ପୁଣି ସେଇ ନାଟକ ବାଜି – ଗୋପାଳ ଚନ୍ଦ୍ର ସାଓ

ଲେଖକ ପରିଚୟ

ଗୋପାଳ ଚନ୍ଦ୍ର ସାଓ
ବିକେସି, କଲୋନୀ, ବାରିପଦା, ମୟୂରଭଞ୍ଜ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ରଙ୍ଗ ବେରଙ୍ଗର ଗାଡିକୁ ଚଢି
ଆସିବେ ଫେର୍ ସେମାନେ ମାଡି
ଗାଁରେ ବଢିବ ଭିଡ଼
ନୂଆ ପ୍ରତିଶ୍ରୁତି ନୂଆ ରଣନୀତି
ହାତ ଯୋଡି ପୁଣି କାକୁତି ମିନତି
ଧରିବେ ଗରୀବ ଗୋଡ଼

ଭଙ୍ଗା ଘର ଦେଖି ଲୁହ ଢାଳିବେ
ଭୋକିଲା ପେଟକୁ ଆଉଁସି ଦେବେ
ପଖାଳ ଖାଇବେ ମାଗି
ମାନ ଅଭିମାନ ଅତୀତ ସବୁ
ପୁରୁଣା କଥା ଉଠେଇଲେ ବାବୁ
ସଂଗେ ସଂଗେ ଯିବେ ରାଗି

ଫୋଟରେ ଫୋଟରେ ଚାଲିବ ନାଟ
ଚଉକି ନମାଗି ମାଗିବେ ଖଟ
ଘରେ ଘରେ ଯିବେ ପଶି
ପାଞ୍ଚ ବରଷରେ ଗୋଟିଏ ଥର
ଆସିନାହିଁ ହେଲେ ଆସେ ଏଥର
କିଣି ନେବେ ମନ ହସି

ଶୁଣିଛି ବାବୁରେ ଗୋଟିଏ କଥା
ଭାବିଲେ ଘୁରେଇ ଯାଏ ମୋ ମଥା
ପରଖି ଦେଖିଛି ନିଜେ
ଯେତେ ରାଗିଥାଅ କଥା ଟି ସତ
ପିଠିରେ ପଡିଲେ ନେତାର ହାତ
ଗରିବ ଅଭାବ ଖୋଜେ

ସେବା ପାଇଁ ନୁହେଁ ନେବାକୁ ଖେଳ
ଖେଳିବାର ପୁଣି ଆସିଛି ବେଳ
ସତ ହେବ ମିଛ ଛବି
ଅମାନିଆ ଏଇ କବି କଲମ ଟା
ଝରି ଯାଏ ସତ ଗୋଟା କୁ ଗୋଟା
ଭାବୁଛି ନିରବି ଯିବି

ଶୋଇଛ ବାବୁରେ ଉଠୁନ କିଆଁ
ଦେଖ ବାଡ଼ି ପଟେ ଲାଗିଛି ନିଆଁ
ଲିଭେଇବା ଆସ ମିଶି
ଜଳିବା ଆଗରୁ ନଢାଳିଲେ ପାଣି
ଜାଳିଦେବ ଗାଁ ଦେଶକୁ ପୁଣି
କାହାକୁ କରିବ ଦୋଷୀ

ପଲ୍ଲୀରୁ ଦିଲ୍ଲୀ ହୋଇବା ଏକ
ମନରେ ରଖିବା ଗୋଟିଏ ଭୋକ
ପରିଶ୍ରମୀ ହେବା ଆମେ
ଅନୁଦାନ ନୁହେଁ ଅନୁମାନ କରି
ଗଢିବା ନିଜକୁ ଅଳସ ମାରି
ହାତକୁ ଲଗେଇ କାମେ

ଶୁଣିଛି ଓଡ଼ିଆ ଭାରି ସ୍ୱାଭିମାନୀ
ଏଇ କଥା ଟିକୁ ପାରୁନି ମାନି
କାରଣ ଖୋଜୁଛି ଆଜି
କୋଣାର୍କ ଅଛି ବଢ଼େଇ ବି ଅଛି
ତଥାପି ମନ୍ଦିର ଅଧା ଲାଗୁଛି
ଧର୍ମପଦ ଗଲା ହଜି

ଗୋପାଳ ଚନ୍ଦ୍ର ସାଓ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
3 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ବଣମଲ୍ଲୀ ପାଠକ

କଳୁଷିତ ଆଜି ଗଣତନ୍ତ୍ର, ଗାଦି ମାଡିବସିଥିବା କିଛି ସ୍ୱାର୍ଥାନ୍ଧ ମାନଙ୍କ କବଳରେ ପଲ୍ଲୀରୁ ଦିଲ୍ଲୀ । ନିଚ୍ଛକ ଓ ବାସ୍ତବତାର ଚିତ୍ର ଉଙ୍କି ମାରୁଛି ଆପଣଙ୍କ କବିତାରେ । ପ୍ରତିବାଦର ନୀରବ ବହ୍ନିକୁ ପ୍ରଜ୍ବଳିତ କରିଛନ୍ତି ଆପଣ ଏହି କବିତାରେ ।

ଗୋପାଳ ଚନ୍ଦ୍ର ସାଓ
ବଣମଲ୍ଲୀ ପାଠକ
ଗୋପାଳ ଚନ୍ଦ୍ର ସାଓ
9 ମାସ ପୂର୍ବରୁ

ଅଶେଷ ଧନ୍ୟବାଦ ଲଷ୍ମୀନାରାୟଣ ବାବୁ।

ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ବଣମଲ୍ଲୀ ପାଠକ
ଉତ୍ତର ଦିଅନ୍ତୁ  ଗୋପାଳ ଚନ୍ଦ୍ର ସାଓ

ଧନ୍ୟବାଦର ପାତ୍ର ହିଁ ଆପଣ । ଆପଣଙ୍କ ସୃଜନୀର ମୁଁ କେବଳ ଜଣେ ବିଦଗ୍ଧ ପାଠକ ।