କ୍ଷୁଦ୍ରଗଳ୍ପ – ସମୁଦ୍ର – ଅମିୟ ବେଜ୍

ଲେଖକ ପରିଚୟ

ଅମିୟ ବେଜ
ଘଟଗାଁ, କେନ୍ଦୁଝର | +

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏହି ବିଷୟଟି 52 ଜଣ ପାଠକ ପଢି ସାରିଛନ୍ତି

ତେତିଶିକୋଟି ଦେବତାଙ୍କ ପାଖରେ ମନୋକାମନା ପୂର୍ଣ୍ଣ ହେବାର ଆଶୀର୍ବାଦ ଓ ଶୁଭେଚ୍ଛା ନେଇ ଆମେ ଶେଷକୁ ପହଞ୍ଚିଲେ କାନପତା ହନୁମନ୍ତ ପ୍ରଭୁଙ୍କ ପାଖରେ । ତୁମେ ଜଣେ ପ୍ରଚଣ୍ଡ ଶ୍ରଦ୍ଧାଳୁ । ମୁଖସ୍ଥ ତୁମର ହନୁମାନ ଚାଳିଶାର ପ୍ରତିଟି ପଂକ୍ତି । ଏସବୁ ତୁମର ଅବିବାହିତ ସମୟର ଅଭ୍ୟାସ ।

ଭଲପାଇବାଟା ଦୁଇପାଖୁ ହୁଏ । ତୁମେ ଈଶ୍ୱର ଙ୍କୁ ଆଉ ଈଶ୍ୱର ତୁମକୁ । ଏକପାଖିଆ ଆକର୍ଷଣ ଆଦୌ ପବିତ୍ର ନୁହେଁ । ଭକ୍ତ-ଭଗବାନଙ୍କ ଅଦ୍ଭୁତ ଅଛିଣ୍ଡା ରଜ୍ଜୁ ଇୟେ । ପୁଣି ତୁମେ ସବୁବେଳେ କୁହ ‘ ଈଶ୍ୱର ସଭିଙ୍କର ହୋଇଥାନ୍ତି , କିନ୍ତୁ ସଭିଏଁ ଈଶ୍ବରଙ୍କ ହୋଇପାରନ୍ତିନି । ତାପାଈଁ ଅଦ୍ୟମ ନିଷ୍ଠା ଆଉ ଭକ୍ତି ସାଧନା ଲୋଡା ।’

ଏ ସହର ରେ ଢେର୍ ବର୍ଷ କଟିଛି ତୁମର । କୁହ ଏକଥା ତୁମେ । ପୁଣି ଏଠାକାର ପରିଚିତ ମାନଙ୍କ ସହ ଗଢିଛ ଅନେକ ସୁଖ ସମ୍ପର୍କ । ଏ ସହର ତୁମ ସୌଭାଗ୍ୟ ର କାରଣ ବି । ଏଇ ସହରରେ ଛୋଟ ଗୋଟେ ଘର ତୋଳିବାର ସ୍ବପ୍ନ ତୁମେ କେଉଁ ଦିନୁ ଦେଖିଥିଲ । ଯାହାର ଦୁଆର ଆଗରେ ଲେଖାଥିବ “ସମୁଦ୍ର” ! ତା’ ପାଇଁ କରିଛ ଅକ୍ଳାନ୍ତ ପରିଶ୍ରମ ମଧ୍ୟ । ହସପିଟାଲ ରୁ ଫେରି ଅଧାରାତି ଯାଏଁ ବସିଛ ଯାଇ କେଉଁ ବେସରକାରୀ କ୍ଲିନିକ୍ ରେ । ପୁଣି କେଉଁ ରୋଗୀ ର ଛଟପଟକୁ ବରଦାସ୍ତ ନକରିପାରି ବିନିଦ୍ର ରାତି କାଟିଛ ତା ବିଛଣା ମୁଣ୍ଡରେ ।

