ଦ୍ବିତୀୟ ଥର ପଶା ଖେଳରେ କ’ଣ ଘଟିଲା

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ମହାଭାରତ କଥା…..୬

ଦ୍ବିତୀୟଥର ପଶା ଖେଳରେ କ’ଣ ଘଟିଲା

ଧୃତରାଷ୍ଟ୍ର ପିତୃବ୍ଯଙ୍କ ଆଦେଶ ପାଳନ କରି ପାଣ୍ଡବମାନଙ୍କୁ ସମ୍ମାନର ସହିତ ଇନ୍ଦ୍ରପ୍ରସ୍ଥକୁ ପଠାଇଦେଲେ । ଧୃତରାଷ୍ଟ୍ର ନାମକୁ ମାତ୍ର ରାଜା ଥାଇ ସିଂହାସନର ଶୋଭାବର୍ଦ୍ଧନ କରୁଥିଲେ କିନ୍ତୁ ତାଙ୍କର ଜ୍ଯେଷ୍ଠ ପୁତ୍ର ଦୁର୍ଯ୍ୟୋଧନ ଵସ୍ତୁତ ରାଜ୍ୟ ଶାସନ କରୁଥିଲା । ଭୀଷ୍ମ ସମସ୍ତଙ୍କର ପୂଜ୍ଯ ମୁରବି ହୋଇ ରହିଥିଲେ ସୁଦ୍ଧା , ତାଙ୍କୁ ମଧ୍ୟ ଦୁର୍ଯ୍ୟୋଧନ ଭ୍ରୁକ୍ଷେପ କରୁ ନ ଥିଲା । ସେ ବେଳେ ବେଳେ ପିତାମହ ଭୀଷ୍ମଙ୍କ ପ୍ରତି କଟୁ ବାକ୍ଯ ପ୍ରୟୋଗ କରୁଥିଲା । ପାଣ୍ଡବମାନେ ଇନ୍ଦ୍ରପ୍ରସ୍ଥକୁ ଫେରିଯିବାର କିଛିଦିନ ପରେ ଦୁର୍ଯ୍ୟୋଧନ ଚିନ୍ତା କରିବାକୁ ଲାଗିଲା , ପାଣ୍ଡବମାନଙ୍କୁ ସେ କିପରି ସେମାନଙ୍କ ରାଜ୍ଯରୁ ସବୁଦିନ ପାଇଁ ବିତାଡିତ କରିଦେବ । ସେ ପୁଣି ତାର ମାମୁଁ ଶକୁନି ଓ ବନ୍ଧୁ କର୍ଣ୍ଣ ସହିତ ମନ୍ତ୍ରଣା କରି ଆଉଥରେ ପଶାଖେଳର ଆୟୋଜନ କରିବାକୁ ମନସ୍ଥ କଲା । ସମସ୍ତେ ଯାଇ ଧୃତରାଷ୍ଟ୍ରଙ୍କ ନିକଟରେ ପହଞ୍ଚି କହିଲେ, ପାଣ୍ଡବମାନଙ୍କୁ ଯଦି ସେମାନଙ୍କ ରାଜ୍ଯରୁ ସମ୍ପୂର୍ଣ୍ଣ ରୂପେ ବିତାଡିତ କରା ନ ଯାଏ, ତା’ ହେଲେ ସେମାନେ ଆମକୁ ଧ୍ବଂସ କରିଦେବେ । ପୁଣି ଥରେ ପଶାଖେଳ କରିବା ପାଇଁ ଆପଣ ଆମକୁ ଅନୁମତି ଦିଅନ୍ତୁ । ଏଥର ମଧ୍ୟ ପଶାଖେଳରେ ନିଶ୍ଚିତ ଭାବରେ ହାରିଯିବ ଏବଂ ଦୀର୍ଘ ବାରବର୍ଷ ପାଇଁ ସେମାନଙ୍କୁ ବନବାସ ଯିବାକୁ ପଡିବ ଏବଂ ଆଉ ଗୋଟିଏ ବର୍ଷ ଅଜ୍ଞାତ ବାସ କରିବାକୁ ପଡିବ । ଏହି ସମୟ ମଧ୍ୟରେ ସେମାନଙ୍କର ସମସ୍ତ ଦର୍ପ ଚୂର୍ଣ୍ଣ ହୋଇଯିବ । ଭୀମ ରାଜସଭାରେ ଦେଇଥିବା ଧମକ କଥା ସେମାନେ ସ୍ମରଣ କରାଇ ଦେବାରୁ ଅନ୍ଧରାଜା କୌଣସି ଆପତ୍ତି ନ କରି ପାଣ୍ଡବମାନଙ୍କୁ ଡାକି ଆଣିବା ଲାଗି ଜଣେ ଦୂତ ପଠାଇଲେ । ଏଥର କିନ୍ତୁ ଭୀଷ୍ମ , ଦ୍ରୋଣ ଓ ବିଦୁର ପ୍ରଭୃତି ଘୋର ପ୍ରତିବାଦ କରିଥିଲେ । ମାତ୍ର ରାଜା ସେମାନଙ୍କ କଥା ପ୍ରତି କର୍ଣ୍ଣପାତ କଲେ ନାହିଁ । ଦୁର୍ଯ୍ୟୋଧନ ଯାହା କହୁଥିଲା ସେ ତାହା କରୁଥିଲେ । ଯୁଧିଷ୍ଠିର ଥିଲେ ଜଣେ ଧର୍ମପ୍ରାଣ ବ୍ଯକ୍ତି । ସେ ଗୁରୁଜନମାନଙ୍କ କଥାକୁ ଆଦୌ ଅମାନ୍ୟ କରୁ ନ ଥିଲେ । ଏତେ ଅପମାନ ଓ ନିର୍ଯାତନା ସହି ମଧ୍ୟ ଧୃତରାଷ୍ଟ୍ରଙ୍କ ଆଦେଶ ପାଇ ସେ ଦ୍ବିତୀୟ ବାର ପଶା ଖେଳିବା ଲାଗି ସପରିବାର ହସ୍ତିନାପୁରରେ ଆସି ପହଞ୍ଚିଲେ ।
ପୁଣି ସଭାକ୍ଷରେ ସମସ୍ତଙ୍କ ଉପସ୍ଥିତିରେ ଦ୍ବିତୀୟବାର ପଶାଖେଳ ହେଲା ଏବଂ ଦୁର୍ଯ୍ୟୋଧନ ପକ୍ଷରୁ ତାର ମାମୁଁ ଖେଳରେ ବସିଲେ । ଏଥର ମଧ୍ୟ ଶକୁନି ପୂର୍ବପରି ତାର କପଟ କୌଶଳ ପ୍ରୟୋଗ କରି ଖେଳରେ ଯୁଧିଷ୍ଠିରଙ୍କୁ ହରାଇ ଦେଲା । ଏହା ଫଳରେ ସେମାନଙ୍କୁ ସେମାନଙ୍କ ରାଜ୍ୟ ତ୍ଯାଗ କରି ସର୍ତ୍ତ ଅନୁସାରେ ବାରବର୍ଷ ବନବାସ ଏବଂ ଆଉ ଗୋଟିଏ ବର୍ଷ ଅଜ୍ଞାତବାସ କରିବା ପାଇଁ ଯିବାକୁ ପଡିଲା । ସେମାନେ ମାତା କୁନ୍ତୀଙ୍କୁ ସେମାନଙ୍କ ହିତୈଷୀ ବିଦୁରଙ୍କ ଘରେ ଛାଡି ଦେଇ ଦ୍ରୌପଦୀଙ୍କୁ ସଙ୍ଗରେ ଧରି ଚାଲିଲେ ଅରଣ୍ଯକୁ । ସେମାନଙ୍କର ବିଦାୟକାଳୀନ ଦୃଶ୍ୟ ଅତ୍ଯନ୍ତ ମର୍ମନ୍ତୁଦ ଥିଲା । ହସ୍ତିନାପୁର