ଦାର୍ଢ୍ୟତା ଭକ୍ତି – ବନ୍ଧୁ ମହାନ୍ତି ସମ୍ବାଦ – ଘନଶ୍ୟାମ ସାହୁ

ଲେଖକ ପରିଚୟ

ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ, ବଇଣ୍ଡା, ଅନୁଗୋଳ | +

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏହି ବିଷୟଟି 38 ଜଣ ପାଠକ ପଢି ସାରିଛନ୍ତି

“ଆଉ କେତେ ଦିନ ପିଲାମାନେ ଆମର ଭୋକ ଉପାସରେ ରହିବେ ସ୍ୱାମୀ ? ତାଙ୍କ ଦୁଃଖ ଦେଖି ପାରିବି ନାହିଁ ।ଏ ଦୁର୍ଭିକ୍ଷ ସମୟରେ ମୋର ଯଦି ବାପା,ଭାଇ, ମାମୁଁ ଇତ୍ୟାଦି ସମ୍ପର୍କୀୟ ଥାଆନ୍ତେ ତେବେ ମୁଁ ସେମାନଙ୍କୁ ନେଇ ସାରିଥାନ୍ତି । ତୁମେ ତ ସବୁଦିନ କହି ଆସୁଛ ଶ୍ରୀକ୍ଷେତ୍ର ରେ ତୁମର କିଏ ବଡ଼ ବନ୍ଧୁ ଜଣେ ଅଛନ୍ତି ବୋଲି ? ଚାଲନ୍ତୁ ସ୍ୱାମୀ ଏହି ଅଞ୍ଚଳ ରେ ଏମିତି ଭୋକ ଉପାସରେ ମରିବା ଅପେକ୍ଷା ଦୂର ରେ ଥିବା ବନ୍ଧୁ ପାଖରେ କିଛି ଦିନ ରହି ନିଜର ରୋଜଗାର ପାଇଁ କିଛି କରିବା ।” ପତ୍ନୀ ବନ୍ଧୁ ମହାନ୍ତିଙ୍କୁ ଏହିପରି ପରାମର୍ଶ ଦେଲେ । ଯାଜପୁର ରେ ରହୁଥିବା କରଣ ପରିବାର ରେ ଜନ୍ମ ଗ୍ରହଣ କରିଥିବା ବନ୍ଧୁ ମହାନ୍ତି ଅତ୍ୟନ୍ତ ଧର୍ମ ପରାୟଣ ଥିଲେ ।ପରମ ଆରାଧ୍ୟ ପ୍ରଭୁ ଜଗନ୍ନାଥ ଙ୍କୁ ନିଜ ବନ୍ଧୁ ବୋଲି ସେ ଭାବୁଥିଲେ । “ଦୁର୍ଦ୍ଦିନରେ ପୁରୁଷୋତ୍ତମ କ୍ଷେତ୍ର ରେ ଅବସ୍ଥାନ କରୁଥିବା ବନ୍ଧୁ ହିଁ ତାଙ୍କର ଏକମାତ୍ର ଭରସା ଏବଂ ତାଙ୍କ ଛଡ଼ା ଦୁନିଆଁରେ ତାଙ୍କର ଆଉ କେହି ନିଜର ନାହାଁନ୍ତି” ଏକଥା ସେ ସଦାସର୍ବଦା କହୁଥିଲେ । ଏହି କଥା କେବଳ ମନେ ପକାଇ ଦେଇଥିଲେ ତାଙ୍କର ପତ୍ନୀ । ପରିବାର କହିଲେ ସେ, ତାଙ୍କ ପତ୍ନୀ ,ଦୁଇଟି କନ୍ୟା ଏବଂ ଏକମାତ୍ର ପୁତ୍ର ।ସେ ଭିକ୍ଷା ମାଗି ଯାହା ପାଉଥିଲେ ଚଳି ଯାଉଥିଲେ । କିନ୍ତୁ ପରିସ୍ଥିତି ଅତି ଜଟିଳ । ବର୍ଷା ନ ହେବାରୁ ଦୁର୍ଭିକ୍ଷର ଅବସ୍ଥା ସୃଷ୍ଟି ହୋଇଥିଲା ସେଇ ସମୟରେ । ଫଳରେ ପେଟକୁ ଦାନା ଯୋଗାଇବା ଏକ ରକମ ଅସମ୍ଭବ ହୋଇ ପଡ଼ୁଥିଲା । ଅନାହାର ମୃତ୍ୟୁ ସହିତ ମହାମାରୀ ମଧ୍ୟ ଆରମ୍ଭ ହୋଇ ସାରିଥିଲା । ଚାରିଆଡ଼େ କୁଢ଼ କୁଢ଼ ଶବ ।ଏ ପରିସ୍ଥିତିରେ ଏଠାରେ ଆଉ ଅପେକ୍ଷା ନକରି ବାହାର ରାଜ୍ୟକୁ ଯିବା ବରଂ ଶ୍ରେୟସ୍କର ।ଲୋକଙ୍କ ପାଖରେ ଖାଇବାକୁ ଥିଲେ ସିନା ସେମାନେ କିଛି ଦାନଧର୍ମ କରିବେ ?

