କ୍ଷୁଦ୍ରଗଳ୍ପ – ସାହସ – ମାନମୟୀ ରଥ

ଲେଖକ ପରିଚୟ

ମାନମୟୀ ରଥ
ପୁରୀ, ଓଡିଶା | +

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏହି ବିଷୟଟି 40 ଜଣ ପାଠକ ପଢି ସାରିଛନ୍ତି

ହ୍ୟାଣ୍ଡବ୍ୟାଗଟିକୁ ଡାହାଣ ହାତରୁ ବାଁ ହାତକୁ , ବାଁ ହାତରୁ ଡାହାଣ ହାତ କରି ଅସୀମା ଓହ୍ଲେଇ ପକେଇବାକୁ ଚାହୁଁଥିଲା ତା ଭିତରର ଅନ୍ୟମନସ୍କତାକୁ । ଡକ୍ୟୁମେଣ୍ଟର ଜେରକ୍ସ କପି ସବୁ ଫାଇଲ ଭିତରେ ସଜେଇ ଅସୀମା ହାତକୁ ବଢ଼େଇ ଜାନକୀ ବାବୁ କହିଲେ , “ଅଠର ନମ୍ବର ସିଟ୍” ।ଅସୀମା ମୁହଁ ପୋଛି ପଚାରିଲା , “ହାଇକମ ବସଗୁଡାକ କଣ ଭଲଭୋ ଭଳି ? ”
…”କେଜାଣି..!”ଜାନକୀବାବୁ ହସିଲେ ଟିକେ ।
ଅସୀମା ବସ ଆସିବା ରାସ୍ତାକୁ ଚାହିଁଲା । ନଆସନ୍ତା କି ଆଜିର ବସ ! ଛାତି ଭିତରୁ ଚିରି ହୋଇ ଆସୁଛି ଉଦବେଗ ।
ବସର ଗହଳିକୁ ଅସୀମା ଯେତିକି ବୁଝିଛି , ଭୋଗିଛି ସେଇଟା ଅସୀମା ବାଦ କିଏ ଜାଣିବ ! ବଲାଙ୍ଗୀରରୁ ଅଧିକ ଚାଳିଶ ଟଙ୍କା ଦେଇ ସିଟ୍ କରାହେଲା ସିନା ଝର୍କାପାଖ ସିଟ୍ ହେଲାନି ।ଜାନକୀ ବାବୁ କହିସାରିଥିଲେ , ଠାକୁରାଣୀ ଯାତ ମ୍ୟାମ । ସିଟ୍ ମିଳୁନି ।”
ଝର୍କା ପାଖ ସିଟ୍ ନମିଳିଲେ ଜାଣି ଠିଆ ହେବ ପଛେ ବସିବା କଥା ନୁହେଁ । କାରଣ ଥାଉ କି ନଥାଉ ତୁମ ଦେହରେ ଅଧା ଭାର ଅଜାଡ଼ି ଦେଇ ଠିଆ ହୋଇପଡିବେ ଲୋକେ । ଆପତ୍ତିର ଭାଷା ବାହାରୁ ବାହାରୁ କୁହାଟ ମାରିଲା ଭଳି କହିବେ, ” ବସିବା ଲୋକ ଆପଣ କେମିତି ଜାଣିବେ ଠିଆହେବାର ଦୁଃଖ । ଲୋକେ କୁଦି ପକାଉଛନ୍ତି ପାଦ ।କହୁଣୀରେ ଖେଞ୍ଚି ପକାଉଛନ୍ତି କଙ୍କାଳର ସନ୍ଧି ।”ପ୍ରତିବାଦ କରିବାର ଯୁ’ ନଥାଏ । ତା କାନ୍ଧରେ , ବାହୁରେ , ପିଠିରେ ବଡ଼ ଅପରିଷ୍କାର ଢଙ୍ଗରେ ଘଷି ଠିଆ ହୋଇଥିବା ଲୋକଙ୍କ ଉପସ୍ଥିତି ତାକୁ ବେଶି ଅସ୍ଥିର କରେ ଯେତିକି ନକରେ ଅନ୍ଧାର କି ଡକେଇତି ।
ନିଃଶ୍ୱାସ ଛାଡିଲା ଅସୀମା । ସେ କେବେ ଫିଲ୍ମୀ ହୋଇ ପାରିଲାନି ।ଦୁଇ ଥାପଡ଼ ନା କାହାକୁ ମାରି ପାରିଲା ନା ଝାଡ଼ି କରି ଦି’ପଦ ଶୁଣାଇ ପାରିଲା ନା ପୋଲିସରେ କାହାକୁ ଦେଇପାରିଲା ।କଲେଜ ବେଳଠୁ ଆଜିଯାଏଁ ବସ୍ ରେ ଗୋଟେ ଥତମତ ଭାବ ଖସଡ଼ା ଶାଢିଟେ ପରି ଗୁଡାଇଥାଏ ତାକୁ ।ସେ କେଵଳ ଅସ୍ତବ୍ୟସ୍ତ ହୁଏ । ପାଟି ଖୋଲି ପାରେନି । ଶୋଇପାରେନି ଅପମାନରେ , ଖାଇପାରେନି କୋହରେ ।