ଜନମ ଭୂଇଁ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ବୈଭବ ଶାଳିନୀ ଜନମ ଭୂଇଁ ମୋ
ପ୍ରକୃତି ରାଜିରେ ଘେରା,
ସତେକି ସରଗ ବଇକୁଣ୍ଠ ପୁରୀ
ଦିଶୁଅଛି କେଡେ ତୋରା।

ପୂରୁବ ଗଗନୁ କଁଅଳ ସୁରୁଜ
ସୁନେଲି ମୁରୁଜ ବୁଣେ,
କୋକିଳ କଣ୍ଠର ମଧୁର ଶବଦ
କୋଟି ଜନ ମନ କିଣେ।

ଜନନୀ ଜଠରୁ ଜନମିଲା ପରେ
ବଢିଲି ଯାହାରି କୋଳେ,
କ୍ଷୀଣ ତନୁ ମୋର ପୃଷ୍ଠ ହୋଇଛି
ଭକ୍ଷି ଯାର ଫୁଲ ଫଳେ ।

ଅତି ମନୋହର ଲାଗଇ ସୁନ୍ଦର
ନୁଆଁଣିଆ ଚାଳଘର,
ସରାଗ ହୃଦୟେ ଭେଟି ଦେଉଥାଏ
ଲାଉ କଖାରୁର ଭାର ।

ଦେବୀ ଦେବାଳୟ ଭାଗବତ ଟୁଙ୍ଗୀ
ଚୁଆ ଚନ୍ଦନର ବାସ,
ପ୍ରଭାତ ସମୟେ ମଙ୍ଗଳ ଶବଦେ
ପୁରୀ ଉଠେ ଦଶ ଦିଶ।

ଗୁରୁ ଗୁରୁଜନ ଯହିଁ ବିଦ୍ୟମାନ
ଜୀବନ୍ତ ପ୍ରତିମା ହୋଇ,
ଏକ ମନ ଏକ ପରାଣ ପରାୟ
ସକଳେ ଅଛନ୍ତି ରହି।

ଗାଆଁ ଚାଟଶାଳୀ ଉଚ୍ଚ ବିଦ୍ୟାଳୟ
ଗହଳିଆ ଆମ୍ବବନ,
ଯହିଁ ନଈକୂଳେ ସାଙ୍ଗସାଥି ମେଳେ
କଟିଛି ମୋ ପିଲାଦିନ।

ଉତ୍ସବ ବ୍ୟସନ ପିଠାପଣା ଆଉ
ରଜପାନ ରଜ ଦୋଳି,
ବାରମାସେ ତେର ପୁନେଇ ପରବ
ପାଳନ୍ତି ସଭିଏଁ ମିଳି ।

ସୁନାର ଫସଲ ଲହରୀ ଭାଙ୍ଗଇ
ଚାଷୀଭାଇ ସୁନା କ୍ଷେତେ,
ଉଦାସୀନ ମନ ହୁଏ ପ୍ରଫୁଲ୍ଲିତ
ଗୋପାଳ ପିଲାଙ୍କ ଗୀତେ ।

ସୁଦୂର ପ୍ରସାରୀ ଶୋରିଷ କିଆରି
ରୂପେ ବିମୋହିତ କରେ,
ଶୀତୁଆ ସକାଳ କାକର ଟୋପାରେ
ସରଗର ଶିରୀ ଫେରେ ।

ଶୈଶବ କାଳରୁ ଯୌବନ ଅବସ୍ଥା
ସୁଖରେ କଟିଲା ଯହିଁ,
ଜଳିଥିଲା ଦିନେ ଏନ୍ତୁଡ଼ି ନିଆଁ ମୋ
ଶେଷରେ ଜଳିବ ଜୁଈ।

ଛଅ ଋତୁ ମିଶି ଲୀଳା କରୁଛନ୍ତି
ଅପରୂପ ଶୋଭା ବହି,
ସ୍ନେହମୟୀ ଚିର ହୃଦୟବନ୍ଦିନୀ
ଏହି ମୋ ଜନମ ଭୂଇଁ ।

*****
????????????????????????????????????


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