳୀ ପ୍ରଣୟନ ତଥା କଡା କଡ଼ି ଭାବେ ପାଳନ କରିବାକୁ ନିର୍ଦେଶ ର ଖବର ତ୍ୱରିତ ଗତି ରେ ବିଭିନ୍ନ ଲିଙ୍କ ,ମେସେଜ ,ୱେବ ସାଇଟରେ ଲୋଡ ହେଉଥାଏ ।ବାଧ୍ୟ ହୋଇ ଘରେ ରହିବାକୁ ପଡିଲା ।ଘରେ ରହିଲେ କିଛି ନାହିଁ କିନ୍ତୁ ସୁବୋଧ ସବୁ ଅନର୍ଥ ର ମୂଳ କାରଣ ।ଏଇ ଦୁଇଦିନ ଭିତରେ ଶାଶୁଙ୍କ ର ରକ୍ତ ପରୀକ୍ଷା ହୋଇଯାଇଥାଏ। ସେ ଯଦି ଖବର ଦେଇ ଆସିଥାନ୍ତେ ତେବେ ତାଙ୍କୁ ପ୍ରାଇଭେଟ ରେ ଡାକ୍ତର ଦେଖାଇ ଯାହାକରାଯାଇ ଥାନ୍ତା । କିନ୍ତୁ ସେ କାହାକୁ କିଛି ନ ଜଣାଇ ସାନପୁଅ ଓ ଝିଆରୀ ସହିତ ଆସି ସରକାରୀ ଡାକ୍ତରଖାନାରେ ଦେଖାଇ ଆସିଥାନ୍ତି ଓ ଯାହା ସବୁ ପରୀକ୍ଷା କରିବା କୁ ଡାକ୍ତର କହିଥିଲେ ସେଗୁଡିକ କରିଦେଇଥାନ୍ତି ।କେବଳ ସୁଗାର ଟେଷ୍ଟ ଟି ରହିଥିଲା ଯାହା ତା ପରଦିନ କଲେ ।ଏବେ ସୁବୋଧ ଆଉ କିଛି କରିବେନାହିଁ ।ସବୁ କାମ ଚାପିଦେବେ ତା ଉପରେ ।ସତ କୁ ସତ ସେଇୟା ହିଁ ହେଲା ।ସୁବୋଧ ତାଙ୍କ ଅଫିସ କାମ ,କାମ ର ଚାପ କହି ସବୁକିଛି ଆଡେଇଦେଲେ ।

ସବୁଠାରୁ ବେଶୀ ଆଘାତ ଦିଏ ସେ ସୁବୋଧ ର ଏତେ କାମ ରେ ସାହାଯ୍ୟ କଲେ ମଧ୍ୟ ଟିକିଏ ବି ସମବେଦନା ଜଣାଇବା ସେ ଉଚିତ ମନେ କରନ୍ତିନି ।ଯୋଉଟା ଅଞ୍ଜଳି ସ୍ୱପ୍ନ ରେ ସୁଦ୍ଧା କେବେ ଭାବି ନ ଥିଲା ,ଜୀଵନ ରେ ଏମିତି ଏକ ଲାଇଫ ପାର୍ଟନର ମିଳିବ ବୋଲି ।ସବୁ ନିଜ କର୍ମ ର ଫଳ ବୋଲି ଯେତେ ନିଜ ମନ କୁ ବୁଝେଇନିଏ ପର ମୁହୂର୍ତ୍ତରେ ସବୁକିଛି ଓଲଟ ପାଲଟ ହୋଇଯାଏ ।ଖୁବ୍ ଅସହ୍ୟ ହୋଇପଡେ ଜୀଵନ ।