ନିଃସଙ୍ଗତାର ଅଶ୍ରୁ – ଦୀପିକା ଦାଶ

ଲେଖକ ପରିଚୟ

ଦୀପିକା ଦାଶ
ବ୍ରହ୍ମପୁର, ଗଞ୍ଜାମ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସମସ୍ତ ଶକ୍ତି ସାମର୍ଥ୍ୟ ପ୍ରୟୋଗ କରି
ତଥାପି ବୁଝିବାକୁ ଅସମର୍ଥ ମୁଁ ଆଜି
ତୁମେ ଯେ ଏକ ଜଟିଳ ପ୍ରଶ୍ନ !
ଯାହାର ଉତ୍ତର ସଦା ନିରର୍ଥକ
କପୋଳକଳ୍ପିତ ।

ଅସହ୍ୟ ଲଳିତ ମୂର୍ଚ୍ଛନା
ବଂଶୀରେ ସୃଷ୍ଟି କରେ ମୃଗତୃଷ୍ଣା
ଦଗ୍ଧ କରିଯାଏ ଗୋଟାପଣେ ଦାବାନଳରେ,
ରଜନୀ ସାଜେ ଅଭିଶପ୍ତ ମୋ ପାଇଁ
ଅଧା ଦେଖା ସ୍ବପ୍ନମାନଙ୍କ
ଆୟୁଷ ସରିଯାଏ ଅର୍ଦ୍ଧରାତ୍ରୀରେ
ଦେହ ଦହେ ଜହ୍ନ ଜୋଛନା ଯେଉଁଠି
ଅସହ୍ୟ ଉତ୍ତାପରେ ।

ଆଖିରେ ପ୍ରଶ୍ନବାଚୀ ଭାବ ନେଇ
ଯମୁନା ପଚାରେ
କାହିଁ ସେଇ ଯୁଗଳ ପ୍ରତିବିମ୍ବ ?
କାହିଁକି ଆଜି ଏ ଏକଲା ମୂର୍ତ୍ତି ହାଏ !

ସ୍ଥିର ଜଳ ଚହଲିଯାଏ
ହଜିଯାଏ ତା ଗର୍ଭରେ ପ୍ରତିଫଳିତ ଛାୟା
ବିଚ୍ଛେଦ ବିଗଳିତ ପ୍ରାଣରେ
ନଈକୁ ବାଟୁଳି ମାରିଦେଇ
ଫେରିଆସେ ମୁଁ କଦମ୍ବ ବନକୁ ।

କେବେ ସୁଗନ୍ଧିତ ପୁଷ୍ପରାଜ
ଲାଜରେ ଲୁଚାଉଥିଲା ମୁହଁ
ଯେବେ ତୁମ ସାନ୍ନିଧ୍ୟରେ
ଦେହରୁ ମୋର ଚହଟୁଥିଲା କସ୍ତୁରୀ
ମହକୁଥିଲା ଚତୁଃପାଶ୍ୱ,
ଏବେ ମୁଁ ପରାହତ
ସେଇ ପୁଷ୍ପଗଣଙ୍କ ଆଖିର ପ୍ରଶ୍ନବାଣରେ
କାହିଁଗଲା ତନୁରୁ କର୍ପୂରର ରେଣୁ ?

ସପ୍ତରଙ୍ଗି ଆକାଶ ପିନ୍ଧିସାରିଛି
ବିଧବାର ଶାଢ଼ୀ
ବିଜୁଳି ଢୋ ଢ଼ୋ ଚମକିଉଠି କାନରେ କହୁଛି
ତାରା ଗଣିବାର ଦିନ ସବୁ ସରିସାରିଛି ।

ଜାଣିଛ ନୀଳପୁରୁଷ !
ଏବେ ବି ଝଲସିଉଠୁଛି ମୋ ତନୁରେ
ତୁମେ ଦେଇଥିବା ନୀଳ ଚିହ୍ନ ମାନ,
ଆଉ ବଞ୍ଚିବାର ମୋହ ନାହିଁ ମୋ ଭିତରେ
ବୋଧହୁଏ କେବେଠାରୁ ମରିସାରିଛି ମୁଁ
ଖାଲି ବାକି ଅଛି ନୀଳ ଚିହ୍ନମାନଙ୍କୁ ନେଇ
ହସି ହସି ଶୋଇବାକୁ ଚିତାଗ୍ନିରେ ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