ତାକୁ ଲାଗେ ଯେମିତି ମେଲେଇ ହୋଇ ଯାଇଥିଲା ସେ ଗୋଟେ ଖୋଲା ବହି ଭଳି । ଧର୍ଷିତା ହେବାର ଯନ୍ତ୍ରଣା କଣ ୟାଠୁ ଅଧିକ ? କାହା ଆଖିର ଚାହାଣୀରେ , କାହାର ଓଠ କାମୁଡ଼ାରେ , କାହାର ଅପରିଷ୍କାର ଛୁଆଁରେ ସେ ଧର୍ଷିତା ହେଉଥାଏ ମୁହୂର୍ତ୍ତ ମୁହୂର୍ତ୍ତ ବ୍ୟାପି ତା ଷ୍ଟପେଜ ଆସିଲା ଯାଏଁ । କେବେ ଲୁହରେ , କେବେ ନିଃଶ୍ୱାସମାନଙ୍କ ଭିଡରେ ସେ ରୁନ୍ଧି ହୁଏ ରାତିସାରା ଏବଂ ଅନ୍ୟସବୁ ସାଧାରଣ ଘଟଣା ଭଳି ଏହି ବିଭତ୍ସ ଦିନମାନଙ୍କୁ ଭୁଲିଯାଏ ଅସତର୍କରେ ।
ଟିକେଟ ପଇସା ଯାଉ ପଛେ ଘରକୁ ଫେରିଯିବାକୁ ଉଚ୍ଚାଟିତ ହେଲା ଅସୀମା । ଘରେ ଥିଲେ ଖଟ ଉପରେ ଶୋଇ ଲାଇଫ ଓକେ ଚ୍ୟାନେଲରେ ସାବଧାନ ଇଣ୍ଡିଆ ଦେଖି ଲଢ଼ିବାର ସାହସ ସାଉଁଟିଥାନ୍ତା । ବିନା ସାଇଡ଼ ସିଟ୍ ରେ ଏଇ ତାତି ଗୁଳୁଗୁଳିରେ ଇଚ୍ଛା ହେଉନଥିଲା ତାର ବ୍ରହ୍ମପୁର ଯିବାକୁ । ଅଧସ୍ତନ ହୋଇଥିଲେ ବି ଜାନକୀ ବାବୁଙ୍କୁ କହିପାରିଲା ନାହିଁ ତାର ଫେରିବାର ଇଚ୍ଛାକୁ । ଅଫିସରେ ସିନା ଅଧସ୍ତନ ରାତି ଦଶ ପରେ ଖାଇବା ପିଇବା ନକରି ଉପରିସ୍ଥ କର୍ମଚାରୀଙ୍କ ପାଇଁ ଠିଆ ହେବ ବି କାହିଁ ଜଣେ ମଣିଷ !
ଦିନ ଏଗାରଟା ବେଳେ ବଲାଙ୍ଗୀର ଓ.ଆର.ଟି.ସି.ରୁ ଫୋନ ଆସିଥିଲା ।”ସାଇଡ଼ ସିଟ୍ ହେବନି ମ୍ୟାମ । ବରଗଡ଼ରୁ ଜଣେ ଲେଡିଙ୍କ ସହ ସିଟ୍ ଅଛି । ଟିକେଟ କନଫର୍ମ କରିବି ? ଜରୁରୀ ଅଫିସ କାମ ଥିଲା । ବିକଳ୍ପ ନଥିଲା । କୁନ୍ଥୁ କୁନ୍ଥୁ ହୋଇ ‘ହଁ’ଟେ କରିଥିଲା ସେତେବେଳେ ।
ଟିକେଟରେ ଲେଖା ହୋଇଥିବା ସମୟର ପଇଁଚାଳିଶ ମିନିଟ ବିଳମ୍ବରେ ପହଁଚିଲା ବସ । ତରତର ହୋଇ ଆଗୁଆ ଚଢ଼ିଗଲେ ଜାନକୀ ବାବୁ । ଅସୀମା ଗଲାପରେ ଘରକୁ ଫେରିବେ । ପୁଅ ତାଙ୍କର ଫୋନ କରିଥିଲା ଟପ ରୋମାନ ନେଇ ଯିବାକୁ । ରାତି ଦଶ ପରେ ଟପ ରୋମାନ ଖୋଜୁଥିବା ପିଲାଙ୍କ ପାଖକୁ ଆଜ୍ଞାଵହ ଜାନକୀ ବାବୁ ଠିକ ସମୟରେ ପହଞ୍ଚି ପାରନ୍ତି ନାହିଁ ।
ବସ ଭିତରୁ ଜାନକୀ ବାବୁ ଡାକିଲେ , “ମାଡାମ ଆସନ୍ତୁ । ଡରି ମରି ବସ ଭିତରକୁ ପଶି ଅଠର ନମ୍ବର ସିଟ୍ ପାଖରେ ଥିବା ତାର ସହାଯତ୍ରୀଣୀଙ୍କୁ ଚାହିଁଲା । ସତର ନମ୍ବର ସିଟ୍ ର ପୂରା ଅଠର ନମ୍ବର ସିଟ୍ ଅଧାଅଧି ସ୍ଥାନକୁ ଆବୋରି ଶୋଇଯାଇଛି ବୁଢ଼ୀ ମଣିଷ ଜଣେ । ଗହନ ନିଦରେ ଆଣ୍ଠୁ ଉପରକୁ ଟେକି ହୋଇଯାଇଛି ଲୁଗା ।ଏଡ଼େ ନିଦରେ ବି ସମ୍ଭାଳି ରଖିଛି ସେ ମୁଣ୍ଡର ଓଢଣା ।