ଦେଖ ପ୍ରତିଟି ସଦିଚ୍ଛା ର ପ୍ରାପ୍ୟ ଖୁ’ ଦୁର୍ମୂଲ୍ୟ । ତୁମ ସ୍ବପ୍ନ ସାକାର ହୋଇଛି । ତୁମେ ବେଶ୍ ଖୁସି ଅଛ । ତୁମ ଖୁସିରେ ନିଜକୁ ସାମିଲ୍ କରାଇନେବା ଆଉ ସଂକ୍ରମିତ ହୋଇ ଯିବା ହିଁ ତ ମୋ’ର ଭବିତବ୍ୟ । ମୋ’ ଖୁସି ହେବାର ଆଉଗୋଟେ କାରଣ ହେଲା ମୁଁ ପାହାଡ ମୂଳର ଝିଅ । ଗଛ ଚଢିପାରେ , ମାଟି ଖୋଳିପାରେ ଅଥଚ ପାଣି ପ୍ରଖରରେ ବାଟକାଟି ଆଗକୁ ବଢିପାରେନି । ବୁଡିଯିବାର ଭୟ ଘାରେ ମୋତେ । ଯାହା ଯାହାଠାରେ ନଥାଏ , ସେଇତକ ତାକୁ ବେଶି ଉସକାଏ । ସେଇ ନ୍ୟାୟ ରେ ମୋର ସମୁଦ୍ର ପ୍ରେମ । ମୋତେ ସମୁଦ୍ର ଦର୍ଶନୀୟ ଲାଗେ । ଗୋଟେ ଆଦୌ ଭେଦି ନପାରିବାର ରହସ୍ୟ ପରି ।

ତୁମେ କୁହ , ମୁଁ ତୁମର ଯେତିକି ପସନ୍ଦ ତା’ଠୁ ଢେର୍ ଅଧିକ ପସନ୍ଦ ତୁମ ପ୍ରତିଟି ପରିବାର ସଦସ୍ୟଙ୍କ ପାଖରେ । ଏଇ କଥାର ରହସ୍ୟ ବି ମୁଁ ଭେଦ କରିବା ସମ୍ଭବପର ହୋଇପାରିନି ଏଯାଏଁ । ଆମେ ପାହାଡି ଝିଅ ମାନେ ପରିଶ୍ରମକୁ ନିଜ ସୁନ୍ଦରପଣରେ ରୂପାନ୍ତର କରିଦେଉ । ସେଇ କୌଶଳ ଟି ଅନ୍ୟତ୍ର ବିରଳ । ବୋଧେ ମୋ’ ଅକୁଣ୍ଠ କର୍ତ୍ତବ୍ୟପଣ ସଭିଙ୍କ ପସନ୍ଦ ଅପସନ୍ଦର କାରଣ ସାଜିଯାଇଛି କେବଳ ।

କିନ୍ତୁ ନିଜ ପ୍ରିୟପୁରୁଷଙ୍କ ପାଖରେ କର୍ତ୍ତବ୍ୟରତା ହୋଇ , ନା ପ୍ରେମ ଉତଶୃଙ୍ଖଳିତ କାମିନୀ କାଂଚନ ସାଜି ସୁଖି ହେବାକୁ ହୁଏ ? ଏଇ କୌଶଳଟି ପାହାଡି କନ୍ୟା ମାନେ ଆୟତ୍ତ କରିପାରିନାହାଁନ୍ତି ଏଯାବତ । ମୋ’ ଅତୀତ ଶୁଣିଲେ ନହସି ରହିପାରନ୍ତନି ତୁମେ । କେତେ ସାଙ୍ଗସାଥି କେତେ ଆତ୍ମୀୟସହୋଦର କେତେ ବିଦ୍ୟାଗୁରୁ ଙ୍କ କଥା କୁହନ୍ତି ? ଜାଣ ପ୍ରତି ନାରୀ ଏକ ଅଦ୍ଭୁତ ଅଦେଖା ଶକ୍ତି ନେଇ ବଳୀୟାନ୍ । ନଦେଖି ଜାଣିନିଅନ୍ତି ସେମାନେ ପ୍ରତି ଦୁଷ୍ଟ ନିଃଶ୍ବାସ ପ୍ରଶ୍ବାସର ସଂଜ୍ଞା ଉଦ୍ଦେଶ୍ୟ । ବିଡମ୍ବନା କିଏ ସତର୍କ ହୁଅନ୍ତି ଆଉ କିଏ ବେପରୁଆ । ସେଇ ସତର୍କପଣରୁ ମୁଁ ଅକ୍ଷତସୁନ୍ଦରୀ । ଏକଥାର ପ୍ରମାଣ ସେଇମାନେ , ଯିଏ ମୋ’ ରୂପଧାସରେ ଅ’ଭଦ୍ର ରୁ ତତକ୍ଷଣାତ୍ ଭଦ୍ର ପାଲଟିଯାଇଛନ୍ତି ।

