ଓଠ – ପ୍ରମୋଦ କୁମାର ମହାନ୍ତି

ଲେଖକ ପରିଚୟ

ପ୍ରମୋଦ କୁମାର ମହାନ୍ତି
କଟକ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

କିଛି ଓଠ କଥା କହେ
କିଛି ଗୀତ ଗାଏ
କିଛି ଓଠ ଅଳ୍ପ ହସି
ମନ ଛୁଇଁ ଯାଏ ll

କିଛି ଓଠ ଥରି ଥରି
ମନ ବ୍ୟଥା କହେ
କିଛି ଓଠ ଥିରି ଥିରି
ପ୍ରେମଗୀତି ଗାଏ ll

କିଛି ଓଠ ରହି ରହି
ପ୍ରିୟ ନାମ ଭଜେ
କିଛି ଓଠ କହି କହି
ନୂଆ ଘର ଖୋଜେ ll

କିଛି ଓଠ ପିଇ ପିଇ
ଥକି ଯାଏ ନାହିଁ
କିଛି ଓଠ ଚାହିଁ ଚାହିଁ
ତୃପ୍ତି ପାଏ ନାହିଁ ll

କିଛି ଓଠ ଚାଟି ଚାଟି
ମିଠା ସରେ ନାହିଁ
କିଛି ଓଠ ରଟି ରଟି
ରଗ ମରେ ନାହିଁ ll

କିଛି ଓଠ ଭଜି ଭଜି
ହଜିଯାଏ ନାହିଁ
କିଛି ଓଠ ଖୋଜି ଖୋଜି
ପଥ ପାଏ ନାହିଁ ll

କିଛି ଓଠ ପ୍ରଜାପତି
ଭଳି ଡେଣା ତୋଳେ
କିଛି ଓଠ ପୀରତିର
ଫଗୁ ରଙ୍ଗ ବୋଳେ ll

କିଛି ଓଠ ଯୋଡ଼ି ହୋଇ
ହୋଇଯାଏ ଗୀତ
କିଛି ଓଠ ଛାଡ଼ି ହୋଇ
ବିରହ ସଙ୍ଗୀତ ll

କିଛି ଓଠ ଦରୋଟିରେ
ପୁଲକ ଜଗାଏ
କିଛି ଓଠ ରୁକ୍ଷ ଶବ୍ଦେ
ଅନଳ ଲଗାଏ ll

କିଛି ଓଠ ମଧୁ ବୋଳା
କିଣି ନିଏ ମନ
କିଛି ଓଠ କାରୁକଳା
ଦେଖାଏ ସପନ ll

କିଛି ଓଠ ଯୋଡ଼ି ହେଲେ
ଶବ୍ଦ ହୁଏ ନାହିଁ
କିଛି ଓଠ ଛାଡ଼ି ଗଲେ
ଅର୍ଥ ହୁଏ ନାହିଁ ll

କିଛି ଓଠ ଭାରି ଶଠ
ଭେଳିକି ଲଗାଏ
କିଛି ଓଠ ଭାରି ଦୁଷ୍ଟ
ସ୍ଥାନ ଭୁଲିଯାଏ ll

କିଛି ଓଠ ତୃଷାତୁର
ଶୋଷ ମେଣ୍ଟେ ନାହିଁ
କିଛି ଓଠ ଭସ୍ମାସୁର
ମୋଟେ ଅଣ୍ଟେ ନାହିଁ ll

କିଛି ଓଠ ତୁଳୀ ସ୍ପର୍ଶେ
ଜୀବନ୍ୟାସ ପାଏ
କିଛି ଓଠ ଟାଣି ନିଏ
ସର୍ବନାଶ ଯାଏ ll

କିଛି ଓଠ ଦୁଧ ଅଳତା
ରଙ୍ଗରେ ଅପୂର୍ବ
ସେ ଶୋଭା ଆଗରେ ଫିକା
ଇନ୍ଦ୍ରଧନୁ ରଙ୍ଗ ll

କିଛି ଓଠ ଖୋଲିଗଲେ
ସୂର୍ଯ୍ୟ ଉଠୁଥାଏ
କିଛି ଓଠ ହସିଦେଲେ
ଫୁଲ ଫୁଟୁଥାଏ ll

କିଛି ଓଠ ଗାଇଦେଲେ
ନାଚଇ ଝରଣା
କିଛି ଓଠ ନାଚିଗଲେ
କେକା ଆନମନା ll

କିଛି ଓଠ ଉଚ୍ଚାରିଲେ
ମେଘ ବରଷଇ
କିଛି ଓଠ ଇସାରାରେ
ଫଳ ପୁଷ୍ପ ଛାଇ ll

କିଛି ଓଠ ଓଁକାରରେ
ସୃଷ୍ଟି ଚାରି ଵେଦ
କିଛି ଓଠ ଅତ୍ୟାଚାରେ
ହୁଏ ଜାତି ଭେଦ ll

କିଛି ଓଠ ଦିନରାତି
ଅମୃତ ଅଜାଡ଼େ
କିଛି ଓଠ ସର୍ପ ପରି
ଗରଳ ନିଗାଡେ ll

କିଛି ଓଠ ଗାନ କରେ
ବ୍ରହ୍ମା ହରି ହର
କିଛି ଓଠ କାନ ଭରେ
ପର ନାରୀ ହର ll

କିଛି ଓଠ ଥରିଗଲେ
ବସୁଧା ଫାଟଇ
କିଛି ଓଠ ଥିରି ହେଲେ
ମସୁଧା କରଇ ll

କିଛି ଓ଼ଠୁଁ ଝରେ ଗଙ୍ଗା
ଯମୁନା ଓ ଫଲ୍ଗୁ
କିଛି ଓଠ ଶୁଖି ଫାଟେ
ଦୁଃଖ ଭାବୁ ଭାବୁ ll

କିଛି ଓଠେ ଵେଦଵାକ୍ୟ
ଉଚ୍ଚାରଣ ହୋଇ
କିଛି ଓଠେ ମରା ମରା
ରାମ ରାମ ହୋଇ ll

କିଛି ଓଠ ଲିପଷ୍ଟିକ
ରଙ୍ଗରେ ସଜେଇ
କିଛି ଓଠ ସାଦାସିଦା
ମନ ନିଏ ମୋହି ll

କିଛି ଓଠ ମାତା ସ୍ତନ୍ୟ
ଅମୃତ ପିଅନ୍ତି
କିଛି ଓଠ ମଦିରାରେ
ମଦ ମସ୍ତ ହ୍ୱନ୍ତି ll

କିଛି ଓଠ ଚୁମା ଦେଲେ
ଭେଦିଯାଏ ପ୍ରାଣ
କିଛି ଓଠ ଚୁମା ନେଲେ
ବହୁତ କଷଣ ll

ଓଠ କହେ ଓଠ ଗାଏ
ଓଠ ଛୁଇଁ ଯାଏ
ଓଠର ଉଷ୍ମ ପରଶେ
ଜଡ଼ ପ୍ରାଣ ପାଏ ll

ଖୋଲି ଦିଅ ଖୋଲି ଯାଉ
ଓଠର କବାଟ
ଏନ୍ତୁଡ଼ିଶାଳୁଁ ଶ୍ମଶାନ
ଓଠ ତ ସମ୍ରାଟ!!!

ପ୍ରମୋଦ କୁମାର ମହାନ୍ତି


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