ଅଧା ବସି ଅଧା ନବସି ଅସୀମା ଚାହିଁଲା ଚାରିପଟକୁ ।କାହିଁ କେଉଁ କାଳରୁ ଅରମା ରାସ୍ତାରେ ଯାଇ ଯାଇ ଥକି ପଡିଲା ଭଳି ଲାଗୁଥିଲା ବସ୍ ର କଳେବର । ଆରାମ କହିଲେ ଯାହା ବୁଝାଉଥିଲା ତାହା ହେଲା ଝାଳରେ ତିନ୍ତି ରହଣୀ ଗନ୍ଧରେ ଆଉଟି ହୋଇ ଯାଉଥିବା ଗୋଟିଏ ବସ ଭିତରେ ଲୋକଙ୍କ ନିଦ ! ତାକୁ ବେଢ଼େଇ ଥିବା ପରିବେଶରେ କାହାର ଚନ୍ଦାମୁଣ୍ଡ , କାହାର ଚିଡାପଣ , କାହାର ସାପ ଭଳି ତା ସିଟ୍ ତଳକୁ ପଶି ଆସିଥିବା ନିଦୁଆ ଗୋଡ଼ ସୁହାଉନଥିଲା ଅସୀମାର ଆଖି କି ମନକୁ ।
ବ୍ୟାଗ ଧରି ଚୁପଚାପ ତଳକୁ ଓହ୍ଲେଇ ଗଲା ସେ । ମଟର ସାଇକେଲରେ ଷ୍ଟାର୍ଟ ମାରୁଥିଲେ ଜାନକୀ ବାବୁ । ପଚାରିଲେ , “କଣ ହେଲା ?”
” ସଫୋକେଟେଡ଼ ଲାଗୁଚି ।” ଅସୀମା ତଳକୁ ମୁହଁ ପୋତିଲା । ପାସେଞ୍ଜରଙ୍କୁ ନେଇ ତା ଭିତରେ ଥିବା ଆଶଙ୍କା ତାକୁ ଯେତିକି ଖାଇ ଗୋଡାଏ ସେତିକି ରାସ୍ତାରେ ବାଥରୁମ ସମସ୍ୟା ଛାନିଆ କରାଏ । ବସ୍ ରେ ଅଧିକାଂଶ ମହିଳା ଯାତ୍ରୀ । ସେମାନେ ପୁଣି ଯାଉଛନ୍ତି କେମିତି ! ବସରେ ଯିବା ଲାଗି ମାନସିକତା ଅଣ୍ଡାଳି ହେଲା ।
ବସ ହର୍ଣ୍ଣ ଦେଲା ତ ସିଟ୍ ଉପରକୁ ଆସି ନିଜକୁ ସଜିଲ କଲା ସେ ଯେମିତି ମଟର ଚଣା । ଭିତରେ ପ୍ରବଳ ଗରମ । ଗାଡି ଦୌଡୁଛି ଶଗଡ଼ ପରି ।ସାଇକେଲରେ ଅସୀମା ଥିଲେ ହୁଏତ ଅଧିକ ଶୀଘ୍ର ସେ ମାଡି ଯାଇପାରିଥାନ୍ତା ଗନ୍ତବ୍ୟ ସ୍ଥଳରେ ।
ଗାଡ଼ି ସହର ଛାଡ଼ି ଆଗକୁ ମାଡି ଚାଲିଥିଲା । ଦ୍ୱାଦଶୀର ଜହ୍ନରେ ପରିଷ୍କାର ଦିଶୁଥିଲା ରାସ୍ତାଘାଟ । ଗଛ ତ ଆଜିକାଲି ନାହିଁ । ନହେଲେ ଗଛ ସହ ଦୌଡନ୍ତା ଜହ୍ନ ବସ କି ଟ୍ରେନରେ ଭାରି ସୁନ୍ଦର ଲାଗେ ତାକୁ ।
ଢେମା ଚଷମା ଲଗେଇଥିବା କଣ୍ଡକ୍ଟର ତା ସିଟ୍ ରେ ବସି ପଛକୁ ତେଢେଇ କରି ଦେଖିଲା ଏବଂ ଲାଇଟ ଅଫ କଲା । ଦାଉଁ କରିଗଲା ଅସୀମାର ଛାତି ।
ଅସୀମା ହିସାଵ କଲା । ଏବେଠୁ ବ୍ରହ୍ମପୁର କଥା ଭାବିଲେ ନାହିଁ ନଥିବା ବ୍ୟସ୍ତତା କୋରେଇ ପକେଇବ ତାକୁ । ପରବର୍ତ୍ତି ଷ୍ଟପେଜକୁ ସବୁବେଳେ ଲାଷ୍ଟ ଷ୍ଟପେଜ ଭାବି ସେ ଦୂରତା ଜନିତ ବିରକ୍ତିକୁ ଭୁଲିବାକୁ ଚେଷ୍ଟା କରେ ଏବଂ ତାହା ହିଁ କରିବାକୁ ଚେଷ୍ଟା କଲା ସେ ।