ଧେତ୍ ! ନିଜ ବାବଦରେ ଏସବୁ କଥା କିଏ କ’ଣ ଓଗାଳିପାରେ ? ପୁଣି ସ୍ବପ୍ରଶଂସାର ଗୁରୁତ୍ୱ କଣ ରୁହେ ଯେ’ ?

ହଁ ! ଆମର ଏବେ ହେବାକୁ ଯାଉଛି ଗୋଟେ ସମୁଦ୍ର କୂଳରେ ଘର । ଆଃ ! ବାଲକୋନୀ ଉପରେ ସମୁଦ୍ରମୁହାଁ ବସିରହି ତା’ର ବିଭବ , ତା’ର ଅଭେଦ୍ୟ ମାନଂକୁ ଖୋଜିଖୋଜି ଜୀବନ ସାରିଦେବାର ଈଛାଟିଏ କେତେଦିନୁ ମୋ’ ଭିତରେ ଆଉଟୁପାଉଟୁ ।

କେଡେ ସୌଭାଗ୍ୟ ସୁନ୍ଦର ସେଇମାନେ ସତେ ଯାହାର ଥାଏ ସମୁଦ୍ରମୁହାଁ ନିଜ ଘରଟିଏ ..

ଅଥଚ ଦୁର୍ଭାଗ୍ୟ କୁ ଠିକ୍ ବାହାଘର ପୂର୍ବରୁ ତୁମର ବଦଳି ହୋଇଗଲା ଐତିହାସିକ ସହର କଟକ କୁ । ପ୍ରତି ସରକାରୀ ଡାକ୍ତରଙ୍କ ଈପ୍ସିତ ସହର । ଏ ସହରରେ ରୋଗ ଅଧିକ , ରୋଗୀ ଅଧିକ । ଏସହର ରେ ଅଧିକ ପୁଣି ପୂତିଗଂଧମୟ ନାଳନର୍ଦ୍ଦମା , ଠେଲାପେଲା , ଧର୍ତ୍ତବ୍ୟ , ସଂଘର୍ଷ , ଦରଦାମ୍ ଆଉ ବଂଚିବାର ଅଭ୍ୟାସ ଈତ୍ୟାଦି । ଏ ସହର ନିଦ ଯାଏ ରାତି ସରିଗଲେ , ନିଦ ଭାଂଗେ ସୂର୍ଯ୍ୟଙ୍କ ଉପଦ୍ରବରେ । ଅସହ୍ୟ ଏଠି କୋମଳ ଜୀବନ । ତଥାପି ଏଠି ସବୁକିଛି ଐତିହ୍ୟ ।

ଗର୍ବ କେବଳ ଗଂଧ ଉଡିଯାଇଥିବା କନାଖଣ୍ଡକୁ ।

ତୁମେ ବ୍ୟାକୁଳ ହୋଇପଡ଼ ଫେରିଯିବାକୁ । ସେଇ ସମୁଦ୍ର ସହରକୁ । ଯେଉଁଠି ବାଲିରେଣୁ ସୁଦ୍ଧା ଚିହ୍ନନ୍ତି ତୁମ ପାଦଚିହ୍ନ । ଜାଣ , ମୁଁ ବହୁଥର ପଚାରିବାକୁ ଚାହିଁ ପଚାରିନି କାହିଁକି ଏତେଟା ବ୍ୟାକୁଳ ହୋଇପଡ ତୁମେ ? ହୁଏତ ଏଇ ଉତ୍ତର ରେ ମୁଁ ନିଜକୁ ସନ୍ତୁଷ୍ଟ କରେ , ଯେଉଁ କାରଣରୁ ମୁଁ ପାହାଡ଼ ଝରଣା କୁ ଝୁରିହୁଏ , ସେଇକାରଣରୁ ତୁମେ ସମୁଦ୍ର ପ୍ରତି ଦୁର୍ବଳ ହୋଇପଡ଼ ବୋଧହୁଏ ।

