ନିଅ ଶରଣ – ସରିତା ମହାନ୍ତି
ଈର୍ଷାରେ ବିମୁଖ ଦେଖି ପର ସୁଖ
ଦୁର୍ଯୋଗେ ସୁଯୋଗ ଉଣ୍ଡି ବସଇ
ବିଶ୍ୱାସରେ ବିଷ କରି ସର୍ବନାଶ
ସ୍ୱାର୍ଥରେ ବନ୍ଧା ଏ ମଣିଷ ଭାଇ ।
ଅନ୍ୟକୁ ଆଘାତ ଦେଇ ସେ ଉଶ୍ୱାସ
ସମୟ ପଡ଼ିଲେ ନୁହେଁ କାହାର
ଯାହାଠାରୁ ଦିନେ ପାଏ ଉପକାର
ଆହାରରେ ତା’ର ଦିଏ ପାହାର ।
ଦୁର୍ଲ୍ଲଭ ଜୀବନ ହୁଏ ଅକାରଣ
ପଶା ଗଡାଏ ଯେ ବସି ଶକୁନି
ଅଧର୍ମ ଶାସନ ଭୋଗେ କର୍ମଫଳ
ଅବୁଝା ମଣିଷ ବୁଝି ପାରେନି ।
ପ୍ରଗତିର ପଥେ ଅନ୍ୟାୟର ସାଥେ
କର୍ତ୍ତବ୍ୟ ଭୁଲିଲେ ବଢଇ ବ୍ୟଥା
ଅହିଂସା ନୀତିକୁ ଆପଣେଇ ନେଲେ
ସମାଲୋଚକଙ୍କ ନଇଁବ ମଥା ।
ଅଜ୍ଞାନ ରୂପକ ଅନ୍ଧକାର ଦୂର
ଜ୍ଞାନର ପ୍ରଦୀପ ଜଳିବ ଯେବେ
ଆସୁରିକ ଭାବ ଉଭେଇବ ମନୁ
ଶ୍ରେଷ୍ଠ ଜୀବ ଆମେ ହୋଇବା ତେବେ ।
ଭାବ ବିନିମୟ ଆଦାନ ପ୍ରଦାନେ
ସଭିଙ୍କର ରଙ୍ଗ ଯାଏ ବଦଳି
ପରିଣାମ ଯେବେ ହୁଏ ଭୟଙ୍କର
ଛାଗ ପରି ପୁଣି ଛାଡେ ବୋବାଳି ।
ଦୁନିଆରେ ଯଦି କିଛି ନୁହେଁ ସ୍ଥିର
ଅସ୍ଥିର ମନ ଏ ହୁଏ ଚଞ୍ଚଳ
ଜନ୍ମ ମୃତ୍ୟୁ ପରା ଧରା ବନ୍ଧା ନୀତି
ଅତିଥି ରୂପରେ ଆସଇ କାଳ ।
ଦୁନିଆ ଝୁରିବ ଦେଖି ସଫଳତା
ଅମରତ୍ଵ ଦିନେ ହେବ ପ୍ରାପତ
ହାଡ଼ ମାଂସ ରକ୍ତ ମୁଠାଏ ପାଉଁଶ
ଯଶ କୀର୍ତ୍ତି ଗାଏ ସାରା ଜଗତ ।

ଜନହିତ କର କାର୍ଯ୍ୟେ ରହି ରତ
ସଭିଙ୍କର ହୃଦ କରିବା ଜୟ
ଭାବ ହୃଦୟରେ ସମ୍ପର୍କକୁ ବାନ୍ଧି
ଦୂର ହେବ ମନୁ ଆଶଙ୍କା ଭୟ ।
ଅଳସ ଆଖିରେ ଆଖିଏ ସପନ
ସୁଖ ନିଦ୍ରା ଠାରୁ ବହୁ ଦୂରରେ
ବିଶାଳ ମହଲ ଶଙ୍ଖମଲ ଘର
ମଲା ବେଳେ ଯାଏ ନାହିଁ ସାଥିରେ ।
ମାନବ ଜନମ ଦୁର୍ଲ୍ଲଭ ଜୀବନ
ହୃଦାଶନେ ଦେଖ ଅଛନ୍ତି ଦିଅଁ
ଗତି ମୁକ୍ତି ଦାତା ସିଏ ହର୍ତ୍ତାକର୍ତ୍ତା
ପାଦ ପଦ୍ମେ ତାଙ୍କ ଶରଣ ନିଅ ।
କବି ଭାରତୀ ସରିତା ମହାନ୍ତି
ବାଲିଆପାଳ, ବାଲେଶ୍ଵର