ମାଉସୀ ଜଣଙ୍କ ପ୍ରତି ପାଞ୍ଚ ଦଶମିନିଟରେ ଲଦି ହୋଇପଡୁଛନ୍ତି ତା ଉପରେ । ଯେତେ ଧୀରେ ସେ ମାଉସୀଙ୍କୁ ତାଙ୍କ ସିଟ୍ ଆଡ଼କୁ ମୁହାଁଉଛି ସେତେ ଜୋରରେ ମାଉସୀ ଅଜାଡ଼ି ହୋଇ ପଡୁଛନ୍ତି ତା ଉପରେ ।ଶୁଖିଲା ବାଉଁଶ ତାଟି ଖାଡି ଭଳି ହାତଗୋଡ଼ ମାଉସୀଙ୍କର । ନିଦ ବାଉଳାରେ ଏମିତି ଖେଂଚା ମାରୁଛନ୍ତି ଯେ ଅସୀମାର ମାଂସଳ ଶରୀର ଚିହିଁକି ଯାଉଛି କଷ୍ଟରେ । ନିଜ ଉପରେ ବିରକ୍ତି ଆସିଲା ତାର । ‘ଫୁଟାଣିଆ କୁକୁଡ଼ା ଖାଉଥା ଉଖୁଡା । ‘ ସେ ନିଜକୁ ନିଜେ କହିଲା । “ତୁମେ କେବେ କିଛି କରିପାରିବନି କି କହି ପାରିବନି । ତୁମକୁ ତୁମ ଭୟ ହିଁ ଖାଉଛି । ତୁମ ପାରିଲାପଣ ତୁମ ଅଧୀନସ୍ଥ କର୍ମଚାରୀ ଆଉ ଆମ ଉପରେ । ଆମକୁ ହାଉଁ ବାହାରେ ମ୍ୟାଉଁ । କାଇଁକି ନା ତୁମେ ଜାଣ ଆମେ ତୁମକୁ ସହିବୁ , ଚୁପ ରହିବୁ ।” କୁହନ୍ତି ସୌରଭ । “କେମିତି ବାହାରିବି ଏଥିରୁ ? ବିକଳ ହୋଇ ଚାହେଁ ସେ ସୌରଭଙ୍କୁ ।”ପ୍ରଥମେ ନିଜକୁ ବୁଝ । ବାହାର ଅହଂକାରରୁ , ହୀନମନ୍ୟତାର ଦୁଃଖରୁ । ସୌରଭ ସତର୍କ ଗଳାରେ ଉତ୍ତର ଦିଅନ୍ତି । “ଯେଉଁମାନେ ବଡ଼ପାଟିରେ ନଥିବା କଥା କହୁଛନ୍ତି , ଅସଭ୍ୟ ,ଦୁର୍ଦ୍ଦାନ୍ତ ହେଉଛନ୍ତି ସେମାନେ ତେବେ ଅହଂକାର , ହୀନମନ୍ୟତାରୁ ବାହାର !” ସୌରଭଙ୍କ ସହ ଏମିତି କରୁଣ ମୁହୂର୍ତ୍ତରେ ତାର ଇଚ୍ଛା ହୁଏ ପାଟି କରି ଚିତ୍କାର କରନ୍ତା ।
” ସେମାନଙ୍କ କଥା ଅଲଗା । ସେମାନଙ୍କ ପାଟି ନିଜକୁ ଆରୋପ କରିବାରୁ ତିଆରି । ଏକା କଥା । ହୀନମନ୍ୟତା , ଅସୁରକ୍ଷିତ ମନ , ନିଜମନସ୍କତାର ଆତଙ୍କ । ” ସୌରଭ ଦାର୍ଶନିକ ଭଳି ଧୀରେଧୀରେ କୁହନ୍ତି । ବୁଝିପାରେନି ଅସୀମା । ହୁଏତ ସେ ବୁଝିବାକୁ ଚାହେଁଇ ନାହିଁ । ମୁଣ୍ଡ ଖଟାଇବାକୁ ଡର ଲାଗେ । ସୌରଭଙ୍କ ଭଳି ନିଜ ନିଜ ଭିତରର କଳକବ୍ଜାରୁ ଯେକୌଣସି ମୁହୂର୍ତ୍ତରେ ଖୋଲି ଦେଖିପାରେନି ସେ । ନିଜକୁ ନିଜେ ସାମ୍ନା କରିବା ଲାଗି ମଧ୍ୟ ସାହସ ଦରକାର ।
ରାମ୍ପି ବିଦାରି ହେଲା ଅସୀମା । ଭଲ ହୋଇଛି , ଶାସ୍ତି ଭୋଗ । ରାତି ଅନିଦ୍ରା ହ । ଖେଂଚା ଖା। ବସ ଭିତରୁ ଉକୁଟି ଆସୁଥିବା ଉତ୍କଟ ଦୁର୍ଗନ୍ଧକୁ ପାଟି ବୁଜି ସହ । ପାଟି କରିପାରିବୁନି ତ ପାଟି ବୁଜି କେବଳ ସହ ।ଅସୀମା ନିଜ ଉପରେ ରାଗେ ତ କାନ୍ଦ କାନ୍ଦ ହୋଇଯାଏ । ସାହସ ଟିକକ ଠିକଣା ସମୟରେ ତାକୁ ଚକମା ଦେଖାଏ । ଅକାମୀ ହୋଇଯାଏ ସେ । ଲୁଚିବା ଭିତରେ ଥରିଯାଏ ।କିଏ କଣ କହିଦେବ ଆଉ ସେ ଅପମାନିତ ହୋଇଯିବ ସେଇ ଭୟରେ ସେ ନିଜକୁ ଯେତେ ଜାକେ ସେତିକି ଜାକି ହୋଇଯାଏ ତାର ସାହସ ।
ପାହାଡିଆ ରାସ୍ତାରେ ଜହ୍ନ ହସୁଥିଲା । ଥଣ୍ଡା ପବନ ଲୁଚକାଳି ଖେଳିଲା ଭଳି ଦୌଡ଼ି ଦୌଡ଼ି ପଶୁଥିଲେ ଝରକା ଦେଇ । ଖୁବ ଲୋଡୁଥିଲା ପବନ ଟିକିଏ ସେ ।ଗଛ , ଜ୍ୟୋତ୍ସ୍ନାରଙ୍ଗ ବୋଳି ହୋଇଥିବା ଆକାଶ ତାକୁ ଅନ୍ୟମନସ୍କ କରିପାରିଲେ ତା ଭିତରର ଉଦାସ ଭାବକୁ ପୋଛିପାଛି ।