ସମୁଦ୍ର ପାଗଳ ସାମୁଦ୍ରିକ ।

ତଥାପି ପ୍ରତି ସାମାନ୍ୟ କାରଣ ଭିତରୁ , ଅୟୁତେ ଉପକାରଣ ଖୋଜିବା ଏକ ନାରୀଧର୍ମ । ମୁଁ ତୁମକୁ ସଂଦେହ କରେନି । କିନ୍ତୁ ସଂଦେହ କରେନି କହିବାବି ତ ଏକ ସଂଦେହ । ଏସବୁ ବିଗାଡିଦେଇଛି ସେଇ ଦୁର୍ଭାଗିତ ସଂଜ । ମନେରଖିଛ ନା ଭୁଲିଯାଇଛ ତୁମେ ? ପୁଅ ମାନେ କୁଆଡେ “ଭୁଲିଯିବା” କୁ ନିଜର ଗୌରବ ମନେକରନ୍ତି । ତୁମେ ଏକପ୍ରକାର ନିର୍ଦ୍ଦେଶ ଦେଇ କହିଲ –

‘ ଶିତାଂଶୁ କେବଳ ତୁମକୁ ଦେଖିବାକୁ ଏତେ କଷ୍ଟକରି ସମୟକାଢି ଆସୁଛି । ସେ ଡାକ୍ତର । ସବୁ ଅସୁସ୍ଥ ସୁନ୍ଦରୀ ଙ୍କୁ ସୁସ୍ଥ କରାଇବାର ଭଗବାନ । କିଛି ଫରକ ନଥାଏ ସେମାନଙ୍କୁ । ତଥାପି ସେ ଦେଖିବାକୁ ଆସୁଛି କାହିଁକି ଜାଣ ? ଆମ ଭିତରେ ଗୋଟେ ପ୍ରତିଯୋଗିତା ଥିଲା । କାହାର ସ୍ତ୍ରୀ ଅଧିକ ସୁନ୍ଦରୀ ହେବ । କହିବାବାହୁଲ୍ୟ ସିଏ ପ୍ରେମବିବାହ କରିଥିବା ଡାକ୍ତର ସିମି ବାନୁ ଜଣେ ଅଦ୍ଭୁତ ସୁନ୍ଦରୀ । ଏମିତିରେ ମୁସଲିମ୍ ଲେଡି ମାନେ ଅପୂର୍ବ । ସିମି ଭାବିଙ୍କ ପୂର୍ବପୁରୁଷ ଈରାନୀ । ତେଣୁ ଆରବୀ ଠାଣୀ ଆଉ ଅଂକାବଂକା ଦେହ ନେଇ ସେ ପରିପୃଷ୍ଠ । ଆମେ ଏକାସହ ଏମକେସିଜିରେ ପିଜି କରୁଥିଲୁ । ସେଇଠୁ ସେମାନଙ୍କ ପ୍ରେମ । ମୁଁ ତତୋଧିକ ଖୋଜିଖୋଜି ତୁମକୁ ପାଇଛି । ତୁମେ ଭଲକି ସଜେଈ ହୁଅ ଟିକେ …!

ମୁଁ ବିସ୍ମିତ ହେଲି । ପଚାରିଲି –

– ତୁମର ସେଇ ଅପୂର୍ବ ସୁନ୍ଦରୀ ଭାବିଜୀ ବି ଆସୁଛନ୍ତି ତ ?

