ଏମିତି ହେବ ମୋ ବିଦ୍ୟାଳୟ – ଡକ୍ଟର ଶରତ କୁମାର ଚଉଁରୀ
ଏମିତି ହେବ ମୋ ବିଦ୍ୟାଳୟ
ଯେଉଁଠି ନ ଥିବ ଡର ଭୟ
ଗୁରୁଜୀ ଗୁରୁମା ନିଜ ପିଲା ପରି
କରୁଥିବେ ମୋତେ ଅତି ସ୍ନେହ।
ପରିଷ୍କାର କୋଠା ଘର ଥିବ
ବିଜୁଳି ଆଲୁଅ ଜଳୁଥିବ
ପରିବେଶ ତାର ସରଗପୁରର
ନନ୍ଦନକାନନ ପରି ହେବ।
ଧାଡ଼ି ଧାଡ଼ି ଗଛ ଲାଗିଥିବ
ପକ୍ଷୀର କାକଳି ଶୁଭୁଥିବ
ରଙ୍ଗ ବେରଙ୍ଗର ନାନା ଫୁଲ ଫୁଟି
କିରିକିରି ହୋଇ ହସୁଥିବ।
ଖେଳ ପଡିଆ ଟେ ରହିଥିବ
ନଳକୂଅ ପାଣି ମିଳୁଥିବ
ପୁଅ ଝିଅଙ୍କର ସୁବିଧା ପାଇଁକି
ପାଇଖାନା ଆଦି ରହିଥିବ।
ବାର୍ଷିକ ଉତ୍ସବ ହେଉଥିବ
ଖେଳକୁଦ ଆଦି ଚାଲିଥିବ
ମଜା ଗୀତ ଗାଇ ନାଚିବି ତା ଥେଇ
ପୂଜାରେ ନିଶ୍ଚୟ ଭୋଜି ହେବ।
ମାସିକ ପରୀକ୍ଷା ହେଉଥିବ
ପ୍ରତିଭା ଚିହ୍ନଟ କରାଯିବ
ଗପ କହି ଗୁରୁ ଉପଦେଶ ଦେବେ
ବ୍ୟାୟାମ ଓ ଯୋଗ ଶିକ୍ଷା ଥିବ।
ନ ଥିବ ସେଠାରେ ଭେଦଭାବ
ଉଚ୍ଚ ନୀଚ ଜାତିଆଣ ଭାବ
ଏମିତିକା ଗୋଟେ ବିଦ୍ୟାଳୟ ମୋତେ
ମିଳିଗଲେ ମନ ଖୁସି ହେବ।
ଆନନ୍ଦେ ନାଚିବ ମୋର ମନ
ସତେକି ବାମନ ହସ୍ତେ ଜହ୍ନ
ମୁଁ ପାଠ ପଢିବି ଭଲ ପିଲା ହେବି
ରଖିବି ମୋ ବିଦ୍ୟାଳୟ ମାନ।
ଡ.ଶରତ କୁମାର ଚଉଁରୀ
ସଂ:ଶିଶୁ ଦରବାର
ଟିଚର୍ସ କଲୋନୀ,ପିପିଲି,ପୁରୀ

A very nice creation for children