ଭାଇ
???? *ଭାଇ*????
**************
ଭାଇଟି ଅଟଇ ଭାବର ଈଶ୍ୱର
ଭାବନାର ପୁଣ୍ୟଆତ୍ମା
ଭାଷାର ଇନ୍ଧନ ଦେଇ ଜାଳି ଥାଏ
ପ୍ରତି ପ୍ରାଣ ଅନ୍ତରାତ୍ମା।
ଭାଇ ଡାକ ଏକ ସମ୍ବୋଧନ ନୁହଁ
ମମତାର ସମ୍ମୋହନ
ଏ ମଧୁର ଡାକ କାନରେ ବାଜିଲେ
ହୃଦୟେ ଜାଗେ କମ୍ପନ।
ସୁନ୍ଦର ସୁଢଳ ହୃଦୟୀ ଦରଦୀ
ସ୍ନେହଦାତା ଅନୁଭବୀ
ଆଦର ପାଇଲେ ସମର୍ପେ ଜୀବନ
ଖୋଲି ତନ୍ତ୍ର ମନ୍ତ୍ର ଚାବି।
ଅଚିହ୍ନା ଅଜଣା ଝିଅଟିଏ ଯେବେ
ସରାଗେ ଡାକେ ଏ ଭାଇ
ରକ୍ତ ସମ୍ପର୍କଠୁ ଭାବେ ସେ ନିଜର
ମଙ୍ଗଳ ସଦା ଚିନ୍ତଇ ।
ଭଉଣୀର ରାକ୍ଷୀ ପବିତ୍ର ବନ୍ଧନ
ସ୍ପନ୍ଦେ ତା ହୃଦ ସ୍ପନ୍ଦନ
ତା ସୁରକ୍ଷା, ଭଲ ପାଇଁ ଚିନ୍ତିଥାଏ
ତ୍ୟାଗ ଦେଇ ପ୍ରତିକ୍ଷଣେ।
ଭାଇ ସମ୍ବୋଧନେ କେଉଁ ଝିଅ ମାଗେ
ସାହାଯ୍ୟ ବସ୍ ବା ରେଳେ
ନିଜ ଭଉଣୀର ଭାବନା ନେଇ ସେ
ପ୍ରାଣପଣେ ସେବା ଢାଳେ।
ହିନ୍ଦୁ ମୁସଲମାନ୍ ଅବା ଖ୍ରୀଷ୍ଟିୟାନ୍
ହେଉ ଯେଉଁ ସମ୍ପ୍ରଦାୟ
ଭାଇ ଡାକଟିରେ ପ୍ରୀତି ବର୍ଷିଯାଏ
ପ୍ରାଣଟା ହୁଏ ଅଥୟ।
ଲକ୍ଷ୍ମଣ ଭରତ ଜଗନ୍ନାଥ ଭଳି
ଭାଇଙ୍କୁ ପଢ଼େ ଯେ ନିତ୍ୟ
ଭାରତୀୟ ପୁଣ୍ୟ ସଂସ୍କୃତିକୁ ପୂଜେ
ବୁଝି ସାର ମର୍ମ ତତ୍ତ୍ୱ ।
ଭାଇ ଶବଦଟା ସ୍ନେହ ପେନ୍ଥା ପୁଷ୍ପ
ମମତାର ମହୁଫେଣା
ତା ହାତର ଛୁଆଁ ତା ପ୍ରେମର ବର୍ଷା
ହଜାଏ କଷ୍ଟ ଯନ୍ତ୍ରଣା।

ଅସଲ ଭାଇଟା ମାୟା ଛନ୍ଦହୀନ
ସଂଜୀବନୀ ମଧୁବୀଣା
ଏଭଳି ଦେବତା ପାଇଁ କାନ୍ଦୁଥାଏ
ସ୍ୱର୍ଗର ସ୍ଵଚ୍ଛ ଅଗଣା।
✍???? *ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର*✍????