ତୁମେ ଚୁପ୍ ହେଲ କିଛିକ୍ଷଣ । ଆଉ ମୁଣ୍ଡ ହଲାଇ ମନାକଲ । ମନେପଡିଲା ୟୁନିଭରସିଟିରେ ଜଣେ ରିଡର୍ ମାଡାମ୍ ଙ୍କ ସ୍ପଷ୍ଟୋକ୍ତି ।

‘ ସୁନ୍ଦରୀ ପତ୍ନୀଟିଏ ପ୍ରାପ୍ତ ହୋଇ ବିମୋହିତ ହେବା କୌଣସି ପୁରୁଷର ଏକାନ୍ତ କାମ୍ୟ ନଥାଏ , ବରଂ ଥାଏ ସୁନ୍ଦରୀଟିଏର ସ୍ବାମୀତ୍ବ ବରିବା ଓ ନିଜର ବଡିମା ପ୍ରକଟିତ କରାଇବାର ତୁଚ୍ଛା ଆଦର୍ଶବାଦ ।’

ମୁଁ ଯେ’ ଜଣେ ଅନ୍ୟ ପୁରୁଷ ପାଇଁ ସଜବାଜ ହୁଅନ୍ତି , ଆଉ ଏଥିରେ ଅଛି ମୋ’ ସଦ୍ୟ ବିବାହିତ ସ୍ବାମୀ ଙ୍କର ଈଚ୍ଛାସମ୍ମାନ , ଏତକ ହୃଦୟଙ୍ଗମ କରିବାକୁ ସମୟ କାହୁଁ ଥିଲା ସେତେବେଳେ ? ଡାକ୍ତର ଶିତାଂଶୁ ଯେ ପହଞ୍ଚିବା ଉପରେ ! ସର୍ବାଧିକ କାରୁକାର୍ଯ୍ୟପୂର୍ଣ୍ଣ ଶାଢୀ ଟିକୁ ଦେହରେ ଗୁଡାଉ ଗୁଡାଉ ତୁମେ ଚିତ୍କାର କଲ –

– ଏମିତି ନୁହେଁ , ଟିକେ ନାଭି ତଳକୁ …

ଚମକି ପଡିଲି । କେତେ ତଳକୁ ଖସିବ ସ୍ତ୍ରୀ ଲୋକଟିଏ ? ନାଭିର କେତେ ତଳଯାଏଁ ? ତୁମେ ଆଗ୍ରହ କରିଥିଲ ଏଥିପାଇଁ ! ଅଥଚ ଦେଖତ ତୁମ ଯାବତୀୟ ନିର୍ଦ୍ଦେଶ ମାନିନେବାକୁ ଏକ ଅଲିଖିତ ରାଜିନାମା ଆମ ଭିତରେ ଅଛି । ଥାଉ , ସେକଥା ଏଠି ଉଠାଇବିନି । ଓ ମୁଁ ଶାଢୀ କୁଞ୍ଚକୁ ସେଇଯାଏଁ ଯଥେଷ୍ଟ ନେଲି , ଯେତିକି ପରେ ଆଦୌ ପାରିନଥାନ୍ତି ।

ସାରା ସଂଜ ତୁମର ଅବିରତ ବନ୍ଧୁ ଡାକ୍ତର ଶୀତାଂଶୁଙ୍କ ଆଖି ଯୋଡିକ ଏକତ୍ରିତ ହୋଇ ଲାଖି ରହିଥିଲା ଆସି ମୋ’ ନାଭିତଳେ । ଟିକେ ଆଗରୁ କହିଛିନା , ନାରୀ , ବାରିନେବାର ଏକ ଅଦ୍ଭୁତ ଶକ୍ତି ରେ ବଳୀୟାନ୍ ? ମୋ ପେଟ ପିଠି ରେ ଝାଳଧାର । ଲାଜର , ଅପମାନର ଧାର । ଏସି ର ପାରଦକୁ ଆଉରି କମାଇଲି ମୁଁ ।
ତୁମେ କିନ୍ତୁ ବନ୍ଧୁଚର୍ଚ୍ଚା ରେ ଖୁସି ଆଉ ବ୍ୟସ୍ତ । ପୁଣି ଉଠିଆସି କହିଲ –