ଓ ଇନ୍ଦ୍ରପ୍ରସ୍ଥର ନଗରବାସୀ ଆକୁଳ କ୍ରନ୍ଦନ କରି ସେମାନେ ଅରଣ୍ୟ ମଧ୍ୟରେ ପ୍ରବେଶ କରିବାଯାଏ ସେମାନଙ୍କ ପଛରେ ଧାଇଁଲେ । ଏହି ବାରବର୍ଷବ୍ଯାପୀ ଅରଣ୍ୟବାସ କାଳରେ ଅର୍ଜୁନ ଘୋର ତପସ୍ୟା କରି ଶିବଙ୍କଠାରୁ ଭୟାନକ ପାଶୁପତ ଅସ୍ତ୍ର ଏବଂ ଇନ୍ଦ୍ରଙ୍କଠାରୁ ଅବ୍ଯର୍ଥ ଅସ୍ତ୍ର ବଜ୍ର ସମେତ ଅନ୍ଯାନ୍ଯ ଶକ୍ତିଶାଳୀ ଦିବ୍ଯ ଅସ୍ତ୍ରମାନ ପ୍ରାପ୍ତ ହୋଇଥିଲେ । ସେମାନଙ୍କ ଅରଣ୍ୟବାସ କାଳରେ ପାଣ୍ଡବମାନେ ଯେପରି କ୍ଷୁଧାରେ କଷ୍ଟ ନ ପାଇବେ , ସେଥିଲାଗି ସୂର୍ଯ୍ୟ ଦେଵତା ସେମାନଙ୍କୁ ଅକ୍ଷୟପାତ୍ର ପ୍ରଦାନ କରିଥିଲେ , ଯାହାକି ଦିନସାରା ଖାଦ୍ଯ ପଦାର୍ଥରେ ଭରପୁର ହୋଇରହୁଥିଲା ଏବଂ ଦ୍ରୌପଦୀ ରାତିରେ ଖାଇ ସାରିବା ପରେ ଏହା ପରଦିନ ସକାଳ ପର୍ଯ୍ୟନ୍ତ ଖାଲି ହୋଇଯାଉଥିଲା ।
ପାଣ୍ଡବମାନେ କାମ୍ଯକ ଅରଣ୍ୟରେ ରହିଥିବା ସମୟରେ ଦିନେ ଶ୍ରୀକୃଷ୍ଣ ସେମାନଙ୍କୁ ଦେଖିବା ପାଇଁ ବଡ଼ଭାଇ ବଳରାମଙ୍କ ସହିତ ଦ୍ବାରକାରୁ ଆସି ପହଞ୍ଚିଲେ ସେଠାରେ । ସେମାନଙ୍କର ସୁହୃଦ ଶ୍ରୀକୃଷ୍ଣଙ୍କୁ ଦେଖି ପାଣ୍ଡବ ଭ୍ରାତାଗଣ ଓ ଦ୍ରୌପଦୀ ଆନନ୍ଦରେ ଅଧିର ହୋଇଗଲେ । ପାଣ୍ଡବମାନଙ୍କର ବନବାସ ଅବସ୍ଥା ଦେଖି ଶ୍ରୀକୃଷ୍ଣଙ୍କ ହୃଦୟ ଦୁଃଖରେ ଭରିଗଲା । ସେ ସେମାନଙ୍କୁ ସାନ୍ତ୍ବନା ଦେଇ କହିଲେ, ଦେଖ , ସେଦିନ ପାଖେଇ ଆସୁଛି ଯେତେବେଳେ କି ତୁମମାନଙ୍କୁ ଏ ଦଶା ଭୋଗ କରିବାକୁ ଦେଇଥିବା ପାପୀମାନଙ୍କ ରକ୍ତରେ ଧରା ଭିଜିଯିବ । ତୁମମାନଙ୍କର ଦୁଃଖର ଦିନ ଶେଷ ହୋଇ ଆସୁଛି । ଦ୍ରୌପଦୀ ଶ୍ରୀକୃଷ୍ଣଙ୍କ ନିକଟରେ ଭାବବିହ୍ବଳ ହୋଇ କହି ଉଠିଲେ, ହେ କୃଷ୍ଣ, ମୋର ଏହି