ବୁଢ଼ୀ ମାଉସୀ ନିଦ ବାଉଳାରେ ବନ୍ଦ କରିପକେଇଲେ ଝର୍କା ନିଦ ବାଉଳାରେ । ପ୍ରତିବାଦ ଭଳି ସେ ଖୋଲି ଦେଲା ଝର୍କା । ସେ ଯେ ଅଣନିଃଶ୍ଵାସୀ ହୋଇଯିବ ! ବରଗଡ଼ କି ବଲାଙ୍ଗୀରରୁ ଆଦୌ ଆଖି ଖୋଲିନଥିବା ଅର୍ଥାତ ବେଫିକର ନିଦ ଶୋଇଥିବା ବୁଢ଼ୀ ଜଣଙ୍କ କେଡ଼େ ସମ୍ବେଦନହୀନ ଭାବରେ ଶୀଥିଳ ! ବସିଥିବା ସିଟ୍ , ପାଖରେ ଥିବା ଝର୍କା , ଆସୁଥିବା ପବନ ସବୁ ଯେମିତି ତାଙ୍କରି ଅଧିକାରରେ ??
ନିଦୁଆ ଗଳାରେ ଖେଙ୍କାରୀ ହେଲେ ବୁଢ଼ୀ ଜଣଙ୍କ । ଝର୍କା କାଇଁ ଖୋଳୁଚ ?ଶୀତ ହେଉଛି । ଏଡ଼େ ଟାଆଁସିଆ ଥିଲା ଗଳା ଯେ ଦବିଗଲା ଅସୀମା ।ତଥାପି ନରମ ଗଳାରେ କହିଲା , “ଭାରି ଗରମ ଏପଟେ । ମୋତେ ନହେଲେ ଝର୍କା ପଟକୁ ଛାଡି ଦିଅନ୍ତୁ । ”
– କାଇଁ !! ଚିହିଁକି ଗଲା ବୁଢ଼ୀ ଆଉ ଝର୍କା କାଚକୁ ତାର ରାଢୁଆ ହାତରେ ଭିଡି ଗୋତାରି ଜବରଦସ୍ତ ବନ୍ଦ କରିଦେଲା ।
ଅସୀମା ଶକ୍ତି ସଞ୍ଚୟ କରି କହିଲା ,” ମୋତେ ଭାରି ଗରମ ହେଉଛି ମାଉସୀ । ସେ ସେମିତି ଆଖି ନଖୋଲି ଗୁଜୁଗୁଜିଆ ସ୍ୱରରେ କହିଲା , ବୁଢ଼ୀଲୋକ ଶୀତ ହେଉଛି ଜାଣି ପାରୁନ ? ” କି ଆଶ୍ଚର୍ଯ୍ୟ ! ଏପଟକୁ ଆସିବାକୁ ମନା । ଅନ୍ୟର ଅସୁବିଧା ପ୍ରତି ଚିନ୍ତା କରିବାକୁ ନାରାଜ । ଶୀତ ହେଉଛି ମାନେ ବନ୍ଦ ରହିବ ଝର୍କା । ସିଟ୍ ସହିତ କିଣି ପକେଇଛି ଝର୍କା ଯେମିତି ।
ଖୋଲି ପାରିବନି ସେ ଝର୍କା ଆଉଥରେ । ସିଧାରେ କହିଲେ ବୁଢ଼ୀ ବକାଶୋଧା କରିବ । ଅସୀମା ଅସ୍ଥିର ହେଲା । ପାଟିତୁଣ୍ଡରେ ଲୋକେ ଉଠିଲେ ବୁଢ଼ୀ ପଟ ନେବେ । କାହିଁକି ନା ପ୍ରତି ଝର୍କା ପାୟତଃ ବନ୍ଦ । ସମସ୍ତେ ଅଚିନ୍ତାରେ ନିଘୋଡ଼ ନିଦରେ । ନିଦ ଭାଙ୍ଗିଲେ ଚିଡିବେ । ହୁଏତ ଅସୀମା ଉପରେ ଝଡେଇ ହେବେ ।
“-ନୁକୁନୁକିଆ ବୁଢୀଟା ପ୍ରତି ଦୟା କର ହୋ ମାଡାମ ।” କିଛି ଲୋକ ଆଖି ମଳୁ ମଳୁ କହିବେ ।ଅସୀମା ଦୁର୍ବଳ ଭାବରେ ଯୁକ୍ତି କରିବ , “ଦେଖନ୍ତୁ ଶୀତ ହେଲେ ଜଣେ ଘୋଡେଇ ହୋଇଯିବ । ଗରମ ହେଲେ କଣ କରିବ ?” “ବିଞ୍ଚି ହୁଅ । ତାଙ୍କୁ କାହିଁ ହଇରାଣ କରୁଚ ?” କେହି ଗୋଟେ କହିବ । “ସିଟ୍ ଏକ୍ସଚେଞ୍ଜ କରିଦେଲେ ହୁଅନ୍ତା ତ ।” ସମାଧାନର ଲୋଭ ଦେଖେଇବ ଅସୀମା । ” କାହିଁ ଛାଡ଼ିବି ମୁଁ ? କଣ ମାହାଳିଆରେ ପୁଅ ମୋର ଟିକଟ କରିଛି କି ??”