– ବିୟର୍ କମ ପଡିଲା । ଏଇ ଯାଇ ଆସିଲି ।

ହେ ସ୍ବାମୀ ! ମନେଅଛି ନା ନାହିଁ ତୁମର ? ଏକୁଟିଆ ନିଜର ସଦ୍ୟବିବାହିତା ଅନିନ୍ଦ୍ୟ ସୁନ୍ଦରୀ ପତ୍ନୀ କୁ ଗୋଟେ ନିବୁଜ୍ ଘରେ , ପୁଣି ବନ୍ଧୁଙ୍କ ଦାୟିତ୍ୱରେ ଛାଡିଦେଇ କିଛିକ୍ଷଣ ନିରୁଦ୍ଧିଷ୍ଟ ହୋଇପାରିଥିଲ ତୁମେ ।

ପୁରୁଷ ମାନେ ସତରେ ସବୁକଥା ଭୁଲିଯାନ୍ତି ନା ଭୁଲିବାର ଅପଚେଷ୍ଟାରେ କାଳ କାଟନ୍ତି ?

” ମୁଁ ଜଣେ ସ୍ତ୍ରୀରୋଗ ବିଶେଷଜ୍ଞ । ଆଶିର୍ବାଦ କରୁଛି ତୁମକୁ ମାଡାମ୍ । ପୁତ୍ରବତୀ ହେବ ”

ଜାଣ ତୁମେ କମ୍ ପଡିଯାଇଥିବା ବିୟର୍ ବୋତଲ ନେଇ ଫେରିବାଯାଏଁ ମୁଁ ନିଜକୁ ଗାଧୁଆଘରେ ବନ୍ଦ ରଖିଥିଲି । ତୁମେ କିନ୍ତୁ ଖୁବ୍ ସହଜ ସୁଲଭରେ ପଚାରିଥିଲ –

– ଏ ଅବେଳଟାରେ କାହିଁକି ଗାଧୋଇଲ ଡାର୍ଲିଂ ?

ଯାହା ମୁଁ ତୁମକୁ ବୁଝାଇପାରିନଥାନ୍ତି , ସେଇକଥାଟି ହେଲା , ମୋ ନାଭିତଳୁ ଗୋଟେ ଅଭ୍ୟସ୍ତ ହାତ ପାପୁଲିକୁ ଧୋଇ ସଫାକରୁଥିଲି । ସେଦିନର ସାଂଧ୍ୟ ଆସର ଖୁବ୍ ବେଳଯାଏଁ ଲମ୍ବିଲା । ତୁମ ସୁବନ୍ଧୁ ବିଦାୟ ନେଲେ ନିର୍ବିକାର ମନନେଇ । ତୁମେ ଅବଚେତନରେ ସେଇ ରାତିରେ ମୋତେ ପ୍ରେମ ମାଗିଥିଲ । ମୁଁ ତୁମକୁ ଘୃଣା ଆଉ ଧୋକା ବାଣ୍ଟିଲି । ତୁମେ ନିର୍ବୋଧ । ଆଜିଯାଏଁ ଏକ ମିଛପ୍ରାପ୍ତିର ପ୍ରାଚ୍ୟୁର୍ଯ୍ୟ ନେଇ ନିଜକୁ ଧନୀ ମନେକରିଆସିଛ ।

ଆମର ଝିଅ ହେଲା । ଠିକ୍ ତମପରି ସୁନ୍ଦର କଥାକୁହା ଆଖି , ଓଠ ତଳେ ଗାଢ କଳାଜାଈ ।

ସେଦିନର ତୁମପାଇଁ ସାମାନ୍ୟ ଆଉ ମୋର ଭୁଲିହେଉନଥିବା ସଂଜ କୁ ନେଇ ଆମେ ଆଦୌ ଆଲୋଚନା କରିନାହାନ୍ତି । ଆବଶ୍ୟକତା ବି କଣ ? ତୁମେ ପୃଥିବୀର ସେଇଭାଗ ପୁରୁଷଙ୍କ ଭିତରୁ ଜଣେ , ଯିଏ ଧରିନେଇଥାନ୍ତି ନିର୍ଭରଯୋଗ୍ୟ ନାରୀ ମାନଙ୍କୁ ଅନାବଶ୍ୟକ ସମ୍ମାନ ଦିଆଯାଏ । ଯାହା ସେମାନଙ୍କ ପ୍ରାପ୍ୟ ନୁହେଁ ।