ବିବ୍ରତ ଆଉ ବୀତସ୍ପୃହ ହୋଇ ଜୀବନ ର ସମାଧାନ ବାଧ୍ୟତାମୂଳକ ଭାବେ କରିବାର ସଂକଳ୍ପ ନିଏ ।ଏଇ ଏବେ ଯେମିତି ଶାଶୁଙ୍କ ର ସବୁ କାମ ତାକୁ ଏକୁଟିଆ କରିବାକୁ ପଡିବ ।ଦୁଇଦିନ ବିତିଗଲା ସୁବୋଧ ତାଙ୍କର ରିପୋର୍ଟ ଓ କେ କରାଇ ଆଣିପାରିଲେ ନାହିଁ । ସେଦିନ ମେଡ଼ିକାଲ ରେ ଗୋଟେ କୋରନା ରୋଗୀ ଆଡ଼ମିଟ ହୋଇଛି ବୋଲି ଶୁଣିବା ପରେ ସହର ଟା ଯାହା ତ ଉଠପଡ଼ ହେଲା ହେଲା ସୁବୋଧ ଙ୍କ ଆଉ ସେ ମେଡ଼ିକାଲ ଯାଇ ରିପୋର୍ଟ ଦେଖାଇବା ବି ସରିଲା ଅତଏବ ସେଦିନ ଅଞ୍ଜଳି ନିଜେ ଗଲା ମେଡିକାଲ ।ଆଖି ଅପରେସନ ପାଇଁ ତାରିଖ କଣ ପଡିବ ତାଙ୍କର ଇ ସି ଜି ରେ ସମସ୍ୟା ବାହାରିଲା ।ଏବେ ଜଣେ କାର୍ଡିଓଲଜିଷ୍ଟ ତାଙ୍କୁ ଦେଖିବା ଦରକାର ।ପୁଣି ମେଡ଼ିକାଲ ରୁ ବାହାରି ସେ ଦୌଡିଲା ପ୍ରାଇଭେଟ ନର୍ସିଂ ହୋମ ।ଦୁଇ ତିନି ଟା ପ୍ରାଇଭେଟ ନର୍ସିଂ ହୋମ ଅଛି ।ସବୁଠାରେ ଯାଇ ବୁଝିଲା କାର୍ଡିଓଲୋଜିଷ୍ଟ ନାହାଁନ୍ତି ଗୋଟିଏ କୁ ଛାଡିଦେଇ ।କିନ୍ତୁ ସେଠାରେ ଯିଏ ଅଛନ୍ତି ତାଙ୍କୁ ସୁବୋଧ ଦେଖେଇବେ ନାହିଁ ।ଆଛା ମୁସ୍କିଲ ରେ ପଡିଲା ମଣିଷ ।ନିଜେ କିଛି କରିବ ନାହିଁ କିମ୍ବା କାହାକୁ କିଛି କରାଇ ଦେବ ନାହିଁ ।ପୁଣି ସବୁଠାରୁ ବଡ ମେଡିସିନ ଷ୍ଟଲ ରେ ଯେଉଁଠାରେ କିଛି ଡାକ୍ତର ରାଜ୍ୟ ରାଜଧାନୀ ରୁ ଏବଂ କଟକ ରୁ ଆସନ୍ତି ସେଠାରେ ଯାଇ ବୁଝିବାରୁ ଭୁବନେଶ୍ବର ରୁ ଯୋଉ ହୃଦଡାକ୍ତର ଆସନ୍ତି ସେ ଆସିବେ କୋଡିଏ ଦିନ ପରେ । ଓଃ ହୋ କି ଯନ୍ତ୍ରଣା ? ?

