ଯୌନଦାସୀ – ଗୋପୀନାଥ ସେଠୀ

ଲେଖକ ପରିଚୟ

ଗୋପୀନାଥ ସେଠୀ
ବାଘମାରୀ, ଖୋରଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଆଜନ୍ମ ଦାସୀ ସେ
ସ୍ବୀକାର କରିଚି ଦାସତ୍ଵକୁ,
ଭୋଗିଚି ତା’ ଭାଗ୍ୟ
ସଜେଇଚି ସଂସାରକୁ ।

ସେଇ ଦାସତ୍ବକୁ ଦ୍ବାହି ଦେଇ
ଆଜି ସେ ଯୌନଦାସୀ ;
ବିବସ୍ତ୍ର କରିଦିଅ ତାକୁ !

ସବୁ ଅଙ୍ଗ ପ୍ରତ୍ଯଙ୍ଗକୁ ନିରେଖି ଦେଖ,
ଯାହାର ଯାହା ଦରକାର ସାଇତି ରଖ ।

ବିକାଶର ବାହୁକୁ
ପ୍ରସାରିଦେଇଚି ସମୟ;
ମଣିଷ ଧାଉଁଚି ଆଗକୁ ଆଗକୁ
ବତୀଖୁଣ୍ଟ, ବରଗଛ, ବ୍ରିଜ୍ ଭଳି
ପଛରେ ଛାଡି ଆସିଲାଣି
ସଂସ୍କୃତି ଆଉ ସଂସ୍କାରକକୁ ।

ଏବେ ସୁଅ ମୁହଁରେ ନାରୀ !
କୁଟା ପତ୍ର ପକେଇ
ଉଦ୍ଧାରିବା ଆଉ ସମ୍ଭବ ନୁହେଁ !!

ଲେଖା ଯାଇଥିବା କବିତା-
ସବୁ ଏବେ ଲିଭିଗଲାଣି,
କଲମ ମୁନରେ କ୍ରାନ୍ତି;
ସେ ବେଳ ବି ଗଡିଗଲାଣି ।

ଛିଡିପଡୁ ଆକାଶଟା
ପୁଣିଥରେ ମାଟି ଫାଟିଯାଉ
ଯୋଉଠୁ ଆସିଥିଲା ସେ
ଠିକ୍ ସେଇଠିକି ଫେରିଯାଉ ।

ଦିନେ ନାରୀ ନାରୀ କହି ;
ଚିତ୍କାର କରିବ ତୁମେ,
ଶୁଭିବ ସେ ସ୍ରଷ୍ଟାକୁ ।
ଆଖି ଖୋଲି, ମନଭରି
ସେ ବି ଦେଖିବ ତା’ କାରିଗରୀକୁ !

ଅନୁଭବ କରିବ, ଅନୁତାପ କରିବ ;

ତା’ ସର୍ଜନାରେ
ମଣିଷ ହିଁ ଶ୍ରେଷ୍ଠ ଜୀବ
ପରେ ଦେଖିବାକୁ
କାଳେ ସେ ନିଜେ ନଥିବ !!


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