ସ୍ବପ୍ନା ପାଇଁ ସ୍ଵପ୍ନର ନଅର – ନିଶିକାନ୍ତ କହଲସିଂହ
ତୋ’ ପାଇଁ ତୋଳିବି ବୋଲି ସ୍ବପ୍ନା ଏକ ସ୍ବପ୍ନର ନଅର
ସେ ଲାଗି ଜଗିଛି ଜାଗା ଜହ୍ନ ତଳ କଦମ୍ବ ଦ୍ବୀପରେ,
କେତେ ମତ୍ତ ମଧୁପଙ୍କ ଲାଗିଲାଣି ଲମ୍ବା ପଟୁଆର
ତୋ’ ତନୁ ଛୁଇଁବା ପାଇଁ ଆତପରେ , ଚନ୍ଦ୍ର ଆତପରେ ।।
ଝରଣାଟା ବାଟ ଭାଙ୍ଗି ଝରିଲାଣି ସେଇ ବାଟ ଦେଇ
ଦାଣ୍ଡକୁ ବାହାରିଲେ ତୁ ଧୋଇଦେବ ତୋ’ ସୁନାର ପାଦ,
ପକ୍ଷୀଙ୍କର ମଉଚ୍ଛବ ଲାଗିଲାଣି ଲକ୍ଷେ ଆଶା ନେଇ
ସକାଳୁ ଶୁଣିବୁ ବୋଲି ମିଠାମିଠା କାକଳି ଶବଦ ।।
ଫାଜିଲ୍ ଫଗୁଣ ସେଠି ରହିବାକୁ ବର୍ଷ ବାରମାସ
ଫୁଲେଇ କୋଇଲିକୁ ସେ ଗାଇବାକୁ ଦେଲାଣି ବଇନା,
ଜହ୍ନ ବି ବ୍ୟାକୁଳ ଅତି ତୋ’ ସାଥିରେ ରଚିବାକୁ ରାସ
ତୋ’ ମିତ ସାଜିବ ବୋଲି କେତେ ବ୍ୟସ୍ତ ମନୋଇ ମଇନା ।।
ହେଲେ ତୁ ସତରେ କିଏ ଜାଣିନି ମୁଁ କେଉଁଠି ତୋ’ ଘର,
କେଉଁ ଲାଗି ଜରଜର ଦେହ ମୋ’ର ଭାବନାରେ ତୋ’ର ।।
ଲୋକିପୁର, ଗଡ଼ମାଣତୀର, ଖୋର୍ଦ୍ଧା-୭୫୨୦୬୨
ମୋ : ୯୯୩୭୯୫୩୫୨୬