ଶେଷରେ ଦିନେ ବାଧ୍ୟ ହୋଇ ସପରିବାର ବନ୍ଧୁ ମହାନ୍ତିଙ୍କୁ ଘର ଛାଡ଼ି ଯିବାକୁ ପଡିଲା । ଘରେ ଯାହା କିଛି ଥିଲା ଗୋଟିଏ ବୋକଚା କରି ଧରି ପୁଅକୁ କାଖେଇ ସମସ୍ତେ ଚାଲି ଚାଲି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଚର୍ମଚକ୍ଷୁରେ ଦର୍ଶନ କରିବା କଥା ମନେ ପକାଇ ଭକ୍ତି ଭାବରେ ବିହ୍ୱଳ ହୋଇ ଆଗକୁ ମାଡି ଚାଲିଥିଲେ ବନ୍ଧୁ ମହାନ୍ତି । ଆଖି ଆଗରେ ଜଗନ୍ନାଥଙ୍କ ଚକା ଆଖି ଭାସି ଉଠୁଥିଲା । ସେ ସମୟରେ ଗାଡ଼ି ମୋଟର ର କିଛି ବି ସୁବିଧା ନଥିଲା । ଲୋକମାନେ ପାଦରେ ଚାଲି ଚାଲି ହିଁ ତୀର୍ଥ ଭ୍ରମଣ କରୁଥିଲେ । ସନ୍ଧ୍ୟା ନିକଟତର ହେଲେ କୋୖଣସି ଗ୍ରାମରେ ଆଶ୍ରୟ ନେଉଥିଲେ । ପରଦିନ ପୁଣି ଯାତ୍ରା ଆରମ୍ଭ କରୁଥିଲେ । ଏହିପରି ଭାବରେ ଚାଲି ଚାଲି କ୍ଳାନ୍ତ ହୋଇ ଚାରିଦିନ ପରେ ଦିନେ ସନ୍ଧ୍ୟା ସମୟରେ ସପରିବାର ବନ୍ଧୁ ମହାନ୍ତି ଶ୍ରୀକ୍ଷେତ୍ର ରେ ପହଞ୍ଚିଲେ ।

ସିଂହଦ୍ଵାର ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ଦେଖି ଚମକି ପଡିଲେ ବନ୍ଧୁ ମହାନ୍ତି ।ମାଛି ଗଳିବାକୁ ବାଟ ନାହିଁ । ମହାପ୍ରଭୁ ଙ୍କ ଦର୍ଶନ ହେବ କିପରି ? ମନରେ ଗଭୀର ଆଘାତ ପାଇଲେ ବନ୍ଧୁ ମହାନ୍ତି । ତଥାପି ପ୍ରଭୁଙ୍କ ଇଚ୍ଛା କହି ପତିତପାବନଙ୍କୁ ଦର୍ଶନ କରି ପେଜନଳା ଆଡେ ଆଗେଇ ଚାଲିଲେ । ଦକ୍ଷିଣ ଦ୍ଵାର ସମ୍ମୁଖରେ ଅଟକି ପତ୍ନୀ ଙ୍କୁ କହିଲେ,”ଆଜି ବନ୍ଧୁ ଙ୍କ ନିକଟକୁ ବିଶେଷ ଅତିଥି ଅଭ୍ଯାଗତ ଆସିଛନ୍ତି । ତେଣୁ କଡ଼ା ପ୍ରହରା ଦିଆ ଯାଇଛି । ଆଜି ଆମେ ତାଙ୍କୁ ଦର୍ଶନ କରି ପାରିବା ନାହିଁ । କଟକଣା ନମାନି ଭିତରକୁ ଗଲେ ଅଯଥା ଦଣ୍ଡ ସହିବାକୁ ପଡ଼ିବ । ବରଂ ଆଜି ଏଇ ପେଜନଳା ପାଖରେ ଏଇଠି ବିଶ୍ରାମ ନେବା ।ଭୋକ ମେଣ୍ଟେଇବାକୁ ପେଜ ତ ପିଇ ପାରିବା । ଏଇଠି ରାତି କଟାଇ ଦେବା ।” ଏହା କହି ଗଣ୍ଠିଲି ଖୋଲି କନା ବାହାର କରି ବିଛେଇ ଦେଲେ । ପାଖରୁ ଛୋଟ ସରାଟିଏ ପାଇ ତାକୁ ଧୋଇ ପତ୍ନୀ ଙ୍କୁ ଦେଇ ଭୋକ ହେଲେ ଏହାକୁ ବ୍ୟବହାର କରି ପେଜ ପିଇବାକୁ ପରାମର୍ଶ ଦେଲେ । ସମସ୍ତେ ପେଟ ପୁରା ପେଜ ପିଇ ପଥଶ୍ରମ ହେତୁ ଶୋଇ ପଡିଲେ । ବନ୍ଧୁ ମହାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ତୁତି କରିବାକୁ ଲାଗିଲେ , “ହେ ମହାବାହୁ, ହେ ବଳିୟାର ଭୁଜ ପ୍ରଭୁ ଜଗନ୍ନାଥ ତୁମ ବିନା ମୋର ନିଜର ବୋଲି ଆଉ କିଏ ଅଛି ପ୍ରଭୁ । ତୁମେ ରଖିଲେ ରଖିବ ମାରିଲେ ମାରିବ । ବନ୍ଧୁ ବୋଲି କହି ତୁମ ଭରସା ରେ ତ ଚାଲି ଆସିଛି । ସବୁ କିଛି ତ ଜାଣିଛ ଅନ୍ତର୍ଯ୍ୟାମୀ । ପିଲା ମାନଙ୍କ ଦୁଃଖ ଦେଖି ହେଉନାହିଁ । ତୁମେ ଶରଣ ରକ୍ଷଣ ଦୀନବନ୍ଧୁ ।ଏ ଦୀନ ଅଧମର ଗୁହାରି ଘେନା କର ମଣିମା ।”ଏମିତି ପ୍ରଭୁଙ୍କ ସ୍ତୁତି କରୁ କରୁ ନିଦରେ ଶୋଇ ପଡିଲେ ବନ୍ଧୁ ମହାନ୍ତି । ପରମ୍ପରା ଅନୁଯାୟୀ ମନ୍ଦିର ବନ୍ଦ କରି ସେବାୟତ ମାନେ ଯାଇ ସାରିଲେଣି । ବନ୍ଧୁ ମହାନ୍ତି ଙ୍କ ଦୁଃଖ ସହି ପାରିଲେ ନାହିଁ ମହାପ୍ରଭୁ । ନିଜେ ରତ୍ନ ଥାଳି ଧରି ବାହାରିଲେ ସ୍ୱୟଂ ଲୀଳାମୟ ଜଗନ୍ନାଥ । କ୍ଷୀରି ,ଖେଚୁଡ଼ି,ଅମାଲୁ, ସରପୁଳି ଆଦି ଦିବ୍ୟ ଭୋଜନ ସବୁ ଥାଳିରେ ଧରି ଭକ୍ତ ଠାରୁ ଅଳ୍ପ ଦୂରରେ ରହି ବନ୍ଧୁ ବନ୍ଧୁ ବୋଲି ଉଚ୍ଚାରଣ କଲେ ।