“ଛାଡ଼ ..ଛାଡ଼..ଏଡ଼େ ବଡ଼ ଦେହ । ଚର୍ବିରେ ଲୁତୁପୁତୁ। ଗରମ ହେବନି ତ କଣ ? ଲୋକେ ଏମିତି ଗଣ୍ଡି କାହିଁକି କରନ୍ତି ! କେମିତି ବୁହନ୍ତି କେଜାଣି ! ” କେହି ଜଣେ ଗୁଣୁ ଗୁଣୁ ହୋଇ ଅସୀମାକୁ ଶୁଣେଇ କହିବ । ମାନେ ତା ଚର୍ବିଳ ସ୍ୱାସ୍ଥ୍ୟର ଦୋଷ ହିଁ କାରଣ । ପାଟି ଖୋଲି ଲୋକ ହସା ହେବା ଅପେକ୍ଷା ବ୍ରହ୍ମପୁର ଯାଏଁ ସହିଯିବା ଭଲ । ନିଜ ମେକନିଜିମ୍ ନିଜ ଉପରେ ପ୍ରୟୋଗ କଲା । ବର୍ଡର ଉପରେ ଦେଶରକ୍ଷୀମାନେ କେତେ କଣ ସହୁ ନାହାଁନ୍ତି ?
ବସ ଭିତରେ ବହୁତ ଘଟଣାମାନ ଘଟୁଥିଲା । ଅସୀମା ଅନ୍ଧାର ଭିତରେ ସେସବୁକୁ ଯଥେଷ୍ଟ ସଚେତନ ହୋଇ ପ୍ରତ୍ୟକ୍ଷ କରୁଥିଲା । କେତେବେଳେ ନିଜ ଉପରେ ରାଗୁଥିଲା ତ କେତେବେଳେ ଛୋଟ ମୋଟ ସ୍ମୃତିକୁ ଘଟଣା ସହ ଯୋଡି ହସି ପକାଉଥିଲା । ବିରକ୍ତିରେ ହସିପକାଏ ଅସୀମା – ଅସହାୟତାର ହସ ।
ହିଞ୍ଜିଳିକାଟୁ ପହଞ୍ଚିବାର ଯଥେଷ୍ଟ ପୂର୍ବରୁ ଉଦୟ ହୋଇ ଯାଇଥିଲେ ସୂର୍ଯ୍ୟ । ଖରାଟିଆ ସକାଳ ତାକୁ ଆଉ ଆକର୍ଷିତ କରି ପାରୁନଥିଲା । ଛୁଞ୍ଚି ଫୋଡିଲା ଭଳି ଗେବି ହୋଇଯାଉଥିଲା ସାରାଟା ଶରୀର ସୂର୍ଯ୍ୟର ପ୍ରଥମ ଖରାରେ । ଆହୁରି ଖଣ୍ଡେ ବାଟ ତଥାପି ବ୍ରହ୍ମପୁର !
