ବରଷା – ପବିତ୍ର ବେହେରା
ଗର୍ଜନ କରି ଧାଇଁ ଆସଇ ବର୍ଷା
ଘଡଘଡି କୁ ସାଙ୍ଗରେ ନେଇ ,
କହିବ ଯେପରି ନିଜ ସାଥିକୁ କେହି
ତା ପାଶୁ ନେଉଛି ଛଡ଼େଇ ।।
ବିଜୁଳିବତୀ ଦିଅଇ ସାହାସ
ଭୟ ନାହିଁ ତୋ ପାଶେ ଅଛି ମୁଇଁ ,
ସାଗର ପାଶରୁ ତୋର ସାଥିକୁ ଆମେ
ନିଶ୍ଚୟ ଆଣିବା ଡରେଇ ।।
ପବନ ବି ବଢାଇ ଦିଏ ତା ହାତ
ବରଷାକୁ ନିଏ ସେ ଉଡେଇ ,
ତୋ ସାଥି ପାଶରେ ଅତି ଶୀଘ୍ର ତୋତେ
ନିର୍ଭୟେ ଦେବି ମୁଁ ପହଞ୍ଚାଇ ।।
ବର୍ଷା ରାଣୀ ର ଲୋତକ ରେ ପୁଣି
ବସୁଧା ମାଆ ହୁଏ ଶ୍ୟାମଳା ,
ଧନ୍ୟ ତୁ ଜୀବଜଗତ କୁ ଦେଉଛୁ ସୁଖ
ନିଜେ ସହି ଦୁଃଖ ଜ୍ୱାଳା ।।
ଯେବେ ବଢିଯାଏ ତୋ ଦୁଃଖ ଭାର
ବଢିଯାଏ ତୋ ଲୋତକ ଧାର ,
ଜଳମୟ ହୁଏ ଏ ଧରା ପୃଷ୍ଠ
ଜୀବଜଗତ ଯେ ଥରହର ।।
