କଣ୍ଢେଇ – ପ୍ରମୋଦ କୁମାର ମହାନ୍ତି

ଲେଖକ ପରିଚୟ

ପ୍ରମୋଦ କୁମାର ମହାନ୍ତି
କଟକ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ବର୍ଲିନ ସହରର ଏକ ପାର୍କରେ
ଅପରାହ୍ନର ଭ୍ରମଣ ସମୟରେ
ପ୍ରଖ୍ୟାତ ଲେଖକ ଶ୍ରୀ ‘ଫ୍ରାଞ୍ଜ କାଫକା’
ଭେଟିଲେ ଏକ ଅଶ୍ରୁସିକ୍ତା ବାଳିକା ll

ପୋଛି ଆଦରରେ ତା’ ନୟନ ଅଶ୍ରୁ
ଦୁଃଖ ଜାଣିବାକୁ ‘କାଫକା’ ଜିଜ୍ଞାସୁ
ଲୁହ କୋହ କଣ୍ଠେ କହିଲା ବାଳିକା
ହଜିଗଲା ‘କଣ୍ଢେଇ’ ମୋ’ ଲାଗେ ଏକା ll

ପାର୍କ ସାରା ଖୋଜିଖୋଜି ସେ ନିରାଶ
‘କାଫକା’ ଦେଲେ ସାନ୍ତ୍ୱନା: ସ୍ମିତହାସ
ପ୍ରିୟ ବାଳିକା ମୋର: ଧୈର୍ଯ୍ୟ ରଖିବ
କାଲି ‘କଣ୍ଢେଇ’ ତ ନିଶ୍ଚେ ମିଳିଯିବ ll

ପରଦିନ ଦେଖାହେଲେ ଦୁହେଁ ଯାକ
କଣ୍ଢେଇ ନଦେଖି ବାଳିକା ଅବାକ
‘କାଫକା’ ଦେଲେ ପତ୍ର ଏକ ହାତରେ
‘କଣ୍ଢେଇ’ ଦେଇଛି, କହିଲେ ଶ୍ରଦ୍ଧାରେ ll

ଲେଖାଥିଲା: “ଦୁଃଖ କରନାହିଁ ସାଥୀ
ବିଦେଶ ଭ୍ରମଣରେ ହୋଇଛି ବ୍ରତୀ
ବୁଲିବୁଲି କେତେ ଚିଠି ଲେଖୁଥିବି
ଫେରିଲେ ସବୁ ତ ସାକ୍ଷାତେ କହିବି” ll

ଏଇଠୁ ଆରମ୍ଭ ଦୁହିଁଙ୍କର ଦୋସ୍ତି
‘କାଫକା’ ଓ ବାଳିକାଙ୍କ ଭାବ ପ୍ରୀତି
ପ୍ରତିଥର ନୂଆ ଏକ ଚିଠି ଦେଇ
କଣ୍ଢେଇ ଦେଇଛି: ଦିଅନ୍ତି ଭଣ୍ଡେଇ ll

ପ୍ରତି ଥର ନୂଆ ଲେଖା ଆକର୍ଷଣ
ବାଳିକା ମୁଗ୍ଧ, ଖୁସି ତା’ ଆଚରଣ
ଏମିତି କୌତୁକ ଚାଲିଲା ବରଷେ
ବାଳିକା ଭୁଲିଗଲା ସବୁ ହରଷେ ll

ଚିଠିରେ କେତେ ନୂଆ ଭ୍ରମଣ କଥା
‘କାଫକା’ଙ୍କ ଲେଖା, ବାଳିକା ତ ଶ୍ରୋତା
ବିଦେଶ ବୁଲୁଛି ତା’ ପ୍ରିୟ ‘କଣ୍ଢେଇ’
ଫେରିଲେ, ନାଚିବ ସେ ତାକୁ କୁଣ୍ଢେଇ ll

ଶେଷରେ ‘କାଫକା’ ଆଣିଲେ କଣ୍ଢେଇ
ଭିନ୍ନ ସେ, ବାଳିକା ଚିହ୍ନି ନ ପାରଇ
କଣ୍ଢେଇ ସହିତ ଥିଲା ଏକ ପତ୍ର:
“ଭ୍ରମଣରେ ବଦଳିଛି ମୋ’ ଚରିତ୍ର” ll

ନୂଆ କଣ୍ଢେଇ ଓ ଚିଠିରେ ବାଳିକା
ଭୁଲିଲା ଦୁଃଖ ସବୁ, ମୁଗ୍ଧ ‘କାଫକା’
ଚୁମି ତା’ କପାଳ, କଲେ ସେ ପ୍ରସ୍ଥାନ
ପର ବର୍ଷ, ‘କାଫକା’ଙ୍କ ତିରୋଧାନ ll

ଅକାଳେ ନିଧନ ମହାନ ପ୍ରତିଭା
‘କାଫକା’ଙ୍କ ପାଇଁ ହେଲା ଶୋକସଭା
ଅବୋଧ ବାଳିକା ବୁଝି ନପାରିଲା
କାଳାନ୍ତେ, ସୁନ୍ଦରୀ ଯୁବତୀ ହୋଇଲା ll

ବିବାହ ଦିନ ତା’ ଭାଙ୍ଗିଲା ‘କଣ୍ଢେଇ’
ଚିଠି ଟିଏ ଥିଲା ମୋଡ଼ାମୋଡ଼ି ହୋଇ
ନାଚିଲା ତା’ ଆଗେ ‘କାଫକା’ଙ୍କ ମୁଖ
ପଢି ସେ, ଛାତି ତା’ ହୁଏ ଧକ ଧକ ll

ଲେଖା ଥିଲା: “ହେ ମୋର ପ୍ରିୟ ବାନ୍ଧବୀ
ଭଲ ପାଇବାରେ ଗଢ଼ା ଏ ପୃଥିବୀ
ଯାହା ପ୍ରିୟ: ଦିନେ ନିଶ୍ଚୟ ହଜିବ
ହେଲେ, ଅନ୍ୟ ରୂପେ ପୁଣି ମିଳିଯିବ” ll

ଚିଠିରେ ଯୁବତୀ ହୃଦ ବିଗଳିତ
‘କାଫକା’ ଓ ‘କଣ୍ଢେଇ’: ଦୁହେଁ ପ୍ରିୟ ତ!
ସେ ଭଲ ପାଇବା ନପାରିବ ଭୁଲି
ନୂଆ ପ୍ରାଣ-ସାଥୀ ସହ ଯିବ ଚାଲି? ll

ଛୋଟ ଛୋଟ କଥାରେ ଗୂଢ଼ ଦର୍ଶନ
‘ଭଲ ପାଅ’: ବଞ୍ଚିବାର ନିଦର୍ଶନ
ଯେମିତି ‘ବାଳିକା-କାଫକା-କଣ୍ଢେଇ’
ସ୍ମୃତିର ଆକାଶେ ତାରା ଫୁଲ ହୋଇ ll

ପ୍ରମୋଦ କୁମାର ମହାନ୍ତି
[A humble tribute to the great novelist and playwright Franz Kafka (1883-1924)]


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