ଯାହା ହେଉ ଘରକୁ ଫେରିଲା ଅଞ୍ଜଳି । ମେଡ଼ିକାଲ ରେ ଯୋଉ ଅବସ୍ଥା ହୋଇଛି ଲାଇନ ରେ ଛିଡା ହେବାରୁ ,ପୁଣି ଡେଟଲ ପାଣିରେ ଆଉଥରେ ସ୍ନାନ କରି ବାହାରିବା ବେଳକୁ ଦିନ ଅଢେଇ ।କୌଣସି ମତେ ଆଲୋଚନା ରୁ ରକ୍ଷା ପାଇବା ପାଇଁ ସେ ବିଛଣା ଧରିଲା ।କିନ୍ତୁ ଆଲୋଚନା ତ ହେବାର ଥିଲା । ତାହା ଚାଲୁଥାଏ ମାତା ପୁତ୍ର ମଧ୍ୟରେ ।ସେସବୁ କୁ କର୍ଣ୍ଣପାତ କରିବାକୁ ତିଳେ ମାତ୍ର ଇଚ୍ଛା ନ ଥାଏ ତା’ର ।ବିବାହ ର ଦୀର୍ଘ ବର୍ଷ ମଧ୍ୟରେ ଯେଉଁ ସଂଘର୍ଷ ସେ କରି ଆସୁଛି ସେଥିରେ କେହି ଶାନ୍ତି ଆଣିବା ପାଇଁ ତିଳେ ହେଲେ ପ୍ରୟାସ କରି ନାହାଁନ୍ତି ଅଥଚ ନିଜ ଅସୁବିଧା ସମୟରେ କେମିତି ଦାବୀ କରିପାରନ୍ତି ଏମାନେ ହେଲେ ତା’ର ପ୍ରକୃଷ୍ଟ ଉଦାହରଣ ।ବାରମ୍ବାର ଚେଷ୍ଟା କଲେ ମଧ୍ୟ ଆଖିରେ ନିଦ ହଜିଯାଇଛି । ଦିନ ଦଶ ଟା ବିତିଗଲା ପରେ ସେଦିନ ରବିବାର ଜନତା କର୍ଫ୍ୟୁ ଲାଗୁ ହୋଇଗଲା ସାରା ଦେଶରେ ।ତଥାପି ପରିସ୍ଥିତି ର ଗୁରୁତ୍ୱ ନ ବୁଝି ଅଞ୍ଜଳି ବାହାରିଲା ଆଖି ଡାକ୍ତର ପାଖକୁ ।ଦେଖିବା ହୁଏତ ଯଦି କ୍ଲିନିକ ଖୋଲାଥିବ ତା ହେଲେ ଯାଇ ବୁଝିଦେଇ ଆସିବ କଣ କରାଯାଇ ପାରେ !ଏଇ ଆଶା ନେଇ ଯାଇଛି ସେଠାରେ ବଡ ବଡ ଅକ୍ଷର ରେ ଲେଖାହୋଇଛି,ଜନତା କର୍ଫ୍ୟୁ ପାଇଁ କ୍ଲିନିକ ବନ୍ଦ ରହିଛି । ବାଧ୍ୟ ହୋଇ ଫେରିଆସିଲା ଘରକୁ । ତା ପରେ ପରେ ଆରମ୍ଭ ହୋଇଗଲା ଲୋକ ଡାଉନ ।
