ଚାହିଁଛି ସ୍ଵପ୍ନସୁନ୍ଦରୀ – କୁମୁଦିନୀ ବେହେରା

ଲେଖକ ପରିଚୟ

କୁମୁଦିନୀ ବେହେରା
ଅନୁଗୋଳ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଉତ୍ତାଳ ସାଗର ଢେଉରେ ଖେଳୁଛି
ମୋ ପ୍ରିୟତମର ଛବି
କମନୀୟ କାନ୍ତି ଦୋଳାୟିତ ହୋଇ
ରତିରସେ ହୁଏ ଭାବି
ମଧୁ ମଳୟ
ଦିଏ ସୁରଭି ବିତରି
ମୋହିନୀ ମାୟାରେ ରଚି ଅଭିସାର
ଚାହିଁଛି ସ୍ଵପ୍ନସୁନ୍ଦରୀ l

ନୀଳ ଊର୍ମିମାଳା ଚଗଲା ଚାହାଣି
ଭିନ୍ନ ଆବେଗେ ପ୍ରଣୟ
ପୁଲକରେ ପ୍ରୀତି ପ୍ରତାରଣା ପାଇ
ଅଭିମାନରେ ଅଥୟ
ଅମୃତ ପ୍ରେମ
ପ୍ରୀତିମୟ ପ୍ରତିଶ୍ରୁତି
ଆକାଂକ୍ଷିତ ଆଲିଙ୍ଗନେ ଛୁଇଁଯାଏ
ଫୁଲେ ଯେହ୍ନେ ପ୍ରଜାପତି l

ସର୍ବାଙ୍ଗ ଶରୀର ଆପାଦମସ୍ତକ
ଅଙ୍ଗ ସୈକତଖଚିତ
ସଉରଭ ଭରି କରେ ବିହ୍ୱଳିତ
ପ୍ରେମେ ହୋଇ ପୁଲକିତ
ଅଙ୍ଗେ ଅନଙ୍ଗ
ଭରିଦିଏ ଶିହରଣ
ଶରୀର-ଦୀପରେ ଦୁର୍ଲଭ ଦହନ
ରସରାସେ ଭିଜେ ପ୍ରାଣ l

ମନ ମଳୟରେ ମହ୍ଲାର ସୁରେ
ସ୍ଵାଗତ ସଙ୍ଗୀତ ଗାଇ
ଆତ୍ମା-ଆକାଶରେ ନିର୍ବାଣ-ନକ୍ଷତ୍ର
ତନୁ ଦେଉଛି ଭିଜେଇ
ପୁଷ୍ପକୁଞ୍ଜରେ
ପ୍ରଭଞ୍ଜନେ ତାଳେ ଝୁଲି
ଅଳସୀ ପ୍ରିୟାର ତନୁ ରୂପକଳ୍ପେ
ପ୍ରେମେ ହୁଏ ମତୁଆଲୀ l

ବାଲୁକା ଶେଯରେ ସମୟ ବିତାନ୍ତି
ହୋଇ କେତେ ଆନମନା
ଲେଖନ୍ତି ମୁଁ ସ୍ଵର ସ୍ନିଗ୍ଧ ଶୈଶବର
ମନେ ଭରି ଉନ୍ମାଦନା
କରି ସ୍ଵାକ୍ଷର
ବର୍ଣ୍ଣମାଳା ହସ୍ତାକ୍ଷର
ଯେତେ କୃତି ଭକ୍ତି ମୁକ୍ତି ପାଦଚିହ୍ନ
ମୋ କାବ୍ୟର ଇସ୍ତାହାର ll

କୁମୁଦିନୀ ବେହେରା, ଅନୁଗୋଳ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