ଜୀବନ କହିଲେ – ଡଃ ଶରତ କୁମାର ଚଉଁରୀ
ଜୀବନ କହିଲେ ଏତିକି ବୁଝେ ମୁଁ
ଅଙ୍କାବଙ୍କା ରାସ୍ତା ଟିଏ,
ଅନ୍ତୁଡିଶାଳରୁ ଲମ୍ବିଅଛି ଏହା
ଗାଁ ମୁଣ୍ଡ ମଶାଣି ଯାଏଁ।
ଜୀବନ କହିଲେ ଏତିକି ବୁଝେ ମୁଁ
ଅଲେଖା କାଗଜ ଟିଏ,
ବିନା କାଳି ଆଉ କଲମରେ ତହିଁ
କେତେ କଥା ଲେଖି ହୁଏ।
ଜୀବନ କହିଲେ ଏତିକି ବୁଝେ ମୁଁ
ସୁଖ ଦୁଃଖ ଗପଟିଏ,
ଯେତେ କହିଲେ ବି ସରେ ନାହିଁ ଜମା
ବହୁ ବାକି ରହିଯାଏ।
ଜୀବନ କହିଲେ ଏତିକି ବୁଝେ ମୁଁ
ଅସହ୍ୟ ଯନ୍ତ୍ରଣା ବ୍ୟଥା,
ସହି ହୁଏ ନାହିଁ କହି ହୁଏ ନାହିଁ
ଅନେକ ମରମ କଥା।
ଜୀବନ କହିଲେ ଏତିକି ବୁଝେ ମୁଁ
ମି ଶାଣ ଫେ ଡ଼ାଣ ଅଙ୍କ,
ଜନମ ମରଣ ଭିତରେ ରହିଛି
ମାତ୍ର ଦି’ ଦିନ ର ଫାଙ୍କ।
ଜୀବନ କହିଲେ ଏତିକି ବୁଝେ ମୁଁ
ଅଦୃଶ୍ୟ ଆଇନାଟିଏ,
ସ୍ମୃତି ନୟନରେ ଚାହିଁ ଦେଲେ ବାରେ
କେତେ ଛବି ଦେଖି ହୁଏ।
ଜୀବନ କହିଲେ ଏତିକି ବୁଝେ ମୁଁ
ଅସରନ୍ତି ପୋଥିଟିଏ,
ଯେତେ ପଢିଲେ ବି ଇତି ହୁଏ ନାହିଁ
ବହୁ ବାକି ରହିଯାଏ।

ଡ.ଶରତ କୁମାର ଚଉଁରୀ
ସଂ:ଶିଶୁ ଦରବାର
ଟିଚର୍ସ କଲୋନୀ, ପିପିଲି,ପୁରୀ