ଏବେ ଆଉ କିଛି କରିବାର ନାହିଁ ।ନା ଡାକ୍ତର ଦେଖାଇବାର ସୁଯୋଗ ମିଳିବ ନା ଚିକିତ୍ସା ହୋଇପାରିବ ।ଏବେ ସମ୍ପୂର୍ଣ୍ଣ ଅସହାୟ ଲାଗିଲା ଅଞ୍ଜଳି କୁ ।କଣ କରିବ ସେ ?ରୋଷେଇ ତ ଏମିତି ରେ ପିଛା ଛାଡୁନାହିଁ ଏଣେ ପିଲାମାନଙ୍କର ସ୍କୁଲ ବନ୍ଦ ।ଭୋକ ର ମାତ୍ରା ଟା ଯେମିତି ବଢିଯାଇଛି ସମସ୍ତଙ୍କର ।ସବୁ ସମୟ ସେଇ ରନ୍ଧାବଢା ରେ ଯାଉଛି ।କୋରନା ଆକ୍ରାନ୍ତ ଓ ମୃତ୍ୟୁ କେସ କୁ ନେଇ ସମଗ୍ର ବିଶ୍ୱ ର ମଥା ଟିଣ ଟିଣ କଲାଣି ।ସାବଧାନତା ,ସତର୍କତା ,ସଙ୍ଗ ରୋଧ ,ସାମାଜିକ ଦୂରତ୍ୱ କୁ ବିଶେଷ ଭାବେ ଗ୍ରହଣ କରି ସରକାର ଙ୍କୁ ସହଯୋଗ କରିବା ସହିତ ନିଜକୁ ସୁରକ୍ଷିତ ରଖିବା କେତେ ଆବଶ୍ୟକ ଓ ଗୁରୁତ୍ୱପୂର୍ଣ୍ଣ ଭାବିଲା ବେଳକୁ ଦେହ ଶୀତେଇ ଉଠୁଛି ।ଉଃ ..କି ଯନ୍ତ୍ରଣା।ଘରୁ ବାହାରିବା ମନା ।ସମସ୍ତେ ଆଜି ନିଜ ନିଜ ଗୃହରେ ଗୃହ ବନ୍ଦୀ ।ତେବେ ସେ ଯେଉଁ ଯନ୍ତ୍ରଣା ରୁ ମୁକ୍ତ ହେବା ପାଇଁ ଚାହୁଁଥିଲା ତାହା କେତେ ନଗଣ୍ୟ ।କିନ୍ତୁ ଯେତେ ଯାହା ହେଲେ ମଧ୍ୟ ସେ କେବେହେଲେ ଆରାମ କରିପାରିବ ନାହିଁ ।ସୁବୋଧ କେବେ ବି ବାହାରକୁ ପନିପରିବା ,ଗ୍ରୋସୋରି ଆଣିବାକୁ ମାନସିକ ସ୍ତରରେ ପ୍ରସ୍ତୁତି ନେଲେ ନାହିଁ ।ଅନେକ ଥର ସେ ବାବଦରେ କୁହାଶୁଣା ହୋଇଗଲା ।ଦୀର୍ଘ କୋଡିଏ ଦିନ ପରେ ପାର୍ବତୀ ଦେବୀ ମୁହଁ ଖୋଲିଲେ ।ଅଞ୍ଜଳି କୁ ପୂର୍ବରୁ ବୁଝାଇ ଅଧିକାଂଶ ସମୟରେ ଚୁପ କରାଇଥିଲେ ସେ ଏବେ ଆଉ ନୀରବ ରେ ରହିପାରିଲେ ନାହିଁ ।ସୁବୋଧ କୁ ଦି ,ଚାରିପଦ କହି ବୁଝାଇଲେ ,”ଏମିତି ହେଲେ ଘରସଂସାର ଚଳିବନି ରେ ପୁଅ ।ମୁଁ ତ ଆସିଲା ଦିନ ପାଖରୁ ଦେଖୁଛି ।ତୁମେ ଦୁଇଜଣ ନିଜ ନିଜ ଭିତରେ ବୁଝାମଣା ରଖିପାରୁନ ଆଉ ଅନ୍ୟ କୁ କହି କିଛି ଲାଭ ନାହିଁ ।ଦେଖୁଛ ,ତ ଦୁନିଆ କେମିତି ହେଲାଣି ? ଆଉ ନିଜେ ଯଦି ଠିକ୍ ରହିବନି ତମକୁ ଅନ୍ୟ କିଏ କାହିଁକି ଠିକ୍ ରହିବାକୁ ଦେବେ ?