ବସ ରହିଲା କାହା ଘର ସାମ୍ନାରେ । ହର୍ଣ୍ଣ ପରେ ହର୍ଣ୍ଣ ବାଜିଲା । ଖଡିକା ଦେହଧାରୀ କଣ୍ଡକ୍ଟର ଓହ୍ଲେଇ ଘର କବାଟଟାକୁ ଗୋରୁ ଗାଈକୁ ବାଡେଇଲା ପରି ପିଟିଲା ପରେ ଘରୁ ସଜବାଜ ହୋଇ ହୋଇ ଦୁଇଟା ଲୋକ ବାହାରିଲେ । ଆଖି ଗୁଡାକ କଞ୍ଚା ନିଦୁଆ ଦିଶୁଥିଲା । ବସ ସିଟ୍ ତଳେ ଥୁଆ ହୋଇଥିବା କେଉଁ ମାଲକୁ ବାହାର କରୁ କରୁ ଗଲା ଥୋକେ ସମୟ । ଏମିତି ହୁଏ ସରକାରୀ ବସରେ !!ପୋଷ୍ଟ ପିଅନ ଭଳି ପ୍ରଭାବୀ ଲୋକଙ୍କ ଘର ଦୁଆରେ ମାଲ ଦେଇ ଯାଆନ୍ତି ! କେହି କିଛି କହୁ ନାହାଁନ୍ତି । ସମସ୍ତେ କଣ ଅସୀମା ଭଳି ବିରକ୍ତ ହୁଅନ୍ତି ଏବଂ ଚୁପ ରୁହନ୍ତି !
ଅସୀମା ମାଉସୀଙ୍କ ଆଡ଼କୁ ନଜର ପକେଇଲା । ଲାଳଗରଳ ଭଳି କିଛି ବୁହାଇ ମାଉସୀ ଝର୍କାରେ ମୁଣ୍ଡ ରଖି ଶୋଇଯାଇଛନ୍ତି । ସେ ନିଶ୍ଚିତ ହେଉଥିଲା ନିଦ ଔଷଧ ଗୋଟେ ଖୁଆଇ ପୁଅ ଛାଡିଛି ମାଆକୁ । ପୁଣି ଭାବିଲା ବୁଢ଼ୀକୁ କଣ ବିଦା କରିଦେଇଛି ପୁଅ ? ଏମିତି ଜଭରୀ ବୁଢ଼ୀକୁ କିଏ କଣ ତଡିପାରେ ନିଜେ ନିଜକୁ ତଡି ନଦେଇ ? ନିଜକୁ ନିଜେ ସଂଶୋଧିତ କଲା ସେ ।
ସହରରେ ପଶୁ ପଶୁ ଡେଇଁ ଯାଉଥିବା ଗୋଟେ ଛକରେ ବସ ଅଟକେଇବାକୁ ଚାହିଁଲେ ଏକ ଦମ୍ପତ୍ତି । ଏଠି ଟିକେ ରଖ ତ ଭାଇ ..। ଯିଏ କହୁଥିଲେ ସେ ଦିଶୁଥିଲେ ସଂସ୍କୃତ ମାଷ୍ଟ୍ର ଭଳି ଅମାୟିକ ଏବଂ ପରିଚ୍ଛନ୍ନ ।
“ଏଇଠି ଷ୍ଟପେଜ ନାହିଁ ..। ନିର୍ବିକାର ଭାବରେ ରଖିବା ଲାଗି ବେଲ ନବଜେଇ କହିଲା ଧଇଁଆ କଣ୍ଡକ୍ଟର । ଯେତିକି କୋମଳ ଥିଲା ଯାତ୍ରୀ ଜଣଙ୍କ ଅନୁରୋଧ ସେତିକି କଠୋର ଥିଲା କଣ୍ଡକ୍ଟରର ପ୍ରତିକ୍ରିୟା ।
ମନ ଖରାପ ହୋଇଗଲା ଅସୀମାର । “କାହା ଘର ଦୁଆରେ ମାଲ ଡେଲିଭରି କରୁଥିଲ ଯେଉଁ ସେଇଠି ଷ୍ଟପେଜ ଥିଲା ?” ନିଜ ଭିତରର ସମସ୍ତ ବଳ ଦେଇ ଚିତ୍କାର କରି ସେ କହିଲା କଣ୍ଡକ୍ଟରକୁ । କଣ୍ଡକ୍ଟର ଯାଏଁ ଶବ୍ଦ ତ ଗଲାନି କିଛି ପବନ ଗଲା । ତା ଚେପେଟା ଥାଳି ଭଳି ମୁହଁ ଉପରକୁ ଖସି ଆସିଥିବା କେରାଏ ପାଚିଲା ବାଳ ଟିକେ ଯାହା ହଲିଗଲା । ଚୁପ ରହିଲେ ଦମ୍ପତ୍ତି ।ବହୁତ ଆଗକୁ ଘୋଷାରି ନେଲା ବସ ସେମାନଙ୍କୁ ସେମାନଙ୍କ ହତାଶା ସହ । ସେମାନେ ଚାହୁଁଥିବା ସ୍ଥାନରୁ ବହୁତ ଆଗରେ ବସ ରହିଲା ।ଅଟୋଟେ କରି ଯିବେ ଏବେ ସେମାନେ ବିଚରା …!! ଅସୀମା ଦୀର୍ଘନିଃଶ୍ୱାସ ଛାଡିଲା ।
ସେମାନେ ଛାଡ଼ି ଯାଇଥିବା ସିଟ୍ କୁ ଏଥର ପଳେଇଗଲା ଅସୀମା । ବସିଲା ଟିକେ ସହଜ ହୋଇ ।
“ଓହ୍ଲେଇ ଦିଅ ତ ଟାଟା ଛକରେ ।” ପରିଚିତ କର୍କଶିଆ କଣ୍ଠ ବୁଢ଼ୀର । ଗଣ୍ଠିଲିକୁ କାଢି ତା ପାଖ ସିଟ୍ ରେ ରଖି ବୁଢ଼ୀ ଠିଆ ହୋଇଛି ଅସୀମା ସିଟ୍ ପାଖରେ । ରାଗରେ ଶିରଶିରେଇ ଗଲା ଅସୀମାର ଦେହ । କେଡ଼େ ରାଢ଼ ଦେଖ ।
ସାରା ରାତି ନିଜେ ବୁଜୁଳା ହୋଇ ଯାହା କଲା କଲା ସକାଳୁ ବି ଗଣ୍ଠିଲି ଆଣି ତା ଗୋଡ଼ ପାଖରେ ଖେଂଚି ରଖି ଦାଉ ସାଧୁଛି । ପଡ଼ିଯାଆନ୍ତା କି ମୋଡ଼ି ହୋଇ ପାହାଚ ତଳକୁ..!
