ମହା ପଞ୍ଚୁକ – ସରିତା ମହାନ୍ତି

ଲେଖକ ପରିଚୟ

ସରିତା ମହାନ୍ତି
ବାସୁଦେବପୁର, ବାଲିଆପାଳ, ବାଲେଶ୍ୱର | ସଦ୍ୟ ପୋଷ୍ଟ

Read More

ମିଛ ଏ ସଂପର୍କ ମିଛ ଅଭିନୟ
ଧ୍ରୁବ ପରି ସତ୍ୟ ମୃତ୍ୟୁ ହିଁ ଜାଣ
ଜୀବର ଜନମ ହୁଅଇ ସାର୍ଥକ
ପ୍ରଭୁଙ୍କର ପାଦେ ନେଲେ ଶରଣ।

ନିଆରା ପରବ ଆମ ପରମ୍ପରା
ଧରମର ମାସ କାର୍ତ୍ତିକ ଆସେ
ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ
ମହା ପଞ୍ଚୁକର ନାମକୁ ଘୋଷେ।

ପୁରାଣ ବତାଏ ଏହାର କାହାଣୀ
ବୈଧବ୍ୟ ଯନ୍ତ୍ରଣା ପାଇ ବ୍ରାହ୍ମଣୀ
ନୀତି ନିୟମରେ ବ୍ରତ ପାଳନରେ
ପ୍ରଭୁଙ୍କର ପୁଣି ହେଲେ ଘରଣୀ।

ତୁଳସୀ ବିବାହ ରହିଅଛି ପ୍ରଥା
ମହାସତୀ ମାତା ସେ ବୃନ୍ଦାବତୀ
ଅସୁର ନିଧନେ ଛଳ କଲେ ପ୍ରଭୁ
ଅଗ୍ନି କୁଣ୍ଡେ ମାତା ଦେଲେ ଆହୂତି।

ନାମ ସଂକୀର୍ତ୍ତନ ଭଜନ ଜଣାଣ
ମାସକ ଯାକର ବ୍ରତ ପାଳନ
ପାଞ୍ଚ ଦେବତାଙ୍କୁ ଅର୍ଘ୍ୟ ଦାନ ଦେଇ
କାର୍ତ୍ତିକର ଧର୍ମ କରେ ଅର୍ଜନ।

କରି ପ୍ରାତଃ ସ୍ନାନ ଖାଇ ହବିଷାନ୍ନ
ପୁରାଣ ପଠନେ ନିବେଶୀ ମନ
ବାଲୁକା ସ୍ଥାପନ ସ୍ୱର୍ଗ ଦୀପ ଦାନ
ମହା ପଞ୍ଚୁକ ଏ ବ୍ରତ ପାଳନ।

ଧାତରୀ ଅଅଁଳା ଅବା ବିଲ୍ଵ ମୂଳେ
ଦୀପ ଦାନ ଦେଇ ପୁଣ୍ୟ ଅର୍ଜନ
ପାଞ୍ଚ ବର୍ଣ୍ଣ ଗୁଣ୍ଡି ପକାଇ ମୁରୁଜ
ରାଈ ଦାମୋଦର କରି ଆହ୍ବାନ।

ଲକ୍ଷ୍ମୀ ମାତା ସହ ରାଈ ଦାମୋଦର
ସୂର୍ଯ୍ୟ ଗଣେଶଙ୍କ ପୂଜିବା ପାଦ
ଶିବ ପାର୍ବତୀଙ୍କ ନାମକୁ ସ୍ମରିବା
ଆତ୍ମ ଶୁଦ୍ଧି ପାଇଁ ଶୁଣିବା ବେଦ।

ମାଛ ମାଂସ ବ୍ରତୀ ଏକ ମାସ ଯାଏ
ଲୋଭ ସମ୍ବରଣେ ଛୁଇଁ ନଥାଏ
ଶଙ୍ଖ ହୁଳହୁଳି ମନ୍ତ୍ର ଉଚ୍ଚାରଣେ
ଏ ସାରା ଜଗତ କମ୍ପିତ ହୁଏ।