ପାଞ୍ଚ ପତିଙ୍କ ସମ୍ମୁଖରେ ମୁଁ କୁରୁ ସଭାରେ ଯେଉଁ ଲାଞ୍ଛନା ପାଇଛି ତାହା ତ ତୁମେ ଜାଣିଥିବ । ତୁମ ସକାଶେ ହିଁ ମୋର ସମ୍ମାନ ରହିଲା । ଏହା କହି ଦ୍ରୌପଦୀ ଭୋ ଭୋ କରି କାନ୍ଦି ଉଠିଲେ । ଶ୍ରୀକୃଷ୍ଣ ଉତ୍ତେଜିତ କଣ୍ଠରେ କହିଲେ, ଶୁଣ ଦ୍ରୌପଦୀ, ତୁମକୁ ଯେଉଁମାନେ କନ୍ଦାଇଛନ୍ତି, ସେମାନଙ୍କ ପତ୍ନୀମାନେ ବିଧବା ହୋଇ ଏହା ଅପେକ୍ଷା ଶତସହସ୍ର ଗୁଣ ଅଧିକ କ୍ରନ୍ଦନ କରିବାର ଦିନ ଆଉ ବେଶି ଦୂର ନାହିଁ ବୋଲି ଜାଣ । ଏହା କହି ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ନାନା ପ୍ରକାର ଆଶ୍ଵାସନା ଦେଇ ଦ୍ବାରକା ଫେରିଗଲେ । ଏହିପରି ଭାବରେ ଦୀର୍ଘ ବାରବର୍ଷ କାଳ ଅରଣ୍ୟ ମଧ୍ୟରେ ବିତାଇ ପରବର୍ତ୍ତୀ ଗୋଟିଏ ବର୍ଷ ପାଣ୍ଡବମାନେ ଛଦ୍ମବେଶରେ ରାଜା ବିରାଟଙ୍କ ଘରେ ରହିଲେ । ସେମାନଙ୍କ ଅଜ୍ଞାତବାସ ସମ୍ପୂର୍ଣ୍ଣ ହୋଇଯିବା ପରେ ପାଣ୍ଡବମାନେ ହସ୍ତିନାପୁରକୁ ଫେରିଆସି ନିଜ ରାଜ୍ୟ ଫେରସ୍ତ ପାଇବା ଲାଗି ଯେତେବେଳେ ଦାବୀ ଜଣାଇଲେ,ସେତେବେଳେ ଦୁର୍ଯ୍ୟୋଧନ ତାହା ସେମାନଙ୍କୁ ଫେରାଇବା ତ ଦୂରର କଥା , ଛୁଞ୍ଚି ଅଗରେ ରହୁଥିବା ଟିକିଏ ଜାଗା ମଧ ଦେବି ନାହିଁ ଵୋଲି ରୋକଠୋକ ମନା କରି ଦେଲା । ପାଣ୍ଡବମାନେ ଅନନ୍ଯୋପାୟ ହୋଇ ହସ୍ତିନାପୁର ଠାରୁ ଅଳ୍ପ କିଛି ଦୂରରେ ଏକ ଗ୍ରାମରେ ଆଶ୍ରୟ ନେଇ ରହିଲେ ଏବଂ ଶ୍ରୀକୃଷ୍ଣଙ୍କ ନିକଟକୁ ଆସିବା ଲାଗି ଖବର ପଠାଇଲେ । ଏଣେ ହସ୍ତିନାପୁରରେ ଧୃତରାଷ୍ଟ୍ରଙ୍କ ସାନଭାଇ ବିଦୁର ଓ ପିତାମହ ଭୀଷ୍ମ ଦୁର୍ଯ୍ୟୋଧନର ଏପ୍ରକାର କାର୍ଯ୍ୟକଳାପ ଯୋଗୁଁ ଘୋର ଅସନ୍ତୁଷ୍ଟ ହୋଇ ପାଣ୍ଡବମାନଙ୍କୁ ସେମାନଙ୍କ ରାଜ୍ୟ ଫେରାଇ ଦେବା ଲାଗି ଦୁର୍ଯ୍ୟୋଧନକୁ ଯେତେପ୍ରକାର ବୁଝାଇଲେ ସୁଦ୍ଧା ସେ ସେମାନଙ୍କ କଥା ତିଳେ ମାତ୍ର ଶୁଣି ନ ଥିଲା ବରଂ ପାଣ୍ଡବମାନଙ୍କ ପ୍ରତି ସମବେଦନା ଦେଖାଉଥିବାରୁ ସେମାନଙ୍କୁ ଘୋର ଭର୍ତ୍ସନା କରିଥିଲା ।
ଇତି ମଧ୍ୟରେ ଶ୍ରୀକୃଷ୍ଣ ଦ୍ବାରକାରୁ ଆସି ପାଣ୍ଡବମାନଙ୍କ ନିକଟରେ ପହଞ୍ଚିଲେ ଏବଂ ସେମାନଙ୍କ ପକ୍ଷରୁ ଏକ ଶାନ୍ତି ପ୍ରସ୍ତାବ ନେଇ ହସ୍ତିନାପୁର ଗଲେ । ପାଣ୍ଡବମାନଙ୍କୁ ସେମାନଙ୍କ ରାଜ୍ୟ ଫେରାଇ ଦେବା ପାଇଁ ସେ ଦୁର୍ଯ୍ୟୋଧନକୁ ଅନେକ ବୁଝାଇଲେ । ଏପ୍ରକାର ଅନୈତିକ ଓ ଅଧର୍ମ କାର୍ଯ୍ୟରୁ ବିରତ ରହିବାକୁ ସେ ଯେତେ ବୁଝାଇଲେ ବି ଦୁଷ୍ଟବୁଦ୍ଧି ଦୁର୍ଯ୍ୟୋଧନ ସେଥିପ୍ରତି କର୍ଣ୍ଣପାତ କରି ନ ଥିଲା ବରଂ ରାଗିଯାଇ ଶ୍ରୀକୃଷ୍ଣଙ୍କୁ ବନ୍ଦୀ କରିବା ପାଇଁ ଉଦ୍ଯତ ହୋଇଥିଲା । କିନ୍ତୁ ଶ୍ରୀକୃଷ୍ଣଙ୍କର ପ୍ରଚଣ୍ଡ ଉଗ୍ର ମୂର୍ତ୍ତି ଦେଖି ସେ ଭୟଭୀତ ହୋଇ ଏହି କୁକାର୍ଯ୍ଯରୁ କ୍ଷାନ୍ତ ହୋଇଥିଲା । ଶ୍ରୀକୃଷ୍ଣ ବିଫଳମନୋରଥ ହୋଇ ଫେରିଯିବା ପୂର୍ବରୁ ଦୁର୍ଯ୍ୟୋଧନକୁ ସତର୍କ କରାଇ ଦେଇ କହିଥିଲେ, ତୁମେ ପାଣ୍ଡବମାନଙ୍କୁ ସେମାନଙ୍କ ରାଜ୍ୟ ନ ଫେରାଇବା କାରଣରୁ ଏକ ଧର୍ମଯୁଦ୍ଧ ହେବ ଏବଂ ସେଥିରେ ତୁମମାନଙ୍କ ବଂଶ ସମୂଳେ ଧ୍ବଂସ ହୋଇଯିବ । ଦୁର୍ଯ୍ୟୋଧନ ଶ୍ରୀକୃଷ୍ଣଙ୍କ କଥାକୁ ଏକ ଅଟ୍ଟହାସ୍ଯରେ ଉଡାଇ ଦେଲା । କ୍ରମଶଃ……

ସଂଗ୍ରହକାରୀ–ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ–୯୮୫୩୧୪୨୫୧୦


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