ଅଞ୍ଜଳି ପାଖକୁ ଆସି ତା ହାତ ଧରି କହିଲେ , “ଝିଅ ରେ ମୁଁ ଜାଣୁଛି ତୁ ବହୁତ କିଛି କରୁଛୁ ।କିନ୍ତୁ କାହା ପାଇଁ କହିଲୁ ?ତୋ ସଂସାର ପାଇଁ ତ ?ଏଠି ତୁ ଆଉ କାହାର କଣ କରୁଛୁ ?କେବଳ ତୋ ସ୍ୱାମୀ ,ତୋ ପିଲା ଯୋଉମାନ ଙ୍କୁ ତୁ ଜନ୍ମ ଦେଇଛୁ ସେଇମାନଙ୍କ ପାଇଁ ତ !ଟିକେ ଚିନ୍ତା କଲୁ ,ଏମାନେ ଯଦି ନ ରହିବେ ତୋ ପାଖରେ ,ତୁ ଶାନ୍ତିରେ ରହିପାରିବୁ କି ? ମାନୁଛି ତୋ ସ୍ୱାମୀ ଟା କଳିହା ହେଲେ କିସ କରିପାରିବି ମୁଁ ? ଜନ୍ମ ଦେଇଛି ବୋଲି କର୍ମ ତ ଦେଇନାହିଁ ।ଯାହାର ଯାହା ଭାଗ୍ୟ ଭୋଗ ଥିବ ସେ ସେଇୟା ହିଁ ଭୋଗିବ।କିନ୍ତୁ ତୁ ବୁଦ୍ଧିମତୀ , ଶିକ୍ଷିତା ସବୁ ସମସ୍ୟା କୁ ସମାଧାନ କରିପାରିବୁ ବୋଲି ବହୁ ଲୋକଙ୍କର କଥା କୁ ଆଡେଇ ତୋତେ ବୋହୂ କରି ନେଇଥିଲି ।କିନ୍ତୁ ମୁଁ ଦେଖୁଛି ତୁ ଆଦୌ ସଚେତନ ନୋହୁଁ ।ତୋତେ ତୋ ସ୍ୱାମୀ ର କଥା ସବୁ ବାଧୁଛି କିନ୍ତୁ ତୋ ଛୁଆ ମାନଙ୍କ ଭବିଷ୍ୟତ ଚିନ୍ତା ବାଧୁନି ? ଭଗବାନ ଙ୍କୁ ସୁମରଣା କରି ସେଇ ଛୁଆ ଦୁଇଟା ଙ୍କୁ ମଣିଷ କରିଦେ ମା’ତୋ ଦାୟିତ୍ବ ସରିଯିବ ।ଆଉ ତୁ କିଛି କର କି ନ କର ସେତିକି କର । ଆଉ ମନ ଦୁଃଖ କରନା ମା’।ତୋ କର୍ତ୍ତବ୍ୟ ସମ୍ବନ୍ଧରେ ନିଜକୁ ରାଜି କରାଇ ଆଗେଇ ଯାଆ ନୋହେଲେ ତୁ ହାରିଯିବୁ ।”କହି ବିରାଟ ଏକ ଦୀର୍ଘଶ୍ଵାସ ଛାଡି ବାଲକୋନି ଆଡକୁ ଚାଲିଗଲେ ।

ଅଞ୍ଜଳି ଭାବିବାକୁ ଲାଗିଲା ,ସତରେ ମଣିଷ ସମ୍ପର୍କ ର ଦ୍ୱାହି ଦେଇ ନୀରବ କରାଇଦେବା କୁ ସହଜ ଭାବେ । ସମ୍ପର୍କରେ ଆସୁଥିବା ଆସନ୍ନ ଝଡ ଟିକୁ କେମିତି ସ୍ଥିର କରିହେବ ସେ କଥା ଚିନ୍ତା କରେ ।ଜଣେ ପଛେ ଦୁଃଖ ପରେ ଦୁଃଖ ,କଷ୍ଟ ପରେ କଷ୍ଟ ପାଇ ଚାଲୁ ,ସବୁ ତ୍ୟାଗ କରି ସେ ଅନ୍ୟ ମାନଙ୍କ ଖୁସି ଆଣିଦେଉ ।ଏଇଟା ହିଁ ଏ ପରିବାର ର ନ୍ୟାୟ ।ହେ ଭଗବାନ ମୋତେ ଏମିତି ସଂସାର ଟିଏ କାହିଁକି ଦେଲ ?