ତୁମେ ଭାରି ଖୁସିଅଛ ଆଜି । ଜୀବନର ସବୁତକ ପୁଂଜି ଲଗାଇ ଘରଟିଏ ସମୁଦ୍ର କୂଳରେ ତୋଳିଛ । ତୁମ ଈପ୍ସିତ ଘର । ଏଇ ଏବେଏବେ ରେଜିଷ୍ଟ୍ରି ସାରି , ମଂଗଳ ମନାସୀ ଠାକୁର ଙ୍କ ଦୁଆରେ ଆମେ । ସାଙ୍ଗରେ ଆମର ତିନିବର୍ଷ ର କୁନିଝିଅ । ଜୀବନରେ ଆହୁରି ଅନେକ ଉପଲବ୍ଧି ବାକି ରହିଛି । ଝିଅ ଭବିଷ୍ୟତ କୁ ନେଇ ଅସୁମାରୀ ସ୍ବପ୍ନ । ତୁମେ ଆଜିକାଲି ଖୁବ୍ ପରିଶ୍ରମ କରୁଛ । ତତଜନିତ କ୍ଳାନ୍ତି ଆଉ ଅସୁସ୍ଥପଣ । ମୁଁ ବାରବାର ମନେପକାଉନି ଆଉ ଯେ , ତୁମେଜଣେ ପ୍ରଚଣ୍ଡ ସୁନ୍ଦରୀ ପତ୍ନୀର ସ୍ବାମୀ । ୟୁନିଭରସିଟିର ସେଇ ରିଡର୍ ମାମ୍ କହିଥିଲେ –

” ଝିଅମାନେ ବୟସ ତାଳରେ ଅଧିକତର ପରିପୃଷ୍ଟ ଓ କାରୁକାର୍ଯ୍ୟ ସମ୍ପର୍ଣ୍ଣା ହେଉଥିବା ବେଳେ ପୁରୁଷ କର୍ମକ୍ଳାନ୍ତ ଅସ୍ତଗାମୀ ହେବାରେ ବ୍ୟସ୍ତ ହୋଇପଡିଥା’ନ୍ତି । ଏସବୁ ବିଡମ୍ବନା ନୁହେଁ ବରଂ ଯୁକ୍ତିଯୁକ୍ତ । ”

ସବରେଜିଷ୍ଟ୍ରି ଅଫିସରୁ ସବୁକାମ ଠିକ୍ ଠାକ୍ ସାରି ଆମେ ମହାପ୍ରୁଙ୍କ ଦର୍ଶନ ଲଭିଛନ୍ତି । ଏବେ ତୁମ ଆପଣାର ଠାକୁର ‘କାନପତା ହନୁମନ୍ତ’ । ମୁଁ ମୁଣ୍ଡରେ ଚୁନି ଟାଣି ଓଢଣୀ ଦେଇ ଝିଅର ହାତ ଧରିଛି । ତା’ ପାଦ ପଥରରେ ତାତି ଯାଉଛି । ବୁଢା ପୂଜକ ଜଣଙ୍କ ତୁମକୁ ଜାଣନ୍ତି । ସିଏ ତୁମ ନାଁ ଧରି ଡାକୁଛନ୍ତି ମଧ୍ୟ । ଏଇ ଛବର୍ଷ ଭିତରେ କାଇଁ ମୋତେତ କେବେ ଏଠାକୁ ଆଣିନଥିଲ ତୁମେ ? ତୁମର ଏଠି ଏତେ ପରିଚୟ ? ହଁ ଡାକ୍ତର ଯେଣୁ ।

ଖୁବ୍ ସୁନ୍ଦର ସନ୍ତୋଷ ଜନକ ଥିଲା ଏଠି ପୂଜାର୍ଚ୍ଚନା । ମୁଁ ବିହ୍ବୋଳ ହେଉଛି ତୁମ ଭକ୍ତପଣିଆ ଦେଖି । ତୁମେ ଖୁବ୍ ବିନମ୍ର ମଣିଷ । ଦକ୍ଷିଣା ଵଢାଇଲା ବେଳେ ବୁଢା ପୂଜକ ମୋ ମୁଣ୍ଡରେ ହାତରଖି ଅହ୍ୟସୁଲକ୍ଷଣୀ ହେବାର ଆଶିଷ ଦେଉଛନ୍ତି । ତୁମେ ନିର୍ବାକ୍ ହୋଇ ଚାହିଁଛ ତାଙ୍କୁ । ବୃଦ୍ଧ ଵାଵାଜୀ ଏବେ ତୁମକୁ ଚାହିଁରହିଲେ କିଛିକ୍ଷଣ ….