ଏ ବ୍ରତ ପାଳନେ ଯଶ ଆୟୁ ବଢ଼େ
ବିଷ୍ଣୁଙ୍କର ପ୍ରିୟ ବ୍ରତ କାର୍ତ୍ତିକ
ବାଲୁକା ସ୍ଥାନରେ ଅର୍ଘ୍ୟ ଦାନ ଦେଇ
ବ୍ରତ ନାମ ହୁଏ ମହା ପଞ୍ଚୁକ।

ପାଞ୍ଚ ଦିନେ ବ୍ରତୀ ପାଞ୍ଚ ଗବ୍ୟ ଖାଇ
ଦେହ ଦେଉଳକୁ କରେ ପବିତ୍ର
ପାପୀ ତରି ଯାଏ ତପୀ ତରିଯାଏ
ମହା ପଞ୍ଚୁକ ଏ ବଡ ବିଚିତ୍ର।

ଏକାଦଶୀ ଦିନେ ଗୋମୁତ୍ର ସେବନ
ଦ୍ୱାଦଶେ ଗୋମୟ ଅଛି ବିଧାନ
ତ୍ରୟୋଦଶେ ଘୃତ ପ୍ରେମରେ ପାଇବେ
ଚତୁର୍ଦ୍ଦଶୀ ପାଇଁ ଦଧି ଗ୍ରହଣ।

ପୂର୍ଣ୍ଣମାସୀ ଦିନ ଦୁଗ୍ଧ କରି ପାନ
ବ୍ରତକୁ କରିବେ ସେ ସମାପନ
ପାଞ୍ଚ ଦିବସରେ ବକ ଉପବାସ
ବକ ପଞ୍ଚକ ଏ ନାମ ଟି ଜାଣ।

ପୁରାଣ ବତାଏ ଅନେକ କାହାଣୀ
ଭୀଷ୍ମ ପଞ୍ଚକ ଏ ନାମରେ ଖ୍ୟାତ
ଶ୍ରୀବିଷ୍ଣୁ ପଞ୍ଚକ ନାମ ଏହା ପୁଣି
ଉପାସନା କରେ ସାରା ଜଗତ।

ଭକତିରେ ଶକ୍ତି ବତାଏ ପୁରାଣ
ସାଧବର ବୋହୂ ବ୍ରତକୁ ଜାଣ
ଏକାଦଶୀ ବ୍ରତ ରଥ ସ୍ୱର୍ଗାରୋହ
ସ୍ପର୍ଶରେ ବୈକୁଣ୍ଠ କଲେ ଗମନ।

ପ୍ରଭୁଙ୍କ ମୁଖରୁ ସତ୍ୟଭାମା ଜେମା
ଶୁଣିଲେ ପଞ୍ଚୁକ ବ୍ରତର ସାର
ଦ୍ଵାପର ଯୁଗର ବତାଇ କାହାଣୀ
ପକ୍ଷୀ ପକ୍ଷିଣୀର ପଞ୍ଜୁକ ବାର ।

ପାପ ପୂଣ୍ୟ ତାଙ୍କ ବିଚାର ହୋଇଲା
ଚାରିରୁ ତିନିହେଁ ସେ ପୁଣ୍ୟବାନ
କର୍ମର ଆୟତ୍ତେ ସର୍ବେ ଆତଯାତ
ବୈକୁଣ୍ଠ ପୁରକୁ କଲେ ଗମନ।

ଏ ମହା ପଞ୍ଚୁକ ବ୍ରତର ମହିମା
ଅନୁଭବୀ ପୁଣି ଜାଣଇ ସିନା
ଭକତିରେ ତୋଷ ହୋଇ ଦାମୋଦର
ଦାମ୍ଭିକର ପାଶେ ଥାଏ ବାହାନା।

ପୂର୍ଣ୍ଣମୀରେ ବ୍ରତ କରି ଉଜ୍ଜାପନ
ଅନ୍ନବସ୍ତ୍ର ପୁଣି ଦାନ ବିଧାନ
ଧୂପ ଦୀପ ଦେଇ ବୋଇତ ଭସାଇ
ଏ ମହା ପଞ୍ଚୁକ ହୁଏ ସମ୍ପୂର୍ଣ୍ଣ।

କବି ଭାରତୀ ସରିତା ମହାନ୍ତି
ବାଲିଆପାଳ, ବାଲେଶ୍ୱର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