–“ମୁଁ କିଛିଦେଇନାହିଁ ।ଏସବୁ ତୁମ କର୍ମ ର ଫଳ ନିଶ୍ଚୟ ହୋଇଥିବ ।କାରଣ ବିନା କର୍ମ ରେ କେହି କେବେ କିଛି ଭୋଗେନା ।କର୍ମ ହିଁ ଭାଗ୍ୟ କୁ ତିଆରି କରେ ।ଅତଏବ ସତକର୍ମ କରିଚାଲ “।

ଅଞ୍ଜଳି ଚାହିଁଲା ଚାରିଆଡ଼କୁ ।କେଉଁଠୁ ଆସିଲା ଏସବୁ କଥା ର ସ୍ୱର ?ଆଉ ତା’ଭିତରୁ ନୁହେଁ ତ ?ଈଶ୍ୱର ଙ୍କ ଉତ୍ତର ,ହଁ ,ଏଇଟା ସତ୍ୟ ନିଶ୍ଚୟ ।ସମସ୍ତେ ତ ଆଉ ଏକାପରି ନୁହଁନ୍ତି ।ତେବେ ସେ କାହିଁକି ଏତେ ଅନୁଶୋଚନା କରୁଛି ।ସୁବୋଧ ଙ୍କୁ ତାଙ୍କ ରାସ୍ତା ରେ ଛାଡିଦିଆଯାଉ ।ତେବେ ତାକୁ ସହନଶୀଳ ହେବାକୁ ପଡିବ ନିଶ୍ଚୟ ।ଏତେ ନ୍ୟାୟ ଅନ୍ୟାୟ ର ବିଚାର କରିବାକୁ ଯାଇ ଜୀଵନ ଦୁଃଖମୟ ହୋଇଯାଇଛି ।ଆଉ ନା ….ପୁଣି ଥରେ ନୂଆ କରି ଆରମ୍ଭ କରିବାକୁ ହେବ ଜୀଵନ ଯାହା ଏ କୋରନା ଶିଖାଉଛି । ହଁ , ସତରେ ତ ଏ ଅବୁଝା ମନ କୁ ଅନ୍ତର୍ମୁଖୀ କରିବାକୁ ୟେ ଏକ ସୁଯୋଗ । ଆର ଘରୁ ଟି ଭି ରୁ ନିଉଜ ଖବର କାନ ରେ ପଡୁଛି ଓଡିଶା ମୁଖ୍ୟମନ୍ତ୍ରୀ ଏପ୍ରିଲ୩୦ପର୍ଯ୍ୟନ୍ତ ଲୋକଡାଉନ କୁ ବୃଦ୍ଧି କରିଛନ୍ତି । ତା ର ଅର୍ଥ ତା ମନ ପାଇଁ ବି ସମୟ ସୀମା ବୃଦ୍ଧି ହୋଇଗଲା ।ଦୀର୍ଘ କୋଡିଏ ବର୍ଷ ପରେ ।ଏହା ଯେମିତି ହାତ ଛଡା ହେବା ଅନୁଚିତ ତା ନ ହୋଇଥିଲେ ଯେଉଁ ଶାଶୁ ଦିନେ ପୁଅ ବ୍ୟତୀତ ଆଉ କାହାକୁ ଦେଖନ୍ତିନି ସେ ଆଜି ପୁଣି ଏତେ ଉପଦେଶ ଦେଇପାରନ୍ତେ ?ଏଇକଥା ପରି ଯଦି ଆଗରୁ କହିଥାନ୍ତେ ତା’ର ସବୁ ଭଲ ଗୁଣ ଗୁଡିକ ଏମିତି ନଷ୍ଟ ହୁଅନ୍ତା ନାହିଁ …..କିମ୍ବା ସେ ଭୁଲ ଭାବୁଛି ,ବୋଧହୁଏ ତା’ର କେବେ କିଛି ଭଲ ଗୁଣ ହିଁ ନ ଥିଲା ।ଆଖିରୁ ଲୁହ ବୋହି କେତେବେଳେ ଗାଲ ଓଦା ହୋଇଗଲାଣି ,ଦୁଇ ଝିଅ ଆସି ହଲେଇ ଦେଇ କହୁଛନ୍ତି ,”ମନ ଦୁଃଖ କରନି ମାଆ ,କାନ୍ଦନି ।ଆମେ ତୁମର ସବୁକଥା ମାନିବୁ ।ମନ ଦେଇ ପାଠ ପଢିବୁ ।ଦୁଷ୍ଟାମୀ କରିବୁନି ।ଆସ ମାଆ ….ଆସ ..!!

ତୁଳସୀଚୌରା, ବାରିପଦା
8249850168

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

4 1 vote
Article Rating
Subscribe
Notify of
guest
0 Comments
Inline Feedbacks
View all comments