– ମନେରଖିବୁ । ଏ ଝିଅ ଆଖିତଳେ ମେଂଚାଏ ଲୁହ ଦବିରହିଛି । କେବେ କଂଦାଇବୁନି ତା’କୁ । ଢେର୍ କ୍ଷତି ହେବ ତୋ’ର…

ତୁମେ କେମିତି ଏକ ଅସହାୟ ହୋଇପଡିଲ । ନିରୀହ ଆଖିରେ ଚାହିଁଥିଲ ମୋତେ । ମୁଁ ତୁରନ୍ତ ଉତ୍ତର ଫେରାଇଲି –

– ନାଇଁ ନନା ନାଇଁ । ଈୟେ ଦେବପୁରୁଷ । ଖୁବ୍ ଭଲରେ ସାଇତିଛନ୍ତି ମୋତେ । ଦେଖୁନାହାଁନ୍ତି ଆମେ ସମୁଦ୍ର କୂଳରେ ଘର କିଣିଲୁ । ହେଇ ମୋର ଗୁଲୁଗୁଲିଆ ଝିଅଟେ’ ବି….ତାର ମୁଖସ୍ଥ ହେଲାଣି ହନୁମାନ ଚାଳିଶା ମଧ୍ୟ …

ଆମେ ଫେରୁଥିଲେ କଟକ । ସେଇବେଳୁ ତୁମେ ଚୁପ୍ ହୋଇ ବସିଛ ଗାଡି ଭିତରେ । କଣ ଭାବୁଛ ଏତେ ? ଘରର ବାକିତକ କିସ୍ତି ବାବଦରେ ? କେଉଁ ଏକ ଅସାଧ୍ୟ ରୋଗୀ ବାବଦରେ ? ନା ପୂଜକଙ୍କ ନିର୍ଦ୍ଦେଶ ବାବଦରେ ?

ଜାଣ ଯେବେ ବୟସ ଗଡିବ , ମୁଁ ନିଶ୍ଚେ ଥରୁଟିଏ ପଚାରିବି ତୁମକୁ ,

– କାହିଁକି ଏ ସମୁଦ୍ର ସହର ପ୍ରତି ଆକର୍ଷି ପଡ଼ ତୁମେ ? କାହିଁକି ଏଠାର ଈପ୍ସିତ ଘରଟି ପାଇଁ ଏତେ ପରିଶ୍ରମ ତୁମର ?

କ’ଣ ଏଠି ରହୁଥିବା ତୁମ ଅବିରତ ବନ୍ଧୁ ଡାକ୍ତର ଶିତାଂଶୁ ଙ୍କ ସହଚର୍ଯ୍ୟ ପାଇଁ ?

ଆଛା କହିବକି ତୁମେ , ତୁମ ସହପାଠିନୀ – ବନ୍ଧୁପତ୍ନୀ – ଆରବୀ ସୁନ୍ଦରୀ ଡାକ୍ତର ସିମି ବାନୁ ଙ୍କୁ ଶ୍ରଦ୍ଧାସୁମନରେ ଆଲିଙ୍ଗନ କରି ପୁତ୍ରବତୀ ହେବାର ଆଶିର୍ବାଦ କେବେ ଦେଇଛକି ?

ତୁମେ ପ୍ରସ୍ତୁତ ଥିବ ….

– ଘଟଗାଁ, କେନ୍ଦୁଝର

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 ରିଭିୟୁ ଗୁଡିକ
Article Rating
ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 Comments
Inline Feedbacks
ସମସ୍ତ କମେଣ୍ଟ ଦେଖନ୍ତୁ