ଗୋଟିଏ ଗଣ୍ଠିଲିକୁ ଅସୀମା ପାଖ ସିଟ୍ ରେ ଆରଟିକୁ ପାହାଚ ସିଧା ରଖି ବୁଢ଼ୀ ଠିଆ ଶକ୍ତ ଭାବରେ । ଅଣ୍ଟା ଟିକେ ବଙ୍କେଇ ଗଲାଣି । ତହିଁରେ ବଡ଼ ବ୍ୟାଗ ଦୁଇଟା । ହେ ଭଗବାନ ..! କେଡ଼େ ଲୋଭ ଲୋକଙ୍କର ..! ଅସୀମା ବିରକ୍ତ ହେଲା ।ନା ..ସେ ବୁଢ଼ୀକୁ ଚାହିଁବନି କି ଏତେ ଛଟପଟ ହୋଇପାରିବନି ।
ବସ ଭିତରେ ସବୁ ଲୋକ ନିରୁପଦ୍ରଵ ଭାବରେ ଶାନ୍ତ । ଅସ୍ଥିର ।ବିବ୍ରତ ଯାହା ଅସୀମା । ଛକରେ ପଶୁ ପଶୁ ବୁଢ଼ୀର ପାଟି । “ରଖ ..ଏଇଠି …”ବାଧ୍ୟ ଛାତ୍ର ପରି ବେଲ ବଜେଇଲା କଣ୍ଡକ୍ଟର ।ବୁଢ଼ୀ କଣ ପଇସା ଦେଇଛି ଅଧିକ ତା କଥା ମାନିବା ଲାଗି ? ସବୁ କାମ ଏତେ ସହଜ ହେଉଛି କିଆଁ ତାର ? ଅସୀମା ଧଇଁସଇଁ ହୋଇଗଲା । ବିନା ସାହାଯ୍ୟରେ କାହାକୁ ଗଣ୍ଠିଲି ଛୁଆଁଇ ନଦେଇ ବୁଢ଼ୀ ଓହ୍ଲାଇଗଲା ବସ୍ ରୁ ।
ଆପଣାଛାଏଁ ଝର୍କା ଦେଇ ବୁଢ଼ୀ ଆଡକୁ ପହଁରିଗଲା ଦୃଷ୍ଟି ।ଗୋଟେ ଗଣ୍ଠିଲିକୁ ମୁଣ୍ଡରେ ଆଉ ଗୋଟିକୁ କାଖରେ ଜାକି ଗହଳି ଜମି ଆସୁଥିବା ରାସ୍ତାରେ ଆଗେଇ ଯାଉଛି ବୁଢ଼ୀ ଡଗ ଡଗ ହୋଇ । ସତୁରି ଅଶୀ ପାଖାପାଖି ବୟସର ଜଣେ ମଣିଷ କେଡ଼େ ଦମ୍ଭରେ ..କେଡ଼େ ସହଜରେ ବୋହି ନେଇ ଯାଉଛି ବୋଝ ଗୋଟିଏ ଗତାନୁଗତିକତା ହୋଇ । ସେ ବିସ୍ମିତ ହେଲା । ପରବର୍ତ୍ତି ମୁହୂର୍ତ୍ତରେ ଚମତ୍କୃତ ହେଲା ।
କେହି ଆସିନଥିଲେ ତାକୁ ନେବା ଲାଗି ଯେମିତି ଅପେକ୍ଷା କରିଛନ୍ତି ଜଣେ । କିଏ ଜାଣେ ତାକୁ କେହି ଛାଡିବାକୁ ଆସିଥିଲେ କି ନାଁ ଯେମିତି ଅସୀମାକୁ ଛାଡି ଆସିଥିଲେ ଜଣେ । ନିଜ ପାଇଁ ନିରାପତ୍ତାର ବଳୟ ସେ ହିଁ ତିଆରି କରିଥିଲା ତା ଚାରିପାଖରେ ଯାହାକି ଅସୀମା ଭଳି ଦୁର୍ବଳ ମଣିଷମାନେ ତିଆରି ନକରିପାରି ସନ୍ତୁଳି ହୁଅନ୍ତି । ଛଟପଟ ହୁଅନ୍ତି ।

ବୁଢ଼ୀର ସାହସକୁ ଅସୀମା ଭୁଲି ପାରିବ କି ଯେତେବେଳେ ସାହସ ଚକମା ଦେଖାଉଥାଏ ଅସୀମାକୁ ???

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments