ସତ କୁହ ଶିଳ୍ପୀ – ଅଶୋକ କୁମାର ପ୍ରହରାଜ
ଲାସ୍ୟମୟୀ ତୁମ ଲାଜ ଲାଜ ଆଖି
ଲେଖୁଛି କାହାଣୀ ଅକୁହା ଯେତେ
ଲାବଣ୍ୟତା ପୂର୍ଣ୍ଣ ତୁମ ଅବୟବ
ଲୁଚିଥିବା ଗାଥା ବଖାଣେ ସେତେ
ନୂପୁରର ରୁଣୁଝୁଣୁ ମୋହ ତେଜି
ନିଷ୍ଠାପର ଭାବ ମନେ ସଂକଳ୍ପି
ନୃପତି ନିର୍ଦ୍ଦେଶେ ମନ୍ଦିର ନିର୍ମାଣେ
ନିୟୋଜିତ ହୋଇଥିଲେ ସେ ଶିଳ୍ପୀ
ପ୍ରିୟା, ପ୍ରିୟତମା ଅବା ପ୍ରାଣପ୍ରିୟା
ପୀରତି ଯନ୍ତ୍ରଣା ହୃଦେ ପଖାଳି
ପରାକାଷ୍ଠା ତାଙ୍କ ନିହାଣ ମୁନରେ
ପ୍ରସ୍ଫୁଟିତ କେତେ ଶତଦଳ କଲେ
ପ୍ରସ୍ଥର ବକ୍ଷରେ ଔଜ୍ୱଲ୍ୟ ଆଣିଲେ
ପ୍ରଶ୍ନ ସେ ମନରେ ଜାଳେ ଦୀପାଳି
ଫଗୁଣ ମହକ ରଙ୍ଗ ପିଚକାଳୀ
ଫେରନ୍ତା ବାଟକୁ ପାରିଲେନି କଳି
ଫୁଟିଥିବା ଫୁଲ ଗଲେ ମଉଳି
ଫଗୁ କେଉଁ ପ୍ରିୟା ମାନସପଟରେ
ଫେଣ୍ଟୁଥିଲା ଭାବ ଶିଳ୍ପୀଙ୍କ ହୃଦରେ
ଫୁଟେଇଲେ ରୂପ ପ୍ରସ୍ଥରେ ଢାଳି ??
ସତ କୁହ ଶିଳ୍ପୀ ସେ କେଉଁ ନାୟିକା
ସଦ୍ୟ ପ୍ରସ୍ପୁଟିତ ତା ରୂପ ଯାଦୁରେ
ସମ୍ମୋହିତ କରୁଥିଲା ତୁମକୁ
ସେ ସମ୍ମୋହନରେ ମଜ୍ଜିଣ ବିଭୋରେ
ସୁରମ ସୌନ୍ଦର୍ଯ୍ୟ ଆଙ୍କିଲ ପ୍ରସ୍ଥରେ
ସମାଜ୍ଞା ରଚିଣ ଏ ଧରା ବକ୍ଷରେ
ସପ୍ତାଶ୍ଚର୍ଯ୍ୟ ଦେଲ କାଳକାଳକୁ ??
ଅଶୋକ ପ୍ରହରାଜ, ପୁରୀ

କବିତାଟିର କଥାବସ୍ତୁରେ ଭାବଗାମ୍ଭୀର୍ଯ୍ୟ ରହିଥିଲେ ମଧ୍ୟ ଭାଷାରେ ବ୍ୟାକରଣଗତ ତ୍ରୁଟି ପରିଲକ୍ଷିତ ହେଉଛି। ଉଦାହରଣ ସ୍ଵରୂପ –
ଲବଣିର ଭାବ = ଲାବଣ୍ୟ, ଯେମିତି,
ଉତ୍କୃଷ୍ଟର ଭାବ = ଉତ୍କର୍ଷ
ଏଠାରେ ଲାବଣ୍ୟତା ଏବଂ ଉତ୍କର୍ଷତା ଲେଖିବା ବ୍ୟାକରଣ ଦୃଷ୍ଟିରୁ ତ୍ରୁଟିଯୁକ୍ତ।
ସେହିପରି ,
ପ୍ରସ୍ଥର = ପ୍ରସ୍ତର, ପିଚକାଳୀ = ପିଚକାରୀ, ସୁରମ = ସୁରମ୍ୟ, ସମାଜ୍ଞା ଅର୍ଥ କ’ଣ ବୁଝିହେଲା ନାହିଁ। ଆଶା କରୁଛି ବୁଝାଇଦେବେ। ଧନ୍ୟବାଦ।