ଏ ଛୋଟ ମାଗୁଣି ମୋର – କୁମୁଦିନୀ ବେହେରା

ଲେଖକ ପରିଚୟ

କୁମୁଦିନୀ ବେହେରା
ଅନୁଗୋଳ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ପ୍ରତି ମାନବର ହୃଦେ ଜନ୍ମ ହେଉ
ଶୁଦ୍ଧ ଜ୍ଞାନର ଚେତନା,
ଭ୍ରାତୃପ୍ରେମେ ବନ୍ଧା ହୁଅନ୍ତୁ ସଭିଏଁ
ଏହି ମୋ’ ଶ୍ରେଷ୍ଠ କାମନା l

ବନ୍ଧୁତାର ଭାବ ଜାଗ୍ରତ କରାଇ
ପ୍ରତ୍ୟେକ ବ୍ୟକ୍ତି ମନରେ,
ସାମ୍ୟବାଦୀ ମନ୍ତ୍ରେ ସଂଗଠିତ କର
ଏହି ସମାଜ ମଧ୍ୟରେ l

ନଷ୍ଟ ହୋଇଯାଉ ଲୋଭ ମୋହ ଆଉ
ମାନସରୁ କୁମନ୍ତ୍ରଣା,
ଲୁପ୍ତ ହୋଇଯାଉ କାମ କ୍ରୋଧ ଈର୍ଷା
ପ୍ରତିହିଂସାର ଯନ୍ତ୍ରଣା l

ଗ୍ରାମରେ ନଗରେ ଧ୍ଵଂସ ପାଇଯାଉ
ଘୃଣ୍ୟ ନିଶା କାରବାର,
ଅକାଳେ ଉଜୁଡ଼ି ନ ଯାଉ କାହାର
ଗଢ଼ା ସୁନାର ସଂସାର l

ପଲ୍ଲୀଠାରୁ ଦିଲ୍ଲୀ ବିକଶିତ ହେଉ
ଶିକ୍ଷା-ସ୍ଵାସ୍ଥ୍ୟର ମନ୍ଦିର,
ସମାଜ ଉନ୍ନତି କଳ୍ପେ ସେ ମନ୍ଦିର
ସ୍ରଷ୍ଟା ହେବ ପ୍ରଗତିର l

ରାଜ୍ୟ ରାଜ୍ୟ ମଧ୍ୟେ ସୃଷ୍ଟି ହୋଇଯାଉ
ଐକ୍ୟର ଭାବ ବନ୍ଧନ,
ଭାଷା ଭେଦଭାବ ପ୍ରାଚୀର ସଙ୍ଗତେ
ନ ରହୁ ଦୁଷ୍ଟ ଚିନ୍ତନ l

ଏ ମାଟି ବକ୍ଷକୁ ସ୍ପର୍ଶ କରିଯାଉ
ଦିବ୍ୟ ସଂସ୍କୃତି ସୁକୃତ,
ସର୍ବ ଧର୍ମଶାସ୍ତ୍ର ସଂସ୍କୃତ ମନ୍ତ୍ରରେ
ଗଗନ ହେଉ ଝଙ୍କୃତ l

ଉତ୍ତମ ସମୟେ ବର୍ଷାରାଣୀ ଆସୁ
କୃଷକର ମନ ଜାଣି,
ସୁନାଫସଲରେ ନାଚିଣ କୃଷକ
ହସାଇ ଦେଉ ଧରଣୀ l

ସମାଜରେ ଗୋରୁ, ଗୁରୁ, ନାରୀ, ସନ୍ଥ
ହୁଅନ୍ତୁ ସଦା ବନ୍ଦିତ,
ସର୍ବଚରାଚର ସୁଖରେ ରୁହନ୍ତୁ
ପ୍ରେମେ ହୋଇଣ ସ୍ପନ୍ଦିତ l

ବିଜ୍ଞାନ ବୈଭବ ନେଇ ବିଜ୍ଞ ନର
ସୁକର୍ମ କରୁ ଅମ୍ବରେ,
ଜଗତକଲ୍ୟାଣ ହେଉ ଶ୍ରେଷ୍ଠପଣ
ଶାନ୍ତି ଆସୁ ଏ ମହୀରେ l

ନୈତିକ ବିପ୍ଳବ ସୃଷ୍ଟି ହେଉ ପ୍ରତି
ବିଜ୍ଞ ଜନଙ୍କ ମର୍ମରେ,
ସୁମାନସିକତା ଧରି ହୃଦୟରେ
ଚାଲନ୍ତୁ ଧର୍ମପଥରେ l

ବାସ୍ତବତା ରୂପ ନେଉ ସ୍ରଷ୍ଟାଙ୍କର
ସତ୍ୟସିଦ୍ଧ କଳପନା,
ଆଶୀର୍ବାଦଯୁକ୍ତ ହେବ ଏ ସଂସାର
ଘୁଞ୍ଚିବ ଦୁଃଖ ଯାତନା l

କିଏ ଏଠି କେତେ ଦିନର ଅତିଥି
ତାହା ନିଜକୁ ଅଜଣା,
ଶେଷଯାତ୍ରା କାଳେ ଧିକ୍କାରି ସମାଜ
ନ ଦେଉ ନିନ୍ଦା ଗଞ୍ଜଣା ll


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