ନିଦୁଆ ଆଖି ରେ ପତ୍ନୀ ଙ୍କୁ ଉଠାଇ କହିଲେ , “ଦେଖିଲ କେହି ଜଣେ ବନ୍ଧୁ ବୋଲି ଉଚ୍ଚାରଣ କରି ଡାକୁଛି ।” ହଠାତ୍ ଶୁଣା ଗଲା,” ହେ ଯାଜପୁରିଆ ବନ୍ଧୁ ମହାନ୍ତି ! ମୁଁ ହିଁ ତୁମକୁ ଡାକୁଛି ।ନିଅ ପ୍ରଥମେ ଖାଦ୍ୟ ଖାଇ ନିଅ । ଆସନ୍ତା କାଲି ମୁଁ ତୁମ ଥଇଥାନ ବ୍ୟବସ୍ଥା କରିବି ।” ବନ୍ଧୁ ମହାନ୍ତି ଅଗ୍ରସର ହେଲେ । ବ୍ରାହ୍ମଣ ରୂପୀ ଜଗନ୍ନାଥଙ୍କ ହାତରୁ ଖାଦ୍ୟ ଥାଳି ଧରି ପିଲା ମାନଙ୍କର ପାଖକୁ ଯିବାକୁ ଉଦ୍ଯତ ହେବା କ୍ଷଣି ମହାପ୍ରଭୁ ଅଦୃଶ୍ୟ ହୋଇଗଲେ । ଖାଦ୍ୟ ଥାଳି ମଧ୍ୟ ଭାଗରେ ରଖି ସମସ୍ତେ ଚାରି ପାଖରେ ବସି ଆନନ୍ଦରେ ପେଟପୂରା ଖାଇଲେ । ଥାଳି ଧୋଇ ଫେରାଇ ଦେବାକୁ ଯାଇ ନିରାଶ ହେଲେ ।ଡାକିଲେ ସୁଦ୍ଧା କେହି ଶୁଣିଲେ ନାହିଁ । ବ୍ୟସ୍ତ ବିବ୍ରତ ହୋଇ ବନ୍ଧୁ ମହାନ୍ତି ବାଧ୍ୟ ହୋଇ କନା ଗୁଡ଼ାଇ ଥାଳି ଟିକୁ ମୁଣ୍ଡ ତଳେ ରଖି ଶୋଇ ଗଲେ ।

ବଡ଼ି ଭୋରରୁ ମହାପ୍ରଭୁଙ୍କୁ ପୂଜା ନୀତି ସବୁଦିନ ପରି ଆରମ୍ଭ ହେବାକୁ ଲାଗିଲା ।”ଏ କ’ଣ ! ମହାପ୍ରଭୁ ଙ୍କ ରତ୍ନ ଥାଳି ଗଲା କୁଆଡେ ? “ନିର୍ଦ୍ଦିଷ୍ଟ ସ୍ଥାନରେ ଥାଳି ନ ଦେଖି ସମସ୍ତ ସେବାୟତ ବ୍ୟସ୍ତ ହୋଇ ଖୋଜିବାକୁ ଆରମ୍ଭ କରିଦେଲେ । ଗହଳ ଚହଳ ଶୁଣି ବନ୍ଧୁ ମହାନ୍ତି ଙ୍କ ନିଜ ଭାଙ୍ଗି ଗଲା । କେହି ଜଣେ ତାଙ୍କ ଆଡ଼େ ଲକ୍ଷ୍ୟ କରି ପାଟିକରି ସେବାୟତ ମାନଙ୍କୁ ଡ଼ାକି ରତ୍ନ ଥାଳି ଦେଖାଇ ଦେଲା ଏବଂ” ଚୋର ,ଚୋର ” ବୋଲି ପାଟି କଲା। ବନ୍ଧୁ ମହାନ୍ତି ସେବାୟତ ମାନଙ୍କୁ ସେ କିଛି ସଫେଇ ଦେବା ପୂର୍ବରୁ ଚୋର ଭାବି ତାଙ୍କୁ ଯିଏ ଯେମିତି ଚାହିଁଲା ମାଡ଼ ମାରି ଚାଲିଲା । ମାଡ଼ ଖାଇ ଲହୁ ଲୁହାଣ ହେବାପରେ ତାଙ୍କୁ ନେଇ ରାଜ୍ୟ ବନ୍ଦୀ ଶାଳାରେ ଭର୍ତ୍ତି କରି