କେତେ କଥା ଭାବେ ମୁହିଁ – ସ୍ନେହଲତା ରାୟ
କେତେ କଥା ଭାବେ ମୁହିଁ
କହିତ ପାରଇ ନାହିଁ
ନୀରବ ଯନ୍ତ୍ରଣା ମଧ୍ୟେ
ଦିନ ଯାଏ ବହ୍ନି ବହି ॥
କାହିଁକି ପାରେନା
ତା’ ଅର୍ଥ ମୁଁ ବୁଝେନାହିଁ
ତା’ ଉତ୍ତର ମନେ ମନେ
ବାରବାର କୁହୁଳେଇ ॥
ମନର ଯନ୍ତ୍ରଣା ସବୁ
ଦାଉ ସାଧେ ମୋ ସହିତ
ପ୍ରବର୍ତ୍ତାଏ କ୍ଷଣେ କ୍ଷଣେ
ଜାଣିବାକୁ ଏ ଜଗତ ॥
ଶତ ସିଂହ ବଳ ପ୍ରାୟ
ଚେତନା ମୋ ଆସିଯାଏ
ମୋ ଆତ୍ମାର ଅଭିଲିପି
ନିଃସଙ୍କୋଚ କହିଯାଏ ॥
କଲମ ମୁନରେ ଦିନେ
ଅଦିନିଆ ଝଡ ହୋଇ
କହିବାର କଥା ଯାହା
ସବୁତ ଦେଇଛି କହି ॥
ମୁଁ ଜାଣିଛି ମୋ କଥାର
କାହା ପାଖେ ମୂଲ୍ୟ ନାହିଁ
ତଥାପି ଆବେଗ ମୋର
ଝରିଛି ଝରଣା ହୋଇ ॥
ମୁଁ ଖୋଜିଛି ଶାନ୍ତି ସୁଖ
ପ୍ରେମ ଟିକେ ପାଇବାକୁ
ହୃଦୟ ଦରଜା ଖୋଲି
ପରକୁ ଆପଣା କରିବାକୁ ॥
କିଏ ବୁଝୁ ନବୁଝୁ ବା
ମୋ ପରାଣ, ମୋ ମନକୁ
ସିଏ ଥରେ ଦୟାକରି
ଛୁଇଁଦେଉ ମୋ ମନର ଦୁଃଖକୁ ॥
ମୋ ନିଖୁରା ମଥାପରେ
ଥରଟେ କରୁଣା କରି
ତା ଦରଦ ହାତ ରଖି
ଦେଉ ମୋ ହୃଦୟ ଭରି ॥
ତା ପାଦର ଧୂଳି ହୋଇ
କାଳେ କାଳେ ରହିଥିବି
ସବୁ ଦୁଃଖ ଭୁଲିଯାଇ
ନିରନ୍ତର ଉଡୁଥିବି ॥
