ଭବ୍ୟ ଅନୁଭୂତି – ପ୍ରମୋଦ କୁମାର ମହାନ୍ତି

ଲେଖକ ପରିଚୟ

ପ୍ରମୋଦ କୁମାର ମହାନ୍ତି
କଟକ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଚିକିତ୍ସକ ଜୀବନରେ ଏକ ଅନୁଭୂତି
ମନେ ପଡିଲେ, ଉଙ୍କିମାରେ ଅଭୁଲା ସ୍ମୃତି
କ୍ଲିନିକକୁ ଆସିଥିଲେ ସେଦିନ ସେ ବୃଦ୍ଧ
ଅଶୀତିପର ବୟସ, ତଥାପି ସେ କ୍ରୁଦ୍ଧ ll

ବ୍ୟାଣ୍ଡେଜ ତାଙ୍କର ଆଜି ଖୋଲା ହେବ ବୋଲି
ବ୍ୟସ୍ତ ବିବ୍ରତ ହୋଇ ସେ, ଉଚ୍ଚ ସ୍ଵରେ ବୋଲି:
ଖୋଲି ବ୍ୟାଣ୍ଡେଜ ମୋ, ଦିଅ ଔଷଧ ବିଶେଷ
ଠିକ ଉପଚାର ପାଇଁ ଦିଅ ଉପଦେଶ ll

ଦୟାକରି ଖୋଲ, ଆଦୌ ହେଳା କରନାହିଁ
ରୋଗୀଣି ଟେ ଖାଇବାକୁ ବସିଥିବ ଚାହିଁ
ଦେଖି ତାଙ୍କ ମତି, କଲି ଆଶୁ ଉପଚାର
ବ୍ୟାଣ୍ଡେଜ ଖୋଲି ଦେଖେ, ଘା’ ଶୁଖିପରିଷ୍କାର ll

କହିଲି: “ଆପଣ ପୁରା ସୁସ୍ଥ, ଚିନ୍ତା ନାହିଁ
ଯାଇ ପାରନ୍ତି ଏବେ, ରୋଗୀଣି ଥିବ ଚାହିଁ
ହେଲେ କହିବେ କି, କଣ ହୋଇଛି ତାଙ୍କର
ଜାଣିଲେ, ମୁଁ କରିପାରେ କିଛି ପ୍ରତିକାର” ll

ଛଳ ଛଳ ଆଖିରେ କହନ୍ତି ବୃଦ୍ଧ ବ୍ୟକ୍ତି:
“ମୋ ପତ୍ନୀ ଉପରେ ‘ଆଲଝିମର୍ସ’ ବିପତ୍ତି
ଦୀର୍ଘ ପାଞ୍ଚ ବର୍ଷ ଧରି ସେ ତ ଶଯ୍ୟାଶାୟୀ
ଆଖି ଖୋଲା, ହେଲେ କିଛି ଚିହ୍ନି ପାରୁନାହିଁ” ll

ମୋ ହାତରେ ଖାଏ, ହେଲାଣି ବେଳ ଉଛୁର
ସେଥିପାଇଁ ହୁଏ ମୁଁ ତ ଏତେ ତରବର
ବିଷାଦ ଓ କୌତୁହଳ ସହ ପଚାରିଲି:
ବ୍ୟସ୍ତ, ଆପଣ କିଏ ସେ ଜାଣନ୍ତିନି ବୋଲି? ll

ବାଷ୍ପରୁଦ୍ଧ କଣ୍ଠରେ କହନ୍ତି ମହାଶୟ:
“ମତେ ନ ଚିହ୍ନିଲେ ବି, ମୁଁ ଜାଣେ ସେ ମୋ’ ପ୍ରିୟ
ମୋ ଜୀବନରେ ସେ ‘କିଏ’ ‘କଣ’ ଓ ‘କାହିଁକି’
ଶ୍ରଦ୍ଧା ପ୍ରେମ ବିନା ଜୀବନ ବୃଥା ନୁହେଁ କି?” ll

ସଂସାର ଗଢ଼ିଲୁ ଆମେ ଦିହେଁ ସାଥୀ ହୋଇ
ଘାତ ପ୍ରତିଘାତ ମଧ୍ୟେ, ପଛଘୁଞ୍ଚା ନାହିଁ
କର୍ତ୍ତବ୍ୟ ପାଳନ କରି ଜୀବନ ସ୍ପନ୍ଦିତ
ଏକତ୍ର ସହାବସ୍ଥାନେ, ମନ ପ୍ରାଣ ତୃପ୍ତ ll

ଚହଲିଗଲା ଚିକିତ୍ସକଙ୍କ ଦୃଢ଼ ଚିତ୍ତ
ଶାଶ୍ୱତ ସେ ଶ୍ରଦ୍ଧା ପ୍ରେମ, ବାକି ତ ନିମିତ୍ତ
ଧନ୍ୟ ସେଇ ବୃଦ୍ଧ ଦମ୍ପତ୍ତି, ମିଠା ସେ ସ୍ମୃତି
ଚିକିତ୍ସକ ଜୀବନରେ ଭବ୍ୟ ଅନୁଭୂତି ll

ପ୍ରମୋଦ କୁମାର ମହାନ୍ତି
(This poem is based on true incident in a Doctor’s life)


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