ଦିଆଗଲା । ସେ ନିଜକୁ ଯେତେ ନିର୍ଦ୍ଦୋଷ ବୋଲି ଯୁକ୍ତି କଲେ ସୁଦ୍ଧା ତାଙ୍କ କଥା କାହାରି କର୍ଣ୍ଣ ଗୋଚର ହେଲା ନାହିଁ । ବନ୍ଦୀ ଶାଳାରେ ବନ୍ଧୁ ମହାନ୍ତି ଠାକୁରଙ୍କୁ ଗୁହାରି କରି କହିଲେ,” ହେ ମହାବାହୁ, ଅଗତି ର ଗତି, ଶରଣ ରକ୍ଷଣ ଦୀନବନ୍ଧୁ ! ମୋ ପରି ନିର୍ଦ୍ଦୋଷ ପ୍ରାଣୀ ଭାଗ୍ୟ ରେ ଦଣ୍ଡ ପାଇବା କ’ଣ ଲେଖା ଯାଇଥିଲା ? ତୁମ ଶରଣାପନ୍ନ ହୋଇ ମୋ ପରି ଦୀନହୀନ ନିରୀହ ଦଣ୍ଡ ପାଇବା କ’ଣ ଶୋଭା ପାଉଛି ପ୍ରଭୁ ? ଯାହା ତୁମର ଇଚ୍ଛା ପ୍ରଭୁ । ମୁଁ ତ ନିମିତ୍ତ ମାତ୍ର ।ମୋର ବା ଚାରା କ’ଣ ? “ଏହା କହି ନୀରବରେ ଅଶ୍ରୁପାତ କରିବା ଛଡା ଆଉ କିଛି ଉପାୟ ନଥିଲା ବନ୍ଧୁ ମହାନ୍ତିଙ୍କର ।

ସେଦିନ ରୀତିନୀତି ଅନୁସାରେ ମନ୍ଦିର ଶୋଧନ ହୋଇ ବନ୍ଦ କରି କୋଲପ ଲଗାଇ ଦିଆଗଲା। ହେଲେ ମହାପ୍ରଭୁ ଅଚିନ୍ତା ରହି ପାରିଲେ ନାହିଁ । କିଛି ଗୋଟାଏ କରିବାକୁ ହେବ ଭାବି ଗରୁଡ଼ ଙ୍କୁ ଆହ୍ବାନ କଲେ ଭାବଗ୍ରାହୀ । ଗରୁଡ଼ ପୃଷ୍ଠରେ ଆରୋହଣ କରି ଖୋର୍ଦ୍ଧା ଗଡ଼ ରେ ଅବସ୍ଥାନ କରୁଥିବା ଗଜପତି ପ୍ରତାପରୁଦ୍ର ଦେବଙ୍କ ପାଖରେ ପହଞ୍ଚି ସ୍ୱପ୍ନାଦେଶ ଦେଇ କହିଲେ ,”ହେ ରାଜା ପ୍ରତାପରୁଦ୍ର ମୋର ଭକ୍ତ ଯାଜପୁର ନିବାସୀ ବନ୍ଧୁ ମହାନ୍ତି ଙ୍କୁ ରତ୍ନ ଥାଳି ଚୋରି ଅଭିଯୋଗରେ ତୋର ଲୋକମାନେ ମାଡ଼ ମାରି ବିନା ଦୋଷରେ ବନ୍ଦୀ କରି ରଖିଛନ୍ତି ।ତାର ପରିବାର ର କ୍ଷୁଧା ନିବାରଣ ପାଇଁ ମୁଁ ନିଜେ ରତ୍ନ ଥାଳି ରେ ଭୋଗ ଦେଇ ଆସିଥିଲି । କ୍ଷମା ପ୍ରାର୍ଥନା ପୂର୍ବକ ବନ୍ଧୁ ମହାନ୍ତି ଙ୍କୁ ବନ୍ଦୀଶାଳାରୁ ମୁକ୍ତ କରି ଆଜୀବନ ସପରିବାର ତାର ରହିବା ଏବଂ ଖାଇବାର ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବାକୁ ମୁଁ ତୋତେ ଆଦେଶ ଦେଉଛି । ବିଳମ୍ବ ନକରି ବନ୍ଧୁ ମହାନ୍ତି ନିକଟକୁ ଯାଅ ।” ମହାରାଜାଙ୍କ ନିଦ ଭାଙ୍ଗିଗଲା । ସେ କାହାକୁ ଦେଖି ନ ପାରିଲେ ସୁଦ୍ଧା ଦିବ୍ୟ ସୁଗନ୍ଧ ରେ ସ୍ଥାନଟି ସେ ପର୍ଯ୍ୟନ୍ତ ମହକି ଉଠୁଥିଲା । ସେ ଆଉ ମୁହୁର୍ତ୍ତେ ଡେରି ନକରି ଅଶ୍ୱ ଝପଟାଇ ବନ୍ଦୀ ଶାଳାରେ ପହଞ୍ଚି ସେବକଙ୍କୁ ନିର୍ଦ୍ଦେଶ ଦେଲେ ବନ୍ଧୁ ମହାନ୍ତି ଙ୍କୁ ମୁକ୍ତ କରିବା ପାଇଁ । ବନ୍ଧୁ ମହାନ୍ତି ଙ୍କୁ ଆଲିଙ୍ଗନ କରି କହିଲେ ଗଜପତି ପ୍ରତାପରୁଦ୍ର, “ମୋତେ ମୋର ସେବକ ମାନଙ୍କ ଅପରାଧ ପାଇଁ କ୍ଷମା କରନ୍ତୁ ଭକ୍ତ ଶିରୋମଣି । ଧନ୍ୟ ତୁମର ପ୍ରଭୁ ଭକ୍ତି । ଧନ୍ୟ ତୁମେ ବନ୍ଧୁ ମହାନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭାବଭକ୍ତିରେ ଆପଣାର କରି ନିଜକୁ ଧନ୍ୟ କରିଛ । ଆଜିଠାରୁ ଶ୍ରୀ ମନ୍ଦିର ଦକ୍ଷିଣ ଦିଗରେ ଅବସ୍ଥାନ କରି ଆଜୀବନ ସପରିବାର ମହାପ୍ରସାଦ ସେବନ କରି ସୁଖରେ ରୁହ ।” ଏହା କହିବା ସହିତ ସେବକଙ୍କୁ ବନ୍ଧୁ ମହାନ୍ତି ଙ୍କ ରହିବାର ବନ୍ଦୋବସ୍ତ କରିବାପାଇଁ ନିର୍ଦ୍ଦେଶ ଦେଲେ ଗଜପତି ପ୍ରତାପରୁଦ୍ର ଦେବ । ସେହି ଦିନଠାରୁ ମହାପ୍ରଭୁ ଙ୍କ ବନ୍ଧୁ ଭାବରେ ପରିଗଣିତ ହେଲେ ବନ୍ଧୁ ମହାନ୍ତି । ଠାକୁରଙ୍କ ସେବାପୂଜା ରେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ତାଙ୍କର ଦିନ ବିତିଗଲା ।

ଆଠମଲ୍ଲିକ ରୋଡ଼, ବଇଣ୍ଡା, ଜିଲ୍ଲା- ଅନୁଗୋଳ,
ମୋବାଇଲ ନମ୍ବର – ୭୯୭୮୦୫୭୬୯୫

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments