ଶ୍ୟାମଙ୍କୁ ଭଜିଲେ – ଅଶୋକ କୁମାର ପ୍ରହରାଜ
ଶ୍ୟାମଙ୍କୁ ଭଜିଲେ ଶମ ଆସେ ହୃଦେ
ଶମରୁ ଯେ ଶମ ଲଭଇ ଚିତ୍ତ
ଶମର ସୁମନ ହୁଏ ଶବଳିତ
ସମ ମୋହ ମାୟା ହୋଇ ବିଖଣ୍ଡିତ
ଶମ ପାଇଁ ରାସ୍ତା କରେ ଉନ୍ମୁକ୍ତ. (1)
ସର ଭକତିର ପାଲଟିଣ ସର
ସର୍ଜକଙ୍କ ସରରେ ମିଶିଯାଉ
ସର ସମର୍ପଣ ରହୁ ସେ ପୟର
ସର ଆଶୀର୍ବାଦ ଝରୁ ଝର ଝର
ସର ଆତ୍ମଜ୍ଞାନ ବହଳ ହେଉ. (2)
ସଦା ମନ ସାର ଗାଇଯାଉ ଗୀତ
ସତ୍ୟ-ଶାନ୍ତି-ଧର୍ମ-ପ୍ରେମ ର ସୁରେ
ସାର ସେ ସବୁର ପାଲଟିଣ ସାର
ସାର ସ୍ନେହ ପୁଷ୍ପ ଫୁଟାଉ ଧିରେ. (3)
ସାରଙ୍ଗର ସ୍ୱର୍ଗ ହେଲେ ଆଚ୍ଛାଦିତ
ସହସ୍ର ଶଦ୍ଦିତ ପ୍ରୀତି ସାରଙ୍ଗେ
ସଂହତି ସାରଙ୍ଗ ହୋଇ ଆମୋଦିତ
ସମ୍ପାଦିବ ନୃତ୍ୟ ପ୍ରମୋଦ ଢଙ୍ଗେ.(4)
ସାରଙ୍ଗ ଅଟନ୍ତି ସେ ସାରଙ୍ଗଧର
ସମସ୍ତ ପ୍ରାଣୀଙ୍କ ଜୀବ ନାଆର
ସାରଙ୍ଗେ ଛେଦନ୍ତୁ ଘୃଣା-ଦ୍ୱେଷ ଭାବ
ସାରଙ୍ଗ ର ଶବ୍ଦେ କରନ୍ତୁ ନିଷ୍ପ୍ରଭ
ଶୋଷଣ ର କାଳ ରାତ୍ରି ଦୁର୍ବାର. (5)
ସଂସ୍ରବ ସାରଙ୍ଗ ସଂସ୍ଥିତି ଆଲୋକେ
ସମଭାବ ହସ ନିଈତି ହସୁ
ସମୃଦ୍ଧି ମଳୟ ବହୁ ଯେ ବ୍ୟାପକ
ସାରଙ୍ଗ ସାରଙ୍ଗ ସବୁଠି ବାସୁ. (6)
(ଉପରୋକ୍ତ କବିତାରେ ବ୍ୟବହୃତ ଶବ୍ଦ ର ଅର୍ଥ :–
ଶମ :- ଚିତ୍ତର ସ୍ଥିରତା /ସଂଯମତା, ତିରସ୍କାର /ନିନ୍ଦା, ନିବୃତ୍ତି /କ୍ଷାନ୍ତି, କ୍ଷମା, ଶାନ୍ତି , ମୋକ୍ଷ
ଶବଳିତ:-ନାନା ବର୍ଣ୍ଣଯୁକ୍ତ
ସମ :-ରଜ୍ଜୁ
ସଂହତି :-ଏକତ୍ରୀଭାବ
ସର :-ଜଳ,ଝରଣା,ସରୋବର, ହାର/ମାଲ୍ୟ ,ମଧୁ
ସର୍ଜକ :-ସୃଷ୍ଟିକର୍ତ୍ତା
ସାର :- ମଇନା ପକ୍ଷୀ, ଶ୍ରେଷ୍ଠ ଅଂଶ, ଗହଣା ସେଟ,ନାନା ବର୍ଣ୍ଣ
ଶଦ୍ଦିତ :-ଧ୍ୱନିତ
ସ୍ୱର୍ଗ :- ଏଠାରେ ସ୍ୱର୍ଗ ର ଅର୍ଥ ଆକାଶ.
ସାରଙ୍ଗ :-ପୃଥିବୀ, ମେଘ, ମୟୂର, ନାଉରୀ, ବିଷ୍ଣୁଙ୍କ ଧନୁ,
ଶଙ୍ଖ, ଜ୍ୟୋତ୍ସ୍ନାମୟୀ ରାତ୍ରି, ଚନ୍ଦନ
ସାରଙ୍ଗଧର :-ବିଷ୍ଣୁ
ସଂସ୍ରବ :- ସମ୍ପର୍କ, ସଂସ୍ଥିତି :- ଏକତ୍ର ଅବସ୍ଥାନ

