ମୋହନ ପ୍ରୀତି – ରଞ୍ଜନ କୁମାର ବ୍ରହ୍ମା

ଲେଖକ ପରିଚୟ

ରଞ୍ଜନ କୁମାର ବ୍ରହ୍ମା
ଚିକିଟୀ ଗଡ଼, ଗଞ୍ଜାମ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ରୁଣୁଝୁଣୁ ଶବ୍ଦ ପାଉଁଜି ପାଦଟି
ମନକୁ ମୋହୁଛି ମୋହନଙ୍କର ।
ଥରେ ମନକଲେ ଦେଖିବି ସେ ପାଦ
ଯା ଲାଗି ପାଗଳ ମନଟି ମୋର ।।

ରୂପ ଦେଖିଅଛି ଅନନ୍ୟ ସୁନ୍ଦର
ହସରେ ରହିଛି ମାଦକ ମହୁ ।
ଗଜଗାମିନୀର ଚିକଣ ଚାହାଣୀ
ହରଣକରେ ସେ ବେଦନା ବହୁ ।।

ପାଦ ପଦ୍ମ ଦୁଇ ଧରଣୀ ଉପରେ
ଛେଚି ପଡୁଥାଏ ଚାଲିରେ ତାର ।
ମୋ ଲାଗି ଚଞ୍ଚଳ ମନ ତନ ତାର
ଘର ବାହାରକୁ କରି ନିଜର ।।

ନଈକୂଳ ଶୋଭା ତା’ ଲାଗି ବଢୁଛି
ଯେବେ ଯେବେ ସିଏ ନୀରକୁ ଆସେ ।
ବନ ଉପବନ ପ୍ରାଣୀ ତରୁ ଲତା
ପ୍ରୀତ ପ୍ରୀତି ଭରି ହୃଦୟ ବାସେ ।।

ପଣକରି ମନେ ମୋହିନୀ ପାଦକୁ
ଚାହିଁଲେ ମୋହନ ଅତି ନିକଟୁ ।
ଫଟା ପାଦ ଦ୍ୱୟ ହୃଦୟ ଚିରିଲା
ଧିକାର କରିଲେ ନିଜେ ନିଜକୁ ।।

ଯେ ପାଦ ଧାଏଁ ଗୁହାଳ ବାହାର
ଘର ପରିବାର ସଭିଙ୍କ ପାଇଁ ।
ସେ ପାଦ ଏପରି କଷ୍ଟ ଭୋଗୁଥିବ
ଲୁଚୁଥିବ ପିନ୍ଧା ବସନେ ଯାଇ ?

ଧିକ୍କାରି ମନକୁ ହାତରେ ପଲ୍ଲବ
ମନ୍ଥି ଲିପିଦେଲେ ଲଳନା ପାଦେ ।
ଗୋରା ପାଦ ଦୁଇ ଚମକି ଉଠିଲା
ଉଦିତ ଅରୁଣ ପୂରୁବ ଦିଗେ ।।

ଗଳାର ହାରକୁ ଗଳାମାଳି ପାଇଁ
ପିନ୍ଧାଇ ଦେଲେ ସେ ଦୁଇ ପାଦେ ।
ହୁଳହୁଳି ଦେଲେ ଗୋପବାଳା ମିଶି
ଶ୍ରୀ ରାଧାଙ୍କ ପାଦ ଦେଖି ଆନନ୍ଦେ ।।

ନିତ୍ୟ ସ୍ନାନ ପାଇଁ ସଙ୍ଗେ ଯାଉଥିଲେ
ଲଳିତା ବିଶାଖା ଅତି ନିଜର ।
ଅଦେଖା ଚରଣ ଦର୍ଶନ ଲଭିଲେ
ପର-କାଳ ପ୍ରାପ୍ତି ପୂଜି ପୟର ।।

କଷ୍ଟ ଗଲା ଖୁସି ଅଜାଡି ହୋଇଲା
ମନକୁ ଚିହ୍ନିଲା ପୁରୁଷ ଜାତି ।
ପାଦର କଷ୍ଟକୁ ପେଟର ଭୋକକୁ
ଜାଣି ଯେ ଜଗିଲା ସେ ଉଚ୍ଚ ଜାତି ।।

ଚିକିଟୀଗଡ଼, ଗଞ୍ଜାମ
ଫୋନ୍ ନଂ- 8249486455


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